ନବଯୁଗ ସାହିତ୍ୟ

 

 

 

 

 

 

 

 

 

 

ନବଯୁଗ ସାହିତ୍ୟ

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ଧନ୍ୟ ମାନବ (ପଦ୍ୟ)

୨.

ଭାଗବତ ପଣ୍ଡିତ

୩.

ସମୁଦ୍ର ଯାତ୍ରା ଓ ବାଣିଜ୍ୟ

୪.

ଭାବୁକଶ୍ରେଷ୍ଠ ରୋଷୋ

୫.

ଜାତିପାଇଁ ଆତ୍ମୋତ୍ସର୍ଗ (ପଦ୍ୟ)

୬.

ସନାତନ ସଭ୍ୟତା

୭.

ଭୂମିକମ୍ପ

୮.

ଆଧୁନିକ ଭାରତର ଦୁଇ ଶ୍ରେଷ୍ଠ କବି

୯.

ଚନ୍ଦ୍ରରେ ଶଶା (ପଦ୍ୟ)

୧୦.

କୁଟରୀଶିଳ୍ପ ଓ ଶିଳ୍ପୀ

୧୧.

ବଶିଷ୍ଠଙ୍କ ଆଦର୍ଶ କ୍ଷମା

୧୨.

ଆନ୍ତର୍ଜାତିକ କ୍ରୀଡ଼ା ଉତ୍ସବ

୧୩.

ଆଶିଷ (ପଦ୍ୟ)

୧୪.

ଚିକିତ୍ସା ଓ ସାଧାରଣ ସ୍ୱାସ୍ଥ୍ୟ

୧୫.

ନଗାଧିରାଜ ହିମାଳୟ

୧୬.

ଚୀନବାସୀଙ୍କ ହୃଦୟର ସମ୍ରାଟ କନ୍‌ଫ୍ୟୁସିୟସ

୧୭.

କସ୍ତୁରୀ ବାଈ (ପଦ୍ୟ)

୧୮.

ଆଚାର ବ୍ୟବହାର

୧୯.

ମହାମନୀଷୀ କାଉଣ୍ଟ୍‌ଲିଓ ଟଲଷ୍ଟୟ

୨୦.

ବିଶ୍ୱ-ମୈତ୍ରୀ

୨୧.

ସିଂହ ମଧ୍ୟ ପଶୁ (ପଦ୍ୟ)

୨୨.

ଜାତୀୟ ସଂପ୍ରାସରଣ କୃଷି

୨୩.

ଅଜନ୍ତାର ଚିତ୍ରକଳା

୨୪.

ସ୍ୱାଧୀନ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ

୨୫.

ପାଇକ ବିଦ୍ରୋହ (ପଦ୍ୟ)

୨୬.

ଭାରତର ସ୍ୱାଧୀନତା ସଂଗ୍ରାମ

୨୭.

ଅଦ୍ଭୁତ ବୈଜ୍ଞାନିକ ଉଦ୍ଭାବନ

୨୮.

ନବ ନିର୍ମାଣ ଓ ସଞ୍ଚୟ ଯୋଜନା

୨୯.

ଅରଣ୍ୟ ଏକ ଜାତୀୟ ସମ୍ପଦ

୩୦.

ଜାତୀୟ ସଙ୍ଗୀତ

Image

 

ଧନ୍ୟମାନବ

 

ଧନ୍ୟ ଧନ୍ୟ ହେ ମାନବ ଅପୂର୍ବ କୀରତି ତବ

ହେଲା ଧରଣୀର ଗର୍ବ ରୂପେ ବିଦିତ,

ପ୍ରଚାରିଲ କେତେ ଧର୍ମ କଲ ଯେ ଅଦ୍ଭୁତ କର୍ମ

ଭାବିଲେ ବିସ୍ମୟେ ମଗ୍ନ ହୁଅଇ ଚିତ୍ତ ।୧।

ରାମ, ବୁଦ୍ଧ, ଯୁଧିଷ୍ଠିର, ମହମ୍ମଦ, ଯୀଶୁ, ଧୀର

ବାଲ୍ମିକୀ, ବଶିଷ୍ଠ, ବ୍ୟାସ ରୂପେ ଜନମି

ଦେଲ କେତେ ନୀତି ଶିକ୍ଷା ଧର୍ମର ମହତ ଦୀକ୍ଷା

ତଥିପରେ ସଭ୍ୟତାର ସୌଧ ନିରମି ।୨।

ସେ ଧର୍ମପ୍ରେରଣା ଲଭି ରଚିଲେ କବିତା କବି

ଶିଳିପୀ ଗଢ଼ିଲେ ମସଜିଦ ମନ୍ଦିର

କେତେ ଗୀର୍ଜା ସୁମହାନ ରହି ଆଜି ବିଦ୍ୟମାନ

ଘୋଷୁଛି ଅତୀତ ଗୁଣ ଗାରିମା ଗୀର ।୩।

ଯୁଗେ ଯୁଗେ ବୀରତ୍ୱର କାହାଣୀ ହେଲା ଅମର

ଭାଙ୍ଗିଲ କେତେ ନଗର ବିରାଟ ହର୍ମ୍ୟ,

ତଥିପରେ ପୁଣି ନର ଗଢ଼ିଲ ନୂଆ ନବର

କେତେ ନବ ଅଟ୍ଟାଳିକା ଅଧିକ ରମ୍ୟ ।୪।

ଗଢ଼ିଲ ବିଜ୍ଞାନ ବଳେ ନୂଆ ଯନ୍ତ୍ର କଉଶଳେ

ବିଦ୍ୟୁତ୍‌ ଶକ୍ତିର କେତେ କରି ପ୍ରୟୋଗ,

କରୁଅଛ ଆବିଷ୍କାର ନବ ନବ ଚିକିତ୍ସାର

ଉପଶମ ଲାଗି କେତେ ଅସାଧ୍ୟ ରୋଗ ।୫।

ପର ଉପକାର ଲାଗି ହେଲ ଯେ ପରମ ତ୍ୟାଗୀ

ବରିଲ ଦୁଃଖ, ଛାଡ଼ିଲ ସମ୍ପଦ ହର୍ଷ;

କଠୋର ସାଧନା ବଳେ ଜୟୀ ହେଲ ଭୂମଣ୍ଡଳେ

ଯୁଗେ ଯୁଗେ ରଖିଗଲ ମହା ଆଦର୍ଶ ।୬।

କେତେ ବାଳକ ବୟସେ ଜିଣିଲେ ତ୍ୟାଗ ସାହସେ

ଧରମା-କୀରତୀ-କୋଣାରକ ବିଖ୍ୟାତ,

ସୁମରି ସେ ଗୁଣରାଜି ଲାଗିବୁଁ କରମେ ଆଜି

ମାନବ କୁଳରେ ଆମ୍ଭେ ହୋଇଛୁଁ ଜାତ ।୭।

ଦେଶଲାଗି ନିଜ ପ୍ରାଣ କରି ଅକାତରେ ଦାନ

ସ୍ୱାଧୀନତା ପାଇଁ କେତେ କଲେ ସମର;

ଆଲୋକିଲେ ଏ ସଂସାର ଅବତାର ଅହିଂସାର

ମହାତ୍ମା ଗାନ୍ଧି ମର୍ତ୍ତ୍ୟରେ ହୋଇ ଅମର ।୮।

ଅଭିମନ୍ୟୁ ସମ ବୀର ଧ୍ରୂବ ସମବୁଦ୍ଧି ସ୍ଥିର

ସେ ମାନବକୁଳେ ଜନ୍ମ କେତେ ବାଳକ

ଧନ୍ୟ କରି ଧରାବାସୀ ରଖିଗଲେ ଯଶରାଶି;

ହେବୁଁ ତାଙ୍କ ପରି ଆମ୍ଭେ ଶ୍ରେଷ୍ଠ ସାଧକ ।୯।

 

ପ୍ରଶ୍ନ

 

୧.

ଏହି କବିତାର ପ୍ରଥମ ପଦଟିକୁ ଉଦାହରଣ ସହ ସରଳଭାଷାରେ ବୁଝାଇ ଲେଖ ।

 

 

୨.

ଧର୍ମପ୍ରଚାରକମାନଙ୍କ ଜଗତରେ କି କି କାର୍ଯ୍ୟ ସାଧିତ ହୋଇଛି ?

 

 

୩.

ତୁମ୍ଭେ ନିଜ ଜୀବନରେ କେଉଁ ମହତ୍‌କର୍ମ କରିବାକୁ ଇଚ୍ଛା କର ଓ କାହିଁକି ?

 

 

୪.

କେଉଁ ମନୁଷ୍ୟମାନଙ୍କୁ ପ୍ରକୃତ ସାଧକ ବୋଲି ତୁମେ କହିବ ?

 

 

୫.

ଧରଣୀର ଗର୍ବ, ସଭ୍ୟତାର ସୌଧ, ଅତୀତ-ଗୁଣଗାରିମା, ଅହିଂସାର ଅବତାର–ପ୍ରୟୋଗଗୁଡ଼ିକର ଅର୍ଥ ଲେଖ ।

 

 

୬.

ଅପୂର୍ବ, ଅଦ୍ଭୁତ, ମଗ୍ନ, ସୁମହାନ୍‌, ଅସାଧ୍ୟ ଓ ସାଧକ–ଏହି ବିଶେଷଣ ଶବ୍ଦ ସହିତ ଉପଯୁକ୍ତ ବିଶେଷ୍ୟପଦ ଯୋଗକର ।

Image

 

ଭାଗବତ ପଣ୍ଡିତ

 

କୌଣସି ଗୋଟିଏ ଗ୍ରାମରେ ଜଣେ ମହାଜ୍ଞାନୀ ଭାଗବତ ପଣ୍ଡିତ ଥିଲେ । ଶ୍ରୀମଦ୍‌ ଭାଗବତର ଅନେକ ସଂସ୍କୃତ ଶ୍ଲୋକ ତାଙ୍କର ମୁଖସ୍ଥ ଥାଏ । ପୁଣ୍ୟାତ୍ମା କବି ଜଗନ୍ନାଥ ଦାଶଙ୍କର ଓଡ଼ିଆ ଭାଗବତ ଗ୍ରନ୍ଥ ସେ ପ୍ରତ୍ୟହ ପାଠ କରନ୍ତି । ତାଙ୍କ ମୁଖରୁ ପ୍ରଥମ ସ୍କନ୍ଧଠାରୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ସମଗ୍ର ଭାଗବତ ଶୁଣିବାକୁ ବହୁ ଲୋକ ରୁଣ୍ଡ ହୁଅନ୍ତି ।

 

ପଣ୍ଡିତ ମହାଶୟଙ୍କର କଣ୍ଠ ଯେପରି ମଧୁର, ଜ୍ଞାନ ମଧ୍ୟ ସେହିପରି ଗଭୀର । ସେ ଭାଗବତ ପାଠକରି ବୁଝାଇଲାବେଳେ ଲୋକେ ତନ୍ମୟ ହୋଇ ଶୁଣନ୍ତି । ସେମାନେ ସ୍ୱେଚ୍ଛାରେ ଯାହା ପଣ୍ଡିତଙ୍କୁ ଦାନ କରନ୍ତି, ସେହି ସ୍ୱଳ୍ପ ଧନରେ ତାଙ୍କର ସଂସାର ନିର୍ବାହ ହୋଇଯାଏ । କ୍ରମେ ପଣ୍ଡିତଙ୍କର ଖ୍ୟାତି ଦୂର ଗ୍ରାମମାନଙ୍କରେ ବ୍ୟାପ୍ତ ହୋଇଗଲା ଏବଂ ଅନେକ ଆଗ୍ରହୀ ଶ୍ରୋତା ଆସି ତାଙ୍କ ମୁଖରୁ ଭାଗବତ ଶୁଣିଲେ ।

 

ଶ୍ରୋତା ସଂଖ୍ୟା ଅଧିକ ହେଲେ ମଧ୍ୟ ପଣ୍ଡିତଙ୍କ ଧନୋପାର୍ଜନର ଉନ୍ନତି ନ ଘଟିବାରୁ ତାଙ୍କ ପତ୍ନୀ ଦିନେ କହିଲେ, ‘‘ତୁମ ନାମ ତ ବହୁତ ପ୍ରଚାରିତ ହେଲାଣି, ଏବେ ତୁମେ ରାଜଦ୍ୱାରକୁ ଯାଅ । ରାଜା ତୁମଠାରୁ ଭାଗବତ ଶୁଣିଲେ, ନିଶ୍ଚୟ ଅନେକ ଧନରତ୍ନ ଆମକୁ ଦେବେ । ତାହାଦ୍ୱାରା ଆମେ ଅଧିକ ସୁଖରେ ଚଳିପାରିବା ।’’ ପତ୍ନୀଙ୍କ କଥାରେ ଉତ୍ସାହିତ ହୋଇ ପଣ୍ଡିତଙ୍କର ଧନଲୋଭ ବୃଦ୍ଧି ପାଇଲା । ସେ ପଟ୍ଟବସ୍ତ୍ର ଓ ସ୍ୱର୍ଣ୍ଣକୁଣ୍ଡଳ ପରିଧାନ କରି ରାଜସଭାରେ ଉପସ୍ଥିତ ହେଲେ ।

 

*ଶ୍ରୀଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କର ‘‘ଶ୍ରୀ ଶ୍ରୀ ରାମକୃଷ୍ଣ ଉପନିଷତ୍‌’’ ଗ୍ରନ୍ଥର ଗୋଟିଏ ଗଳ୍ପର ଅବଲମ୍ବନରେ ଲିଖିତ । ମୂଳ ଆଖ୍ୟାୟିକାରେ ବର୍ଣ୍ଣିତ କେବଳ ‘ଭାଗବତ’ ସ୍ଥାନରେ ଏଠାରେ ‘ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ’ ଉଲ୍ଲେଖ କରାଯାଇଛି ।

 

ରାଜା ତାହାଙ୍କୁ ଅଭିବାଦନ ଜଣାଇବାରୁ ଆଶୀର୍ବାଦ କରି ପଣ୍ଡିତ କହିଲେ, ‘‘ମହାରାଜ ! ଭାଗବତ ଏକ ଶ୍ରେଷ୍ଠ ଧର୍ମଗ୍ରନ୍ଥ । ଶୁକମୁନି ଏହାକୁ ସ୍ୱୟଂ ପରୀକ୍ଷିତ ମହାରାଜାଙ୍କୁ କହିଥିଲେ ।(ଭାଗବତ ଗ୍ରନ୍ଥ ସକଳ ଜ୍ଞାନର ଭଣ୍ଡାର;) ଏହାକୁ ପାଠ ଓ ଶ୍ରବଣ କଲେ ଜଗତର ସମସ୍ତ ବିଷୟରେ ହିତାହିତ ଜ୍ଞାନ ଜନ୍ମିଥାଏ । ଯୋଗ୍ୟ ଆଚାର୍ଯ୍ୟଙ୍କଠାରୁ ଆପଣ ଏହା ଶିକ୍ଷା କରିବା ଉଚିତ-। ଆପଣ ଆଜ୍ଞା କଲେ ମୁଁ ଭାଗବତ ପାରାୟଣ କରି ଆପଣଙ୍କୁ ଶୁଣାଇବି । ଆପଣଙ୍କ ରାଜସଭାରେ ଭାଗବତ ପାରାୟଣ କରିବି ବୋଲି ମୁଁ ଏଠାରେ ଉପସ୍ଥିତ ହୋଇଅଛି ।’’

 

ରାଜା ସ୍ୱୟଂ ଜଣେ ବିଚକ୍ଷଣବୁଦ୍ଧିସମ୍ପନ୍ନ ବ୍ୟକ୍ତି ଥିଲେ । ସେ ଭାବିଲେ ଯେ ପଣ୍ଡିତ ଯଦି ଭାଗବତ ଗ୍ରନ୍ଥର ପ୍ରକୃତ ମର୍ମ ବୁଝିଥାନ୍ତେ; ତେବେ ତ ଜପ, ଧ୍ୟାନ, ତପସ୍ୟାରେ କାଳାତିପାତ କରନ୍ତେ, ଧନ ଯଶ-ଲାଭ ଆଶାରେ ରାଜଦ୍ୱାରକୁ ଆସନ୍ତେ କାହିଁକି ? ତେଣୁ ରାଜା ପଣ୍ଡିତଙ୍କୁ କହିଲେ, ‘‘ପଣ୍ଡିତବର ! ଆପଣଙ୍କୁ ଆଚାର୍ଯ୍ୟ ପଦରେ ବରଣ କରି ଭାଗବତ ଶୁଣିବା ସକାଶେ ମୋର ମଧ୍ୟ ଇଚ୍ଛା ଅଛି । ଅତଏବ ମୋର ଅନୁରୋଧ, ଆପଣ ପୁନର୍ବାର ଉତ୍ତମରୂପେ ଭାଗବତ ପାଠକରି ଆସନ୍ତୁ ?

 

ରାଜାଙ୍କ କଥା ଶୁଣି ଭାଗବତ ପଣ୍ଡିତ ମନେ ମନେ କ୍ରୁଦ୍ଧ ଓ ବିରକ୍ତ ହେଲେ । କିନ୍ତୁ ରାଜସମକ୍ଷରେ ତାହା ପ୍ରକାଶ କରି କୌଣସି ଲାଭ ନାହିଁ । ବିଫଳମନୋରଥ ହୋଇ ସେ କ୍ଷୁବ୍‌ଧ ଚିତ୍ତରେ ରାଜଦ୍ୱାରରୁ ପ୍ରତ୍ୟାବର୍ତ୍ତନ କଲେ । ସ୍ୱଗୃହରେ ଉପସ୍ଥିତ ହୋଇ ସେ ପତ୍ନୀଙ୍କୁ କହିଲେ, ‘‘ରାଜା ଜଣେ ଗଣ୍ଡ, ମୂର୍ଖ, ତାଙ୍କର କୌଣସି ବିଦ୍ୟାରେ ଜ୍ଞାନ ନାହିଁ । କିଏ ପଣ୍ଡିତ ଓ କିଏ ମୂର୍ଖ ତାହା ବୁଝିବାକୁ ସୁଦ୍ଧା ସେ ଅସମର୍ଥ । ମୁଁ ଆଉଥରେ ଭଲରୂପେ ଭାଗବତ ପାଠ କରି ତାଙ୍କ ପାଖକୁ ଯିବିବୋଲି ମୋତେ ମଧ୍ୟ ଉପଦେଶ ଦେବାକୁ ସାହସ କରନ୍ତି । ବାର ବର୍ଷ ଧରି ମୁଁ ଶାସ୍ତ୍ରପାଠ କଲି-। ସମଗ୍ର ଭାଗବତ ଗ୍ରନ୍ଥ ମୋର ମୁଖସ୍ଥ । ଲୋକମୁଖରେ ମୋହର ପ୍ରଶଂସା ଉଚ୍ଛ୍ୱସିତ । ଅଥଚ ଏହି ମୂର୍ଖରାଜା ମୋର ମୂଲ୍ୟ ବୁଝିଲେ ନାହିଁ ।’’

 

ସ୍ୱାମୀଙ୍କଠାରୁ ସକଳ କଥା ଶୁଣି ସ୍ତ୍ରୀ କିଛି ସମୟ ଚିନ୍ତା କଲେ, ତାହାପରେ ସେ କହିଲେ, ‘‘ରାଜାମାନେ ପ୍ରାୟ ଏହି ଭଳି ଅବୁଝା ହୋଇଥାନ୍ତି । ମାତ୍ର ଯେତେ ହେଲେ ସେ ତ ରାଜା-। ତାଙ୍କ କଥାରେ ଆମର ଦୁଃଖ କିମ୍ବା ରାଗ କରିବା ଉଚିତ ନୁହେଁ । ରାଜାଜ୍ଞା ମାନି ତୁମେ ଆଉଥରେ ଭାଗବତ ପାଠକର । ତାହାପରେ ଯାଇ ପୁଣି ରାଜାଙ୍କୁ ଜଣାଇବ । ତୁମ କଥା ଶୁଣି ରାଜା ନିଶ୍ଚୟ ପ୍ରସନ୍ନ ହେବେ । ଏହି ଉପାୟରେ ରାଜାଙ୍କୁ ସନ୍ତୁଷ୍ଟ କଲେ, ତୁମେ ରାଜସଭାରେ ପୁରାଣପଣ୍ଡିତ ପଦରେ ନିଯୁକ୍ତ ହୋଇପାରିବ । ସେହି ପଦଟି ପାଇଲେ ଆମ ଐଶ୍ୱର୍ଯ୍ୟରେ ଆଉ କୌଣସି ଅଭାବ ରହିବ ନାହିଁ ।’’

 

ସହଧର୍ମିଣୀଙ୍କ ସତ୍‌ପରାମର୍ଶରେ ବ୍ରାହ୍ମଣ ଅଭିମାନ ତ୍ୟାଗ କରି ପୁନରାୟ ନିୟମିତରୂପେ ଭାଗବତ ପାଠ କରିବାକୁ ଲାଗିଲେ । ପରେ ଶୁଭ ଦିନ ଦେଖି ସେ ରାଜାଙ୍କ ସମୀପକୁ ଯାତ୍ରା କଲେ । ରାଜା ପଣ୍ଡିତଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇ ପଚାରିଲେ, ‘‘ଆପଣ ଭାଗବତ ପାଠ ଶେଷ କରିଛନ୍ତି କି ?’’

 

ପଣ୍ଡିତ ମହାଶୟ ଉତ୍ତର ଦେଇ କହିଲେ, ‘‘ମହାରାଜ ଆପଣଙ୍କ ଆଜ୍ଞାନୁଯାୟୀ ଅତ୍ୟନ୍ତ ଯତ୍ନ ସହକାରେ ମୁଁ ଏଥର ଭାଗବତ ପାରାୟଣ କରି ଆସିଛି । ଭାଗବତ ଗ୍ରନ୍ଥର ସକଳ ପ୍ରକାର ବାଖ୍ୟା କରି ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବର୍ତ୍ତମାନ ପ୍ରସ୍ତୁତ । (ଆପଣ ଥରେ ମାତ୍ର ମୋ ଠାରୁ ଭାଗବତ ଶୁଣିବାକୁ ଅନୁମତି ଦିଅନ୍ତୁ । ଆପଣଙ୍କ ଯଶ ଓ ଧର୍ମବୃଦ୍ଧି ହେଉ, ଏହାହିଁ ମୋର କାମନା)-।’’

 

ପୂର୍ବବତ ରାଜା ପଣ୍ଡିତଙ୍କୁ କହିଲେ, ‘‘ମୁଁ ସଙ୍କଳ୍ପ କରିଛି ଯେ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଭାଗବତ ଶ୍ରବଣ କରିବି । ଆପଣ ଗୃହକୁ ଯାଇ ପୁନରାୟ ଭାଗବତ ପାଠ କରି ଆସନ୍ତୁ ।’’

 

ରାଜାଙ୍କଠାରୁ ପୁଣି ଏଭଳି ଅପ୍ରତ୍ୟାଶିତ ବ୍ୟବହାର ପାଇ ପଣ୍ଡିତ ହତାଶ ହୋଇ ପଡ଼ିଲେ । ତାଙ୍କୁ ଅତ୍ୟନ୍ତ ଶୋକାକୁଳ ଭାବରେ ଗୃହକୁ ଫେରିବା ଦେଖି ପତ୍ନୀ ସ୍ୱାମୀଙ୍କଠାରୁ ସମସ୍ତ ବିଷୟ ଅବଗତ ହେଲେ । ତତ୍ପରେ ସେ ପ୍ରବୋଧ ଦେଇ ସ୍ୱାମୀଙ୍କୁ କହିଲେ, ‘‘ତୁମଭଳି ଶ୍ରେଷ୍ଠ ପଣ୍ଡିତ ଏଥିଲାଗି ଅଧୀର ହେବା ଉଚିତ ନୁହେଁ । ନିଶ୍ଚୟ ଏହା ଭିତରେ କିଛି ଗୂଢ଼ରହସ୍ୟ ଅଛି । ରାଜା ବୋଧହୁଏ ତୁମକୁ ଏହି ଭାବରେ ପରୀକ୍ଷା କରୁଛନ୍ତି । ଆମର ଭାଗ୍ୟଦେବତା ନିଶ୍ଚୟ ପ୍ରସନ୍ନ ହେଲେଣି । ତୁମେ ଆଉ ଥରେ ଭଲରୂପେ ଭାଗବତ ପାଠ କରି ରାଜଦ୍ୱାରକୁ ଯାଅ ।’’

 

ଅଦମ୍ୟ ଅଧ୍ୟବସାୟ ସହିତ ପଣ୍ଡିତ ପୁଣି ଭାଗବତ ପାଠ କରିବାକୁ ଲାଗିଲେ । ଆଉ ଯେପରି ରାଜଦ୍ୱାରରୁ ନିରାଶ ହୋଇ ଫେରିବାକୁ ନ ପଡ଼େ, ସେଥିଲାଗି ସେ ଏକ ନିର୍ଜନ କକ୍ଷରେ ହାତରୁଦ୍ଧ କରି ନିବିଷ୍ଟ-ଚିତ୍ତରେ ଭାଗବତ ପାଠକଲେ । ବାରମ୍ବାର ପାଠ କରିବା ଫଳରେ ଭାଗବତର ନୂତନ ନୂତନ ଭାବ ଓ ଅର୍ଥ ତାଙ୍କୁ ଜଣାପଡ଼ିଲା । ସେହି ଭାବର ଅପୂର୍ବ ମହିମାରେ ତାଙ୍କ ମନରୁ ଲୋଭ, କ୍ରୋଧ, ଗର୍ବ, ଅଭିମାନ ଦୂର ହେଲା । ଯଥାସମୟରେ ଆହାର କରିବାକୁ ମଧ୍ୟ ସେ ପାଶୋରି ପକାଇଲେ । ଗୃହସଂସାର, ଧନସମ୍ପତ୍ତି, ଖ୍ୟାତି, ସମ୍ମାନ ଆଦି ତାଙ୍କୁ ଅତି ତୁଚ୍ଛ ବୋଧ ହେଲା । ଅନବରତ ଭାଗବତ ପାଠରେ ସେ ତନ୍ମୟ ଓ ମୁଗଧ୍‌ ହୋଇ ରହିଲେ । ରାଜାଙ୍କ ସମୀପକୁ ଯିବା କଥା ମଧ୍ୟ ତାଙ୍କ ମନରେ ଉଦିତ ହେଲା ନାହିଁ ।

 

ସଂସାର ବିଷୟ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇ ଭାଗବତ ପଣ୍ଡିତ ଏକାଗ୍ର ଚିତ୍ତରେ ଧ୍ୟାନମଗ୍ନ ରହୁଥିବା ଦେଖି ତାହାଙ୍କ ପତିପ୍ରଣା ସହଧର୍ମିଣୀ ଅତିଶୟ ବ୍ୟାକୁଳା ହୋଇପଡ଼ିଲେ । କାରଣ ନିଜ ସ୍ୱାମୀଙ୍କର ଏହିଭଳି ଶୋଚନୀୟ ପରିମାଣ ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା-। ମର୍ମାନ୍ତିକ ଦୁଃଖରେ ଅଧୀରା ହୋଇ ସେ ଅନବରତ ରୋଦନ କରିବାକୁ ଲାଗିଲେ ।

 

ଭାଗବତ ପଣ୍ଡିତ ଆଉ ରାଜଦ୍ୱାରକୁ ଆସୁ ନ ଥିବାର ଦେଖି ରାଜା ସ୍ୱୟଂ ତାଙ୍କ କୁଟୀରକୁ ଗମନ କଲେ । ସେଠାରେ ସେ ବ୍ରାହ୍ମଣଙ୍କ ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି ଓ ଦିବ୍ୟ ସୌନ୍ଦର୍ଯ୍ୟ ଦର୍ଶନ କରି ଭକ୍ତିଗଦ୍‌ଗଦ ଚିତ୍ତରେ ତାଙ୍କୁ ଜଣାଇଲେ, ‘‘ଦୟା ବାହି ଆପଣ ମୋର ଅପରାଧ ମାର୍ଜନା କରନ୍ତୁ । ମୋତେ ବର୍ତ୍ତମାନ ଭାଗବତ ଗ୍ରନ୍ଥ ଶୁଣାଇ କୃତାର୍ଥ କରନ୍ତୁ ।’’

 

ମୃଦୁ ହସି ବ୍ରାହ୍ମଣ ଉତ୍ତର କଲେ, ‘‘(ଆପଣ ମୋତେ ଉଚିତ ଶିକ୍ଷା ଦେଇଛନ୍ତି । ମହାରାଜ ! ଏଥିଲାଗି ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ) । ଏଣିକି ମୋର ରାଜଦ୍ୱାରକୁ ଯିବା ଆଉ ପ୍ରୟୋଜନ ନାହିଁ କାରଣ ବାରମ୍ବାର ଭାଗବତ ପାଠ କରିବା ଫଳରେ ମୁଁ ଯାହା ପାଇଛି, ତାହା ରାଜପୁରୀରେ ଦୁଲ୍ଲର୍ଭ । (ଗ୍ରନ୍ଥପାଠରୁ ଯେଉଁ ଜ୍ଞାନ ଲବ୍‌ଧ ହୁଏ, ତାହା ତୁଳନାରେ ସକଳ ଧନରତ୍ନ ଓ ରାଜଐଶ୍ୱର୍ଯ୍ୟ ଅତି ତୁଚ୍ଛ ବୋଲି ମୁଁ ବୋଧ କରୁଛି) ।’’

 

ଭାଗବତ ପଣ୍ଡିତଙ୍କର ପ୍ରକୃତ ଜ୍ଞାନୋଦୟ ହୋଇଛି ଦେଖି ରାଜା ତାଙ୍କ ଦ୍ୱାରକୁ ସ୍ୱଂୟ ପ୍ରତ୍ୟହ ଭାଗବତ ଶୁଣିବାକୁ ଆସିଲେ । ପଣ୍ଡିତଙ୍କ ପତ୍ନୀ ମଧ୍ୟ ରାଜଦ୍ୱାରରୁ ବହୁ ଧନରତ୍ନ ଅଯାଚିତ ଭାବରେ ଲାଭ କଲେ ।

 

ପ୍ରଶ୍ନ

 

୧.

ଭାଗବତ ଗ୍ରନ୍ଥ ପାଠକଲେ କି ଉପକାର ସାଧିତ ହୁଏ ?

 

 

୨.

ରାଜା କାହିଁକି ଭାଗବତ ପଣ୍ଡିତଙ୍କୁ ବାରମ୍ବାର ଭାଗବତ ପଢ଼ିବାକୁ କହିଲେ ?

 

 

୩.

ଏହି ପାଠରୁ କି ଶିକ୍ଷା ପାଇଲ ?

 

 

୪.

‘‘ଏହାକୁ ପାଠ ଓ ଶ୍ରବଣ କଲେ.ହିତାହିତ ଜ୍ଞାନ ଜନ୍ମିଥାଏ ।’’ ଏ କଥା କିଏ କାହା ସମ୍ପର୍କରେ କହିଥିଲେ ?

 

 

୫.

ତନ୍ମୟ, ପାରାୟଣ, କ୍ଷୁବ୍‌ଧ, ବିଫଳମନୋରଥ, ଉଚ୍ଛ୍ୱସିତ, ପ୍ରସନ୍ନ, ଶୋକାକୁଳ, ଅପ୍ରତ୍ୟାଶିତ, ଶୋଚନୀୟ, ଦିବ୍ୟସୌନ୍ଦର୍ଯ୍ୟ ଓ ଚିରକୃତଜ୍ଞ–ଶବ୍ଦଗୁଡ଼ିକର ଅର୍ଥ କହ ।

 

 

୬.

ଏହି ବିଷୟର ଶେଷରେ ଥିବା ଅନୁଚ୍ଛେଦର ପ୍ରତ୍ୟକ୍ଷୋକ୍ତିକୁ ପରୋକ୍ଷୋକ୍ତିରେ ପରିଣତ କର ।

Image

 

ସମୁଦ୍ର ଯାତ୍ରା ଓ ବାଣିଜ୍ୟ

 

ଆମ୍ଭମାନଙ୍କର ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁ ବନ୍ଦୀଶାଳାରେ ଥିବାବେଳେ ପୃଥିବୀର ଅତୀତ ନୌ-ବାଣିଜ୍ୟ ସମ୍ପର୍କରେ ବର୍ଣ୍ଣନା କରି ସ୍ୱୀୟ କନ୍ୟାଙ୍କ ନିକଟକୁ ଇଂରେଜୀରେ ପତ୍ର ଲେଖିଥିଲେ । ବନ୍ଦୀଶାଳାରୁ ଲିଖିତ ଏପରି କେତେଗୁଡ଼ିଏ ପତ୍ରରେ ପୃଥିବୀର ଇତିହାସ ବର୍ଣ୍ଣିତ ହୋଇ ଗୋଟିଏ ଗ୍ରନ୍ଥରୂପେ ପ୍ରକାଶିତ ହୋଇଅଛି । ସେଥିମଧ୍ୟରୁ ଖଣ୍ଡିଏ ପତ୍ରରେ ସେ ପ୍ରାଚୀନ ନୌ-ବାଣିଜ୍ୟ ବିଷୟକ ବର୍ଣ୍ଣନା ନିମ୍ନୋକ୍ତ ରୂପେ କରିଛନ୍ତି–

 

ପୂର୍ବକାଳର ଆଉ ଗୋଟିଏ ଚମତ୍କାର ଜାତି ହେଉଛନ୍ତି, ଫୋନିସୀୟ । ଇହୁଦୀ ଏବଂ ଆରବମାନେ ଯେଉଁ ଜାତିର ଲୋକ, ଏମାନେ ମଧ୍ୟ ସେହି ଜାତିର । ଫୋନିସୀୟମାନେ ପ୍ରଧାନତଃ ମଧ୍ୟ ଏସିଆର ପଶ୍ଚିମ ଉପକୂଳବର୍ତ୍ତୀ ଆଧୁନିକ ତୁର୍କୀ ଦେଶରେ ବାସ କରୁଥିଲେ । ଭୂମଧ୍ୟସାଗର କୂଳରେ ସେମାନଙ୍କର ପ୍ରଧାନ ସହରଗୁଡ଼ିକର ନାମ ଥିଲା ଆକ୍ତି, ଟାୟାର ଏବଂ ସୀଡ଼ନ୍‌ । ସେମାନେ ସମୁଦ୍ର ମଧ୍ୟରେ ସୁଦୁର ବାଣିଜ୍ୟଯାତ୍ରା ନିମିତ୍ତ ବିଖ୍ୟାତ ଥିଲେ । ଭୂମଧ୍ୟସାଗରରେ ପୋତ ଚାଳନ କରି ସେମାନେ ଇଂଲଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ଓ ଭାରତକୁ ମଧ୍ୟ ଆସି ପାରିଥାନ୍ତି ।

 

ଦୁଇଟି ପ୍ରଧାନ ବିଷୟର ଆରମ୍ଭ ଏହିଠାରୁ ହେଲା–ଗୋଟିଏ ସୁମଦ୍ରଯାତ୍ରା ଏବଂ ଅନ୍ୟଟି ବାଣିଜ୍ୟ; ଗୋଟିଏ ଅନ୍ୟଟିକୁ ସାହାଯ୍ୟ କରୁଥିଲା । ବର୍ତ୍ତମାନ ତୁମେ ଯେଉଁ ଆଧୁନିକ ଧରଣର ଜାହାଜ ଦେଖୁଛ, ସେତେବେଳେ ତାହା ନ ଥିଲା । ତତ୍କାଳୀନ ପୋତଗୁଡ଼ିକ ବୃକ୍ଷର ଗଣ୍ଡିକୁ ଖୋଳି ନିର୍ମାଣ କରାଯାଉଥିଲା । ଏଭଳି ସୁମଦ୍ରଯାତ୍ରା ନିଶ୍ଚୟ ଖୁବ୍‌ ଆମୋଦଦାୟକ ହୋଇଥିବ । ଗୋଟିଏ ଛୋଟ ନୌକାରେ ବସି କାତ ଏବଂ ପାଲଦ୍ୱାରା ବିରାଟ ଆରବ ସାଗର ଅତିକ୍ରମ କରିବା କଥା ତୁମେ କଳ୍ପନା କଲ ଦେଖି ! ସେ ନୌକାରେ ଗତାଗତ ହେବାକୁ ଅଳ୍ପସ୍ଥାନ ଥାଏ । ବାୟୁବେଗରେ ସର୍ବଦା କ୍ଷୁଦ୍ର ତରୀଟି ଦୋଳାୟମାନ ହୋଇ ଅଧିକାଂଶ ସମୟରେ ହୁଏତ ଜଳମଗ୍ନ ହେଉଥିବ । କେବଳ ସାହସୀ ଲୋକମାନେ ଏଭଳି ଖୋଲା ନୌକାରେ ସମୁଦ୍ରରେ ଯିବାକୁ ସାହସ କରୁଥିବେ । କାରଣ ଏହା ବଡ଼ ବିପଦପୂର୍ଣ୍ଣ । ମାସ ମାସ ପର୍ଯ୍ୟନ୍ତ ସେମାନେ ସ୍ଥଳଭାଗ ଦେଖି ପାରନ୍ତି ନାହିଁ । ଖାଦ୍ୟ ଅଭାବ ହେଲେ ମତ୍ସ୍ୟ କିମ୍ବା ପକ୍ଷୀ ଶିକାର କଲେ ସମୁଦ୍ର ମଧ୍ୟରେ କିଛି ଆହାର ମିଳିଥାଏ ।

 

ସମୁଦ୍ରଯାତ୍ରା ବହୁ ସାହସିକ ଓ ରୋମାଞ୍ଚକର ଘଟଣାରେ ପୂର୍ଣ୍ଣ । ପୂର୍ବକାଳର ନାବିକମାନଙ୍କ ସମୁଦ୍ରଯାତ୍ରା ବିଷୟରେ ନାନା ଅଦ୍ଭୁତ ଗଳ୍ପ ଶୁଣାଯାଇ ଥାଏ । ଏହିସବୁ ବିପଦର ସମ୍ମୁଖୀନ ହୋଇ ଲୋକମାନେ ସମୁଦ୍ରଯାତ୍ରା କରୁଥିଲେ । କେହି କେହି ସାହସିକ କାର୍ଯ୍ୟକୁ ଭଲ ପାଉଥିବାରୁ ଏଭଳି ଯାତ୍ରା କରନ୍ତି । ଅଧିକାଂଶ ଲୋକଙ୍କର ଅର୍ଥଲିପ୍‌ସା ହିଁ ସମୁଦ୍ର ଯାତ୍ରାର ଉଦ୍ଦେଶ୍ୟ ଥିଲା ।

 

ଦ୍ୱିତୀୟ ବିଷୟଟିର ଆଲୋଚନା କରାଯାଉ । ବାଣିଜ୍ୟ କ’ଣ ଓ ତାହାର ଆରମ୍ଭ ହେଲା କିପରି ? ତୁମେ ଆଜିକାଲି ବଡ଼ ବଡ଼ ଦୋକାନ ଦେଖୁଛ ଏବଂ ତାହା ଭିତରକୁ ଯାଇ ଯାହା ଇଚ୍ଛା କିଣି ପାରୁଛ । କିନ୍ତୁ ତୁମେ ଯେଉଁ ସବୁ ଜିନିଷ କିଣୁଛ, ତାହା କେଉଁଠାରୁ ଆସୁଛି, କେବେ ଭାବିଛ କି ? ଏଲାହାବାଦର ଦୋକାନରୁ ତୁମେ ଯେଉଁ ଗରମ ସାଲ କିଣୁଛ, ତାହା ହୁଏତ କାଶ୍ମୀରରୁ ବୁହାହୋଇ ଆସୁଛି; ପୁଣି ସେହି ପଶମ କାଶ୍ମୀର ବା ଲାଡ଼ାକ୍‌ ପର୍ବତର ମେଣ୍ଢାଙ୍କ ଦେହରୁ ସଂଗୃହୀତ ହୋଇଛି । ଯେଉଁ ଟୁଥ୍‌ପେଷ୍ଟ ବା ଦନ୍ତମାର୍ଜନ ବସ୍ତୁ ତୁମେ ବ୍ୟବହାର କରୁଛ, ତାହା ସୁଦୂର ଆମେରିକାରୁ ଜାହାଜରେ ଏଠାକୁ ବୋଝାଇ ହୋଇ ଆସିଛି । ସେହିପରି ଚୀନ, ଜାପାନ, ଫ୍ରାନ୍‌ସ ଏବଂ ଇଲଣ୍ଡରେ ପ୍ରସ୍ତୁତ ପଣ୍ୟଦ୍ରବ୍ୟମାନ ତୁମେ ବ୍ୟବହାର କରୁଛ ।

 

ବଜାରରେ ବିକ୍ରୀ ହେଉଥିବା ବିଦେଶୀ ଲୁଗା କଥା ଭାବି ଦେଖ । ଭାରତବର୍ଷରେ କପାଚାଷ ହୋଇ ସେହି କପା ଇଂଲଣ୍ଡକୁ ପ୍ରେରିତ ହେଲା । ଗୋଟିଏ ବଡ଼ କାରଖାନା ତାହାକୁ ପରିଷ୍କାର କଲା ଏବଂ ତା’ପରେ କପାକୁ ଭିଣି ସୂତା କରି ତହିଁରୁ ଲୁଗା ପ୍ରସ୍ତୁତ କଲା । ଏହି ଲୁଗା ପୁଣି ଭାରତକୁ ଆସି ବଜାରରେ କାରବାର ହେଲା । ବିକ୍ରୀ ହେବା ପୂର୍ବରୁ ଏହା କେତେ ମାଇଲ ପଥ ଯିବା ଆସିବା କରିଛି, ବିଚାରିଲ ? ଭାରତବର୍ଷରେ ତୁଳା ଉତ୍ପନ୍ନ ହୋଇ ଇଂଲଣ୍ଡକୁ ଏତେ ବାଟ ଯାଇ ପୁଣି ଲୁଗା ପ୍ରସ୍ତୁତ ହୋଇ ଏଠାକୁ ଫେରୁଛି । ଏ କଥା ଶୁଣିଲେ ବଡ଼ ଅଡ଼ୁଆ ବୋଧ ହେଉଛି । ମନେ ହେଉଛି, ଏଥିରେ ବହୁ ସମୟ ଏବଂ ଶକ୍ତି ଅକାରଣ ବିନଷ୍ଟ ହୋଇଯାଉଛି । ସେହି ତୁଳାରୁ ଭାରତବର୍ଷରେ ଲୁଗା ତିଆରି କଲେ ନିଶ୍ଚୟ ତାହା ଯଥେଷ୍ଟ ଶସ୍ତା ଏବଂ ଉକ୍ତୃଷ୍ଟ ଧରଣର ହୋଇପାରନ୍ତା । ତୁମେ ଜାଣ, ଆମେ ବିଦେଶୀ ଲୁଗା କିଣୁ ନାହୁଁ ବା ପିନ୍ଧୁନାହୁଁ । ଆମେ ଖଦଡ଼ ପିନ୍ଧୁ, କାରଣ ଯେତେ ବେଶି ସମ୍ଭବ, (ନିଜ ଦେଶର ଜିନିଷ ବ୍ୟବହାର କରିବା ବିବେକୀ ବ୍ୟକ୍ତିର କାର୍ଯ୍ୟ) । ଯେଉଁ ଗରିବ ଲୋକମାନେ ସୂତା କାଟନ୍ତି ଓ ଲୁଗା ବୁଣନ୍ତି, ଖଦଡ଼ କିଣି ପିନ୍ଧିବା ଦ୍ୱାରା ସେହିମାନଙ୍କୁ ସାହାଯ୍ୟ କରାଯାଏ ।

 

ବର୍ତ୍ତମାନ ତୁମେ ଦେଖୁଛ, ବାଣିଜ୍ୟ ଗୋଟିଏ ଜଟିଳ ବିଷୟ । ପ୍ରକାଣ୍ଡ ଜାହାଜମାନ ଏକ ଦେଶରୁ ଅନ୍ୟ ଦେଶକୁ ଜିନିଷ ବୋହିବାରେ ଲାଗିଛନ୍ତି । କିନ୍ତୁ ସବୁବେଳେ ଏପରି ହୁଏ ନାହିଁ-

 

ଆଦି ମାନବ ତାହାର ପ୍ରଥମ ବସତି ସ୍ଥାପନ କଲାବେଳେ ବାଣିଜ୍ୟ ଆଦୌ ନ ଥିଲା କହିଲେ ଚଳେ । ପ୍ରତ୍ୟେକ ବ୍ୟକ୍ତିର ଯାହା ଆବଶ୍ୟକ, ତାହା ସେ ନିଜେ ସଂଗ୍ରହ କରୁଥିଲା କିମ୍ବା ପ୍ରସ୍ତୁତ କରୁଥିଲା । ସେତେବେଳେ ଅବଶ୍ୟ ତାର ଆବଶ୍ୟକତା ଓ ଅଭାବ ଥିଲା ଅତି ଅଳ୍ପ । ମୁଁ ପୂର୍ବରୁ କହିଛି ଯେ କ୍ରମେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ କାର୍ଯ୍ୟ-ବଣ୍ଟନ ପ୍ରଥା ଆରବଧ୍‌ ହେଲା । ପୃଥକ୍‌ଗୋଷ୍ଠୀ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ବିଭିନ୍ନ ପଦାର୍ଥ ପ୍ରସ୍ତୁତ କଲେ । ତାହା ଫଳରେ ଗୋଟିଏ ଲେଖାଏଁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏକ ନିର୍ଦ୍ଦିଷ୍ଟ ବସ୍ତୁକୁ ପ୍ରଚୁର ପରିମାଣରେ ପାଇଲେ । ତେଣୁ ସେମାନଙ୍କ ମଧ୍ୟରେ ଏହିସବୁ ପଦାର୍ଥର ଆଦାନପ୍ରଦାନ ସ୍ୱାଭାବିକ ହୋଇପଡ଼ିଲା । ଉଦାହରଣ ସ୍ୱରୂପ, କୌଣସି ଗୋଷ୍ଠୀ ବସ୍ତାଏ ଶସ୍ୟ ବଦଳରେ ଗୋଟାଏ ଗାଈ ଦେଲା । ସେତେବେଳେ ଟଙ୍କା ପଇସା ବୋଲି କିଛି ନ ଥିଲା । କେବଳ ଜିନିଷ ଅଦଳ ବଦଳ କରାଯାଉଥିଲା । ତେଣୁ ଦ୍ରବ୍ୟବିନିମୟ ପ୍ରଥାରେ ବାଣିଜ୍ୟ କରିବା ଆରମ୍ଭ ହେଲା । କିନ୍ତୁ ଏପରି କରିବାରେ ବଡ଼ ଅସୁବିଧା ହେଉଥିବ । ହୁଏ ତ ବସ୍ତାଏ ଶସ୍ୟ ପାଇଁ ଜଣ୍ଟକୁ ଗୋଟାଏ ଗାଈ ବା ହଳେ ମେଣ୍ଢା ଗ୍ରହଣ କରିବାକୁ ପଡ଼ୁଥିବ । ଯାହାହେଉ, ବାଣିଜ୍ୟ କ୍ରମେ ଉନ୍ନତି ଲାଭ କଲା ।

 

ଏହା ପରେ ସ୍ୱର୍ଣ୍ଣ ରୌପ୍ୟ ଆବିଷ୍କୃତ ହେବାରୁ ଲୋକେ ବାଣିଜ୍ୟର ମାଧ୍ୟମରୂପେ ତାହାକୁ ବ୍ୟବହାର କଲେ। ସୁନା ରୂପା ନେବା ଆଣିବା କରିବା ସୁବିଧାଜନକ । କ୍ରମେ ପଣ୍ୟଦ୍ରବ୍ୟର ମୂଲ୍ୟକୁ ସ୍ୱର୍ଣ୍ଣ ବା ରୌପ୍ୟ ଆକାରରେ ଦେବା ପ୍ରଥାର ପ୍ରଚଳନ ହେଲା । ଯେଉଁ ବ୍ୟକ୍ତି ପ୍ରଥମେ ଏହି ପ୍ରଥା ଉଦ୍ଭାବନ କରିଥିବେ, ସେ ନିଶ୍ଚୟ ଖୁବ୍‌ ବୁଦ୍ଧିମାନ୍‌ ହୋଇଥିବେ । ସୁନା ରୂପାର ବ୍ୟବହାର ଫଳରେ ବାଣିଜ୍ୟ ଖୁବ୍‌ ସହଜ ହୋଇଗଲା । ତଥାପି ଆଜିକାଲି ଆମେ ଯେପରି ମୁଦ୍ରା ଦେଖୁଛୁଁ; ସେତେବେଳେ ସେପରି ନ ଥିଲା ।

 

ଅନେକ କାଳ ପରେ ମୁଦ୍ରା ଗଠିତ ହେବାଦ୍ୱାରା ବାଣିଜ୍ୟବ୍ୟବସାୟ ଆହୁରି ସହଜ ହୋଇ ପଡ଼ିଲା । ସମସ୍ତେ ମୁଦ୍ରାର ମୂଲ୍ୟ ଜାଣିଥିବାରୁ, ତାହାକୁ ଓଜନ କରିବା ଆବଶ୍ୟକ ହେଲା ନାହିଁ । ବର୍ତ୍ତମାନ ସର୍ବତ୍ର ମୁଦ୍ରା ବ୍ୟବହୃତ ହେଉଛି । କିନ୍ତୁ ଆମର ମନେ ରଖିବା ଉଚିତ ଯେ ମୁଦ୍ରାର ଆଉ କୌଣସି ଆବଶ୍ୟକତା ନାହିଁ । ତାହା କେବଳ ପ୍ରୟୋଜନୀୟ ଦ୍ରବ୍ୟ କ୍ରୟ କରିବାରେ ସାହାଯ୍ୟ କରେ । ତୁମେ ରାଜା ମିଦାସଙ୍କ କଥା ଜାଣିଥିବ । ସେ ଦେବତାଙ୍କ ବର ଲାଭ କରି ଯେଉଁ ବସ୍ତୁକୁ ସ୍ପର୍ଶ କଲେ, ତାହା ସ୍ୱର୍ଣ୍ଣରେ ପରିଣତ ହେଲା । ଫଳରେ ଖାଦ୍ୟ ପଦାର୍ଥଗୁଡ଼ିକ ସ୍ପର୍ଶମାତ୍ରେ ସ୍ୱର୍ଣ୍ଣମୟ ହୋଇଯିବାରୁ ସେ ଅତୁଳ ସ୍ୱର୍ଣ୍ଣ ଲାଭକରି ମଧ୍ୟ ଖାଦ୍ୟାଭାବରେ ପଡ଼ିଥିଲେ । (ଅତଏବ ପ୍ରୟୋଜନୀୟ ପଦାର୍ଥକୁ କ୍ରୟ କରିବାରେ ବ୍ୟବହୃତ ନ ହେଲେ ମୁଦ୍ରା ଅକର୍ମଣ୍ୟ ହୋଇଉଠେ) ।

 

ବର୍ତ୍ତମାନ ମଧ୍ୟ ତୁମେ ଦେଖିବ, ଗ୍ରାମମାନଙ୍କରେ ବେଳେ ବେଳେ ଜିନିଷ ବଦଳରେ ଲୋକେ ଜିନିଷ ଦିଅନ୍ତି-ଟଙ୍କା ଦିଅନ୍ତି ନାହିଁ । କିନ୍ତୁ ସାଧାରଣତଃ ଟଙ୍କା ଦିଆ ନିଆ ସୁବିଧାଜନକ ହୋଇଥିବାରୁ, ଏହା ବେଶି ବ୍ୟବହାର କରାଯାଏ । (କେତେକ ମୂଢ଼ ବ୍ୟକ୍ତିଙ୍କର ଧାରଣା ଯେ ଟଙ୍କା ଆକାରରେ ହିଁ ଟଙ୍କା ବିଶେଷ ଆବଶ୍ୟକ) । ସେଥିପାଇଁ ସେମାନେ ତାକୁ ବ୍ୟବହାର ନ କରି ସଞ୍ଚୟ କରନ୍ତି । ଏଥିରୁ ଜଣାଯାଏ ଯେ ଟଙ୍କା କି ଉଦ୍ଦେଶ୍ୟରେ ଉଦ୍ଭାବିତ ହେଲା, ତାହା ସେମାନେ ବୁଝନ୍ତି ନାହିଁ ।

 

ପ୍ରଶ୍ନ

 

୧.

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପ୍ରଥାରୁ କି ସୂଚନା ମିଳେ ?

 

 

୨.

ପୂରାକାଳୀନ ସମୁଦ୍ରଯାତ୍ରା କିପରି ବିପଦସଙ୍କୁଳ ଥିଲା, ବର୍ଣ୍ଣନ କର ।

 

 

୩.

ବାଣିଜ୍ୟରେ ବିନିମୟ ପ୍ରଥା କାହିଁକି ଓ କିପରି ଭଦ୍ଭାବିତ ହେଲା ?

 

 

୪.

ମୁଦ୍ରା ପ୍ରଚଳନର ପ୍ରୟୋଜନ କ’ଣ ଏବଂ କେଉଁ ଅବସ୍ଥାରେ ତାହା ଅକର୍ମଣ୍ୟ ହୁଏ ?

 

 

୫.

ରୋମାଞ୍ଚକର, ପଣ୍ୟଦ୍ରବ୍ୟ, ବିନିମୟ, ଭାସ୍କର୍ଯ୍ୟ, ଅତଏବ, ଫୋନିସିୟ–ଏ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ବାକ୍ୟ ରଚନା କର ।

Image

 

ଭାବୁକଶ୍ରେଷ୍ଠ ରୋଷା

 

ସ୍ୱାଧୀନତା, ଗଣତନ୍ତ୍ର, ସାମ୍ୟ, ମୈତ୍ରୀ ଓ ମାନବିକ ଅଧିକାର–ଏହିସବୁ କଥା ଆଜି ଅନେକଙ୍କ ମୁଖରୁ ଶୁଣାଯାଏ; କିନ୍ତୁ ଦିନେ ଏହି କେତୋଟି କଥା ମନୁଷ୍ୟ ସଭ୍ୟତାର ମୂଳଦୁଆକୁ ଭାଙ୍ଗି ନୂଆ କରି ଗଢ଼ିଥିଲା ।

 

ଏହି ନୂତନ ମନ୍ତ୍ରର ପୁରୋଧା ଥିଲେ, ଜ୍ୟାଁ-ଜାକେସ୍‌ରୋଷା । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ୟୁରୋପର ଆଉ କେତେକ ଚିନ୍ତାଶୀଳ ବ୍ୟକ୍ତିଙ୍କ ମନରେ ମଧ୍ୟ ଏହି ସବୁ କଥା ଉଦିତ ହୋଇଥିଲା । ମାତ୍ର ରୋଷା ତାଙ୍କ ଲିଖିତ ପୁସ୍ତକାବଳୀରେ ଓ ନିଜ ଜୀବନରେ ସେଗୁଡ଼ିକ ରୂପ ଦେଲେ ।

 

ପୂର୍ବରୁ ସମସ୍ତଙ୍କର ବିଶ୍ୱାସ ରହି ଆସିଥିଲା ଯେ, ଲୋକସାଧାରଣଙ୍କ ପ୍ରକୃତି ମନ୍ଦ । ସେମାନଙ୍କୁ ଶୃଙ୍ଖଳାରେ ରଖିବା ପାଇଁ କଠିନ ଆଇନ ଓ ଶାସନ ଆବଶ୍ୟକ । ଏ ସକଳ ଆଇନକୁ ଅଳ୍ପ କେତେଜଣ ବିଜ୍ଞ ଓ ଶ୍ରେଷ୍ଠ ଲୋକ ପ୍ରଣୟନ କରୁଥିଲେ ଏବଂ ଜନସାଧାରଣ ସେଗୁଡ଼ିକୁ ମାନିବା ପାଇଁ ବାଧ୍ୟ ହେଉଥିଲେ । ଜନସାଧାଣଙ୍କୁ ଠିକ୍‌ କ’ଣ, ଭୁଲ କଣ, ଶିଖାଇବା ପାଇଁ ସରକାର ଯେଉଁ ଆଇନ ଗଢ଼ୁଥିଲେ ଏବଂ ଧର୍ମଯାଜକମାନେ ଯେଉଁସବୁ ନିତି ନିୟମ ବାନ୍ଧୁଥିଲେ, ସେସବୁ କେବଳ ଅଳ୍ପ କେତେଜଣ ଓ ଅବସ୍ଥାପନ୍ନ ଲୋକଙ୍କୁ ରକ୍ଷା କରିବା ପାଇଁ ହେଉଥିଲା ବୋଲି ରୋଷା ପ୍ରମାଣ କରିଦେଲେ ।

 

ସେ ପ୍ରଚଳିତ ବିଶ୍ୱାସକୁ ସମ୍ପୂର୍ଣ୍ଣରୂପେ ଓଲଟାଇ ଦେଇ କହିଲେ ଯେ, ପ୍ରତ୍ୟେକ ସାଧାରଣ ଲୋକର ପ୍ରକୃତି ଭଲ । କେବଳ କୁ-ଶିକ୍ଷା ଫଳରେ ସେ ମନ୍ଦ ହୋଇଥାଏ । ରୋଷା ତାଙ୍କର ‘‘ସାମାଜିକ ଚୁକ୍ତି’’ ନାମକ ବିଖ୍ୟାତ ଗ୍ରନ୍ଥରେ ଶାସନ ବିଷୟକ ସମସ୍ତ ପ୍ରଶ୍ନ ତନ୍ନ ତନ୍ନ ଆଲୋଚନା କରିଯାଇଛନ୍ତି । ରୋଷାଙ୍କ ବୈପ୍ଳବିକ ଭାବଧାରା ହିଁ ତାହାଙ୍କ ମୃତ୍ୟୁର ଏଗାର ବର୍ଷ ପରେ ଇତିହାସ ପ୍ରସିଦ୍ଧ ଫରାସୀ ବିପ୍ଳବର କାରଣ ହୋଇଥିଲା ।

 

ସାମ୍ୟମୈତ୍ରୀ ଓ ମୁକ୍ତମନ୍ତ୍ର ଉଚ୍ଚାରଣ କରି ଫରାସୀଜନତା ସେ ଦେଶର ରାଜ ସରକାରଙ୍କ ପ୍ରଧାନ ଜେଲ ଉପରେ ଆକ୍ରମଣ କରିଥିଲେ । ଏହା ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ୧୪ ତାରିଖର ଘଟଣା । ଏହି ବିପ୍ଳବକୁ ଦମନ କରିବା ଲାଗି ଫରାସୀ ସରକାର ବହୁ ଲୋକଙ୍କୁ ଫାଶୀ ଓ ନିର୍ବାସନ ଦଣ୍ଡ ଦେଇଥିଲେ । କିନ୍ତୁ ଆଜି ରୋଷାଙ୍କର ନୀତିକୁ ହିଁ ସରକାର ମାନିବାକୁ ବାଧ୍ୟ ହୋଇଛନ୍ତି । ପୃଥିବୀର ଅଧିକାଂଶ ସରକାର ଲୋକମତ ଦ୍ୱାରା ପୁଣି ଗଠିତ ହୋଇଛି ।

 

ଲୋକମତ ଦ୍ୱାରା ବ୍ୟବସ୍ଥା ପରିଷଦରେ ଶାସନସଂକ୍ରାନ୍ତ ଆଇନମାନ ପ୍ରଣୟନ କରାଯାଉଛି । ରାଜତନ୍ତ୍ର ଶାସନ ଲୋପ ପାଇ ସାବାଳକ ଭୋଟ ଦ୍ୱାରା ହିଁ ବିଭିନ୍ନ ସରକାର ଗଠିତ ହେଉଛି । ତାହା ଫଳରେ ଶାସନ କାର୍ଯ୍ୟରେ ପ୍ରତ୍ୟେକ ସାବାଳକ ଲୋକର ଅଧିକାର ସାବ୍ୟସ୍ତ କରାଯାଇଛି ।

 

ରୋଷାଙ୍କର ଚିନ୍ତା ଓ ରଚନା ଭଳି ତାଙ୍କ ଜୀବନ ମଧ୍ୟ ବଡ଼ ଅଦ୍ଭୁତ ଥିଲା । ୧୭୧୨ ଖ୍ରୀଷ୍ଟାବ୍ଦରେ ସେ ଜେନେଭାରେ ଘଣ୍ଟା ନିର୍ମାଣ କରୁଥିବା ଜଣେ ଦରିଦ୍ର ପିତାଙ୍କର ସନ୍ତାନରୂପେ ଜନ୍ମିଥିଲେ । ରୋଷାଙ୍କ ଶିକ୍ଷା ଗ୍ରାମ ଚାଟଶାଳୀରୁ ଅଧିକ ଦୂର ଅଗ୍ରସର ହୋଇ ପାରିଲା ନାହିଁ । ଏହିରୂପେ ବାଲ୍ୟାବସ୍ଥାରୁ ସେ ନିଜକୁ ସାଧାରଣ ଲୋକଙ୍କ ସହିତ ଜଣେ ବୋଲି ଅନୁଭବ କଲେ । ତାଙ୍କ ଲେଖାଗୁଡ଼ିକରେ ସେହି ସାଧାରଣ ଜନତା ହିଁ ସର୍ବପ୍ରଥମେ ଉଚ୍ଚ ଆସନ ପାଇଛନ୍ତି–ତାଙ୍କ ପୂର୍ବରୁ ଆଉ କେହି ସେମାନଙ୍କୁ ପୃଥିବୀରେ ଏତେ ବଡ଼ ଆସନ ଦେଇ ନ ଥିଲେ ।

 

ସେ ଲେଖିଛନ୍ତି, ‘‘ସାଧାରଣ ଜନତାକୁ ଘେନି କେବଳ ମାନବ ସମାଜ ଗଠିତ । ଯେଉଁ କଥା ସାଧାରଣ ଜନତା ପ୍ରତି ପ୍ରଯୁଜ୍ୟ, ତାହା ଆଦୌ ବିଚାର୍ଯ୍ୟ ନୁହେଁ ।’’

 

ମନୁଷ୍ୟ ଜାତିର ଇତିହାସ ବିଷୟରେ ଆଦିକାଳରୁ ଯେଉଁ ଧାରଣା ରହି ଆସିଥିଲା, ଏହି ଉକ୍ତି ସେ ସବୁକୁ ଏକାବେଳେ ଓଲଟାଇ ପକାଇଲା, ଏହି ଉକ୍ତି ସେ ସବୁକୁ ଏକାବେଳେ ଓଲଟାଇ ପକାଇଲା । ସେ ପର୍ଯ୍ୟନ୍ତ କେବଳ ରାଜା, ପୁରୋହିତ, ସମ୍ଭ୍ରାନ୍ତ ଓ ଧନୀ ଲୋକମାନଙ୍କୁ ହିଁ ମନୁଷ୍ୟ ସମାଜ ବୋଲି ବୁଝାଉଥିଲା । କିନ୍ତୁ ରୋଷା ଦେଖାଇ ଦେଲେ ଯେ, ସବୁ ରକମ ସୁବିଧା ଭୋଗ କରୁଥିବା ଏହି ଅଳ୍ପ ସଂଖ୍ୟକ ଲୋକ କେବଳ ବହୁ-ସଂଖ୍ୟକ କୃଷକ-ଶ୍ରମିକ-ଜନସାଧାରଣଙ୍କ କଠିନ ପରିଶ୍ରମର ଫଳ ଭୋଗ କରିଥାନ୍ତି । ସାଧାରଣ ମନୁଷ୍ୟ ମଧ୍ୟରୁ ହଜାର ହଜାର ସୈନ୍ୟ ଏହି ରାଜା ବା ଉଚ୍ଚସ୍ଥାନୀୟ ଅଳ୍ପ ଲୋକଙ୍କୁ ରକ୍ଷା କରିବା ସକାଶେ ଶତ୍ରୁ ସଙ୍ଗେ ଲଢ଼େଇ କରି ନିଜେ ହତାହତ ହୁଅନ୍ତି ।

 

ଜେନେଭାର ଜଣେ ମିସ୍ତ୍ରୀ କାରିଗର ପାଖରେ ଯୁବକ ରୋଷା ପ୍ରଥମେ କାର୍ଯ୍ୟ କଲେ । କିନ୍ତୁ ମିସ୍ତ୍ରୀର ମନ୍ଦ ବ୍ୟବହାର ଯୋଗୁଁ ସେଠାରୁ ସେ ପଳାଇଗଲେ । ଏହିରୂପେ ବାଳକ ବୟସରୁ ସ୍ୱାଧୀନ ହେବାର ଆକାଙ୍‌କ୍ଷା ତାଙ୍କ ଭିତରେ ଜାଗିଉଠିଥିଲା । ପୁଣି ସେହି ସମୟରୁ ରୋଷାଙ୍କ ସାହସ ଓ ନିର୍ଭୀକତାର ପରିଚୟ ମଧ୍ୟ ମିଳିଥିଲା । ଏହି ଘଟଣା ପରେ ରୋଷା ଇଟାଲି ଦେଶକୁ ଯାଇଥିଲେ ।

 

ଇଟାଲିରେ ସର୍ବୋଚ୍ଚ ଆଲ୍‌ପସ୍‌ ପର୍ବତର ଶୃଙ୍ଗକୁ ପାଦରେ ଆରୋହଣ କରିବାକୁ ସେ ପ୍ରଥମେ ସେ ପ୍ରଥମେ ବାହାରିଲେ । ସେ ପର୍ଯ୍ୟନ୍ତ ୟୁରୋପର ଲୋକମାନେ ଆରଣ୍ୟକ ଓ ପାର୍ବତୀୟ ପ୍ରକୃତିକୁ ଘୃଣା ଦୃଷ୍ଟିରେ ଦେଖୁଥିଲେ । ଯାନବାହନ ବ୍ୟତୀତ କୌଣସି ପର୍ଯ୍ୟଟକ ପାଦରେ ସେ ସବୁ ସ୍ଥାନକୁ ଚାଲି ଯାଉ ନଥିଲେ । ଚିତ୍ରକରମାନେ ସୁଦ୍ଧା ବନ-ପ୍ରକୃତିର ଦୃଶ୍ୟ ଅଙ୍କନ କରୁ ନ ଥିଲେ । ପରବର୍ତ୍ତୀ କାଳରେ ରୋଷା ନିଜର ଗିରି ଆରୋହଣ ଅନୁଭୂତିର ବର୍ଣ୍ଣନା କରିଛନ୍ତି–

 

‘‘ପାଦରେ ଚାଲିବା ପାଇଁ ମୁଁ ସବୁବେଳେ ମହାସୁଖ ଅନୁଭବ କରୁଥିଲି । ପରେ କର୍ତ୍ତବ୍ୟ ଅନୁରୋଧରେ ମୋତେ ଯାତ୍ରାର ସରଞ୍ଜାମ ଧରି ଭଦ୍ରଲୋକ ଭାବରେ ଗାଡ଼ିରେ ଯାତୟାତ କରିବାକୁ ହୋଇଥିଲା । ଗାଡ଼ି ଭିତରେ ଗଲାବେଳେ ନାନା ଦୁଶ୍ଚିନ୍ତା ଓ ଜଞ୍ଜାଳ ମୋ ସହିତ ଯାନ ମଧ୍ୟରେ ପ୍ରବେଶ କରୁଥିଲା । ପୂର୍ବେ କେବଳ ପଦବ୍ରଜରେ ଯାତ୍ରା କରି ମୁଁ ଆନନ୍ଦ ପାଉଥିଲି । ବର୍ତ୍ତମାନ କିନ୍ତୁ କିପରି ପ୍ରଥମେ ଗନ୍ତବ୍ୟ ସ୍ଥାନରେ ମୁଁ ପହଞ୍ଚି ପାରିବି ତାହା ହିଁ ମୋର ଭାବନା ହେଲା ।’’

 

ରୋଷୋଙ୍କ ଜୀବନର ଆଦର୍ଶ ଏହି ଉକ୍ତିରୁ ବୁଝାଯାଇଥାଏ । ପ୍ରକୃତ ପ୍ରତି ତାଙ୍କର ଗଭୀର ମମତା ଥିଲା ଓ ଭଦ୍ରଲୋକ ନ ହୋଇ ସାଧାରଣ ଜୀବନ ଯାପନ କରିବାକୁ ସେ ଲୋଡ଼ୁଥିଲେ । ମୁକ୍ତ ଓ ସ୍ୱାଧୀନତା ହିଁ ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ପରେ ଯେତେବେଳେ ରୋଷାଙ୍କ ଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପ୍ତ ହୋଇ ପଡ଼ିଥିଲା, ସେତେବେଳେ ସୁଦ୍ଧା ସେ ପାଦରେ ପର୍ଯ୍ୟଟନ କରିବାକୁ ଇଚ୍ଛା କରିଥିଲେ । ମାତ୍ର ସେତେବେଳେ ତାଙ୍କର କେହି ସଙ୍ଗୀ ଜୁଟିଲେ ନାହିଁ ।

 

ରୋଷାଙ୍କର ଇତସ୍ତତଃ ବିକ୍ଷପ୍ତ ଜୀବନରେ ଯେପରି ନିର୍ଭୀକତା ଓ ସାହସିକତାର ପରିଚୟ ମିଳେ, ସେହିପରି ଅନେକ କୁତ୍ସିତ ଓ ଲଜ୍ଜାକର ଘଟଣାବଳୀରେ ତାହା ପରିପୂର୍ଣ୍ଣ । ସେ ସମସ୍ତ ଘଟଣା ରୋଷା ନିଜର ଜୀବନବୃତ୍ତାନ୍ତରେ ନିଃସଙ୍କୋଚରେ ପ୍ରକାଶ କରିଛନ୍ତି । ମନୁଷ୍ୟର ପ୍ରାକୃତିକ ସ୍ୱରୂପ ଯାହା, ତାହାକୁ ଠିକ୍ ସେହି ଭାବରେ ପ୍ରଦର୍ଶନ କରିବା ଉଚିତ ବୋଲି ସେ କହୁଥିଲେ । ସେଥିଲାଗି ସେ ନିଜର ଦୋଷଦୁର୍ବଳତାକୁ କଦାପି ଲୁଚାଇ ନାହାନ୍ତି ।

 

ରୋଷା ପ୍ରଥମେ କୌଣସି ଏକ ଗୃହସ୍ଥର ଭୃତ୍ୟକାର୍ଯ୍ୟ କରି ତତ୍ପରେ ଜଣେ ଧର୍ମଯାଜକଙ୍କ ପାଖରେ ଧର୍ମ ପ୍ରଚାର ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ମାତ୍ର କିଛି ଦିନ ପରେ ଉକ୍ତ ଧର୍ମଯାଜକ ପ୍ରତାରକ ରୂପେ ସରକାରଙ୍କ କର୍ତ୍ତୃକ ବନ୍ଦୀ ହେବାରୁ ରୋଷାଙ୍କୁ ବାହାରି ଆସିବାକୁ ହେଲା । ତହୁଁ ସେ ସଙ୍ଗୀତ ଶିକ୍ଷା ଦେଇ ସଙ୍ଗୀତ ନକଲ କରିବା କାର୍ଯ୍ୟଦ୍ୱାରା କିଛି ଉପାର୍ଜନ କଲେ-। ଅଠତିରିଶ ବର୍ଷ ବୟସରେ ରୋଷା ‘‘ଜୁଲିଆ’’ ନାମକ ଗୋଟିଏ ଉପନ୍ୟାସ ଲେଖିଥିଲେ । ଏହି ଉପନ୍ୟାସଟି ତାହାଙ୍କୁ ସଙ୍ଗେ ସଙ୍ଗେ ବିଖ୍ୟାତ କରି ଦେଇଥିଲା । କାରଣ ଏଥିରେ ତାଙ୍କର ସତ୍ୟ ପ୍ରତି ଓ ପ୍ରକୃତିପ୍ରତି ପ୍ରଗାଢ଼ ବିଶ୍ୱାସ ଓ ମମତା ପରିସ୍ଫୁଟ ହୋଇଥିଲା ।

 

ଏହା ପରେ ସେ ଦୁଇଟି ପୃଥିବୀ ପ୍ରସିଦ୍ଧ ଗ୍ରନ୍ଥ ଲେଖିଥିଲେ । ତାହା ମନୁଷ୍ୟର ସ୍ୱାଭାବିକ ଅଧିକାର ସମ୍ପର୍କରେ ମନ୍ତ୍ରଶକ୍ତି ପରି କାର୍ଯ୍ୟ କରିଥିଲା । ‘‘ସାମାଜିକ ଚୁକ୍ତି’’ ନାମକ ପ୍ରଥମ ଗ୍ରନ୍ଥଟିରେ ମନୁଷ୍ୟ କେବଳ ପ୍ରାକୃତିକ ଓ ସ୍ୱାଭାବିକ ନିୟମରେ ସମାଜକୁ ଗଢ଼ିବା ପାଇଁ ସେ କହିଛନ୍ତି । ପୁଣି ସେଥିଲାଗି ସବୁଠାରୁ ଅଳ୍ପ ସରକାରୀ ଆଇନକାନୁନ୍ ଆବଶ୍ୟକ ବୋଲି ତାଙ୍କର ମତ । କିନ୍ତୁ ସାମାଜିକ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସେ ଯେଉଁ ବୈପ୍ଳବିକ ଚିନ୍ତାଧାରା ପ୍ରକାଶ କରିଛନ୍ତି, ତାହା ଯେପରି ଅଦ୍ଭୁତ, ସେହିପରି ରୋମାଞ୍ଚକର । ବିପ୍ଳବଦ୍ୱାରା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ‘‘ସାମାଜିକ ଚୁକ୍ତି’’ ଏକ ମୌଳିକ ଧର୍ମଗ୍ରନ୍ଥ ରୂପେ ଗୃହୀତ ହୋଇଥିଲା ।

 

‘‘ଏମିଲି’’ ନାମକ ଦ୍ୱିତୀୟ ଗ୍ରନ୍ଥରେ ସେ ପ୍ରଚଳିତ ଶିକ୍ଷା ପଦ୍ଧତିକୁ ବଦଳାଇ ନୂତନ ଧରଣର ଶିକ୍ଷା ଦେବାକୁ କହିଥିଲେ । ସେପର୍ଯ୍ୟନ୍ତ ୟୁରୋପରେ ଗୀର୍ଜାଗୁଡ଼ିକ ହିଁ ଲୋକ ଶିକ୍ଷାର ଭାର ଗ୍ରହଣ କରିଥିଲେ । ସମାଜର ଅବସ୍ଥାପନ୍ନ ଲୋକେ ହିଁ ଶିକ୍ଷାର ସୁଯୋଗ ପାଉଥିଲେ । ‘‘ଏମିଲି’’ ପୁସ୍ତକରେ ଗୀର୍ଜାର ଶିକ୍ଷାପଦ୍ଧତି ବିରୁଦ୍ଧରେ ଲେଖାଯାଇଥିଲା । ଲେଖା ସରିବା ସଙ୍ଗେ ସଙ୍ଗେ ପୁସ୍ତକଟି ଚତୁର୍ଦ୍ଦିଗରେ ବିଖ୍ୟାତ ହୋଇ ପଡ଼ିଥିଲେହେଁ ଏହା ପ୍ରଚଳିତ ଧର୍ମମୂଳକ ଶିକ୍ଷାର ବିରୁଦ୍ଧାଚରଣ କରୁଥିବା ଯୋଗୁଁ ସରକାର ରୋଷାଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଲେ । ତହୁଁ ରୋଷା ଆତ୍ମଗୋପନ କରି ଫ୍ରାନ୍‌ସରୁ ପଳାୟନ କଲେ । ଛଅବର୍ଷ ପର୍ଯ୍ୟନ୍ତ ସରକାରୀ ପୋଲିସ ରୋଷାଙ୍କୁ ୟୁରୋପର ନାନାସ୍ଥାନରେ ଖୋଜି ପାଇଲେ ନାହିଁ । ଇଂଲଣ୍ଡର ହ୍ୟୁମ୍ ନାମକ ଜଣେ ସଦାଶୟ ବ୍ୟକ୍ତି ରୋଷାଙ୍କୁ ଡାକିନେଇ ଆଶ୍ରୟ ଦେଇଥିଲେ । କିନ୍ତୁ ରୋଷୋ ତାଙ୍କ ସଙ୍ଗେ କଳହ କରି ସେଠାରୁ ବାହାରି ଆସିଲେ । ଅନେକ ବିଶିଷ୍ଟ ଭାବୁକ ରୋଷାଙ୍କ ଚିନ୍ତାଧାରକୁ ପ୍ରଶଂସା କରୁଥିଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବରେ ପାଗଳ ବୋଲି ବିଚାରୁଥିଲେ । କାରଣ କାହାରି ସଙ୍ଗେ ତାଙ୍କର ପଡ଼ୁ ନ ଥିଲା ।

 

୧୭୭୦ ଖ୍ରୀଷ୍ଟାବ୍ଦରେ ରୋଷା ନିଜ ଦେଶ ଫ୍ରାନ୍‌ସକୁ ଫେରି ଆସିବା ପାଇଁ ସାହସ କଲେ । ସେତେବେଳେକୁ ସେ ଦରିଦ୍ର ଓ ଏକାକୀ ହୋଇପଡ଼ିଥାଆନ୍ତି । ଏପରି କି ଯେଉଁମାନେ ତାଙ୍କ ଚିନ୍ତା ଦ୍ୱାରା ପ୍ରକୃତରେ ପ୍ରଭାବିତ ହୋଇଥିଲେ, ସେମାନେ ସୁଦ୍ଧା ତାଙ୍କୁ ଚିହ୍ନି ପାରିଲେ ନାହିଁ । ଆଠବର୍ଷ ପର୍ଯ୍ୟନ୍ତ ସେ ସଙ୍ଗୀତ ନକଲ କରି ଅତି କଷ୍ଟରେ ଜୀବନ ନିର୍ବାହ କରିଥିଲେ । ତାହାପରେ ଜଣେ ସାଧାରଣ ମନୁଷ୍ୟ ଭଳି ତାଙ୍କର ମୃତ୍ୟୁ ଘଟିଥିଲା ।

 

ମନୁଷ୍ୟର ଅଧିକାର ବିଷୟରେ ରୋଷା ଯେଉଁ ନୂତନ ତଥ୍ୟ ଦେଇଗଲେ, ତାହା କିନ୍ତୁ ଚିନ୍ତାରାଜ୍ୟର ଏକ ଅବିଚ୍ଛିନ୍ନ ଅଙ୍ଗ ହୋଇ ରହିଲା । ସେହି ବିଶ୍ୱାସ ଉପରେ ହିଁ ସୁଦୂର ଆମେରିକାର ପ୍ରଥମ ଶାସନ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ରୋଷାଙ୍କ ନିଜ ଦେଶ ଫ୍ରାନ୍‌ସରେ ଲୋକେ ବିପ୍ଳବ କରିବାକୁ ପ୍ରସ୍ତୁତ ହେଲେ । ଯୁଗଯୁଗ ଧରି ଶୋଇ ରହିଥିବା ସମଗ୍ର ୟୁରୋପର ଜନତା ରୋଷାଙ୍କ ବଳିଷ୍ଠ ଚିନ୍ତାର ଆଘାତ ଫଳରେ ହଠାତ୍ ଚେଇଁ ଉଠିଲେ । ସରୋବର-ଜଳରେ ଟେକାଟାଏ ଫିଙ୍ଗିଦେଲେ ତାହା ଯେପରି ଶତସହସ୍ର ଉର୍ମି ସୃଷ୍ଟି କରିଥାଏ, ସେହିପରି ରୋଷାଙ୍କ ଚିନ୍ତାର ଢେଉ ପୃଥିବୀରେ ଆଜି ବ୍ୟାପ୍ତ ହୋଇ ପଡ଼ିଛି ।

 

ସେହି ଢେଉଦ୍ୱାରା ସମଗ୍ର ମାନବ ସମାଜ ଆଲୋଡ଼ିତ ହେଉଅଛି । ରାଜନୀତି କ୍ଷେତ୍ରରେ ସାମ୍ୟବାଦ ଆଦି ଯେତେ ନୂତନ ପନ୍ଥା ଆବିଷ୍କୃତ ହୋଇଛି, ସେ ସମସ୍ତ ରୋଷାଙ୍କ ଚିନ୍ତାର ଗୋଟିଏ ଲେଖାଏଁ ଅଂଶ ବିଶେଷ । ଜ୍ୟାଁ-ଜାକେସ୍ ରୋଷା ତାଙ୍କ ନିଜ ଜୀବନରେ ଓ ପୁସ୍ତକରେ ଯେଉଁ ନୂତନ ତଥ୍ୟ ଦେଇଗଲେ, ତାହା ହିଁ ଆଜି ‘‘ମାନବିକ ଅଧିକାର’’ ନାମରେ ପରିଚିତ । ପୃଥିବୀର ଜାତିସଂଘର ନିର୍ଦ୍ଦେଶ ଅନୁସାରେ ବର୍ଷର ଗୋଟିଏ ଦିନ ‘‘ମାନବିକ ଅଧିକାର’’ ଦିବସ ରୂପେ ସବୁ ଦେଶରେ ଆଜି ପାଳିତ ହେଉଛି ।

 

ତାଙ୍କର ପ୍ରଧାନ ବାଣୀ ହେଉଛି–‘‘ପ୍ରକୃତି ରାଜ୍ୟରେ ସବୁ ମନୁଷ୍ୟ ହିଁ ସମାନ ।’’ ‘‘ଆଇନ ବଳରେ ବାଧ୍ୟ ନ ହୋଇ ଏବଂ ମନୁଷ୍ୟ ଭିତରେ ବାଛବିଚାର ନ ରଖି ସମସ୍ତଙ୍କ ଭଲ ପାଇଁ କାର୍ଯ୍ୟକର ।’’

 

ପ୍ରଶ୍ନ

 

୧.

ରୋଷାଙ୍କର ଜୀବନୀରୁ ତୁମେ ଯାହା ଶିଖିଲ, ଲେଖ ।

 

 

୨.

ପ୍ରଚଳିତ ବିଶ୍ୱାସକୁ ରୋଷା କିପରି ବଦଳାଇ ଦେଇଥିଲେ ?

 

 

୩.

ରୋଷା ଯେଉଁ ବିଖ୍ୟାତ ଗ୍ରନ୍ଥ ଦୁଇଟି ଲେଖିଥିଲେ, ତାହାର ସାରକଥା କ’ଣ ?

 

 

୪.

‘‘ମାନବିକ ଅଧିକାର’’ କହିଲେ ତୁମେ କ’ଣ ବୁଝ, ଗୋଟିଏ ଅନୁଚ୍ଛେଦରେ ତାହା ପ୍ରକାଶ କର ।

 

 

୫.

ବୈପ୍ଳବିକ ଭାବଧାରା, ସାମାଜିକ ଚୁକ୍ତି, ଲୋକମତ, ରାଜତନ୍ତ୍ର, ଆରଣ୍ୟକ, ପଦବ୍ରଜ, ଇତସ୍ତତଃ, ନିଃସଙ୍କୋଚ, ପ୍ରାକୃତିକ ସ୍ୱରୂପ ଓ ରୋମାଞ୍ଚକର- ଶବ୍ଦଗୁଡ଼ିକର ଅର୍ଥ କହ ।

 

 

୬.

ମାନବ, ସମାଜ, ସ୍ୱଭାବ, ପ୍ରକୃତି, ସାହସ, ବିପ୍ଳବ, ସଂସାର- ଶବ୍ଦଗୁଡ଼ିକର ‘ଇକ’ ପ୍ରତ୍ୟୟ କରି ଶବ୍ଦ ନିଷ୍ପନ୍ନ କର ।

Image

 

ଜାତିପାଇଁ ଆତ୍ମୋର୍ତ୍ସଗ

(ଆଧୁନିକ ବୃତ୍ତ)

 

ରାଜ୍ୟ ପଡ଼ିଛି ଶତ୍ରୁ କବଳେ, ସକଳ ଶିରୀ ତ ଯାଇଛି ତୁଟି,

ଦେବତା ଭୂଇଁରେ ମାନବ ନାହିଁରେ, ନ ମିଳେ କାହିଁ ତ ଭିକ୍ଷାମୁଠି ।

ଉଠେ ହାହାକାର, ଦେଶ ଛାରଖାର, କ୍ଷୁଦ୍ର କଳହ ରହିଛି ବେଢ଼ି;

ସାନ ସାନ ଜାତି ଧର୍ମର ଭେଦ, ସବୁରି ହାତରେ ଦେଇଛି ବେଡ଼ି ।

ସବୁରି ଅଧରୁ ହାସ୍ୟ ଶୁଖିଛି, ପଶୁଠାରୁ ହୀନ ହୋଇଛି ଜାତି,

କୁକ୍‌କୁରଠାରୁ ଅଧିକ ଭୀରୁ ସେ, ଶତ୍ରୁ ଆଘାତେ ନ ଜଳେ ଛାତି ।

ଗୁରୁଗୋବିନ୍ଦ ଚିନ୍ତାମଗନ, ବଦନେ ତାହାର ବିଷାଦଲେଖା

ଅନ୍ତରେ ତା’ର ଘୋର ଆଶଙ୍କା, ଟାଣିଛି କରୁଣ କାଳିମାରେଖା ।

ଦୀର୍ଘଶୁକଳ ଶୁଶ୍ରୂ ଉଜ୍ୱଳ, ସିନ୍ଦୂର କଲି ଝଟକେ ଭାଲେ;

ନେତ୍ରେ ତାହାର ଜଳେ ପ୍ରତିଜ୍ଞା, ଅଙ୍ଗ ଶୋହୁଛି କୃପାଣ ଢାଲେ ।

ଶକ୍ତିଦେବୀର ଅର୍ଚ୍ଚନା କରି ନିଦ୍ରା ନ ଜାଣେ ଦିବସ ନିଶି,

ଶତ୍ରୁ ପୀଡ଼ାରେ ରାଜ୍ୟ ତାହାର ମୃତ୍ତିକା ପରେ ଯାଇଛି ମିଶି ।

ଶତ ସହସ୍ର ପରଜା ଭିତରୁ ପାଞ୍ଚଟି ତାର ମାନବ ଲୋଡ଼ା,

ମଣିଷ ପରି ଯେ ମଣିଷ ହୋଇବେ,ନୋହିବେ ବ୍ୟାଘ୍ର, ହାତୀ କି ଘୋଡ଼ା ।

ଜନ୍ମମାଟିର ଦୃପ୍ତ ନିଶାଣ ଉଡ଼ାଇବେ ଯେହୁ ଗଗନ ତଳେ,

ଫେରାଇ ଆଣିବେ ଅରାତି ହସ୍ତୁଁ ଆପଣା ଦେଶକୁ ଓଟାରି ବଳେ ।

ଫେରାଇ ଆଣିବେ ଦେଶ ଜନନୀର ଗତ ଇଜ୍ଜତ ମହତ ଯେହୁ,

ପାଞ୍ଚଟି ବୀର ଲୋଡ଼ା ଆଜି ତାର, ଅକାତରେ ଦେବେ ରକତ ଦେହୁ ।

ଶକ୍ତିଦେବୀର ବନ୍ଦି ଚରଣ ଗୁରୁଗୋବିନ୍ଦ ହୋଇଲା ଉଭା,

ବାହୁରେ ଖେଳଇ ଉଷ୍ମ ରୁଧିର, ହୋଇଛି ଅବା ସେ ନୂତନଯୁବା ।

ବିଦ୍ୟୁତ୍ ସମ ଉଠିଲା ଚମକି ସହସା ମାନସେ ଉପାୟ ଏକ,

ବାଛିବ ପାଞ୍ଚ ସେନାପତି, ଯେହୁ ଜନ୍ମଭୂମିର ରଖିବ ଟେକ ।

ଶିଷ୍ୟମାନଙ୍କୁ ଆହ୍ୱାନି ଭାଷେ, ‘‘ଦେବତା ଆଜିରେ ମାଗିଛି ବଳି,

ମାତାର ସ୍ନିଗ୍‌ଧ ନୟନ ଯୁଗଳୁଁ ଦେଖ ରୋଷାନଳ ଉଠଇ ଜଳି ।

ମାନବର ମଥା ପାଞ୍ଚଟି ଲୋଡ଼େ, ରକ୍ତ ପିଇ ସେ ଲଭିବ ତୋଷ,

ଜନ୍ମଭୁଇଁକୁ କରିବ ମୁକ୍ତ ଖଡ଼ଗେ ଚୂରିବ ଶତ୍ରୁରୋଷ ।

ରକ୍ତ ଲୋଡ଼ୁଛି ପଞ୍ଚ ପ୍ରାଣୀର ମୁଣ୍ଡମାଳିନୀ ଚଣ୍ଡୀ ଆଜି,

ଦେଖ ଲହ ଲହ ଜିହ୍ୱା ତାହାର ରକ୍ତ ମାଗଇ ଦନ୍ତରାଜି ।

ମାତୃଭୂମିର ଯଜ୍ଞବେଦୀକୁ କିଏ ରେ ଯୋଦ୍ଧା କରିବ ପୁତ ?

ଆହ୍ୱାନ ଶୁଣି ରକ୍ତ ଏ ମାଟି ସିକ୍ତି କର ହେ ଅଗ୍ରଦୂତ ।’’

ସ୍ପନ୍ଦନହୀନ ସକଳ ଜନତା, ସୂଚୀର ପତନେ ହେବ ଶବଦ,

ଗୁରୁଗୋବିନ୍ଦ ଗମ୍ଭୀର ନାଦେ କ୍ଷଣେ ସେ ଜନତା ହେଲା ସ୍ତବ୍‌ଧ ।

ବାଜିଲା ସେ ବାଣୀ ଦୂର ହିମାଳୟେ କନ୍ଦର କୋଳୁଁ ଉଠିଲା ଧ୍ୱନି,

ହଜାର ଶିଷ୍ୟ ରହିଲେ ସ୍ତବ୍‌ଧ, ନ ଚଳିଲା ଅବା କାହା ଧମନୀ !

ରକ୍ତନୟନା ଦେବୀ ସମ୍ମୁଖେ ବଳିର ସ୍ତମ୍ଭ ରହିଛି ପୋତା,

ଦେବୀସିନ୍ଦୂର ହସ୍ତରେ ଧରି ଡାକଇ ଯଜ୍ଞେ ପ୍ରଥମ ହୋତା ।

ଦେବୀସିନ୍ଦୂର କପାଳରେ ଘେନି ସ୍ତମ୍ଭେ ଦେବ କେ ପତାଇ ଗଳା

ନୀରବ ଏସନ କାହିଁକି ହେ ବୀରେ ! ବୀର୍ଯ୍ୟ କି ତବ ଉଭେଇଗଲା ?

ଜନ୍ମଭୂମିର ମୁକ୍ତି ଲାଗିରେ ଭଗୀରଥ ଆଜି ହୋଇଛି ଲୋଡ଼ା,

ଛି, ଛି କାପୁରୁଷ ! ରହିଛ କାତର ଅଙ୍ଗାର ସମ ହେଲ କି ପୋଡ଼ା ?

ନିଜ ଇଜ୍ଜତ ଧନମାନ ଆଜି ପରହାତେ ଦେଇ ମାଗିବ ଭିକ,

ପଦ ଲେହନକୁ ମଣିବ ଭାଗ୍ୟ, ଏସନ ଜୀବନ ଧିକରେ ଧିକ ।

ଆଗରୁ ତାହାର ରଞ୍ଜିବ ନିକି ଏ ମାଟି ନିଜର ରକ୍ତଧାରେ ?

ଆସ ଗର୍ବିତ ବୀର ସୈନିକ, ଆସ ଉଦ୍ଧତ ଉଗ୍ର ଆରେ ।’’

ଗୁରୁଗୋବିନ୍ଦ ବାକ୍ୟବାଣରେ ଚେତନା ଆସିଲା ସକଳ ପ୍ରାଣେ,

ଏକୁଁ ଏକ ବୀର ହେଲେ ଚାହାଁଚାହିଁ, ପୁଣି ସେ ଗୁରୁର ଖର କୃପାଣେ ।

କୃତାନ୍ତ ସମ ନିଷ୍ଠୁର ଗୁରୁ କ୍ଷଣେ ଗଡ଼ାଇବ ଭୂତଳେ ମଥା,

ମୂର୍ଚ୍ଛିବ କିଏ କେସନ ଜୀବନ ! ମନେ ପଡ଼େ ପ୍ରିୟଜନର କଥା ।

ଜନତା ଗହଳୁଁ ଶାନ୍ତ ମୂରତି ଅମାୟିକ ଏକ ଯୁବକ ସାର,

ଧୀର ପଦେ ଆସି ନୁଆଁଇଲେ ମଥା, ବଦନେ ଲାଗିଛି ହାସ୍ୟଗାର ।

କପାଳରେ ଦେଇ ସିନ୍ଦୂର ଚିତା ବୋଲେ ଗୁରୁ, ‘‘ହେଲା ଗୋଟିଏ ବଳି

ଆଉ ଚାରିଗୋଟି ଲୋଡ଼ା ଏହିପରି ! ଶାଣିତ ଖଡ଼୍‌ଗ ଉଠିଲା ଝଳି ।

ଏକ ଏକ ହୋଇ ଆଉ ଚାରିଜଣ ନମିଲେ ଗୁରୁର ଚରଣତଳେ,

ସବୁରି ବଦନେ ହାସ୍ୟ ଫୁଟଇ, ଶାନ୍ତ ମୂରତି, ବଚନ ବଳେ ।

ଅବାକ୍ ଜନତା ଚାହିଁଛି ଚକିତେ, ତ୍ରସ୍ତ କାତର ହିୟା ସକଳ,

ଗୁରୁ ଗୋବିନ୍ଦ ନୟନଯୁଗଳୁଁ ବହେ ଦୁଇଧାର ଅଶ୍ରୁଜଳ ।

ଏକ ଏକ କରି କୋଳେ ନିଏ ଗୁରୁ ଗଦଗଦ୍ ହୋଇ ଭାସଇ ବାଣୀ,

‘‘ହଜାର ଭିତରୁ ପାଞ୍ଚଟି ଏହି ମଣିଷ ପାଇଲି ଆଜି ମୁଁ ଜାଣି ।

ଜନ୍ମଭୂମିର ଟେକିବେ ନିଶାଣ ଶତ ଶତ ସେନା ଚାଲିବେ ଏହୁ,

ନୁହେ ଦେବୀବଳି, ରକ୍ତ ଢାଳିବେ ଜନ୍ମମାଟିର ଲାଗି ସେ ଦେହୁଁ ।’’

 

ପ୍ରଶ୍ନ

 

୧.

ଗୁରୁଗୋବିନ୍ଦ କି ଉପାୟରେ ପାଞ୍ଚଗୋଟି ଉପଯୁକ୍ତ ସେନାପତି ବାଛିଥିଲେ ?

 

 

୨.

କ’ଣ କହି ଗୁରୁଗୋବିନ୍ଦ ତାଙ୍କ ଶିଷ୍ୟମାନଙ୍କୁ ଉତ୍ତେଜନା ଦେଉଥିଲେ, ତାହା ନିଜ ଭାଷାରେ ପ୍ରକାଶ କର ।

 

 

୩.

ଅର୍ଥ ସରଳ ଭାଷାରେ ଲେଖ– ଉଠେ ହାହାକାର ଦେଶ ଛାରଖାର, କ୍ଷୁଦ୍ର କଳହ ରହିଛି ବେଢ଼ି, ସାନ ସାନ ଜାତି ଧର୍ମର ଭେଦ, ସବୁରି ହାତରେ ଦେଇଛି ବେଢ଼ି ।

 

 

୪.

ତଳଲିଖିତ ଶବ୍ଦ ଗୁଡ଼ିକର ପ୍ରତ୍ୟେକକୁ ଗୋଟିଏ ଗୋଟିଏ ବାକ୍ୟରେ ବ୍ୟବହାର କର– ଶୁଶ୍ରୂ, ନିଶାଣ, ସ୍ନିଗ୍‍ଧ, ଅକାତର, କୃପାଣ, କାଳିମା, ଅଗ୍ରଦୂତ, ରୋଷାନଳ, ସ୍ପନ୍ଦନ, କନ୍ଦର, ହୋତା ।

Image

 

ସନାତନ ସଭ୍ୟତା

 

ଥରେ ଜଣେ ଚୀନଦେଶୀୟ ମହିଳା ଭାରତକୁ ଭ୍ରମଣ କରିବାପାଇଁ ଆସିଥିଲେ । ଆଗ୍ରାର ତାଜମହଲ ଦେଖି ସେ ମୁଗ୍‌ଧ ହୋଇ ଯାଇଥିଲେ । ସେ କହିଥିଲେ ଯେ, ଚୀନ ଭାରତଠାରୁ ଶାନ୍ତି, ସାମ୍ୟ ଓ ମୈତ୍ରୀ ଗୁଣ ଶିକ୍ଷା କରିବାର ସୁଯୋଗ ପାଇଛି । ଭାରତ ଅନ୍ୟ ଦେଶମାନଙ୍କୁ ପରାଧୀନ ବା ଧ୍ୱଂସ ନ କରି ଯୁଗେ ଯୁଗେ ସେମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରି ଆସିଛି । ସେହି ମହିଳାଙ୍କ ମତରେ ଆମ ଭାରତବର୍ଷ କେବଳ ଚୀନ ପାଇଁ ନୁହେଁ, ସମଗ୍ର ପୃଥିବୀର ଏକ ଜ୍ୱଳନ୍ତ ଆଦର୍ଶ ।

 

ପ୍ରାଚୀନ ମୁଦ୍ରା ଓ ଅନ୍ୟାନ୍ୟ ଐତିହାସିକ ତଥ୍ୟରୁ ପ୍ରମାଣିତ ହୋଇସାରିଛି, ଯେ, ଭାରତର ସଭ୍ୟତା ବହୁ ପୁରାତନ । ମହେନ୍‌ଜୋଦାରୋ ଏବଂ ହରପ୍‌ପା ନାମକ ସ୍ଥାନର ମୃତ୍ତିକା ଖନନ କରି ଯେଉଁ ପ୍ରାଚୀନ ନଗରର ଭଗ୍ନାବଶେଷ ମିଳିଛି; ତାହା ପାଞ୍ଚ ସହସ୍ର ବର୍ଷ ପୂର୍ବର ସଭ୍ୟତାର ସାକ୍ଷ୍ୟ ଦେଇଥାଏ । ଭାରତର ଶ୍ରେଷ୍ଠ ଦାର୍ଶନିକ ଓ ଉପରାଷ୍ଟ୍ରପତି ସାର୍ ସର୍ବପାଲ୍ଲି ରାଧାକୃଷ୍ଣନ୍ ଗୋଟିଏ ବକ୍ତୃତାରେ ଥରେ କହିଥିଲେ ଯେ, ଅନ୍ୟାନ୍ୟ ଦେଶର ସଭ୍ୟତା ଆସିଛି ଏବଂ ଲୋପ ପାଇଯାଇଛି, କିନ୍ତୁ ଭାରତବର୍ଷ ଓ ଚୀନ ଦେଶର ସଭ୍ୟତା ଅକ୍ଷୁଣ୍ଣ ରହିଛି । ତାଙ୍କ ମତରେ ଭାରତୀୟ ସଭ୍ୟତା ଏକ ବିଶାଳ ଦ୍ରୁମ ସଦୃଶ । ଏହା ପ୍ରାଚୀନ, ତଥାପି ଏଥିରେ ଏବେ ସୁଦ୍ଧା ସବୁଜ ପତ୍ରାବଳୀ ଶୋଭାପାଉଛି ଏବଂ ଏହାର କୁସୁମସୌରଭ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହେଉଛି-। ଏହି ଦ୍ରୁମତଳେ ବହୁ ଜାତି ଓ ଧର୍ମର ଜନଗଣ ନିରାପଦରେ ଆଶ୍ରୟଲାଭ କରିଛନ୍ତି ।

 

ସାର ସର୍ବପାଲ୍ଲିଙ୍କ ଉକ୍ତିର ସାରବତ୍ତା ହୃଦୟଙ୍ଗମ କରିବା କଠିନ ନୁହେ । ଭାରତୀୟ ସଭ୍ୟତା ଉପରେ ଅନେକ ବିଦେଶୀ ସଭ୍ୟତାର ପ୍ରଭାବ ପଡ଼ିଛି ଓ ପଡ଼ିବା ସ୍ୱାଭାବିକ । କିନ୍ତୁ ଭାରତର ବିଶେଷତ୍ୱ ଏହି ଯେ, ସେ ତା’ର ନିଜତ୍ୱ ରକ୍ଷା କରି ଅନ୍ୟ ଦେଶର ସଭ୍ୟତାରୁ ଅଂଶ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜ ସଭ୍ୟତାର ପ୍ରସାର କରିଛି ।

 

ଭାରତୀୟ ସଭ୍ୟତା ସହିତ କ୍ରମଶଃ ଗ୍ରୀକ୍, ଶକ, ହୁନ, ପାର୍ଶୀ, ପଠାଣ ଓ ମୋଗଲମାନଙ୍କ ସଭ୍ୟତା ସଂଯୁକ୍ତ ହେଲା । ଶେଷରେ ଇଂରେଜ ସଭ୍ୟତା ମଧ୍ୟ ଏ ଦେଶକୁ ଆସିଲା । ପ୍ରାଚୀନ ଯୁଗରେ ଭାରତୀୟ ସଭ୍ୟତାର ପ୍ରସାର ସମ୍ବନ୍ଧେ ଆଲୋଚନା କଲେ ଜଣାଯାଏ ଯେ, ଗ୍ରୀସ୍, ପାରସ୍ୟ, ଚୀନ, ଜାପାନ, ସିଂହଳ, ବ୍ରହ୍ମ, ଶ୍ୟାମ ଓ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ ନାନାଭାବରେ ଭାରତୀୟ ସଭ୍ୟତାଦ୍ୱାରା ପ୍ରଭାବିତ ହୋଇଥିଲେ । ଭାରତୀୟ ଗଣିତଶାସ୍ତ୍ର ଆରବୀୟମାନଙ୍କ ଦ୍ୱାରା ସୁଦୂର ପାଶ୍ଚାତ୍ୟ ଦେଶ ସକଳରେ ପ୍ରଚାରିତ ହୋଇଥିଲା । ତାହାପରେ ଆଦର୍ଶ ସମ୍ରାଟ ଅଶୋକ, ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ବିଭିନ୍ନ ସ୍ଥାନକୁ ପ୍ରେରଣ କରି ଭାରତୀୟ ଧର୍ମ, ଦର୍ଶନ ଓ ସଭ୍ୟତାର ଆଲୋକରେ ପଡ଼ୋଶୀ ଦେଶ ସମୂହକୁ ଆଲୋକିତ କରିଥିଲେ ।

 

ଯେଉଁ ଦେଶରେ ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସ୍ଥାପତ୍ୟ ଆଦି ଯେତେ ଉନ୍ନତ ଏବଂ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଯେତେ ଉତ୍କୃଷ୍ଟ ଓ ସୁରୁଚି-ସମ୍ପନ୍ନ ସେ ଦେଶକୁ ସେତେ ସଭ୍ୟ ବୋଲି ଧରାଯାଏ । ପ୍ରାଚୀନ ଭାରତୀୟମାନେ ଏହି ସବୁ ଗୁଣରେ ଭୁଷିତ ଥିଲେ । ପୃଥିବୀର ଅନ୍ୟାନ୍ୟ ଅନେକ ଜାତି ଅଶିକ୍ଷିତ ଓ ଅସଭ୍ୟ ଅବସ୍ଥାରେ ଥିବାବେଳେ ଭାରତ, ଶିକ୍ଷା ଓ ସଭ୍ୟତାରେ ଅତି ଉଚ୍ଚ ସ୍ଥାନ ଲାଭ କରିଥିଲା । ଏ ଦେଶର ଋଷିମାନେ ବନର ଫଳମୂଳ ଆହାର କରି ରାଜାମାନଙ୍କୁ ରାଜ୍ୟ ଶାସନ ଓ ଯୁଦ୍ଧବିଦ୍ୟା ଶିକ୍ଷା ଦେଉଥିଲେ । ଜ୍ଞାନ ଅର୍ଜନ କରିବାପାଇଁ ବୁଦ୍ଧ, ମହାବୀର ଆଦି ରାଜପୁତ୍ରମାନେ ରାଜ୍ୟଭୋଗ ଛାଡ଼ି ବନବାସୀ ଋଷିମାନଙ୍କ ପରି ଜୀବନ ଯାପନ କରିଥିଲେ । ସତ୍ୟ ପାଳନ ଲାଗି ରାମଚନ୍ଦ୍ର ତଥା ପଞ୍ଚପାଣ୍ଡବପ୍ରମୁଖ ଶ୍ରେଷ୍ଠ ବୀର ପୁରୁଷମାନେ ରାଜସିଂହାସନ ଛାଡ଼ି ବନବାସୀ ହୋଇଥିଲେ । ପୃଥିବୀ ଇତିହାସରେ ଏ ଭଳି ଦୃଷ୍ଟାନ୍ତ ବିରଳ । କଠିଣ ତ୍ୟାଗ ଓ ଦାରିଦ୍ର୍ୟ ଭିତରା ହିଁ ଆମ୍ଭମାନଙ୍କର ସଭ୍ୟତା ଗଠିତ ହୋଇଅଛି । ଏହାହିଁ ଭାରତୀୟ ସଭ୍ୟତାର ବିଶେଷତ୍ୱ ।

 

କଳାବିଦ୍ୟାରେ ମଧ୍ୟ ଭାରତ ଶୀର୍ଷସ୍ଥାନକୁ ଉଠି ପାରିଥିଲା । ଯୁଗ ଯୁଗ ବ୍ୟାପୀ ଭାରତୀୟ କଳା ଜୀବିତ ରହି ଆସିଛି । ମହେନ୍‌ଜୋଦାରୋରେ ମିଳିଥିବା ମନୁଷ୍ୟ ଓ ପଶୁ ମୂର୍ତ୍ତିରୁ ଏବଂ ଅନେକ ମନ୍ଦିର ଓ ସ୍ତମ୍ଭରୁ ପ୍ରାଚୀନ କଳାନୈପୁଣ୍ୟର ପରିଚୟ ମିଳେ । ଅବଶ୍ୟ ବୈଦିକ ଯୁଗରେ ଏ ଦେଶର ଲୋକେ ଚିତ୍ର କିମ୍ବା ସ୍ଥାପତ୍ୟ ବିଦ୍ୟା ପ୍ରତି ବିଶେଷ ଦୃଷ୍ଟି ଦେଇ ନ ଥିଲେ । ସେମାନେ ଆଧ୍ୟାତ୍ମିକ ଭାବରେ ହିଁ ଅଧିକ ଅନୁପ୍ରାଣିତ ହୋଇଥିଲେ । ତଥାପି ସେ ସମୟର ଅନେକ ସୁନ୍ଦର-ବାସନ ବର୍ତ୍ତମାନ ମିଳୁଛି । ବନାରସର ସାରନାଥ, ମଥୁରା ଓ ତକ୍ଷଶିଳାରେ ମଧ୍ୟ କେତେକ ସ୍ତମ୍ଭ, ବେଦୀ ପ୍ରଭୃତିର ପ୍ରାଚୀନ ପ୍ରସ୍ତର କାର୍ଯ୍ୟ ଆବିଷ୍କୃତ ହୋଇଛି । ଅନେକ ଧାତୁନିର୍ମିତ ପଦାର୍ଥ ଓ ଚିତ୍ରକଳା ଭୋପାଳ ରାଜ୍ୟ ଓ ଅମରାବତୀରୁ ମିଳିଛି । ସେଠାରେ ଏକାଧିକ ମନ୍ଦିର ଓ ସ୍ତୂପ ଆବିଷ୍କୃତ ହୋଇଛି । ତକ୍ଷଶିଳା, ବନାରସ ଓ ନାଲନ୍ଦାରେ ପ୍ରସ୍ତରର ଗୃହ, ପାବଚ୍ଛ ଓ ପଥ ଆବିଷ୍କୃତ ହୋଇ ତତ୍କାଳୀନ ସଭ୍ୟତାର ସାକ୍ଷ୍ୟ ଦେଉଛି ।

 

ଐତିହାସିକ ଯୁଗରେ ଭାରତର ବିଭିନ୍ନ ପ୍ରାନ୍ତରେ ବହୁ ମନ୍ଦିର, ଦୁର୍ଗ, ଅଟ୍ଟାଳିକା ଓ ପ୍ରକାଣ୍ଡ ଶିକ୍ଷାୟତନମାନ ନିର୍ମିତ ହୋଇଥିଲା । ଏ ଗୁଡ଼ିକର ଶିଳ୍ପନୈପୁଣ୍ୟ ଭାରତ ସଭ୍ୟତାର ଦ୍ରୁତ ବିକାଶର ସୂଚନା ଦିଏ ।

 

ମୁସଲମାନମାନେ ଏ ଦେଶକୁ ଆସିବା ପରେ ସେମାନଙ୍କର ଶିଳ୍ପକଳା ଭାରତରେ ପ୍ରସାର ଲାଭ କଲା । ସେମାନେ ତାଜମହଲ ଓ ଫତେପୁରଶିକ୍ରୀ ଭଳି ଅନେକ ସୁନ୍ଦର ପ୍ରାସାଦ ଏବଂ କୁତବ୍‍ମିନାର ଭଳି ସୁଉଚ୍ଚ ସ୍ତମ୍ଭ ନିର୍ମାଣ କରି ତହିଁରେ ଉଦ୍ୟାନ ଓ ଲାତାପୁଷ୍ପର ଚିତ୍ରମାନ ଖୋଦନ କରାଇଥିଲେ ।

 

ବେଦ ଏ ଦେଶର ପ୍ରଥମ ଗ୍ରନ୍ଥ । ଆୟୁର୍ବେଦ, ବିଜ୍ଞାନ, ସଙ୍ଗୀତ, ଯୁଦ୍ଧବିଦ୍ୟା, ଜ୍ୟୋତିଷ, ବ୍ୟାକରଣ, ଓ କଳା ବିଷୟରେ ବହୁ ଗ୍ରନ୍ଥ ଆର୍ଯ୍ୟ ଋଷିମାନଙ୍କଦ୍ୱାରା ପ୍ରଣୀତ ହୋଇଥିଲା । ବୈଦିକ ଯୁଗରେ ନାରୀମାନେ ସୁଦ୍ଧା ନାନା ଶାସ୍ତ୍ରରେ ସୁପଣ୍ଡିତା ଥିଲେ । ମନୁଙ୍କ ବିଖ୍ୟାତ ଆଇନ ଗ୍ରନ୍ଥ ବହୁ ଯୁଗରୁ ଲିଖିତ ହୋଇଛି । ଆଦିକବି ବାଲ୍ମୀକିଙ୍କ ରାମାୟଣ ବ୍ୟାସଦେବଙ୍କ ମହାଭାରତ ଏବଂ ମହାକବି କାଳିଦାସ, ଭବଭୁତି ପ୍ରଭୃତିଙ୍କ ଦ୍ୱାରା ଲିଖିତ ଗ୍ରନ୍ଥ ସବୁ ଅତି ପ୍ରସିଦ୍ଧ । ମୋଗଲମାନଙ୍କ ସମୟରେ ଇତିହାସ ଓ ଜୀବନୀ ବିଶେଷ ଭାବରେ ଲିଖିତ ହେଉଥିଲା । ଆଧୁନିକ ଯୁଗରେ ମହାକବି ରବୀନ୍ଦ୍ରନାଥ, ସାର୍ ମହମ୍ମଦ ଇକ୍‌ବଲ ଓ ସରୋଜିନୀ ନାଇଡ଼ୁଙ୍କଦ୍ୱାରା ରଚିତ କବିତାମାନ ସମଗ୍ର ପୃଥିବୀରେ ପଠିତ ହୁଏ । ପ୍ରାଚୀନ କାଳରେ ବିଭିନ୍ନ ଦେଶର ଶିକ୍ଷାର୍ଥୀମାନେ ନାଲନ୍ଦା, ତକ୍ଷଶୀଳା ଓ ପୁଷ୍ପଗିରି ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଲାଭ କରି ଏ ଦେଶର ସଭ୍ୟତା ଓ ସଂସ୍କୃତିକୁ ନିଜ ନିଜ ଦେଶକୁ ବହନ କରି ନେଇଥିଲେ । ସେହିପରି ଆଧୁନିକ ଯୁଗରେ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ ଏକ ମହତ୍ ଓ ଉଦାର ଆଦର୍ଶ ଘେନି ପ୍ରତିଷ୍ଠିତ ।

 

ରାଜ୍ୟ ଶାସନ ବିଷୟରେ ଭାରତବର୍ଷ ପ୍ରଭୂତ ଉନ୍ନତି ଲାଭ କରିଥିଲା । ବୈଦିକ ଯୁଗରେ ଲୋକମାନେ ନିଜର ନିର୍ବାଚିତ ଶାସକମାନଙ୍କଦ୍ୱାରା ରାଜ୍ୟ ପରିଚାଳନା କରୁଥିଲେ । ପଞ୍ଚାୟତଶାସନ ମଧ୍ୟ ବହୁ ପୂର୍ବରୁ ଏ ଦେଶରେ ପ୍ରଚଳିତ ହୋଇଥିଲା । ତେଣୁ ଗଣତନ୍ତ୍ର ନୀତିରେ ଲୋକ-ଶାସନ ପ୍ରଣାଳୀ ଭାରତରେ ଆଜି ନୂତନ ନୁହେଁ ।

 

ଅତୀତରେ ଭାରତୀୟମାନେ ଜଳପଥରେ ପୂର୍ବଦିଗରେ ଚୀନ, ଜାପାନ, ଓ ପଶ୍ଚିମରେ ପାରସ୍ୟ, ଆରବ ଓ ଆଫ୍ରିକା ପ୍ରଭୃତି ଦୂର ଦେଶମାନଙ୍କରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଭାରତ ଓ ପ୍ରଶାନ୍ତ ମହାସାଗରରେ ତରୀ ଚାଳନା କରି ସେମାନେ ସିଂହଳ, ବ୍ରହ୍ମ, ଶ୍ୟାମ, ଜାଭା, ବାଲି ବୋର୍ଣ୍ଣିଓ ଏବଂ ମେକ୍‌ସିକୋ ଦ୍ୱୀପମାନଙ୍କରେ ବସତି ସ୍ଥାପନ କରିଥିବାର ଆଜି ଅନେକ ପ୍ରମାଣ ମିଳୁଛି । ଆଧୁନିକ ଯୁଗରେ ଯନ୍ତ୍ରଶିଳ୍ପର ପ୍ରସାର ସଙ୍ଗେ ସଙ୍ଗେ ଭାରତ ଉପରେ ବୈଜ୍ଞାନିକ ସଭ୍ୟତାର ପ୍ରଭାବ ମଧ୍ୟ ଅତି ସୁସ୍ପଷ୍ଟ ।

 

ଇଂରେଜମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠିତ ହେଲା ପରେ ସେମାନଙ୍କର କେତେକ ଆଚାର ବ୍ୟବହାର ଏବଂ ନୂତନ ଧରଣର ଜୀବନଯାପନ ପ୍ରଣାଳୀ ଆମ୍ଭମାନଙ୍କର ଦେଶରେ ଗୃହୀତ ହୋଇଛି । ସମୂହ ଭାବରେ ବିଚାର କଲେ, ଦାର୍ଶନିକ ରାଧାକୃଷ୍ଣନଙ୍କ ଉକ୍ତି ଅନୁଯାୟୀ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଦ୍ୟ ଓ ପ୍ରାନ୍ତ ବୁଝିବା ଦୁରୂହ ବ୍ୟପାର । ଏହି ସଭ୍ୟତା ସନାତନ ଓ ଶାଶ୍ୱତ ଧର୍ମ ଭଳି ଚିରକାଳ ନିତ୍ୟ ଓ ନୂତନ ହୋଇ ରହିଥିବ ।

 

ପ୍ରଶ୍ନ

 

୧.

ସଭ୍ୟତା କହିଲେ କ’ଣ ବୁଝାଏ ?

 

 

 

୨.

କେଉଁ କେଉଁ ତଥ୍ୟ ଉପରେ ନିର୍ଭର କରି ପୁରାତନ ସଭ୍ୟତାର ବିଚାର କରାଯାଏ-?

 

 

 

୩.

ଭାରତୀୟ ସଭ୍ୟତାର ବିଶେଷତ୍ୱ କ’ଣ ?

 

 

 

୪.

ଶିକ୍ଷା, ସାହିତ୍ୟ ଓ କଳା କ୍ଷେତ୍ରରେ ଭାରତ କିପରି ଉନ୍ନତି କରିଥିଲା, ତାହା ଉଦାହରଣ ସହ ନିଜ ଭାଷାରେ ଲେଖ ।

 

 

 

୫.

ପୂର୍ବାପର ସଙ୍ଗତି ଦେଖାଇ ବୁଝାଇଦିଅ–

 

 

 

[କ]

ଭାରତୀୟ ସଭ୍ୟତା ଏକ ବିଶାଳ ଦ୍ରୁମ ସଦୃଶ ।

 

 

 

[ଖ]

ଏହି ସଭ୍ୟତା ସନାତନ ଓ ଶାଶ୍ୱତ ଧର୍ମଭଳି ଚିରକାଳ ନିତ୍ୟ ଓ ନୂତନ ହୋଇ ରହିଥିବ ।

Image

 

ଭୂମିକମ୍ପ

 

ପ୍ରାକୃତିକ ବିପଦମାନଙ୍କ ମଧ୍ୟରେ ଭୂମିକମ୍ପ ଯେପରି ଆକସ୍ମିକ, ସେହିପରି ଭୀଷଣ ଓ ମାରାତ୍ମକ । ମନୁଷ୍ୟ ଜଳ, ସ୍ଥଳ ଓ ଆକାଶକୁ ବିଜ୍ଞାନବଳରେ ଜୟ କରି ସର୍ବତ୍ର ଅବାଧରେ ଯାତାୟତ କରୁଥିଲେ ହେଁ, ଭୂମିକମ୍ପର ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ଆଜିପର୍ଯ୍ୟନ୍ତ ସମର୍ଥ ହୋଇ ପାରି ନାହିଁ । ଅଳ୍ପ କେତେକ ମୁହୂର୍ତ୍ତର ଭୂମିକମ୍ପଦ୍ୱାରା ଯେଉଁ ଧ୍ୱଂସ ସାଧିତ ହୋଇଥାଏ, ତାହା ତୁଳନାରେ ଝଡ଼ ତୋଫାନ ଓ ନଦୀବନ୍ୟା ଆଦି ପ୍ରାକୃତିକ ବିପଦର କ୍ଷତି ସାମାନ୍ୟ ବୋଲି ମନେ ହୁଏ । ଆମ୍ଭମାନଙ୍କର ପଡ଼ୋଶୀ ବିହାର ରାଜ୍ୟରେ ଏହିପରି ଏକ ଭୟାବହ ଭୂମିକମ୍ପ ସଂଗଠିତ ହୋଇଥିଲା ।

 

ସେ ଦିନ ୧୯୩୪ ଖ୍ରୀଷ୍ଟାବ୍ଦ ଜାନୁୟାରୀ ମାସ ୧୫ ତାରିଖ ଅପରାହ୍ନ । ବୌଦ୍ଧଯୁଗର ରାଜଧାନୀ ପାଟଳୀପୁତ୍ର ବା ଆଧୁନିକ ପାଟଣା ସହରର ଅଧିବାସୀ ସ୍ୱଚ୍ଛନ୍ଦରେ ଯେ ଯାହାର କର୍ମରେ ରତ ଅଛନ୍ତି, ହଠାତ୍ ମୃତ୍ତିକାରେ ମୃଦୁକମ୍ପନ ଅନୁଭୂତ ହେଲା ।

 

ଚାହୁଁ ଚାହୁଁ ଲୋକମୁଖରେ ‘ଭୂମିକମ୍ପ’ ‘ଭୂମିକମ୍ପ’ ଚିତ୍କାର ଶୁଣାଗଲା । ସକଳ ଗୃହରୁ ହୁଳହୁଳି ଓ ଶଙ୍ଖଧ୍ୱନୀ ଉଛୁଳି ପଡ଼ିଲା । ମୁହୂର୍ତ୍ତକେ ନଗରର ଅଟ୍ଟାଳିକାରାଜି ଇତସ୍ତତଃ ଦୋଳାୟମାନ ହେବାକୁ ଲାଗିଲା । ତ୍ରସ୍ତ କମ୍ପିତ ଶିଶୁ, ବୁଦ୍ଧ, ସ୍ତ୍ରୀ, ପୁରୁଷ ଆଦି ଗୃହ ମଧ୍ୟରୁ ନିର୍ଗତ ହୋଇ ଦ୍ରୁତ ପଦକ୍ଷେପରେ ପଥ ଉପରେ ଉପସ୍ଥିତ ହେଲେ । ମାତ୍ର କୌଣସି ସ୍ଥାନରେ ସ୍ଥିର ହୋଇ ପାଦ ରଖିବାକୁ କାହାରି ଉପାୟ ନାହିଁ । ବଳିଷ୍ଠକାୟ ପୁରୁଷମାନେ ମଧ୍ୟ ଅସ୍ଥିର ପଦରେ ଶିଶୁପରି ଭୂତଳଶାୟୀ ହେଲେ । ପଥପାର୍ଶ୍ୱରେ ସୁଉଚ୍ଚ ହର୍ମ୍ୟମାନ ଭୀଷଣ ଶବ୍ଦରେ ଭୂମିସାତ୍ ହୋଇ ଅସହାୟ ନରନାରୀଙ୍କର ଜୀବନ୍ତ ସମାଧି ରଚନା କଲା । ସ୍ଥାନେ ସ୍ଥାନେ ଭୂମି ବିଦୀର୍ଣ୍ଣ ହୋଇ ପ୍ରବଳ ବେଗରେ ଜଳସ୍ରୋତ ପ୍ରବାହିତ ହେଲା । ଏହି ଭୂମିକମ୍ପର ପ୍ରକୋପ ଫଳରେ କେବଳ ପାଟଣା ସହର ନୁହେଁ, ବିହାର ରାଜ୍ୟର ଦରଭଙ୍ଗା, ମୁଙ୍ଗେର, ମୁଜାଫରପୁର, ଚମ୍ପାରଣ ଓ ସାରଣ ଜିଲ୍ଲା ଏବଂ ଭାଗଲପୁର ଜିଲ୍ଲାର ଉତ୍ତରଭାଗ ମଧ୍ୟ ବହୁପରିମାଣରେ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା ।

 

ବିହାର ରାଜ୍ୟର ବାରଗୋଟି ନଗର ସମ୍ପୂର୍ଣ୍ଣରୂପେ ବିଧ୍ୱସ୍ତ ହୋଇଗଲା । ବିଶେଷତଃ ମୂଜାଫରପୁର, ବରଭଙ୍ଗା ଓ ମୁଙ୍ଗେର ସହର ତିନୋଟି ପ୍ରାୟ ନିଶ୍ଚିହ୍ନ ହୋଇ ପଡ଼ିଥିଲା । ଯେଉଁଠାରେ ସୁରମ୍ୟ ଅଟ୍ଟାଳିକା ନଗରର ଶୋଭାବର୍ଦ୍ଧନ କରୁଥିଲା, ସେଠାରେ କେବଳ ଭଗ୍ନ ଇଷ୍ଟକ ଓ ପ୍ରସ୍ତରର ବିରାଟ ସ୍ତୂପଶ୍ରେଣୀ ପଥରୋଧ କଲା । ମୁହୂର୍ତ୍ତକ ପୂର୍ବେ ଯେଉଁସ୍ଥାନ ଜନ କୋଳାହଳରେ ମୁଖରିତ ହେଉଥିଲା, ଚାହୁଁ ଚାହୁଁ ତାହା ନିର୍ଜନ ନିସ୍ତବ୍‌ଧ ହୋଇଗଲା । ଭଗ୍ନାବଶେଷ ମଧ୍ୟରୁ କେତେ ମୁମୂର୍ଷୁ ମାନବର ଆର୍ତ୍ତ ଚିତ୍କାର ଉତ୍‌ଥିତ ହୋଇ ଚତୁର୍ଦ୍ଦିଗରେ ଆତଙ୍କ ସଞ୍ଚାର କଲା, ତାହାର ଚାକ୍ଷୁଷ ଅନୁଭୁତି ନ ଥିଲେ, କଳ୍ପନା କରିବା ଅସମ୍ଭବ । ଲୌହସେତୁ ଓ ରେଳପଥ ସୁଦ୍ଧା ଭୁତଳଶାୟୀ ହେଲା ।

 

ପ୍ରାୟ ତିନି ସହସ୍ର ଏକର ପରିମିତ କୃଷିକ୍ଷେତ୍ର ବିଦୀର୍ଣ୍ଣ ହୋଇ ଭୂଗର୍ଭରୁ ଜଳ ଓ ବାଲୁକାରାଶି ଉତ୍‌ଥିତ ହେଉଥାଏ । ସେହି ଜଳ ପ୍ଳାବିତ ହୋଇ ସମସ୍ତ ପାର୍ଶ୍ୱବର୍ତ୍ତୀ କୃଷିକ୍ଷେତ୍ରକୁ ନଷ୍ଟ କରିଦେଲା । କୂପଗୁଡ଼ିକ ବାଲୁକାପୂର୍ଣ୍ଣ ହେବା ଫଳରେ ପାନୀୟ ଜଳର ଏକାନ୍ତ ଅଭାବ ଘଟିଲା । ପୁଣି ପଥିବୀ ଅଭ୍ୟନ୍ତରରୁ ଅହରହ ଏକ ଭୀମ ଗମ୍ଭୀର ନିନାଦ ଶୁଣାଯାଉଥାଏ ।

 

ତିନି ମିନିଟ୍ ମାତ୍ର ଏହି ଭୂମିକମ୍ପ ସ୍ଥାୟୀ ହୋଇଥିଲେ ହେଁ ବଂଶ ସହସ୍ର ନରନାରୀ ତାହାର କରାଳ କବଳରେ ପଡ଼ିଲେ । ନଦୀସ୍ରୋତରେ ଅଗଣିତ ମନୁଷ୍ୟ ଶବ ଭାସମାନ ହେଲା । ପ୍ରକାଣ୍ଡ ଦ୍ରୁମମାନ ଉତ୍ପାଟିତ ହୋଇପଡ଼ିଲା । ଗୃହହୀନ ନରନାରୀ ଅଗତ୍ୟା ପତ୍ରାଚ୍ଛାଦିତ କିମ୍ବ ବସ୍ତ୍ରାବୃତ କୁଟୀରରେ ବାସ କରିବାକୁ ଲାଗିଲେ । ଭୂମକମ୍ପ ପରେ ଯେଉଁ ନିଦାରୁଣ ଶୀତ ଓ ପ୍ରବଳ ବୃଷ୍ଟି ମାଡ଼ି ଆସିଲା, ତାହାଦ୍ୱାରା ସେମାନଙ୍କ କଷ୍ଟର ସୀମା ରହିଲା ନାହିଁ । ମାତ୍ର ତିନି ମିନିଟ ମଧ୍ୟରେ ଏହିପରି ପ୍ରଳୟ କାଣ୍ଡ ଘଟିଯିବା ଫଳରେ ସମଗ୍ର ବିହାର ରାଜ୍ୟ ଛାରଖାର ହୋଇପଡ଼ିଲା-

 

ବିହାର ନିକଟବର୍ତ୍ତୀ ଓଡ଼ିଶା, ବଙ୍ଗ, ମଧ୍ୟପ୍ରଦେଶ ପ୍ରଭୃତି ଅଞ୍ଚଳରେ ଏହି ଭୂମିକମ୍ପ ସାମାନ୍ୟ ପରିମାଣରେ ଅନୁଭୂତ ହୋଇ କୌଣସି କ୍ଷତି ଘଟାଇ ପାରିନଥିଲା । ମାତ୍ର ସେ ବର୍ଷର ଘୋର ଶୈତ୍ୟ ଆଜି ସୁଦ୍ଧା ଅନେକଙ୍କର ସ୍ମରଣରେ ଥିବ ।

 

ବିଦ୍ୟୁତ୍‌ବେଗରେ ଏହି ଭୟଙ୍କର ସମ୍ବାଦ ଦେଶ-ବିଦେଶରେ ପ୍ରଚାରିତ ହୋଇଗଲା । ସଙ୍ଗେ ସଙ୍ଗେ ନାନା ସ୍ଥାନରୁ ଅର୍ଥ ସାହାଯ୍ୟ ଆସିଥିଲା । ଭାରତର ତତ୍କାଳୀନ ବଡ଼ଲାଟ ଗୋଟିଏ ସାହାଯ୍ୟ ପାଣ୍ଠିର ପ୍ରତିଷ୍ଠା କରିଥିଲେ । ଭାରତର ବର୍ତ୍ତମାନ୍ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେତେବେଳେ ବିହାରର ଅଦ୍ୱିତୀୟ ନେତାରୂପେ ବିପନ୍ନ ସ୍ୱଦେଶବାସୀଙ୍କ ସାହାଯ୍ୟ ପାଇଁ ପ୍ରାଣପଣେ ଲାଗିପଡ଼ିଥିଲେ । ସେ ମଧ୍ୟ ଗୋଟିଏ ସାହାଯ୍ୟ ଭଣ୍ଡାର ଖୋଲିଥିଲେ ଏବଂ ଅକ୍ଳାନ୍ତ ଚେଷ୍ଟାକରି ଦେଶବାସୀଙ୍କୁ ଏହି ଆକସ୍ମିକ ପ୍ରାକୃତିକ ବିପଦରେ ସାହାଯ୍ୟ କରିଥିଲେ । ଏହି ସକଳ ଉଦ୍ୟମଦ୍ୱାରା ଭୂପତିତ ନଗରଗୁଡ଼ିକ କ୍ରମେ ପୁନର୍ନିର୍ମିତ ହେଲା ଏବଂ ଗୃହହୀନ ନରନାରୀମାନଙ୍କୁ ଆଶ୍ରୟ ମିଳିଥିଲା । ମାତ୍ର ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଥିଲେ, ସେମାନଙ୍କର ଅଭାବ ଚିରକାଳ ଅପୂରଣୀୟ ରହିଗଲା ।

 

ସେହି ବର୍ଷ ମଇ ମାସ ୩୦ ତାରିଖ ପ୍ରତ୍ୟୁଷରେ ଭାରତର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ପାର୍ବତୀୟ ରାଜ୍ୟ କ୍ୱେଟାରେ ମଧ୍ୟ ଏକ ଭୀଷଣ ଭୂମିକମ୍ପ ହୋଇଥିଲା ଏବଂ ନିଦ୍ରିତାବସ୍ଥାରେ ସହରର ବହୁ ସହସ୍ର ମନୁଷ୍ୟ ଜୀବନ୍ତ ସମାଧି ଲଭିଥିଲେ । ଭୂମିକମ୍ପର ଅଳ୍ପକ୍ଷଣ ପରେ ସହସ୍ର ସହସ୍ର ଗୃହରୁ ହୃଦୟ ବିଦାରକ କ୍ରନ୍ଦନରୋଳ ଶୁଣାଯାଇଥିଲା । ପୂର୍ବ ରାତିରେ ଆହାର ସମାପନ କରି ଯେଉଁମାନେ ସୁଖନିଦ୍ରା ଯାଇଥିଲେ, ପ୍ରତ୍ୟୁଷରେ ସେହି ନିଦ୍ରା ତାଙ୍କର ଚିର-ନିଦ୍ରାରେ ପରିଣତ ହେଲା ।

 

ଜାପାନରେ ବାରମ୍ବାର ଏହିପରି ଭୂମିକମ୍ପ ଘଟିଥାଏ । ନିଉଜିଲାଣ୍ଡ, ଇଟାଲି, ସ୍ପେନ୍ ଓ ଦକ୍ଷିଣ ଆମେରିକାରେ ମଧ୍ୟ ଭୂମିକମ୍ପ-ଫଳରେ ବହୁ ଧନଜୀବନ ଧ୍ୱଂସପ୍ରାପ୍ତ ହୁଏ । ବୈଜ୍ଞାନିକମାନେ ଭୂମିକମ୍ପର ପ୍ରକୋପ ଓ ବିସ୍ତୃତି ଜାଣିବା ପାଇଁ ସେସ୍‌ମୋଗ୍ରାଫର ନାମ ଏକ ପ୍ରକାର ପରିମାପକ ଯନ୍ତ୍ର ଉଦ୍‌ଭାବନ କରିଛନ୍ତି । ମାତ୍ର ଏହି ବିପଦ ଆସିବା ପୂର୍ବରୁ ତାହା ଜାଣିପାରିବାର ଉପାୟ ଆଜି ସୁଦ୍ଧା ସେମାନଙ୍କଦ୍ୱାରା ଉଦ୍ଭାବିତ ହୋଇପାରି ନାହିଁ ।

 

ପ୍ରଶ୍ନ

 

୧.

ବିହାର ଭୂମିକମ୍ପରେ କେଉଁ କେଉଁ ସହର କେତେ ଦୂର କ୍ଷତିଗ୍ରସ୍ତ ହୋଇଥିଲା ?

 

 

୨.

ବିହାରର ପଲ୍ଲୀଅଞ୍ଚଳ ଭୂମିକମ୍ପଦ୍ୱାରା ଯେପରି ଦୁର୍ଦ୍ଦଶାଗ୍ରସ୍ତ ହୋଇ ପଡ଼ିଥିଲା, ତାହା ସଂକ୍ଷେପରେ ବର୍ଣ୍ଣନାକର ।

 

 

୩.

ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କିପରି ଉଦ୍ୟମ ହୋଇଥିଲା ?

 

 

୪.

‘‘ତିନି ମିନିଟ ମାତ୍ର, ଏହି ଭୂମିକମ୍ପ ସ୍ଥାୟୀ ହୋଇଥିଲେ ହେଁ ସମଗ୍ର ବିହାର ରାଜ୍ୟ ‘‘ଛାରଖାର ହୋଇପଡ଼ିଲା’’– ଏହି ଅନୁଚ୍ଛେଦଟିକୁ ସଂକ୍ଷିପ୍ତ ଓ ସରଳ ଭାଷାରେ ଲେଖ ।

 

 

୫.

ନିମ୍ନ ଶବ୍ଦଗୁଡ଼ିକରେ ଯଥାସ୍ଥାନରେ ‘ଇକ’ ଓ ‘ଇୟ’ ପ୍ରତ୍ୟୟ କରି ଶବ୍ଦ ନିଷ୍ପନ୍ନ କର–ଅଧୁନା, ଦିନ, ଅକସ୍ମାତ୍, ପାନ, ଜଳ, ବାଷ୍ପ, କଲ୍ୟାଣ, ପର୍ବତ ।

Image

 

ଆଧୁନିକ ଭାରତର ଦୁଇ ଶ୍ରେଷ୍ଠ କବି

 

ବର୍ତ୍ତମାନ ଯୁଗରେ ଦୁଇ ଜଣ ଶ୍ରେଷ୍ଠ କବି ଭାରତର ମୁଖ ଉଜ୍ଜ୍ୱଳ କରିଛନ୍ତି । ସେ ଦୁହିଁଙ୍କର ଖ୍ୟାତି ସ୍ୱଦେଶର ସୀମା ପାର ହୋଇ ବିଦେଶରେ ମଧ୍ୟ ବ୍ୟାପ୍ତ ହୋଇ ପଡ଼ିଥିଲା । ବଙ୍ଗଭାଷାରେ ରବୀନ୍ଦ୍ରନାଥ ଓ ଉର୍ଦ୍ଦୁରେ ମହମ୍ମଦ ଇକ୍‌ବଲ ଏହି ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କର ରଚନା ଇଂରାଜୀ ଓ ଅନ୍ୟାନ୍ୟଭାଷାରେ ଅନୁଦିତ ହୋଇ ବିଭିନ୍ନ ଦେଶରେ ଆଦର ଲାଭ କରିଛି ।

 

ରବୀନ୍ଦ୍ରନାଥ ଠାକୁର

 

ନବଯୁଗର ଶ୍ରେଷ୍ଠ କବି ରବୀନ୍ଦ୍ରନାଥ ଠାକୁର ୧୮୬୧ ମସିହା ମଇ ମାସ ୬ ତାରିଖରେ କଲିକତାର ଧନାଢ଼୍ୟ ଠାକୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ଅନେକେ କବି, ଦାର୍ଶନିକ, ସଙ୍ଗୀତଜ୍ଞ, ଶିଳ୍ପୀ କିମ୍ବା ଚିତ୍ରକରରୂପେ ପ୍ରସିଦ୍ଧ । ଧନ ସହିତ ବିଦ୍ୟାର ଏପରି ଶୁଭ ମିଳନ କ୍ୱଚିତ୍ ଦେଖାଯାଇଥାଏ । (ଠାକୁର ପରିବାରରେ ଲକ୍ଷ୍ମୀ ସରସ୍ୱତୀଙ୍କର ବିବାଦଭଞ୍ଜନ ହୋଇଥିଲା ବୋଲିବାକୁ ହେବ ।) ରବୀନ୍ଦ୍ରନାଥଙ୍କର ପିତା ମହର୍ଷି ଦେବେନ୍ଦ୍ରନାଥ ଠାକୁର ଜଣେ ଆଦର୍ଶ ଜ୍ଞାନୀ ପୁରୁଷ ଥିଲେ ।

 

ବାଲ୍ୟକାଳରୁ ରବୀନ୍ଦ୍ରନାଥ ମାତୃହୀନ ହୋଇ ନିଜକୁ ବଡ଼ ଏକାକୀ ବୋଧକଲେ । ଭୃତ୍ୟମାନଙ୍କ ଉପରେ ହିଁ ତାଙ୍କ ବାଲ୍ୟାବସ୍ଥାର ଦାୟିତ୍ୱ ନ୍ୟସ୍ତ ଥିଲା । ଗୋଟିଏ ବଡ଼ ପରିବାରରେ ସର୍ବକନିଷ୍ଠ ପୁତ୍ରରୂପେ ସେ ଅନ୍ୟ ସମସ୍ତଙ୍କର ସ୍ନେହ ପାଇଥିଲେ ହେ ଗୃହର ଏଣେ ପ୍ରଧାନ ଭୃତ୍ୟକୁ ସବୁବେଳେ ଭୟ କରୁଥିଲେ । ଚଞ୍ଚଳମତି ବାଳକ ରବୀନ୍ଦ୍ରନାଥଙ୍କ ଉପରେ ସଦା ସତର୍କ ଦୃଷ୍ଟ ରଖି ଏହି ଭୃତ୍ୟ ତାଙ୍କୁ ସ୍ୱଚ୍ଛନ୍ଦରେ ଖେଳିବା ବୁଲିବାକୁ ଛାଡ଼େ ନାହିଁ । ତେଣୁ ନିଜକୁ ସେ ଏକ ପ୍ରକାର ବନ୍ଦୀ ବୋଲି ଅନୁଭବ କରୁଥାନ୍ତି । ମୁକ୍ତିଲାଭ କଲେ ସମଗ୍ର ବିଶ୍ୱକୁ ସେ ନିଜର କ୍ରୀଡ଼ାଭୂମି କରି ପାରନ୍ତେ ବୋଲି ତାଙ୍କର ମନେ ହେଉଥାଏ । ଶୈଶବର ଅତି ସୁନ୍ଦର ବର୍ଣ୍ଣନା କରି ସେ ଏହିରୂପେ ଲେଖିଛନ୍ତି ।

 

ନିସ୍ତବ୍‌ଧ ମଧ୍ୟାହ୍ନରେ ପ୍ରକାଣ୍ଡ କୋଠା ଉପରେ ବସି ସେ ବାହାରକୁ ନିରୀକ୍ଷଣ କରନ୍ତି । ଉଦ୍ୟାନ ମଧ୍ୟରେ ବୁଲ୍ ବୁଲ୍ ପକ୍ଷୀ ବୃକ୍ଷର ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଇଁଯାଏ । ତରୁ ଛାୟାରେ ଶାୟିତ କ୍ଷୀଣକାୟ କୁକୁରଟି ତାହାର ନାସିକା ଉପରୁ ମକ୍ଷିକା ଆହାର କରିବାକୁ କେବଳ ମୁଖ ସଞ୍ଚାଳନ କରେ । ପୁଣି କେବେ ମେଘାଚ୍ଛନ୍ନ ଆକାଶରୁ ବୃଷ୍ଟି ପଡ଼ି ପତ୍ର କମ୍ପିତ ହୁଏ । କଦମ୍ବ ତରୁର ଉର୍ଦ୍ଧ୍ୱରେ ଥିବା ଦ୍ୱିତଳ ପ୍ରାସାଦର ପ୍ରଶସ୍ତ ବାରଣ୍ଡାରୁ ପ୍ରକୃତିର ଏହି ଶୋଭା ଦର୍ଶନ କରି ବାଳକ ରବୀନ୍ଦ୍ରନାଥଙ୍କ ଚିତ୍ତରେ ପ୍ରଥମ କବିତ୍ୱର ସଞ୍ଚାର ହୁଏ ।

 

ସାତ ବର୍ଷ ବୟସରେ ହିଁ ରବୀନ୍ଦ୍ରନାଥ କବିତା ରଚନା କରିଥିଲେ । ଚଉଦ ବର୍ଷ ବୟସରେ ତାଙ୍କ ଚରିତ କବିତାବଳୀ ‘‘ପ୍ରଭାତ ସଙ୍ଗୀତ’’ ଓ ‘‘ସନ୍ଧ୍ୟା ସଙ୍ଗୀତ’’ ନାମରେ ପ୍ରକାଶିତ ହେଲା । ବିଦ୍ୟାଳୟର ପାଠ୍ୟ ରବୀନ୍ଦ୍ରନାଥଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ । କାରଣ ସେ ସମଗ୍ର ବିଶ୍ୱ ପ୍ରକୃତିକୁ ନିଜର ପାଠ୍ୟ ରୂପେ ଗ୍ରହଣ କରିଥିଲେ । ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ପତ୍ରି ମନଯୋଗୀ ନ ହେଲେ ପିତାଙ୍କ ଗ୍ରନ୍ଥାଗାରାରୁ ସେ ବହୁ ଗ୍ରନ୍ଥ ଆଣି ଅଧ୍ୟୟନ କରୁଥାନ୍ତି ।

 

ଷୋହଳ ବର୍ଷ ବୟସରେ ରବୀନ୍ଦ୍ର ନାଥ ବିଲାତ ଯାତ୍ର କରି ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ । ସେଠାରେ ତାଙ୍କର ଭାଷା ଓ ସାହିତ୍ୟ ଉପରେ ଦକ୍ଷତା ଦେଖି ଅନେକ ସହାଧ୍ୟାୟୀ ଓ ଅଧ୍ୟାପକ ଆଶ୍ଚର୍ଯ୍ୟନ୍ୱିତ ହୋଇଥିଲେ । କିନ୍ତୁ ବିଲାତରେ ମଧ୍ୟ ସେ ଶିକ୍ଷା ସମାପ୍ତ କରି ପାରିଲେ ନାହିଁ । ସେଠାରୁ ଫେରି ଆସିବାପରେ ପିତା ତାହାଙ୍କୁ ନିଜର ଜମିଦାର ପର୍ଯ୍ୟବେକ୍ଷଣ କରିବାକୁ ନିଯୁକ୍ତ କଲେ । ଏହି ସମୟରେ ରବୀନ୍ଦ୍ରନାଥ ଅନେକ ଗଳ୍ପ, କବିତା, ଉସନ୍ୟାସ, ନାଟକ ଓ ପ୍ରବନ୍ଧ ଲେଖି ଯଶ ଅର୍ଜନ କରିଥିଲେ । ଜଣେ ସ୍ୱପ୍ନ-ବିଳାସୀ ଶ୍ରେଷ୍ଠ କବିରୂପେ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ଜମିଦାରି ବୁଝିବା ବିଷୟରେ ମଧ୍ୟ ତାହାଙ୍କ ଦକ୍ଷତା ଓ କର୍ମଠତାର ବହୁ ପ୍ରମାଣ ମିଳିଥିଲା । ଜମିଦାରରୂପେ ସେ ଆଦର୍ଶ ସ୍ଥାନୀୟ ହୋଇ ପାରିଥିଲେ ।

 

ଅଳ୍ପ ବୟସରେ ରବୀନ୍ଦ୍ରନାଥ ପିତାଙ୍କ ସଙ୍ଗେ ହିମାଳୟ ଭ୍ରମଣ କରିବାକୁ ଯାଇଥିଲେ । ହିମଗିରିର ବିରାଟ ପ୍ରାକୃତିକ ଶୋଭା ତାହାଙ୍କ ବାଳକହୃଦୟକୁ ମୁଗ୍‌ଧ କରିଥିଲା । ଋଷିପ୍ରତିମ-ପିତାଙ୍କର ମହନୀୟ ଚରିତ୍ରଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଚିତ୍ତ ଧର୍ମଭାବରେ ଆପ୍ଳୁତ ହୋଇ ପଡ଼ିଥିଲା । ରବୀନ୍ଦ୍ରନାଥଙ୍କ ଶ୍ରେଷ୍ଠ ରଚନା ‘‘ଗୀତାଞ୍ଜଳି’’ ପୁସ୍ତକର ସଙ୍ଗୀତଗୁଡ଼ିକ ଉଦାର ଧର୍ମ ଭାବରେ ରଚିତ ହୋଇଛି ।

 

ଗୀତାଞ୍ଜଳିର ଗୋଟିଏ କବିତାର ମର୍ମ ହେଉଛି ଏହି ଯେ, ଧ୍ୟାନ, ପ୍ରାର୍ଥନା ଓ ମାଳାଜପ ଛାଡ଼ି ବାହାରି ଆସ–ଦେଉଳର ସବୁ ହାର ବନ୍ଦ କରି ଏକାକୀ ଅନ୍ଧାର କୋଣରେ ରହି ତୁମେ କାହାର ପୂଜା କରୁଛ ? ଆଖି ଫିଟାଇ ଦେଖ ଯେ ଦେବତା ତୁମ ଆଗରେ ନାହାନ୍ତି । ସେ ଯାଇ ସେହିଠାରେ, ଯେଉଁଠି ହଳିଆ କଠିନ ମାଟିରେ ହଳ କରୁଛି; ପୁଣି ଯେଉଁଠି ପଥୁରିଆ ପଥର ଭାଙ୍ଗି ପଥ ପ୍ରସ୍ତୁତ କରୁଛି, କି ଖରା କି ବର୍ଷା ସେହିମାନଙ୍କ ପାଖରେ ହିଁ ଦେବତା ଅଛନ୍ତି ଏବଂ ତାଙ୍କର ପରିଧାନ ଧୂଳିରେ ଧୂସରିତ ହୋଇଛି । ତୁମେ ତୁମ ପବିତ୍ର ନାମାବଳୀ କାଢ଼ିପକାଅ ଏବଂ ତାଙ୍କର ପରି ସେହି ଧୂସର ମାଟିକୁ ଓହ୍ଲାଇ ଆସ ।

 

‘‘ଗୀତାଞ୍ଜଳି’’ କୁ ବଙ୍ଗ ଭାଷାରୁ ଇଂରାଜି ଭାଷାରେ ସେ ଅନୁବାଦ କରିଥିଲେ । ଏହି ଗ୍ରନ୍ଥ ସର୍ବତ୍ର ଆଦର ଲାଭକଲା ଏବଂ ଏଥିପାଇଁ କବିଙ୍କୁ ୧୯୧୩ ମସିହା ନଭେମ୍ବର ମାସରେ ନୋବେଲ ପୁରସ୍କାର ମିଳିଲା । ପ୍ରତି ବର୍ଷ ପୃଥିବୀର ସର୍ବଶ୍ରେଷ୍ଠ କବି ସାହିତ୍ୟକଙ୍କୁ ଏହି ପୁରସ୍କାର ମିଳିଥାଏ । ନୋବେଲ ପୁରସ୍କାରର ମୂଲ୍ୟ ପ୍ରାୟ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ହେବ ।

 

ରବୀନ୍ଦ୍ରନାଥ ନୋବେଲ ପୁରସ୍କାରର ଅର୍ଥକୁ ନିଜ ପାଇଁ ବ୍ୟୟ ନ କରି ତାହାଙ୍କ ପ୍ରତିଷ୍ଠିତ ଶାନ୍ତିନିକେତନ ବିଦ୍ୟାଳୟକୁ ଦେଇଥିଲେ । କଲିକତାଠାରୁ ରେଳପଥରେ ଚାରି ପାଞ୍ଚ ଘଣ୍ଟା ଯାତ୍ରା ଗଲେ ବୋଲପୁର ନାମକ ଗୋଟିଏ ଷ୍ଟେସନ ପଡ଼େ । ଷ୍ଟେସନଠାରୁ ଅଳ୍ପ ଦୂରରେ ଶାନ୍ତିନିକେତନ ଅବସ୍ଥିତ । କ୍ରମେ ଏହି ବିଦ୍ୟାଳୟଟି ଏକ ବିରାଟ ଶିକ୍ଷା କେନ୍ଦ୍ରରେ ପରିଣତ ହୋଇ ବିଶ୍ୱଭାରତୀ ନାମରେ ପରିଚିତ ହୋଇଛି । ଭାରତର ବିଭିନ୍ନ ଭାଷାଭାଷୀ ଅଞ୍ଚଳରୁ ଶିକ୍ଷାର୍ଥୀମାନେ ଆସି ଏଠାରେ ସାହିତ୍ୟ, ସଙ୍ଗୀତ, ଚିତ୍ର ବିଷୟକୁ ଶିକ୍ଷା ପାଇଥାନ୍ତି । ପୃଥିବୀର ନାନା ଦେଶରୁ ପଣ୍ଡିତମାନେ ଶାନ୍ତିନିକେତନକୁ ଆସି ଭାରତ ବିଷୟରେ ଜ୍ଞାନ ଅର୍ଜ୍ଜନ କରନ୍ତି । ଓଡ଼ିଶା ସରକାରଙ୍କ ବ୍ୟୟରେ ଏଠାରେ ଓଡ଼ିଆ ଭାଷା ଓ ସାହିତ୍ୟର ମଧ୍ୟ ଶିକ୍ଷା ଦିଆଯାଏ ।

 

ରବୀନ୍ଦ୍ରନାଥ ପୃଥିବୀର ପ୍ରାୟ ସବୁ ଦେଶ ଭ୍ରମଣ କରି ଭାରତର ଯଶ ବିସ୍ତାର କରିଥିଲେ । ଭାରତର ସ୍ୱାଧୀନତା ତାଙ୍କର ଲକ୍ଷ୍ୟ ଥିଲା ଏବଂ ସେଥିଲାଗି ସେ ଅନେକ ଜାତୀୟସଙ୍ଗୀତ ଲେଖିଯାଇଛନ୍ତି । ତାଙ୍କ ରଚିତ ‘‘ଜନଗଣମନଅଧିନାୟକ ଜୟ ହେ ଭାରତ ଭାଗ୍ୟବିଧାତା’’– ଶୀର୍ଷକ ସଙ୍ଗୀତଟି ସ୍ୱାଧୀନ ଭାରତର ଜାତୀୟ ସଙ୍ଗୀତ ରୂପେ ଗୃହୀତ ହୋଇଛି । ଏହି ସଙ୍ଗୀତ ସଭାସମିତି ଓ ସରକାରୀ ଉତ୍ସବମାନଙ୍କରେ ପ୍ରଥମେ ବୋଲାଯାଇଥାଏ । ସେତେବେଳେ ସମସ୍ତେ ଦଣ୍ଡାୟମାନ ହୋଇ ଦେଶ ଓ ଜାତି ପ୍ରତି ଶ୍ରଦ୍ଧା ଜ୍ଞାପନ କରନ୍ତି । ମହାକବି ରବୀନ୍ଦ୍ରନାଥ ଏହିରୂପେ ଯଶସ୍ୱୀ ଜୀବନ ଅତିବାହିତ କରି ୧୯୪୧ ମସିହାରେ ପୃଥିବୀରୁ ବିଦାୟ ନେଇଥିଲେ । ରବୀନ୍ଦ୍ରନାଥ କେବଳ ମହାକବି ନ ଥିଲେ, ଏ ଯୁଗର ଜଣେ ମହାପୁରୁଷ ଥିଲେ । ଧ୍ୟାନରତ ଋଷି ପରି ସେ ବିଶ୍ୱର କଲ୍ୟାଣ ଲାଗି ନିଜର ସକଳ କର୍ମ ଓ ରଚନା ଉତ୍ସର୍ଗ କରିଯାଇଛନ୍ତି ।

 

ମହମ୍ମଦ ଇକ୍‌ବଲ

 

ଉର୍ଦ୍ଦୁ ଓ ପାରସ୍ୟ ଭାଷାର ଶ୍ରେଷ୍ଠକବି ସର୍ ମହମ୍ମଦ ଇକ୍‌ବଲ ଜଣେ ରାଜନୀତିଜ୍ଞ ଓ ଦାର୍ଶନିକ ମଧ୍ୟ ଥିଲେ । ମାତ୍ର କବି ଭାବରେ ହିଁ ସେ ଅଧିକ ବିଖ୍ୟାତ ।

 

ପଞ୍ଜାବର ସିଆଲକୋଟ୍‌ଠାରେ ୧୮୭୭ ଖ୍ରୀଷ୍ଟାବ୍ଦରେ ଇକ୍‌ବଲ ଏକ ସମ୍ଭ୍ରାନ୍ତ ମୁସଲମାନ ପରିବାରରେ ଜନ୍ମଲାଭ କରିଥିଲେ । କିନ୍ତୁ ଦୁଇ ଶତ ବର୍ଷ ପୂର୍ବେ ତାଙ୍କର ପୂର୍ବପୁରୁଷଗଣ କାଶ୍ମୀର ବ୍ରାହ୍ମଣ ପଣ୍ଡିତ ଥିଲେ । ସେମାନଙ୍କର ସାପ୍ରୁ ସଂଜ୍ଞାଥିଲା ଏବଂ ଏଲାହାବାଦର ପ୍ରସିଦ୍ଧ ଆଇନଜ୍ଞ ସର୍ ତେଜବାହାଦୁର ସାପ୍ରୁଙ୍କ ବଂଶ ସହିତ ମୌଳିକ ସମ୍ପର୍କ ଥିଲା ବୋଲି କଥିତ ଅଛି । ମହମ୍ମଦ ଇକ୍‌ବଲଙ୍କର ଅତୀତ ବଂଶଧରଗଣ ଜଣେ ମହାପୁରୁଷଙ୍କ ଦ୍ୱାରା ମୁସଲମାନ ଧର୍ମରେ ଦୀକ୍ଷିତ ହୋଇଥିଲେ । ସେହି କାଳରୁ ତାଙ୍କ ପରିବାରରେ ଧର୍ମ ଓ ଦର୍ଶନ ପ୍ରତି ପ୍ରଗାଢ଼ ଅନ୍ତରକ୍ତି ଥିଲା ।

 

ସିଆଲକୋଟଠାରେ ଇକ୍‌ବଲ ଶିକ୍ଷାଲାଭ କରି ପଞ୍ଜାବ ରାଜଧାନୀ ଲାହୋର କଲେଜରୁ ଏମ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ତତ୍ପରେ ଲାହୋର ଓରିଏଣ୍ଟାଲ କଲେଜର ଅଧ୍ୟାପକରୂପେ ନିଯୁକ୍ତ ହେଲେ । ୧୯୦୫ ଖ୍ରୀଷ୍ଟାବ୍ଦରେ ସେ ବିଲାତ ଯାତ୍ରା କରି ଇଂଲଣ୍ଡ କେମ୍ବ୍ରିଜ ଓ ଜର୍ମାନୀର ମ୍ୟୁନିକ୍ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ‘‘ଡକ୍ଟର’’ ଉପାଧି ପାଇଥିଲେ । ତାହାପରେ ଲଣ୍ଡନରୁ ଆଇନ ଉପାଧି ପାଇ ସେ ୧୯୦୮ ଖ୍ରୀଷ୍ଟାବ୍ଦରେ ସ୍ୱଦେଶକୁ ଫେରିଥିଲେ ଏବଂ ବାରିଷ୍ଟର ବ୍ୟବସାୟ କରିଥିଲେ ।

 

ରାଜନୀତି କ୍ଷେତ୍ରରେ ପ୍ରବେଶ କରି ସେ ପଞ୍ଜାବ ବ୍ୟବସ୍ଥା ସଭାର ଜଣେ ସଦସ୍ୟ ହେଲେ । ଭାରତକୁ ଶାସନ କ୍ଷମତା ମିଳିବା ସମ୍ପର୍କରେ ବିଚାର କରିବାପାଇଁ ଲଣ୍ଡନରେ ଯେଉଁ ଗୋଲଟେବୁଲ ବୈଠକ ବସିଥିଲା, ତହିଁରେ ଜଣେ ଭାରତୀୟ ପ୍ରତିନିଧିରୂପେ ସେ ଯୋଗଦାନ କରିଥିଲେ । ମୁସଲମାନମାନଙ୍କର କେତେଗୋଟି ସମ୍ମିଳନୀରେ ସଭାପତିରୂପେ ସେ ନେତୃତ୍ୱ ନେଇଥିଲେ ଏବଂ ପାକିସ୍ଥାନ ନାମକ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ଗଠନ କରିବା ତାଙ୍କର ଅଭିଳାଷ ଥିଲା । ମାତ୍ର ରାଜନୀତିରେ ପୂର୍ଣ୍ଣରୂପେ ଲିପ୍ତ ରହିବାର ଉପାଦାନରେ କବି ଓ ଦାର୍ଶନିକ ଇକ୍‌ବଲ ଗଠିତ ହୋଇ ନ ଥିଲେ ।

 

ଧର୍ମ ଏବଂ କବିତା ଚର୍ଚ୍ଚା ହିଁ ଇକ୍‌ବଲଙ୍କ ଜୀବନର ପ୍ରଧାନ ଉପଜୀବ୍ୟ ବିଷୟ ଥିଲା । ସେ ଯେଉଁ ଧର୍ମରାଜ୍ୟର କଳ୍ପନା କରିଥିଲେ, ତାହା ରାଜନୈତିକ ରାଜ୍ୟ ନୁହେଁ । ଉର୍ଦ୍ଦୁ ଓ ପାରସ୍ୟ ଭାଷାରେ ସେ ଯେଉଁସବୁ କବିତା ରଚନା କରିଥିଲେ, ତାହାସବୁ ଦେଶର ପାଠକମାନଙ୍କ ପକ୍ଷରେ ଆଦରଣୀୟ ହୋଇଥିଲା । ବିଶେଷତଃ ଭାରତରେ ତଥା ଭାରତ ବାହାରେ ଥିବା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ତାହାଙ୍କ ରଚନା ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା । ସୁମଧୁର ଭାଷାରେ ଆବରଣ ମଧ୍ୟରେ ଇକ୍‌ବଲ ଚିନ୍ତାଧାରା ପାଠକ ଚିତ୍ତରେ ନୂତନ ଉତ୍ତେଜନା ଓ ପ୍ରେରଣା ଉଦ୍ରେକ କରୁଥିଲା । ଇକ୍‌ବଲଙ୍କର ଶକ୍ତିଶାଳୀ ରଚନା ମୁସଲମାନ ସମ୍ପ୍ରଦାୟକୁ ସାହସୀ ଓ କର୍ମଠ ହେବାପାଇଁ ଉଦ୍‌ବୋଧନ ଦେଇଥିଲା । କେହି କେହି କହିଥାନ୍ତି, ଇକ୍‌ବଲ କେବଳ ଲେଖନୀ ବଳରେ ପାକିସ୍ଥାନ ରୂପକ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବାରେ ସମର୍ଥ ହୋଇଥିଲେ । ପାକିସ୍ଥାନ ନାମଟି ମଧ୍ୟ ତାଙ୍କରିଦ୍ୱାରା ସୃଷ୍ଟି ହୋଇଛି ବୋଲି ଜଣାଯାଏ ।

 

ପୃଥିବୀର ବହୁଶ୍ରେଷ୍ଠ କବିଙ୍କ ମୃତ୍ୟୁ ପରେ ସେମାନଙ୍କୁ ସାଧାରଣତଃ ଯେଉଁ ସମ୍ମାନ ମିଳିଥାଏ, ଜୀବିତାବସ୍ଥାରେ ଇକ୍‌ବଲ ତାହା ଲାଭ କରିଥିଲେ । ୧୯୩୮ ମସିହା ଏପ୍ରିଲ ମାସ ୨୧ ତାରିଖ ପ୍ରତ୍ୟୁଷରେ ଲାହୋରଠାରେ ଏହି ଶ୍ରେଷ୍ଠ କବିଙ୍କର ଅନ୍ତିମ ଶଯ୍ୟା ରଚିତ ହେଲା ।

 

ପ୍ରଶ୍ନ

 

୧.

ବିଦ୍ୟାଳୟରେ ରବୀନ୍ଦ୍ରନାଥ ଓ ଇକ୍‌ବଲ କେତେଦୂର ଶିକ୍ଷା ପାଇଥିଲେ, ତାହା ବର୍ଣ୍ଣନା କର-

୨.

ନିମ୍ନ ବାକ୍ୟଯୋଡ଼ିକୁ ବିଶ୍ଳେଷଣ କରି ଗୋଟିଏ ଲେଖାଁଏ ଅନୁଚ୍ଛେଦ ଲେଖ–

 

(କ)

ରବୀନ୍ଦ୍ରନାଥ ସମଗ୍ର ବିଶ୍ୱ ପ୍ରକୃତିକୁ ନିଜର ପାଠ୍ୟରୂପେ ଗ୍ରହଣ କରିଥିଲେ ।

 

(ଖ)

ଧର୍ମ ଏବଂ କବିତା ହିଁ ଇକ୍‌ବଲଙ୍କ ଜୀବନର ପ୍ରଧାନ ଉପଜୀବ୍ୟ ବିଷୟ ଥିଲା ।

୩.

ନିମ୍ନଲିଖିତ ଦୁଇଟି ଲେଖାଏଁ ବାକ୍ୟକୁ ଯୋଗକର–

 

(କ)

ରବୀନ୍ଦ୍ରନାଥ ପୃଥିବୀ ଭ୍ରମଣ କରିଥିଲେ । ସବୁ ଦେଶରେ ସେ ଭାରତର ଯଶ ବିସ୍ତାର କରିଥିଲେ ।

 

(ଖ)

ବଗିଚା ଭିତରେ ବୁଲ୍ ବୁଲ୍ ପକ୍ଷୀ ଥାଏ । ତାହା ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଇଁଯାଏ ।

 

(ଗ)

ପ୍ରସିଦ୍ଧ ଆଇନଜ୍ଞ ସାର୍ ତେଜବାହାଦୁର ସାପ୍ରୁଙ୍କର ନିବାସ ଏଲାହାବାଦରେ ଅବସ୍ଥିତ । ସେହି ସାପ୍ରୁ ବଂଶ ସଙ୍ଗେ ଇକ୍‌ବଲଙ୍କର ପୂର୍ବପୁରୁଷମାନଙ୍କର ମୌଳିକ ସମ୍ପର୍କ ଥିଲା ।

 

(ଘ)

ଇକ୍‌ବଲଙ୍କ ରଚନା ଶକ୍ତିଶାଳୀ ଥିଲା । ତାହା ମୁସଲମାନ ସମ୍ପ୍ରଦାୟକୁ ସାହସୀ ଓ କର୍ମଠ ହେବାକୁ ଉଦ୍‌ବୋଧନ ଦେଇଥିଲା ।

୪.

ନିମ୍ନ ପ୍ରୟୋଗ ମଧ୍ୟରୁ ପ୍ରତ୍ୟେକ ବିଷୟ ଉପରେ ଚାରି ପାଞ୍ଚଗୋଟି ବାକ୍ୟ ଲେଖି ବୁଝାଇ ଦିଅ–ଧର୍ମରାଜ୍ୟ, ରାଜନୈତିକ ରାଜ୍ୟ, ବିଶ୍ୱଭାରତୀ, ନାଲନ୍ଦା, ତକ୍ଷଶୀଳା ।

୫.

ନିମ୍ନ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର–ଉଦ୍‌ବୋଧନ, ଉତ୍ତେଜନା, ପ୍ରତିନିଧି, ମୌଳିକ, ଉପଜୀବ୍ୟ, ଅଧିନାୟକ, ଧୂସରିତ, ସହାଧ୍ୟାୟୀ, ଅଧ୍ୟାପକ ।

Image

 

ଚନ୍ଦ୍ରରେ ଶଶା

(ରାଗ-ବଙ୍ଗଳାଶ୍ରୀ)

 

ଏହି ସେ ପ୍ରାଚୀନ କିମ୍ବଦନ୍ତୀ ଏକ,

ଯେବେ ବାରାଣସୀ କ୍ଷେତ୍ରେ

ମନୁଷ୍ୟ ସମାନ ଧର୍ମପରାୟଣ

ପଶୁପକ୍ଷୀ ଥିଲେ କେତେ ।

ବାନର, ଶୃଗାଳ, ଶଶା, ବକ, ଏହି

ଚାରି ଗୋଟି ପଶୁ ପକ୍ଷୀ

ଗଙ୍ଗାନଦୀ ତୀରେ ରହୁଥିଲେ ସଦା

ଧରମରେ ଧ୍ୟାନ ରଖି ।

ଦିନେ ଜଣେ ବୃଦ୍ଧ ବ୍ରାହ୍ମଣ ଆସିଲେ

କ୍ଷୁଧାରେ ଆତୁର ଅତି,

ଭୋଜନ ଆଶାରେ ଜଣାଇଲେ ଦୁଃଖ

ପୁଣ୍ୟାତ୍ମା ବାନର କତି ।

ଗଛଡାଳେ ବସି ଧ୍ୟାନ-ରତ କପି

ବୋଇଲା, ‘‘ହେ ଦ୍ୱିଜବର !

ଯେତେ ଇଚ୍ଛା ଦେବି ଫଳମୂଳ ଖାଦ୍ୟ

ଆନନ୍ଦେ ଆହାର କର ।’’

‘‘ଫଳମୂଳେ ମୋର ତୃପତି ନୋହିବ’’

ଉଠିଲେ ବ୍ରାହ୍ମଣ ଭାଷି,

ଲେଉଟି ସେଠାରୁ ଶୃଗାଳ ପାଶରେ

ମାଗିଲେ ଆହାର ଆସି ।

ଆଦରେ କହିଲା, ଶୃଗାଳ ‘‘ବିଲରୁ

ଭଲ ମାଂସ ଦେବି ଆଣି’’

‘‘ମାଂସରେ ତୃପତି ନ ହେବ ମୋ କ୍ଷୁଧା’’

ଭିକାରୀ ବୋଲନ୍ତି ବାଣୀ ।

ବକ ପାଶେ ତହୁଁ ପ୍ରସାରିଲେ କର,

ବସିଥିଲା ଏକ ଧ୍ୟାନେ;

ଯାଚିଲା ମାଛ, ସେ, ‘‘ଲୋଡ଼ା ନାହିଁ’’ କହି

ଚଳିଲେ ଶଶାର ସ୍ଥାନେ ।

ଘାସ ବୁଦା ମୂଳେ ଧ୍ୟାନରତ ଶଶା,

କି ଦେବ ଅତିଥି ଜନେ ?

ଭାବି ଭାବି ଶେଷେ ବୁଦ୍ଧି ଏକ ଆସି

ଜୁଟିଗଲା ତାର ମନେ ।

ବୋଇଲା, ‘‘ହେ ଭାଇ ଭାଇ ତୁମେ ଠିଆ

କୁଟା କାଠ କରି ଠୁଳ,

ଦେବି ମୁଁ ଆହାର ପୂର୍ଣ୍ଣିମାରେ ଆଜି

ପୂଣ୍ୟ ହେବ ମୋର କୁଳ ।’’

ନିଆଁ ଉଠେ ଜଳି ସହସା ଶଶକ

ପଡ଼ିଲା ତହିଁରେ ଡେଇଁ,

‘‘ମୋର ମାଂସ ଖାଇ ଲଭ ହେ ତୃପତି’’

ବିନୟେ ବୋଇଲା ସେହି ।

କିନ୍ତୁ ସେ ଅଗ୍ନିରେ ଦଗଧ ନ ହେଲା

ଶଶକର ଲୋମ ସୁଦ୍ଧା

ଲାଗେ ଆଚମ୍ବିତ, କି ରୂପେ ତେବେ ସେ

ମେଣ୍ଟାଇବ ଦ୍ୱିଜ-କ୍ଷୁଧା !

‘‘ନ ଜଳଇ ଦେହ, ଦିଅ ଆଉ କାଠ,’’

ବୋଲେ ଶଶା ଟେକି ବେକ

ଦେଖିଲା ଚକିତେ ସେହି ଦ୍ୱିଜ ହେଲେ

ବିରାଟ ପୁରୁଷ ଏକ ।

ବନ ପାହାଡ଼ର ବହୁତ ଉପରେ

ଆକାଶେ ଲାଗିଛି ଶିର

ସହାସ୍ୟ ଅଧରୁ ସ୍ଫୁରିଲା ତାଙ୍କର

କୋମଳ ମଧୁର ଗୀର ।

‘‘ବହୁତ ବଡ଼ ତୋ ହୃଦୟ, ଆକାରେ

ହେଲେ ହେଁ କ୍ଷୁଦ୍ର ତୁ ଅତି;

ପରଉପକାର ପାଇଁ ପ୍ରାଣ ଦେଲୁ

ଧନ୍ୟ ଧନ୍ୟ ମହାମତି ।’’

ଏହା କହି ଦ୍ୱିଜ ଏକ ପର୍ବତକୁ

ଚିପୁଡ଼ି କାଢ଼ିଲେ ରସ

ବୋଇଲେ, ‘‘ଆକାଶେ ଲେଖିଦେବି ତୋର

ଚିରଦିନ ପାଇଁ ଯଶ ।’’

ସେ ରସେ ବୁଡ଼ାଇ ଶିଖରୀ ମୁନକୁ

ଲେଖିଲେ ଶଶକଛବି

ପୂର୍ଣ୍ଣଚନ୍ଦ୍ର ଦେହେ ନିପୁଣ ଭାବରେ

ସେ ବିଶ୍ୱବିଧାତା କବି ।

ଭୋକୀ ଶୋଷୀ ପାଇଁ ପ୍ରାଣଦେଇ ଶଶା

ଚନ୍ଦ୍ରରେ ପାଇଲା ସ୍ଥାନ

ଯୁଗେ ଯୁଗେ ସେହୁ ଅମର ହୋଇଲା

ଧନ୍ୟ ତା’ର ମହା ଦାନ ।

 

ପ୍ରଶ୍ନ

 

୧.

ବୃଦ୍ଧ ବ୍ରାହ୍ମଣ କାହା କାହା ପାଖକୁ ଯାଇ ଦାନ ମାଗିଲେ ? ଶଶକ ତାହାଙ୍କୁ କ’ଣ ଦେଲା ?

 

 

୨.

ଶଶକ କିପରି ଚନ୍ଦ୍ର ଦେହରେ ରହିଲା ?

 

 

୩.

ପୂଣ୍ୟାତ୍ମା, ଦ୍ୱିଜବର, ତୃପ୍ତି, ଶୃଗାଳ, ଶିଖରୀ, ନିପୁଣ, ପ୍ରଶାନ୍ତ, କ୍ଷୁଧା- ଶବ୍ଦମାନଙ୍କର ପୂର୍ବାପର ସଙ୍ଗତି କବିତାରୁ ଦେଖାଇ ବୁଝାଇ ଦିଅ ।

 

 

୪.

ବିଶ୍ୱବିଧାତା, କବି, ଅଧରୁ ସ୍ଫୁରିଲା, କୋମଳ, ମଧର ଗୀର-ପ୍ରୟୋଗଗୁଡ଼ିକର ଅର୍ଥ ଲେଖ-

 

 

୫.

ଏହି କବିତାରୁ କି ଶିକ୍ଷା ମିଳେ ?

Image

 

କୁଟୀରଶିଳ୍ପ ଓ ଶିଳ୍ପୀ

 

ଯନ୍ତ୍ରଶିଳ୍ପ ପ୍ରକାଣ୍ଡ କୋଠାଘରମାନଙ୍କରେ ପ୍ରତିଷ୍ଠିତ ହୋଇ ସହସ୍ର ସହସ୍ର ଶ୍ରମିକଙ୍କଦ୍ୱାରା ଚାଳିତ ହୁଏ ଓ ସେମାନଙ୍କର ବସତି ଲାଗି ସ୍ୱତନ୍ତ୍ର ନଗର ନିର୍ମିତ ହୁଏ । କୁଟୀରଶିଳ୍ପ ତାହାର ନାମାନୁଯାୟୀ କୁଟୀର ମଧ୍ୟରେ ହିଁ ଆବଦ୍ଧ ରହେ । ଯୁଗ ଯୁଗ ଅତିବାହିତ ହେଲେ ମଧ୍ୟ ଆମ୍ଭମାନଙ୍କ ଦେଶରେ ସେହି ଶିଳ୍ପ କିମ୍ବା ସେହି କୁଟୀରର କ୍ୱଚିତ୍‌ ଉନ୍ନତି ହୋଇ ପାରିଛି । ବିରାଟ ଯନ୍ତ୍ରଶିଳ୍ପ ତୁଳନାରେ କୁଟୀରଶିଳ୍ପ ସାମାନ୍ୟ ବୋଲି ପ୍ରତୀୟମାନ ହେଲେ ହେଁ ତାହା ଆମ୍ଭମାନଙ୍କର ସମୃଦ୍ଧି ପାଇଁ ବହୁ ପରିମାଣରେ ଦାୟୀ ।

 

ଭୂମିହୀନ ସହସ୍ର ସହସ୍ର ଦେଶବାସୀଙ୍କୁ ଏହି କୁଟୀରଶିଳ୍ପ ଅତି ପ୍ରାଚୀନ କାଳରୁ କର୍ମ ଯୋଗାଇ ଆସିଛି । ଯେଉଁମାନେ କୃଷି ଉପରେ ଆଂଶିକ ନିର୍ଭର କରି ଚଳନ୍ତି, ସେମାନଙ୍କର ମଧ୍ୟ ଏହା ପ୍ରଧାନ ଅବଲମ୍ବନ ହୋଇଛି । ଯନ୍ତ୍ରଶିଳ୍ପ ଆବିଷ୍କୃତ କିମ୍ବା ସଂଗଠିତ ହେବା ପୂର୍ବରୁ ଆମ୍ଭମାନଙ୍କର ଖାଦ୍ୟ ବସ୍ତ୍ର, ଗୃହୋପକରଣ, ଯାନବାହାନ ଆଦି ସକଳ ପ୍ରୟୋଜନୀୟ ବସ୍ତୁ କୁଟୀରବାସୀର ଶିଳ୍ପଦ୍ୱାରାହିଁ ପ୍ରସ୍ତୁତ ହେଉଥିଲା ।

 

ପ୍ରାୟ ଦୁଇଶତ ବର୍ଷ ହେଲା ଯନ୍ତ୍ରର ପ୍ରତିଷ୍ଠା ଫଳରେ ଶିଳ୍ପ ସମୂହ କେନ୍ଦ୍ରୀଭୂତ ହୋଇ ବିରାଟ ଆକାର ଧାରଣ କଲା ଏବଂ କୁଟୀରଶିଳ୍ପର ଅବନତି ଘଟିଲା । ତଥାପି କୁଟୀଶିଳ୍ପର ସ୍ୱାତନ୍ତ୍ର୍ୟ ଓ ବିଶେଷତ୍ୱ ଲିପ୍ତ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ବସ୍ତ୍ର ଉପରେ ଜରିକାମ କୁମ୍ଭକାମ ସ୍ୱର୍ଣ୍ଣରୌପ୍ୟର ଅଳଙ୍କାର, ଶିଙ୍ଘ ବା ହସ୍ତୀଦନ୍ତ କାମ ଯନ୍ତ୍ରଦ୍ୱାରା ହୋଇପାରିବା ଅସମ୍ଭବ ।

 

କୁଟୀରଶିଳ୍ପ ଆମ୍ଭମାନଙ୍କ ସଭ୍ୟତାର ଏକ ଅପରିହାର୍ଯ୍ୟ ଅଙ୍ଗ ସ୍ୱରୂପ । ଏହାର ଅନ୍ୟ ଏକ ବିଶେଷତ୍ୱ ଏହି ଯେ, ଯୁଦ୍ଧ ସମୟରେ ଶତ୍ରୁ ଆକ୍ରମଣରେ ମଧ୍ୟ ଏହି ଶିଳ୍ପ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହୋଇପାରେ ନାହିଁ । ଶିଳ୍ପ କେନ୍ଦ୍ରଗୁଡ଼ିକ ଉପରେ ବୋମା ବର୍ଷଣ କରି ତାହାର ଧ୍ୱଂସ ଘଟାଇବା ଆକ୍ରମଣକାରୀ ଶତ୍ରୁ ପକ୍ଷରେ ସହଜ । ମାତ୍ର କୁଟୀରଶିଳ୍ପ ଦେଶର ଚତୁର୍ଦ୍ଦିଗରେ ବ୍ୟାପ୍ତ ହୋଇ ପଡ଼ିଥିବାରୁ ତାହାକୁ କୌଣସି ପରାକ୍ରାନ୍ତ ଶତ୍ରୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସମ୍ଭବପର ନୁହେଁ ।

 

ୟୁରୋପରେ ଯନ୍ତ୍ର ଆବିଷ୍କାର ହେବା ସମୟକୁ ‘‘ଶିଳ୍ପ-ବିପ୍ଳବ’’ ର ଯୁଗ ବୋଲାଯାଇଥାଏ-। କାରଣ ବହୁ କାଳରୁ ଚଳି ଆସିଥିବା ସାମାଜିକ ସଂଗଠନ ଏହାଦ୍ୱାରା ବିଶୃଙ୍ଖଳ ହୋଇପଡ଼ିଲା । ହାତବୁଣା ଲୁଗା ଅପେକ୍ଷା କଳପ୍ରସ୍ତୁତ ଲୁଗା ଅଧିକ ସୁନ୍ଦର ଓ ଶସ୍ତା ହେବାରୁ ତନ୍ତୁବାୟମାନେ ନିଜର କୌଳିକ କର୍ମ ଛାଡ଼ିବାକୁ ବାଧ୍ୟ ହେଲେ । ଯେଉଁମାନେ ବଂଶଗତ ବ୍ୟବସାୟକୁ ଧରି ବସିଲେ, ସେମାନଙ୍କର ଉପାର୍ଜନ ମଧ୍ୟ ଆଶାନୁରୂପ ହୋଇ ପାରିଲା ନାହିଁ ।

 

ଢାକାର ଯୂକ୍ଷ୍ମ ବସ୍ତ୍ର, ବନାରସୀ ଜରିକାମ, ଦିଲ୍ଲୀର ବାସନ, ସମ୍ବଲପୁରୀ ପର୍ଦା, ମାନ୍ଦ୍ରାଜର ଚର୍ମପାଦୁକା, କଟକର ତାରକସି କାମ, କାଶ୍ମୀର ସାଲ, ଗାଲିଚା ଓ କାଷ୍ଠନିର୍ମିତ ଶିଳ୍ପଗୁଡ଼ିକ ଆଜି ମଧ୍ୟ ଭାରତର ସର୍ବତ୍ର ଆଦୃତ ହେଉଅଛି । ତଥାପି ଯନ୍ତ୍ରଶିଳ୍ପ ତୁଳନାରେ ସେ ସବୁର ଉନ୍ନତି ହୋଇ ପାରୁନାହିଁ । ଶିଳ୍ପୀର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ରହିଛି ।

 

ଶିଳ୍ପୀ ତାହାର ଅକୃତ୍ରିମ ସାରଲ୍ୟ ଓ ସ୍ୱାଭାବିକ ଦାରିଦ୍ର୍ୟକୁ ବିନା ଆପତ୍ତିରେ ସ୍ୱୀକାର କରି ନେଇଛି । କୁଟୀରବେଷ୍ଟିତ ପଲ୍ଲୀର ଏକମାତ୍ର ସଂକୀର୍ଣ୍ଣ ଦାଣ୍ଡରେ ତନ୍ତୁବାୟ ତାହାର ନୀଳ, ଲୋହିତ, ହରିତ, କୃଷ୍ଣ ଆଦି ନାନା ରଙ୍ଗର ସୂତ୍ର ଟାଣି ବସ୍ତ୍ରବୟନ ପାଇଁ ସଜାଉଛି । କେତେବେଳେ ସେହି ସୂତ୍ର ଉପରେ ବୃକ୍ଷର ହରିଦ୍ରା କିମ୍ବା ରକ୍ତ ବର୍ଣ୍ଣର ଦୁଇଟି ଗୋଟିଏ କୁସୁମ ଖସିପଡ଼ୁଛି । କୁଟୀର ବାରଣ୍ଡାରେ ବସି କେଉଁଠାରେ କୁମ୍ଭକାର ଦ୍ରୁତବେଗରେ ଚକ୍ର ବୁଲାଇ କୋମଳ କର୍ଦ୍ଦମକୁ ସ୍ୱୀୟ ଅଙ୍ଗୁଳି ଦ୍ୱାରା ନାନା ବିଚିତ୍ର ଆକାରରେ ପରିଣତ କରୁଛି । ଆଉ କେଉଁ କଂସାରି ପଲ୍ଲୀରେ ବିନ୍ଧାଣୀର ହାତୁଡ଼ି ଅହରହ କଂସା ପିତ୍ତଳ ବାସନ ନିର୍ମାଣରେ ବ୍ୟାପୃତ ।

 

କମାର କେଉଁଠି ଲୌହକୁ ଉତ୍ତପ୍ତ କରି କୋଡ଼ି, କାଙ୍କ, ଲଙ୍ଗଳ, ଦାଆ, କଟୁରି ବା ଗୁଆକାତି ପ୍ରସ୍ତୁତ କରୁଛି । କେଉଁ ଗ୍ରାମରେ ଅବା ଧନୀ ଗୃହସ୍ଥ ଲାଗି ସ୍ୱର୍ଣ୍ଣବଣିକ ରୂପା ଟଙ୍କା ଓ ସୁନା ମୋହରକୁ ଅଗ୍ନିରେ ତରଳାଇ ଦେଉଛି । ସେଥିରୁ ସେ କର୍ଣ୍ଣ, ନାସିକା ଓ ହସ୍ତପଦ ପାଇଁ ବିଭିନ୍ନ ଆକୃତିର ଆଭରଣ ପ୍ରସ୍ତୁତ କରୁଛି । ମଧ୍ୟେ ମଧ୍ୟେ ପକ୍ଷୀ କଣ୍ଠର ମଧୁର ସଙ୍ଗୀତ ଶୁଣାଯାଉଛି ଓ ନିକଟବର୍ତ୍ତୀ ଗଙ୍ଗଶିଉଳି ବୃକ୍ଷରୁ ବୃନ୍ତଚ୍ୟୁତ ପୁଷ୍ପ ନିଃଶବ୍ଦରେ ଝରି ପଡ଼ୁଛି । କେଉଁ ଭୂଷଣକୁ ସେହି ପୁଷ୍ପାକୃତି କରି ସେ ଗଢ଼ିଛି । ଅଥବା ଦୂରବର୍ତ୍ତୀ ଆମ୍ର ନାରୀକେଳ କୁଞ୍ଜ ମଧ୍ୟରେ ଗ୍ରାମସୀମାର ପଦ୍ମ ପୁଷ୍କରିଣୀ ତଟରେ ଯେଉଁ ପ୍ରାଚୀନ ମନ୍ଦିରଟି ଦେଖାଯାଉଅଛି, ତାହାରି ଉପରେ ଅଙ୍କିତ କୌଣସି ଲତା, ପୁଷ୍ପ କିମ୍ବା ଫଳର ସାଦୃଶ୍ୟରେ ସେ ଅନ୍ୟ ଅଳଙ୍କାର ନିର୍ମାଣ କରୁଛି । ଏହି ଭାବରେ ଜଣେ ଇଂରାଜୀ ଲେଖକ ଭାରତୀୟ ଶିଳ୍ପୀଙ୍କର ବର୍ଣ୍ଣନା କରିଛନ୍ତି ।

 

ଅନେକ ଶିଳ୍ପୀ ଆଜି ନିଜର କୌଳିଳ ବ୍ୟବସାୟକୁ ତ୍ୟାଗ କରିଥିବା ମୂଳରେ ଯନ୍ତ୍ରଶିଳ୍ପର ପ୍ରସାର ହିଁ ପ୍ରଧାନ କାରଣରୂପେ ପରିଗଣିତ ହୁଏ । ଆଉ ମଧ୍ୟ ପ୍ରାଚୀନ ରୀତିରେ ଶିଳ୍ପନିର୍ମାଣ ଆଧୁନିକ ରୂଚିସମ୍ମତ ହୋଇପାରୁନାହିଁ; ତେଣୁ କୁଟୀରଶିଳ୍ପକୁ ଅବନତି ପଥରୁ ଉଦ୍ଧାର କରିବାକୁ ହେଲେ, ତାହାର ସଂଗଠନ ଆବଶ୍ୟକ । ଶିଳ୍ପୀମାନଙ୍କୁ ତାଙ୍କ କୌଳିଳ ବ୍ୟବସାୟରେ ଶିକ୍ଷା ଦେଇ ଚଳିତ ରୁଚି ଅନୁରୂପ ପଦାର୍ଥମାନ ପ୍ରସ୍ତୁତ କରିବାକୁ ଉତ୍ସାହ ମିଳିଲେ, କୁଟୀରଶିଳ୍ପର ଉନ୍ନତି ସଙ୍ଗେ ସଙ୍ଗେ ଦେଶର ହୃତଗୌରବ ମଧ୍ୟ ଫେରି ଆସିବ ।

Image

 

ପ୍ରଶ୍ନ

 

୧.

କୁଟୀରଶିଳ୍ପ ଉପାଦେୟତା ସମ୍ବନ୍ଧରେ ଗୋଟିଏ ଅନୁଚ୍ଛେଦ ଲେଖ ।

 

 

୨.

କୁଟୀରଶିଳ୍ପର ଅବନତି କେଉଁ କାରଣରୁ ଘଟିଛି ଏବଂ ତାହାର ଉନ୍ନତିର ଉପାୟ କଣ ?

 

 

୩.

କୁଟୀରଶିଳ୍ପର କାରିଗର କିପରି ଅବସ୍ଥାରେ ରହି କାର୍ଯ୍ୟ କରେ, ତାହା ନିଜ ଭାଷାରେ ବର୍ଣ୍ଣନା କର ।

 

 

୪.

ଯନ୍ତ୍ରଶିଳ୍ପ ଅପେକ୍ଷା କୁଟୀରଶିଳ୍ପ କେଉଁ ଗୁଣରେ ଶ୍ରେଷ୍ଠତର ?

 

 

୫.

ନାମାନୁଯାୟୀ, ତଦନୁରୂପ, ଗୃହୋପକରଣ, ପୁଷ୍ପାକୃତି, ଆଶାନୁରୂପ–ଏହି ଶବ୍ଦଗୁଡ଼ିକୁ ସନ୍ଧିବିଚ୍ଛେଦ କର ।

Image

 

ବଶିଷ୍ଠଙ୍କ ଆଦର୍ଶ କ୍ଷମା

(ଏକାଙ୍କ ନାଟିକା)

-ପ୍ରଥମ ଦୃଶ୍ୟ-

 

ସ୍ଥାନ—ହିମାଳୟର ପାଦଦେଶ

 

ସମୟ—ରାତ୍ରି

 

(ଗୋଟିଏ କ୍ଷୁଦ୍ର ନଦୀ କୁଳୁ କୁଳୁ ନାଦ କରି ବୋହି ଯାଉଛି । ଉପରେ ମେଘଖଣ୍ଡ ମଧ୍ୟରେ ଚନ୍ଦ୍ର ଧୀର ଗତି କରୁଥିବା ପରି ଦେଖାଯାଉଅଛି । ନଦୀ ତୀରରେ ତରୁଲତାବେଷ୍ଟିତ ଋଷି-ଆଶ୍ରମଗୁଡ଼ିକ ଚନ୍ଦ୍ରାଲୋକ ଓ ବୃକ୍ଷଛାୟା ଭିତରେ ଅପୂର୍ବ ଶୋଭା ଧାରଣ କରିଛି । ମଧ୍ୟେ ମଧ୍ୟେ ଋଷିକଣ୍ଠନିଃସୃତ ବେଦମନ୍ତ୍ର ଶୁଣାଯାଉଛି । ମୃଦୁ ବାୟୁ ନାନା ଜାତିର ଫୁଲଗନ୍ଧ ଘେନି ସୁବାସିତ ।)

 

(ମହାତେଜା ଋଷି ବିଶ୍ୱାମିତ୍ର ନିଜ ଆଶ୍ରମରୁ ବାହାରିଲେ । ଚକ୍ଷୁ ତାଙ୍କର କ୍ରୋଧରେ ରକ୍ତବର୍ଣ୍ଣ ଓ ତାଙ୍କ ହସ୍ତରେ ଏକ ଶାଣିତ ଖଡ଼୍‌ଗ ।)

 

ବିଶ୍ୱାମିତ୍ର—(ସ୍ୱଗତ) ବଶିଷ୍ଠ ! ବଶିଷ୍ଠ ! ଆଜି ଆଉ ତୁମର ରକ୍ଷାନାହିଁ । ତୁମ୍ଭକୁ ଶତପୁତ୍ର ଏହି ବିଶ୍ୱାମିତ୍ର ହସ୍ତରେ ପ୍ରାଣ ହରାଇଛନ୍ତି । ତୁମ୍ଭେ ନିଜେ ମଧ୍ୟ ଆଜି ଏହି ଖଡ଼୍‌ଗଦ୍ୱାରା ପୃଥିବୀରୁ ବିଦାୟ ନେବ । ଶତପୁତ୍ରଙ୍କୁ ହରାଇ ସୁଦ୍ଧା ତୁମ୍ଭେ ମୋତେ ବ୍ରାହ୍ମଣ ବୋଲି ସ୍ୱୀକାର କଲ ନାହିଁ ! ତୁମ୍ଭଙ୍କୁ ହତ୍ୟାକରି ଆଜି ମୁଁ ବ୍ରାହ୍ମଣ ହେବି । ତୁମ୍ଭ ଗର୍ବର ଶେଷ ପ୍ରତିଶୋଧ ନେଇ ପୃଥିବୀକୁ ବଶିଷ୍ଠଶୂନ୍ୟ କରିବି । ବିଶ୍ୱାମିତ୍ର ବ୍ରହ୍ମର୍ଷି ହୋଇଛି କି ନାହିଁ ବର୍ତ୍ତମାନ ତୁମେ ତାହା ବୁଝିପାରିବ, ଯେତେବେଳେ ଏହି ଶାଣିତ ଖଡ଼୍‌ଗ ଉଦ୍‌ଗତ ହେବ ତୁମ ସ୍କନ୍ଧ ଉପରକୁ; ଯେତେବେଳେ ତୁମ ଜୀବନର ମାଲିକ ବିଶ୍ୱାମିତ୍ର ଛଡ଼ା ଆଉ ଦ୍ୱିତୀୟ କେହି ନ ଥିବେ, ସେତିକିବେଳେ ଦେଖିବ, ତୁମ୍ଭେ ମୋହର ତପସ୍ୟାକୁ ସ୍ୱୀକାର କରୁଛ କି ନାହିଁ, ବ୍ରହ୍ମର୍ଷି ବୋଲି ମୋତେ ସମ୍ବୋଧନ କରୁଛ କି ନାହିଁ ।

 

ଏହି ଯେ, ଏହି ଯେ, ବଶିଷ୍ଠ ! ନିଜ ପତ୍ନୀ ଅରୁନ୍ଧତୀ ସଙ୍ଗେ ଆସୁଛନ୍ତି ! ଏହାହିଁ ଉପଯୁକ୍ତ ସମୟ ଓ ସ୍ଥାନ । ବାଃ ! ମୁହୂର୍ତ୍ତ ମଧ୍ୟରେ ଏହି ସ୍ଥାନ ବଶିଷ୍ଠ ରକ୍ତରେ ରଞ୍ଜିତ ହେବ । ଅରୁନ୍ଧତୀଙ୍କୁ ଭୋଗିବାକୁ ହେବ ଚିର ବୈଧବ୍ୟ ଓ ବିଚ୍ଛେଦ । କ୍ଷଣକ ଭିତରେ ଆଶ୍ରମବନ ବିଧବାର କରୁଣ ବିଳାପରେ ମୁଖରିତ ହୋଇ ଉଠିବ । ଆଉ ବିଳମ୍ବ ନାହିଁ । ସେ ଦୁହେଁ ତ ପ୍ରାୟ ଆସିଗଲେଣି ! ମୁଁ ଏହି ବୃକ୍ଷ ଅନ୍ତରାଳରେ ଲୁଚିଯାଇ ଯଥାସମୟରେ କାର୍ଯ୍ୟୋଦ୍ଧାର କରିବି ।

 

(ବଶିଷ୍ଠ ଓ ଅରୁନ୍ଧତୀଙ୍କ ପ୍ରବେଶ)

 

ବଶିଷ୍ଠ—(ମୁଗ୍‌ଧ ଦୃଷ୍ଟିରେ) ଆର୍ଯ୍ୟେ ! ଆଶ୍ରମ ଶୋଭା ନିରୀକ୍ଷଣ କର । ଏହି ଜ୍ୟୋସ୍ନାପ୍ଳାବିତ ଧରଣୀ, ଶୀତଳ ସମୀର, ପୁଣି ସୁଦୁର ହିମାଳୟର କମନୀୟ ଦୃଶ୍ୟ । ସୃଷ୍ଟି ଯେପରି କେବଳ ମଧୁର, କୋମଳ, ସରସ ଓ ସୁନ୍ଦର ।

 

ଅରୁନ୍ଧତୀ—(ମୃଦୁ ହସି) କିନ୍ତୁ ଆର୍ଯ୍ୟପୁତ୍ର ! ତୁମ୍ଭର ରାତ୍ରିଭୋଜନ ପାଇଁ ଆଶ୍ରମରେ ଟିକିଏ ସୁଦ୍ଧା ଳବଣ ନାହିଁ । ଲବଣର ବ୍ୟବସ୍ଥା କରିବାକୁ ହେବ ।

 

ବଶିଷ୍ଠ—(ବିସ୍ମିତ ହୋଇ) ଏକ୍ଷଣି ତେବେ ଉପାୟ କ’ଣ ? ଏହା ତ ପ୍ରକୃତରେ ଚିନ୍ତାର ବିଷୟ ।

 

ଅରୁନ୍ଧତୀ—ଚିନ୍ତାର ବିଷୟ ନୁହେଁ ପ୍ରଭୁ ହସିବାର ବିଷୟ ! କାରଣ ମହାଜ୍ଞାନୀ ବଶିଷ୍ଠ ଆଶ୍ରମରେ ଲବଣ ମଧ୍ୟ ଅଭାବ ହୁଏ ।

 

ବଶିଷ୍ଠ—ଆଚ୍ଛା ଦେବି ! ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମରୁ ଆଜିପାଇଁ କିଛି ଲବଣ ଭିକ୍ଷା କରି ଆଣ ।

 

ଅରୁନ୍ଧତୀ—(ଚମକିପଡ଼ି) କି ଆଶ୍ଚର୍ଯ୍ୟ ! ବିଶ୍ୱାମିତ୍ର ! ସେ ଯେ ମୋହର ପୁତ୍ରହନ୍ତା ! ଏତେ ଶୀଘ୍ର ତୁମେ ତାହା ପାସୋରି ପକାଇଛ ? ଏପରି ଆଦେଶ କରିବା ପୂର୍ବରୁ ଅରୁନ୍ଧତୀକୁ ତୁମେ ହତ୍ୟା ନ କଲ କାହିଁକି, ନାଥ ? ଆଜି ତାହାର ଶତପୁତ୍ର ଏହି କୌମୁଦୀଶୋଭିତ ଆଶ୍ରମ ପ୍ରାନ୍ତରେ ବେଦଗାନ କରି କ୍ରୀଡ଼ା କରୁଥାନ୍ତେ । ସେମାନଙ୍କର ସୁମଧୁର କଣ୍ଠରେ ଉଛୁଳି ଉଠୁଥାନ୍ତା ଏହି ବନସ୍ଥଳୀ, ସେଥିରେ ଆହ୍ଲାଦିତ ହେଉଥାନ୍ତା ଜନମୀ ଅରୁନ୍ଧତୀର ଅନ୍ତର । ସେ ସୁଖରୁ ଅରୁନ୍ଧତୀକୁ ଯେ ବଞ୍ଚିତ କରିଛି, ତାହାରିଠାରୁ ଆଜି ମୁଁ ଲବଣ ଭିକ୍ଷା କରିବି ? ନା, ନା, ତା’ କଦାପି ହୋଇ ନ ପାରେ ।

 

ବଶିଷ୍ଠ—(ଧୀର ଗମ୍ଭୀର ସ୍ୱରରେ) ଦେବି ! ବିଶ୍ୱାମିତ୍ରଙ୍କୁ ମୁଁ ଯେ ସ୍ନେହ କରେଁ ।

 

ଅରୁନ୍ଧତୀ—ସ୍ନେହ କର ? –ତୁମ୍ଭର ପୁତ୍ରହନ୍ତାକୁ ? ତୁମ୍ଭର ତପଃସିଦ୍ଧ ମସ୍ତିଷ୍କର ତ କୌଣସି ବିକାର ଘଟିବା ସମ୍ଭବ ନୁହେଁ, ତଥାପି–ତଥାପି ଏ କଥାରେ ମୋର ବିଶ୍ୱାସ ଆସୁନାହିଁ । ନା, ନା, ଯଦି ବିଶ୍ୱାମିତ୍ରଙ୍କୁ ଯଥାର୍ଥରେ ତୁମ୍ଭେ ଭଲପାଅ ତେବେ ତାହାଙ୍କୁ ଗୋଟିଏ ଥର ବ୍ରହ୍ମର୍ଷି ବୋଲି ନ ଡାକିଲ କାହିଁକି ?

 

ବଶିଷ୍ଠ—ତାହାଙ୍କୁ ଭଲପାଏଁ ବୋଲି ତ ବ୍ରହ୍ମର୍ଷି ନାମରେ ଡାକି ନାହିଁ । ମୁଁ ଡାକି ନ ଥିବାରୁ ସେ ପ୍ରକୃତ ବ୍ରାହ୍ମଣ ହେବାକୁ ଉଦ୍ୟମ କରିବେ ।

 

ବିଶ୍ୱାମିତ୍ର—(କମ୍ପିତ ପଦରେ ପ୍ରବେଶ କଲେ । ତାଙ୍କ ହସ୍ତରୁ ଖଡ଼୍‌ଗଟି ଖସି ପଡ଼ିଗଲା-। ସେ ବଶିଷ୍ଠଙ୍କ ପାଦତଳେ ପ୍ରଣିପାତ ହେଲେ ।) ହେ ମହାତ୍ମନ୍ ! ହେ ପରମଯୋଗୀ ବଶିଷ୍ଠ-! ଏ ଅଧମକୁ କ୍ଷମା କରନ୍ତୁ । କ୍ଷମାର ମଧ୍ୟ ମୁଁ ଅଯୋଗ୍ୟ । କାରଣ ଏହି ମୂହୂର୍ତ୍ତରେ ଆପଣଙ୍କୁ ହତ୍ୟା କରିବାକୁ ଆସିଥିଲି । ମାତ୍ର ଆପଣ ଯେ ସମଦର୍ଶୀ କ୍ଷମାଶୀଳ; ନିଜର ପୁତ୍ରହନ୍ତାକୁ ମଧ୍ୟ କ୍ଷମା କରିପାରିଛନ୍ତି ।

 

ବଶିଷ୍ଠ—(ବିଶ୍ୱାମିତ୍ରଙ୍କ ଦୁଇ ହାତ ଧରି ଉଠାଇଲେ) ଉଠ ବ୍ରହ୍ମର୍ଷି ଉଠ !

 

ବିଶ୍ୱାମିତ୍ର—ବ୍ରହ୍ମର୍ଷି ! ଏହି ଘାତକକୁ ବ୍ରହ୍ମର୍ଷି ସମ୍ବୋଧନ କରି ମୋତେ ଲଜ୍ଜା ଦିଅନ୍ତୁ ନାହିଁ, ପ୍ରଭୁ !

 

ବଶିଷ୍ଠ—ମିଥ୍ୟା ନୁହେଁ, ବତ୍ସ ! ଆଜି ଯଥାର୍ଥରେ ତୁମେ ବ୍ରହ୍ମର୍ଷି ପଦ ଯୋଗ୍ୟ ହୋଇ ପାରିଛ ! ଅଭିମାନ ତ୍ୟାଗ କରିଛ । ନିଜ ଦେହରେ ଶକ୍ତି ଅପେକ୍ଷା ବିବେକ-ଶକ୍ତି ଉପରେ ନିର୍ଭର କରିଛି ବେଶି ।

 

ବିଶ୍ୱାମିତ୍ର—ତାହାହେଲେ ପ୍ରଭୋ ! ମୋତେ ଆପଣ ବ୍ରହ୍ମଜ୍ଞାନ ଶିକ୍ଷା ଦିଅନ୍ତୁ ।

 

ବଶିଷ୍ଠ—ତୁମ୍ଭେ ଅନନ୍ତଦେବଙ୍କ ପାଖକୁ ଯାଅ, ତାଙ୍କରିଠାରୁ ଶିକ୍ଷା ଲାଭ କରିବ ।

 

(ପ୍ରସ୍ଥାନ)

Image

 

-ଦ୍ୱିତୀୟ ଦୃଶ୍ୟ-

 

(ଅନନ୍ତଦେବ ପୃଥିବୀକୁ ମସ୍ତକରେ ଧାରଣ କରି ଦଣ୍ଡାୟମାନ)

 

ବିଶ୍ୱାମିତ୍ର—(ପ୍ରବେଶ କରି ନମସ୍କାର କଲେ) ଆପଣ ବ୍ରହ୍ମଦ୍ରଷ୍ଟା ଅନନ୍ତଦେବ–ସତ୍ୟାସତ୍ୟ ନ୍ୟାୟାନ୍ୟାୟର ପ୍ରକୃତ ବିଚାରକ–ସେଥିଲାଗି ପୃଥିବୀକୁ ଧାରଣ କରି ପାରିଛନ୍ତି । ସତ୍ୟ ନ୍ୟାୟ ଓ ଧର୍ମର ରଜ୍ଜୁରେ ଆପଣ ପୃଥିବୀକୁ ବାନ୍ଧି ନ ଥିଲେ, ଏହା କେଉଁ ଦିନୁ ରସାତଳଗାମୀ ହୁଅନ୍ତାଣି । ମୋତେ ଆପଣ ସେହି ବ୍ରହ୍ମଜ୍ଞାନ ଶିକ୍ଷା ଦିଅନ୍ତୁ, ଯାହା ବଳରେ ମୁଁ ମୃତ୍ୟୁଞ୍ଜୟୀ ହୁଏ ।

 

ଅନନ୍ତଦେବ—ବ୍ରହ୍ମଜ୍ଞାନ ଶିଖିବାକୁ ଆସିଛ ? ମାତ୍ର ସେଥିପାଇଁ ଯେଉଁ ଯୋଗ୍ୟତା ଓ ଯେଉଁ ଶକ୍ତି ଆବଶ୍ୟକ, ତାହା ତୁମ୍ଭର ଅଛି ତ ?

 

ବିଶ୍ୱାମିତ୍ର—ଅଛି ପ୍ରଭୁ ! ନିଜ ଶକ୍ତି ବଳରେ ମୁଁ ନିଜ ବହୁ ଯୁଦ୍ଧରେ ଜୟୀ ହୋଇଛି, ବହୁ ଶ୍ରେଷ୍ଠ ବୀରଙ୍କୁ ହତ୍ୟା କରିଛି । ଯୋଗ-ସାଧନାରେ ମଧ୍ୟ ବହୁ ତପସ୍ୱୀ ମୋ’ ଦ୍ୱାରା ପରାଜିତ ହୋଇଛନ୍ତି ।

 

ଅନନ୍ତଦେବ—ମାତ୍ର ତୁମେ ଏହି ପୃଥିବୀକୁ ଧାରଣ କରି ପାରିବ କି ? ତାହାହେଲେ ତୁମ୍ଭଙ୍କୁ ମୁଁ ବ୍ରହ୍ମଜ୍ଞାନ ଶିକ୍ଷା ଦେବି ।

 

ବିଶ୍ୱାମିତ୍ର—ଅବଶ୍ୟ ପାରିବି, ଆପଣ ଯଦି ପୃଥିବୀକୁ ଛାଡ଼ିଦିଅନ୍ତି ।

 

ଅନନ୍ତଦେବ—ନିଅ ତେବେ ପୃଥିବୀକୁ, ମୁଁ ମସ୍ତକରୁ କାଢ଼ି ଦେଉଛି । (ଉର୍ଦ୍ଧ୍ୱକୁ ଚାହିଁ) ଏହି ଦେଖ ! ଗଗନ ମାର୍ଗରେ ପୃଥିବୀ କିପରି ମହାବେଗରେ ଘୂର୍ଣ୍ଣାୟମାନ । ବୈଜ୍ଞାନିକମାନେ ଯାହାକୁ ମାଧ୍ୟାକର୍ଷଣ କିମ୍ବା ଆଉ କିଛି ନାମ ଦିଅନ୍ତି, ପୁଣି ଜ୍ଞାନୀ ଦାର୍ଶନିକମାନେ ଯାହାକୁ ଧର୍ମ ଓ ସତ୍ୟ ବୋଲି କହନ୍ତି, ତୁମ୍ଭ ତପସ୍ୟାରେ ଯଦି ସେପରି କିଛି ଶକ୍ତି ବା ମାହାତ୍ମ୍ୟ ଥାଏ, ତାହାହେଲେ ଅବିଳମ୍ବେ ପୃଥିବୀକୁ ଧାରଣ କର, ନଚେତ୍‌ଏହା ଧ୍ୱଂସ ହୋଇଯିବ ।

 

ବିଶ୍ୱାମିତ୍ର—(କାତର କଣ୍ଠରେ) ଏ କ’ଣ ! ପୃଥିବୀ ଯେ ମୋ ହସ୍ତରେ ଧରା ଦେଉନାହିଁ-। ମୋର ସବୁ ଶକ୍ତି, ସବୁ ତପସ୍ୟାର ଫଳ ମୁଁ ଅର୍ପଣ କରୁଛି, ପୃଥିବୀ ଧୃତ ହେଉ ।

 

ଅନନ୍ତଦେବ—ନା, ନା, ଆଉ ରକ୍ଷା ନାହିଁ–ପୃଥିବୀ ଶୂନ୍ୟେ ଶୂନ୍ୟେ ଉଡ଼ୁଛି ଓ ପଡ଼ୁଛି । ତୁମ୍ଭ ତପସ୍ୟା ତାହାକୁ ସ୍ଥିର କରି ପାରିଲା ନାହିଁ। ଜୀବନରେ କେବେ ଯଦି ସାଧୁସଙ୍ଗ କରିଥାଅ, ତେବେ ତାହା ଜଣାଅ ।

 

ବିଶ୍ୱାମିତ୍ର—କିଛିକ୍ଷଣ ପାଇଁ ମୁଁ ବଶିଷ୍ଠଙ୍କ ସଙ୍ଗଲାଭ କରିଛି । ତାହାରି ଫଳ ମୁଁ ଅର୍ପଣ କରୁଛି, ପୃଥିବୀ ଧୃତ ହେଉ ।

 

ଅନନ୍ତଦେବ—ଦେଖ, ଦେଖ, ପୃଥିବୀ ବର୍ତ୍ତମାନ ଶାନ୍ତ ହେଲା ।

 

ବିଶ୍ୱାମିତ୍ର—ତାହାହେଲେ ଆପଣ ମୋତେ ବ୍ରହ୍ମଜ୍ଞାନ ଶିକ୍ଷା ଦିଅନ୍ତୁ ।

 

ଅନନ୍ତଦେବ—ହେ ନିର୍ବୋଧ ! ତୁମ୍ଭେ ଯାହାଙ୍କର ମୁହୂର୍ତ୍ତ ସଙ୍ଗଲାଭ ଫଳରେ ପୃଥିବୀକୁ ସ୍ଥିର କରିପାରିଲ, ସେହି ବଶିଷ୍ଠଙ୍କ ଠାରୁ ବ୍ରହ୍ମଜ୍ଞାନ ଶିକ୍ଷା ନ କରି ମୋତେ ଅନୁରୋଧ କରିବାର ଅଭିପ୍ରାୟ କ’ଣ ?

 

ବିଶ୍ୱାମିତ୍ର—(ବିସ୍ମୟରେ) ବଶିଷ୍ଠ ତେବେ ମୋତେ ପ୍ରତାରଣା କରିଛନ୍ତି । ତାଙ୍କ ନିକଟକୁ ମୁଁ ଏହିକ୍ଷଣି ଯାଉଛି ।

 

ଅନନ୍ତଦେବ—ତୁମ୍ଭକୁ ଯିବା ଆବଶ୍ୟକ ନାହିଁ । ବଶିଷ୍ଠ ନିଜେ ଏହି ଦିଗକୁ ଆସୁଛନ୍ତି । ମୁଁ ବର୍ତ୍ତମାନ ଅପସରିଯାଏଁ ?

 

(ବଶିଷ୍ଠଙ୍କର ପ୍ରବେଶ)

 

ବିଶ୍ୱାମିତ୍ର—ଗୁରୋ ! ଆପଣ କାହିଁକି ମୋ ପ୍ରତି କପଟ ବ୍ୟବହାର କଲେ ? ବ୍ରହ୍ମଜ୍ଞାନ ଶିକ୍ଷା ନ ଦେଲେ କାହିଁକି ? ମୁଁ କ’ଣ କ୍ଷମାର ପାତ୍ର ନୁହେଁ ?

 

ବଶିଷ୍ଠ—ନାହିଁ,ବତ୍ସ ! ସେତେବେଳେ ତୁମ୍ଭଙ୍କୁ ମୁଁ ବ୍ରହ୍ମଜ୍ଞାନ ଶିକ୍ଷା ଦେଇଥିଲେ, ସେଥିରେ ତୁମ୍ଭର ପୂର୍ଣ୍ଣ ବିଶ୍ୱାସ ଜନ୍ମି ନ ଥାନ୍ତା । ଅନନ୍ତଦେବଙ୍କ ପାଖରେ ପରୀକ୍ଷା ଦେଇ ତୁମ୍ଭର ସନ୍ଦେହ ଦୂର ହୋଇଛି । ଆସ, ସେହି ବ୍ରହ୍ମଜ୍ଞାନ ତୁମ୍ଭଙ୍କୁ ମୁଁ ଦେବି, ଯାହାଦ୍ୱାରା ତୁମ୍ଭେ ମୃତ୍ୟୁଞ୍ଜୟୀ ହୋଇପାରିବ ।

 

ପ୍ରଶ୍ନ

 

୧.

ବଶିଷ୍ଠ କି ଉପାୟରେ ବିଶ୍ୱାମିତ୍ରଙ୍କ ହୃଦୟରେ ପରିବର୍ତ୍ତନ ଆଣିଥିଲେ ?

 

 

୨.

ଅନନ୍ତଦେବ କେଉଁଗୁଣରେ ପୃଥିବୀକୁ ଧାରଣ କରିଥିଲେ ?

 

 

୩.

ପୂର୍ବେ ଋଷିମାନେ କିପରି ଜୀବନ ନିର୍ବାହ କରୁଥିଲେ, ତାହା ସଂକ୍ଷେପରେ ଲେଖ ।

 

 

୪.

ଦେହର ଶକ୍ତି ଓ ବିବେକ-ଶକ୍ତି ମଧ୍ୟରେ ପ୍ରଭେଦ କଣ, ତାହା ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଚରିତ୍ରରୁ ଉଦାହରଣ ଦେଇ ବୁଝାଅ ।

 

 

୫.

ବ୍ରହ୍ମର୍ଷି, ବ୍ରହ୍ମଜ୍ଞାନ, ମୃତ୍ୟୁଞ୍ଜୟୀ, ପୁତ୍ରହନ୍ତା, ଅରୁନ୍ଧତୀ, ସମଦର୍ଶୀ, ଆର୍ଯ୍ୟପୁତ୍ର, ରସାତଳଗାମୀ–ଏହି ପ୍ରୟୋଗଗୁଡ଼ିକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ରଚନା କର ।

 

ଆନ୍ତର୍ଜାତିକ କ୍ରୀଡ଼ା ଉତ୍ସବ

 

ସକଳ ଦେଶରେ ମନୁଷ୍ୟ ତାହାର ସବୁ କାର୍ଯ୍ୟକୁ ପୂର୍ବେ ଦେବତାଙ୍କୁ ଉତ୍ସର୍ବ କରୁଥିଲା । କାରଣ ଦେବତା ରୁଷ୍ଟ କିମ୍ବା ତୁଷ୍ଟ ହେଲେ ମନୁଷ୍ୟ ପ୍ରତି ଶତ୍ରୁ ବା ମିତ୍ରପରି ଆଚରଣ କରିଥାନ୍ତି ବୋଲି ତାର ବିଶ୍ୱାସ ଥିଲା । ଦେବତାଙ୍କ ସନ୍ତୋଷ ବିଧାନ ପାଇଁ ପ୍ରାଚୀନ କାଳରେ ରୋମ୍‌ ଓ ଗ୍ରୀସର ଲୋକେ କ୍ରୀଡ଼ା କସରତ୍‌ ପ୍ରଭୃତି କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ସେମାନଙ୍କର ଉପଭୋଗ୍ୟ ବୋଲି ବିଚାରୁଥିଲେ । ଏହିରୂପେ ଓଲିମ୍ପିୟା ନାମକ ସହରରେ କ୍ରୀଡ଼ା ପ୍ରତିଯୋଗିତା କରାଯାଉଥିଲା ।

 

ଗ୍ରୀସ୍‌ଦେଶର ଅଧିବାସୀଗଣ ବିଶ୍ୱାସ କରନ୍ତି ଯେ ସେ ଦେଶର ଓଲିମ୍ପିସ୍‌ ନାମକ ପର୍ବତଟି ଦେବତାମାନଙ୍କ ବିହାରସ୍ଥଳ । ସେହି ଦେବତାମାନଙ୍କୁ ପ୍ରୀତ କରିବା ପାଇଁ ଖ୍ରୀଷ୍ଟପୂର୍ବ ୭୭୬ ଅବ୍ଦରେ ସର୍ବପ୍ରଥମେ ଓଲିମ୍ପିୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ତାହାର ସୁଖ୍ୟାତି ରହି ଆସିଛି । ବର୍ତ୍ତମାନ ଯୁଗରେ ମଧ୍ୟ ଓଲିମ୍ପିୟ କ୍ରୀଡ଼ା ପ୍ରତିଯୋଗିତାରେ ପୃଥିବୀରେ ବିଭିନ୍ନ ଦେଶରୁ ପ୍ରତିଯୋଗୀମାନେ ଯୋଗ ଦେବାକୁ ଗୌରବ ଜ୍ଞାନ କରିଥାନ୍ତି ।

 

ଅତୀତରେ ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିଲା । ଏକାଦିକ୍ରମେ ଏହା ପାଞ୍ଚଦିନ ପର୍ଯ୍ୟନ୍ତ ହୁଏ । ଏଥିପାଇଁ ଗୋଟିଏ ସୁବିସ୍ତୃତ ପ୍ରାନ୍ତରର ଚତୁର୍ଦ୍ଦିଗ ଆବଦ୍ଧ କରାଯାଉଥିଲା ଓ ତାହା ନାନା ଦେଶରୁ ଆଗତ ଦର୍ଶକ-ମଣ୍ଡଳୀରେ ପୂର୍ଣ୍ଣ ହୋଇଯାଉଥିଲା । ସେତେବେଳେ ନାରୀମାନଙ୍କୁ ଏହି କ୍ରୀଡ଼ା ଦର୍ଶନ କରିବା ଲାଗି ଅନୁମତି ମିଳୁ ନ ଥିଲା ଏହା ହିଁ ଗ୍ରୀସ୍ ଦେଶର ପ୍ରାଚୀନ ରୀତି ।

 

ପ୍ରଥମେ ଦେବତାମାନଙ୍କୁ ପୂଜାବଳୀ ଉତ୍ସର୍ଗ କରାଯାଇ ତାହା ପରେ ଦୌଡ଼ ପ୍ରତିଯୋଗିତା, ମୁଷ୍ଠିଯୁଦ୍ଧ, ମଲ୍ଲଯୁଦ୍ଧ, ଲମ୍ଫ ପ୍ରତିଯୋଗିତା, ଚକ୍ର ଓ ବର୍ଚ୍ଛା କ୍ଷେପଣାଦି କରାଯାଉଥିଲା-। ଅବକାଶ ସମୟରେ କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ କବିତା ଓ ସାହିତ୍ୟ ପ୍ରତିଯୋଗିତା ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେଉଥିଲା । କବି, ଶିଳ୍ପୀ, ନର୍ତ୍ତକ ଓ ସଙ୍ଗୀତଜ୍ଞମାନେ ଉପସ୍ଥିତ ହୋଇ ନିଜ ନିଜର କୃତିତ୍ୱ ପ୍ରଦର୍ଶନ କରୁଥିଲେ ଏବଂ ଶ୍ରୋତା ଓ ଦର୍ଶକମଣ୍ଡଳୀ ଦ୍ୱାରା ଉପଯୁକ୍ତରୂପେ ପୁରସ୍କୃତ ଓ ସମ୍ମାନିତ ହେଉଥିଲେ ।

 

ତତ୍ପରେ ଅଶ୍ୱାରୋହଣ, ଦ୍ରୁତଗମନ ଓ ଅଶ୍ୱଦ୍ୱାରା ରଥଚାଳନା ପ୍ରତଯୋଗିତା କରାଯାଉଥିଲା । ପ୍ରତିଯୋଗିତାରେ ଯେଉଁ ବୀରମାନେ ବିଜୟୀ ହେଉଥିଲେ, ତାହାଙ୍କୁ ବିରାଟ ଜନତା ଅଭିନନ୍ଦନ କରି ଘେନି ଯାଉଥିଲେ । ବିଜୟୀ ବୀର ନଗରକୁ ଫେରିବା ପାଇଁ ଗୋଟିଏ ନୂତନ ପ୍ରବେଶ-ପଥ ନିର୍ମିତ ହେଉଥିଲେ । ବୀରଙ୍କ ପ୍ରତି ସମ୍ମାନର ଚିହ୍ନ ସ୍ୱୂରୁପ ନଗର ପ୍ରାଚୀରକୁ ଭାଙ୍ଗି ଏହି ସ୍ୱତନ୍ତ୍ର ପ୍ରବେଶପଥ ଖୋଦିତ ହେଉଥିଲା ।

 

କେତେକ ନିର୍ଦ୍ଦିଷ୍ଟ କଷ୍ଟକର କ୍ରୀଡ଼ାର ପ୍ରତଯୋଗିତାରେ ଯେଉଁ ବୀର ଏକାଦିକ୍ରମେ ତିନିଥର ଜୟମାଲ୍ୟ ଲାଭ କରୁଥିଲେ ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ରଖାଯାଉଥିଲା । ଏହି ପ୍ରତମୂର୍ତ୍ତି ନିର୍ମାଣରେ ଗ୍ରୀସୀୟ ଶିଳ୍ପୀମାନଙ୍କ କୃତିତ୍ୱ ଫୁଟି ଉଠୁଥିଲା । ଓଲିମ୍ପିୟା, ଆରଗସ୍‌ ଓ ସିସିୟନ୍ ନାମକ ନଗରମାନଙ୍କରୁ ଅନେକ ପ୍ରତିକୃତି ଉଦ୍ଧାର କରାଯାଇଛି । ତାହା ଆଜି ପ୍ରାଚୀନ ଗ୍ରୀସୀୟ ଶିଳ୍ପୀଙ୍କ କଳାଜ୍ଞାନର ଶ୍ରେଷ୍ଠ ନିଦର୍ଶନରୂପେ ଜଗତକୁ ଚମତ୍କୃତ କରୁଛି ।

 

ବୀରତ୍ୱ ଅର୍ଜନ କରିବାଲାଗି ସେତେବେଳେ ଏତେଦୂର ଉତ୍ସାହ ଦିଆଯାଉଥିଲା ଯେ ସେଥିଲାଗି ଗ୍ରୀସ୍‌ର ପ୍ରତି ନଗରରେ କ୍ରୀଡ଼ା ପାଇଁ ଗୋଟିଏ ଗୋଟିଏ ସ୍ଥାନ ନିର୍ଦ୍ଦିଷ୍ଟ ଥିଲା । ସେଠାରେ ଯୁବକମାନେ ମିଳିତ ହୋଇ ଓଲିମ୍ପିୟାର ଉତ୍ସବରେ ଯୋଗଦେବା ପାଇଁ ପ୍ରାରମ୍ଭିକ କ୍ରୀଡ଼ା ଅଭ୍ୟାସ କରୁଥିଲେ । ଶିଳ୍ପୀମାନେ ଏହି ସକଳ କ୍ରୀଡ଼ା ଦେଖିବାକୁ ଯାଇ ବୀରମାନଙ୍କ ମାଂସପେଶୀ ଓ ଶରୀରଗଠନର କ୍ରମୋନ୍ନତି ଲକ୍ଷ୍ୟ କରୁଥିଲେ ଏବଂ ଅତି ନିପୁଣଭାବରେ ସେମାନଙ୍କର ପ୍ରସ୍ତର ପ୍ରତିକୃତି ଗଠନ କରୁଥିଲେ । ସେଥିଲାଗି ବୀରମାନଙ୍କ ଅଙ୍ଗଚାଳନାର ବିଶେଷତ୍ୱ ଗ୍ରୀସୀୟ କଳାରେ ମୂର୍ତ୍ତି ହୋଇଅଛି ।

 

ଆଜିକାଲି କ୍ରିକେଟ୍‌, ଫୁଟବଲ୍‌, ଟେନିସ୍‌ ଆଦି କ୍ରୀଡ଼ା ସଙ୍ଗେ ସାଇକେଲ୍‌ ଓ ମଟରଚାଳନା, ଉଚ୍ଚଲମ୍ଫ, ଦୀର୍ଘ ଲମ୍ଫ ପ୍ରତିଯୋଗିତା ମଧ୍ୟ ଓଲିମ୍ପିୟ କ୍ରୀଡ଼ାରେ ଯୋଗ କରାଗଲାଣି-। ଓଲିମ୍ପିୟ କ୍ରୀଡ଼ା ପ୍ରତିଯୋଗିତା ବର୍ତ୍ତମାନ ବିଭିନ୍ନ ଦେଶରେ ଅନୁଷ୍ଠିତ ହେଉଛି । ଭାରତର ବମ୍ବେ ନଗରରେ ଗତ ୧୯୫୦ ମସିହାରେ ଏହି ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ ଦେଶରୁ ବହୁ ଶ୍ରେଷ୍ଠ ପ୍ରତଯୋଗୀ ଆସି ସେଥିରେ ଯୋଗ ଦେଇଥିଲେ ।

 

ପ୍ରାରମ୍ଭ କାଳରୁ ପ୍ରାୟ ଏକ ସହସ୍ର ବର୍ଷ ଏହି ଉତ୍ସବ ଏକାଦିକ୍ରମେ ଅନୁଷ୍ଠିତ ହୋଇ ଶେଷରେ ବନ୍ଦ ହୋଇଗଲା । ୩୯୪ ଖ୍ରୀଷ୍ଟାବ୍ଦରେ ପୁଣି ତାହା ଯଥାବିଧି ପାଳିତ ହେଲା । ଏହି ସମୟରୁ ଆଜି ସୁଦ୍ଧା ଏହି ଆନ୍ତର୍ଜାତିକ ଉତ୍ସବଟି ନିୟମିତ ରୂପେ କ୍ରୀଡ଼ା ଅନୁଷ୍ଠିତ ହେବାର ସମୟ ଅନୁସାରେ ବର୍ଷଗଣନା କରିବା ସହଜ ହୁଏ ।

 

ପ୍ରଥମେ ଓଲିମ୍ପିଆ ନଗରରେ ଉତ୍ସବ-ଅଗ୍ନିକୁ ପ୍ରଜ୍ୱଳିତ କରାଯାଇ ତାହାକୁ କ୍ରୀଡ଼ାସ୍ଥଳକୁ ଆଣିବାକୁ ହୁଏ । ୧୯୪୮ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ୧୭ ତାରିଖରେ ଏହି ଅଗ୍ନି ସାତଗୋଟି ଜାତିର ଖ୍ୟାତନାମା କ୍ରୀଡ଼ା ପ୍ରତଯୋଗୀମାନଙ୍କ ଦ୍ୱାରା ଓଲିମ୍ପିୟାରୁ ଆନୀତ ହୋଇଥିଲା । ୟୁରୋପର ବିଭିନ୍ନ ଦେଶ ମଧ୍ୟରେ ଦୀର୍ଘପଥ ଅତିକ୍ରମ କରି ଲଣ୍ଡନ ନଗରୀର ଓଲେସଲି କ୍ରୀଡ଼ା ପ୍ରାଙ୍ଗଣରେ ତାହା ସ୍ଥାପନ କରାଯାଇଥିଲା ।

 

ମଧ୍ୟ-ପଥରେ ସେହି ମସାଲଧାରୀମାନେ ଆଧୁନିକ ଓଲିମ୍ପିୟ କ୍ରୀଡ଼ାର ପ୍ରତିଷ୍ଠାତା ବେରନ୍ କୁବର୍ଟଙ୍କ ସମାଧି ପାର୍ଶ୍ୱରେ କିଛିକ୍ଷଣ ସମ୍ମାନ ପ୍ରଦର୍ଶନ କରିଥିଲେ । ଓଲିମ୍ପିୟ ଅଗ୍ନି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରଧାନ ଖେଳବାଡ଼ି ଜନ୍‌ମାର୍କଙ୍କଦ୍ୱାରା ପ୍ରଜ୍ୱଳିତ ହୋଇଥିଲା ଏବଂ ଇଂଲଣ୍ଡର ତତ୍କାଳୀନ ରାଜା ଷଷ୍ଠ ଜର୍ଜ୍ଜ କ୍ରୀଡ଼ା ଉତ୍ସବ ଉଦ୍‌ଘାଟନ କରିଥିଲେ । ଷାଠିଏ ଗୋଟି ଦେଶର ପ୍ରତିଯୋଗୀ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଏକଲକ୍ଷ ଦର୍ଶକଙ୍କ ସକାଶେ ଗୋଟିଏ ସୁବିରାଟ ମଞ୍ଚ ପ୍ରସ୍ତୁତ ହୋଇଥିଲା ।

 

ବର୍ତ୍ତମାନ ଯୁଗର ନାରୀମାନେ ଅବଶ୍ୟ ଏହି କ୍ରୀଡ଼ା ଦେଖିବାର କୌଣସି ବାଧା ନାହିଁ; କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ଆଜି ଉଚ୍ଚଲମ୍ଫ, ଦୀର୍ଘଲମ୍ଫ, ଦ୍ରୁତ ଗମନ ଆଦି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୋଗ ଦେଉଛନ୍ତି ।

 

ପ୍ରଶ୍ନ

 

୧.

ଓଲିମ୍ପିୟ କ୍ରୀଡ଼ା ସହିତ ଧର୍ମର କି ସମ୍ପର୍କ ଅଛି ?

 

 

୨.

ପୂର୍ବେ ଓଲିମ୍ପିୟ କ୍ରୀଡ଼ାରେ କି କି ପ୍ରତିଯୋଗିତା କରାଯାଉଥିଲା ଏବଂ ବର୍ତ୍ତମାନ ତହିଁରେ କି ପ୍ରକାର କ୍ରୀଡ଼ା ଯୋଗ କରାଯାଇଛି ?

 

 

୩.

ଓଲିମ୍ପିୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରୁଥିବା ବୀରମାନେ କିପରି ସମ୍ମାନିତ ହେଉଥିଲେ ?

 

 

୪.

ଓଲିମ୍ପିୟ କ୍ରୀଡ଼ା ଅନୁଷ୍ଠିତ ହେବା ଫଳରେ ପ୍ରାଚୀନ ଶିଳ୍ପ ସାହିତ୍ୟ, ନୃତ୍ୟ, ସଙ୍ଗୀତାଦିର ଉନ୍ନତି ସାଧିତ ହୋଇଥିଲା, ବୁଝାଇ ଦିଅ ।

 

 

୫.

ଶୂନ୍ୟସ୍ଥାନ ପୂରଣ କର–

 

 

 

(କ)

ପ୍ରଥମେ ଓଲିମ୍ପିୟା–ଉତ୍ସବ ଅଗ୍ନି–କରାଯାଇ ତାହାକୁ ଆଣିବାକୁ ହୁଏ

 

 

 

(ଖ)

କେତେକ– କଷ୍ଟକର– ପ୍ରତିଯୋଗିତାରେ–ବୀର– ତିନିଥର– ଲାଭ କରୁଥିଲେ–ଗୋଟିଏ–ରଖା– ଯାଉଥିଲା ।

Image

 

ଆଶିଷ

 

ପିତା ମୋର ଢାଳିଦିଅ ଆକାଶର ଆଶୀର୍ବାଦ

ଜନନୀ ପତାଇ ଦିଅ ଧରଣୀର ବକ୍ଷ,

ସେହି ଶୁଭାଶିଷ ତଳେ ବିଶାଳ କୋମଳ କୋଳେ

କିପାଇଁ ନିଜକୁ କ୍ଷଣେ ମଣିବି ଅରକ୍ଷ ?

ସେନେହ ପରଶ ତବ ଦିଅ ସହୋଦର ମୋର,

ଭଗିନି ! ବରଷି ଦିଅ ସମାଦରରାଶି,

ଏତେ ପ୍ରେମ ଏତେ ପ୍ରାଣ ଲଭି କିମ୍ପା ମ୍ରିୟମାଣ ?

ଦୂରେ ଆଜି ବ୍ୟଥାସବୁ ଯାଉ ମୋର ଭାସି ।

ବିଶାଳ ଭୁବନେ ସେହି ଦରିଦ୍ର କୁଟୀର ମୋର

ଉଛୁଳଇ ସଦା ଶିଶୁ ଆନନ୍ଦ ଚହଳେ,

ତାକୁ ହିଁ ଆଶ୍ରୟ କରି ନେଇଛି ମୁଁ ବାଛି ବରି

ତାହାର ସ୍ମୃତିଟି ରାଜେ ମୋର ହୃଦସ୍ଥଳେ ।

ଜାଣେ ନାହିଁ କେବେ କାହୁଁ ଭାସି ମୁଁ ଆସିଛି ଏଥି

ଅଗାଧ ଅକୂଳ କେଉଁ ଆକାଶର ପଥେ,

ବାଜିଥିଲା ତେବେ ସ୍ୱନ ପ୍ରଥମ ଶିଶୁ କ୍ରନ୍ଦନ

କି ବେଦନା ଲାଗିଥିଲା ଏ ଅନ୍ତରଗତେ ।

ମନେ ନାହିଁ ଆଜି କିଛି ଯେ ଦିନ ଯାଇଛି ବିତି

ସୁଖେ ଦୁଃଖେ କେତେ ବେଶେ ଆସିଛି ମୁଁ ଚଳି,

କେତେ ନବ ପୁରାତନ ପାଲଟିଲା ଏ ଭୁବନ

କେତେ ପଥ ଆସିଲି ମୁଁ ପାଦଦେଶେ ଦଳି ।

ଅସୀମ ଅନନ୍ତ କାଳେ ମୁହୂର୍ତ୍ତର ସ୍ମୃତି ସମ

ଜୀବନ ଜଞ୍ଜାଳ ରାଶି ହୁଅଇ ପରତେ,

ବୁଦ୍‌ବୁଦ୍‌ ଜଳଧି କୋଳେ ତେସନ ବିସ୍ମୃତି ତଳେ

କ୍ଷଣେ ପୁଣି ନିଭିଯିବ ଅସ୍ଥାୟୀ ଜଗତେ ।

ଏ ଜୀବନେ ଅଭିନବ ଲିଭିଅଛି ଯେ ବିଭବ

ଯେ ବିଭୂତି ଅଛି ପୁଣି ମୋର ପ୍ରତୀକ୍ଷାରେ,

ଆଦର ଆଶିଷ ଆଦି ଘୃଣା ଦୁଃଖ କ୍ଷତ ରାଜି

ସୁଖେ ବହି ନେବି ସବୁ ମହତ ଦୀକ୍ଷାରେ ।

ଘାସେ ଘାସେ ପତ୍ରେ ପତ୍ରେ ପୂରିଅଛି ଏ ଜଗତେ

ସୁବିପୁଳ ଆଶିଷର ପରମ ଇଙ୍ଗିତ,

ବିଶ୍ୱ ପ୍ରତି ରନ୍ଧ୍ର ଧରି ତା’ରେଣୁ ରହିଛି ଭରି

ପ୍ରତିଟିରେ ଆଶିଷର କଲ୍ୟାଣ ସଙ୍ଗୀତ ।

 

ପ୍ରଶ୍ନ

 

୧.

ଆଶିଷ କବିତାର ଭାବାର୍ଥ ସରଳ ଭାଷାରେ ଲେଖ ।

 

 

୨.

କୌଣସି ଦୁଃଖ ଜାତ ହେଲେ ଏହି କବିତାଟି ପାଠକରି କି ସାନ୍ତ୍ୱନା ମିଳେ ?

 

 

୩.

ପାରିବାରିକ ଜୀବନରୁ ତୁମେ କି ଆନନ୍ଦ ପାଇଥାଅ ?

 

 

୪.

‘‘ଅସୀମ ଅନନ୍ତ କାଳେ.....ଅସ୍ଥାୟୀ ଜଗତେ’’–ଏହି ପଦର ଅର୍ଥ ସରଳ ଭାଷାରେ ପ୍ରକାଶ କର ।

 

 

୫.

ଆକାଶର ଆଶୀର୍ବାଦ, ଧରଣୀର ବକ୍ଷ, ସମାଦର, ମ୍ରିୟମାଣ, ମୁହୂର୍ତ୍ତର ସ୍ମୃତି, ଜୀବନ ଜଞ୍ଜାଳ, ଜୀବନ କ୍ଷତ–ଏହି ପ୍ରୟୋଗଗୁଡ଼ିକୁ ଗୋଟିଏ ଲେଖାଏଁ ବାକ୍ୟରେ ବୁଝେଇ ଦିଅ-

Image

 

ଚିକିତ୍ସା ଓ ସାଧାରଣ ସ୍ୱାସ୍ଥ୍ୟ

 

ଆଧୁନିକ ଯୁଗକୁ ବିଜ୍ଞାନର ଯୁଗ ବୋଲାଯାଏ । ବିଜ୍ଞାନ ବଳରେ ମନୁଷ୍ୟ ଆଜି ବହୁ ଅସାଧ୍ୟ କାର୍ଯ୍ୟକୁ ଅତି ସହଜରେ ସମ୍ଭବ କରିପାରୁଛି । ସେ ବ୍ୟୋମଯାନଦ୍ୱାରା ସମୟ ଓ ଦୂରତ୍ୱକୁ ଜୟ କରି ଅତି ଅଳ୍ପ କାଳ ମଧ୍ୟରେ ପୃଥିବୀ ପ୍ରଦକ୍ଷିଣ କରୁଛି । ବେତାରଯନ୍ତ୍ରଦ୍ୱାରା ମଧ୍ୟ ମୁହୂର୍ତ୍ତକେ ସେ ପୃଥିବୀର ସମ୍ୱାଦ ଜାଣିପାରୁଛି । ପୁଣି ମନୁଷ୍ୟର ଶ୍ରେଷ୍ଠ ଶତ୍ରୁ ବହୁ ଅପରାଜେୟ ରୋଗକୁ ସେ ଆଜି ଆୟତ୍ତ କରିଛି । ବିଜ୍ଞାନ ସାହାଯ୍ୟରେ କେତେ ଯେ ଶାରୀରିକ ଯନ୍ତ୍ରଣା ଓ ଅକାଳମୃତ୍ୟୁ କବଳରୁ ସେ ନିଜକୁ ରକ୍ଷା କରୁଛି, ତାହା ଚିନ୍ତା କଲେ ବିସ୍ମୟ ଜାତ ହୁଏ । ସ୍ୱାସ୍ଥ୍ୟୋନ୍ନତି ସକାଶେ ନିମ୍ନରେ ତିନିଗୋଟି ଆଶ୍ଚର୍ଯ୍ୟ ଫଳପ୍ରଦ ଉଦ୍ଭାବନର ବର୍ଣ୍ଣନା କରାଗଲା ।

 

ପେନିସିଲିନ୍‌

 

ନବ ଉଦ୍ଭାବିତ ଔଷଧମାନଙ୍କ ମଧ୍ୟରୁ ପେନିସିଲିନ୍‌ ଏକ ଶକ୍ତିଶାଳୀ ଔଷଧ । ପେନ୍‌ସିଲିନ୍‌ର ଉଦ୍ଭାବନ ସାନ୍ନିପାତିକ ଜ୍ୱର, ପଠାଘା’ ଏବଂ ବିଭିନ୍ନ ପ୍ରକାର ବିଷାକ୍ତ ଘା’ର ଆରୋଗ୍ୟମୂଳକ ଚିକିତ୍ସା କରିବା ସହଜ ହୋଇ ପାରିଛି । ବସନ୍ତ, ଟାଇଫଏଡ଼୍‌ ପ୍ରଭୃତି ମାରାତ୍ମକ ରୋଗର ଅନ୍ୟାନ୍ୟ ଉପରୋଗ ନିରାକରଣ କରିବା ନିମନ୍ତେ ମଧ୍ୟ ପେନିସିଲିନ୍‌ ବ୍ୟବହୃତ ହୁଏ । ଏହାକୁ ଇଞ୍ଜେକ୍‌ସନ, ମଲମ ଏବଂ ପାଉଡର ଆକାରରେ ବ୍ୟବହାର କରାଯାଏ ।

 

ପ୍ରଥମେ ୧୯୨୯ ଖ୍ରୀଷ୍ଟାବ୍ଦରେ ଇଂରେଜ ବୈଜ୍ଞାନିକ ଆଲେକ୍‌ଜାଣ୍ଡାର ଫ୍ଲେମିଙ୍ଗ୍‌ ପେନିସିଲିନ୍‌ ଉଦ୍ଭାବନ କଲେ । ସେ ଲଣ୍ଡନର ସେଣ୍ଟ୍‌ମୋର ଡାକ୍ତରଖାନାରେ ଗବେଷଣା କରୁଥିବା ବେଳେ ଥରେ ଗୋଟିଏ ବିଷାକ୍ତ ଜୀବାଣୁପୂର୍ଣ୍ଣ ପାତ୍ରକୁ ପରିଷ୍କୃତ ହୋଇଯାଇଥିବାର ଲକ୍ଷ୍ୟ କଲେ । ଏଥିରେ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସେହି ପାତ୍ର ଉପରେ ଜନ୍ମିଥିବା ଛତୁଜାତୀୟ ଏକ ପଦାର୍ଥକୁ ଅନ୍ୟ ଗୋଟିଏ ପାତ୍ରରେ ପାଣି ଭିତରେ ରଖିଲେ । କିଛି କାଳ ପରେ ଏହି ଜଳକୁ ପରୀକ୍ଷା କରି ସେ ଦେଖିଲେ ଯେ, ଏକପ୍ରକାର ମାରାତ୍ମକ ଜୀବାଣୁ ଏହା ବିନାଶ କରିଛି । ସେହି ମାରାତ୍ମକ ଜୀବାଣୁ ସାନ୍ନିପାତିକ ଜ୍ୱର ଏବଂ କେତେକ ବିଷାକ୍ତ ଘା’ ରେ ରହିଥିବାରୁ ତାହାର ପ୍ରତିକାର କରିବା ଏଣିକି ସହଜ ହେବ ବୋଲି ଫ୍ଲେମିଙ୍ଗ୍‌ ମନେକଲେ ।

 

ଫ୍ଲେମିଙ୍ଗ୍‌ ତାଙ୍କର ଏହି ଗବେଷଣାରେ ଆଉ ବେଶି ଦୂର ଅଗ୍ରସର ହୋଇ ନ ଥିଲେ । ଚାରିବର୍ଷ ପରେ ପୁଣି ଥରେ ସେ ସେହି ନବ ଉଦ୍ଭାବିତ ପଦାର୍ଥର ତଥ୍ୟ ପ୍ରକାଶ କଲେ । ଶେଷରେ ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଏଇଚ ଡବ୍ଳିଉ ଫ୍ଲୋରେ ଏବଂ ଆମେରିକାର ଜଣେ ବୈଜ୍ଞାନିକ ରବର୍ଟ ଜି କଗ୍‌ହିଲ ଓ ସେ ଉଭୟଙ୍କର ଛାତ୍ରମାନେ ବହୁ ଗବେଷଣା ପରେ ପେନିସିଲିନ୍‌କୁ ଶୋଧନ କରି ଏକ ବ୍ୟବହାରୋପଯୋଗୀ ଔଷଧରୂପେ ପ୍ରସ୍ତୁତ କଲେ । ଏଥିପାଇଁ ଆମେରିକାର ‘ରକ୍‌ଫେଲର’, ନାମକ ଅନୁଷ୍ଠାନ ସେମାନଙ୍କୁ ସବୁ ଅର୍ଥ ସାହାଯ୍ୟ କରିଥିଲା ।

 

ସୋଡ଼ିୟମ୍‌ ନାଇଟ୍ରେଟ୍‌, ପୋଟାସିୟମ୍‌, ହାଇଡ୍ରୋଜେନ୍‌ ଫସଫେଟ୍‌, ମେଗ୍‌ସଲ୍‌ଫ ଗ୍ଲୁକୋଜ ଓ ବିଶୋଧିତ ଜଳ–ଏହି ପାଞ୍ଚଗୋଟି ରାସାୟନିକ ପଦାର୍ଥରୁ ପେନିସିଲିନ୍‌ ପ୍ରସ୍ତୁତ ହୁଏ । ପେନିସିଲିନ୍‌କୁ ଅଧିକ ଉତ୍ତାପରେ ରଖିଲେ ତାହାର ଉପକାରିତା ଓ ଜୀବାଣୁନାଶକ ଶକ୍ତି ନଷ୍ଟ ହୁଏ-। ବିଶୋଧିତ ଜଳ ସହିତ ଏହି ଔଷଧକୁ ବ୍ୟବହାର ନ କଲେ ଏହା ଫଳପ୍ରଦ ହୁଏ ନାହିଁ ।

 

ପେନିସିଲିନ୍‌ ପ୍ରଥମେ ଗତ ମହାଯୁଦ୍ଧରେ ସୈନ୍ୟମାନଙ୍କ ପାଇଁ ବ୍ୟବହୃତ ହେଉଥିଲା । ସେତେବେଳେ ତାହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଯଥେଷ୍ଟ ପ୍ରସ୍ତୁତ ହୋଇପାରୁ ନ ଥିଲା । କାରଣ ଏହା ପ୍ରସ୍ତୁତ କରିବା ବହୁ ବ୍ୟୟସାପେକ୍ଷ । ଭାରତବର୍ଷରେ ପ୍ରଥମେ ୧୯୪୦ରେ ଏହା ମହାତ୍ମା ଗାନ୍ଧୀଙ୍କ ସହଧର୍ମିଣୀ ଶ୍ରୀମତୀ କସ୍ତୁରୀବାଈଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା । ଏବେ ପେନିସିଲିନ୍‌ ଆଉ ପୂର୍ବପରି ଦୁଷ୍ପ୍ରାପ୍ୟ ନୁହେଁ । ବମ୍ୱେ ହପ୍‌କିନିସ୍‌ ଅନୁଷ୍ଠାନରେ ଏବଂ ବାଙ୍ଗାଲୋରରେ ପେନିସିଲିନ୍‌ ପ୍ରସ୍ତୁତ ଲାଗି ବ୍ୟବସ୍ଥା କରାଯାଉଛି । ପୃଥିବୀର ବିଭିନ୍ନ ସ୍ଥାନରେ ଅନେକ ବୈଜ୍ଞାନିକ ଏହାକୁ ଅଧିକ ଉପକାରୀ କରିବା ପାଇଁ ଗବେଷଣା ଚଳାଇଛନ୍ତି । ପେନ୍‌ସିଲିନ୍‌କୁ ଏ ଯୁଗରେ ବିଶଲ୍ୟକରଣୀ କୁହାଯାଇପାରେ ।

 

ପ୍ୟାଲୁଡ୍ରିନ୍‌

 

ପ୍ୟାଲୁଡ୍ରିନ୍‌ ଏହିପରି ଏକ ନବ ଉଦ୍ଭାବିତ ଔଷଧ । ଆମ ଦେଶରେ ଯେଉଁ ମ୍ୟାଲେରିଆ ରୋଗ ଘରେ ଘରେ ପରିଚିତ, ପ୍ୟାଲୁଡ୍ରିନ୍‌ ବର୍ତ୍ତମାନ ତାହାର ପ୍ରଧାନ ଔଷଧ । ପ୍ରଥମେ କୁଇନାଇନ୍‌ ମ୍ୟାଲେରିଆର ପ୍ରଧାନ ଔଷଧ ଭାବରେ ବ୍ୟବହୃତ ହେଉଥିଲା । ଏଟେବ୍ରିନ୍‌, ମେପାକ୍ରିନ୍‌ ଏବଂ ପ୍ଲାସମୋକୁଇନ୍‌ ପ୍ରଭୃତି ଅନ୍ୟ କେତେକ ଔଷଧ ମଧ୍ୟ ଚିକିତ୍ସକମାନେ ମ୍ୟାଲେରିଆ ରୋଗୀକୁ ଦେଇଥାନ୍ତି । କିନ୍ତୁ ପ୍ୟାଲୁଡ୍ରିନ୍‌ ସମସ୍ତ ଔଷଧକୁ ଗୁଣରେ ଅତିକ୍ରମ କରିଛି ବୋଲି ରସାୟନବିତ୍‌ମାନେ କହନ୍ତି । ମ୍ୟାଲେରିଆର ଅନ୍ୟାନ୍ୟ ଔଷଧ ଅପେକ୍ଷା ଏହା ଦଶ ଗୁଣ ଅଧିକ ଶକ୍ତିଶାଳୀ ।

 

୧୯୪୨ ମସିହାରେ ପ୍ରଥମେ ଇଂଲଣ୍ଡର କେତେକ ରସାୟନବିତ୍‌ ଓ ଜୀବତତ୍ତ୍ୱବିତ୍‌ ମ୍ୟାଲେରିଆ ପାଇଁ ଏକ ନୂତନ ଔଷଧର ଅନ୍ୱେଷଣ କରୁଥିଲେ । ଅନେକ ପ୍ରକାର ଔଷଧକୁ ସେମାନେ ମ୍ୟାଲେରିଆ ରୋଗଗ୍ରସ୍ତ କୁକୁଡ଼ା ଦେହରେ ପରୀକ୍ଷା କରି ଫଳାଫଳ ଲକ୍ଷ୍ୟ କରୁଥିଲେ-। ଦିନେ ହଠାତ୍‌ ସେମାନେ ଦେଖିଲେ ଯେ, ଗୋଟିଏ ପ୍ରକାର ଔଷଧ ଅତ୍ୟନ୍ତ ଫଳପ୍ରଦ ହୋଇଅଛି-। ତାହାପରେ ବହୁ ଗବେଷଣା ଓ ପରୀକ୍ଷା କରି ଡାକ୍ତର କର୍ଡ଼, ଡାକ୍ତର ରୋଜ୍‌ଓ ଡାକ୍ତର ଡାଭେ ପ୍ରଭୃତି କେତେକ ବଡ଼ ବଡ଼ ବୈଜ୍ଞାନିକ ଏହାକୁ ନିଶ୍ଚିତରୂପେ ମ୍ୟାଲେରିଆ ନାଶକ ଔଷଧ ବୋଲି ପ୍ରତିପାଦନ କଲେ । ଏହି ଭାବରେ ପ୍ୟାଲୁଡ୍ରିନ୍‌ ଆବିଷ୍କୃତ ହେଲା ।

 

ପ୍ୟାଲୁଡ୍ରନ୍‌ ଅତି ସହଜରେ ଆଲକାତରାରୁ ନିଷ୍କାସିତ ବେଞ୍ଜିନ୍‌ ନାମକ ରାସାୟନିକ ଦ୍ରବ୍ୟଦ୍ୱାରା ପ୍ରସ୍ତୁତ ହୁଏ ।

 

ଏହା ସାଧାରଣତଃ ବଟିକା ଆକାରରେ ସେବନ କରିବାପାଇଁ ରୋଗୀକୁ ଦିଆଯାଏ । ଉଦରସ୍ଥ ହେବା ସଙ୍ଗେ ସଙ୍ଗେ ଏହା ବିଶୋଷିତ ହୋଇ ରକ୍ତସ୍ରୋତ ସହିତ ମିଶି ଯାଉଥିବାରୁ ଏହାକୁ ଇଞ୍ଜେକ୍‌ସନ୍‌ ଦେବା ଦରକାର ହୁଏ ନାହିଁ ।

 

କୁଇନାଇନ୍‌ କିମ୍ୱା ମେପାକ୍ରିନ୍‌କୁ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇ ପାରେ ନାହିଁ । କିନ୍ତୁ ପ୍ୟାଲୁଡ୍ରିନ୍‌କୁ ମ୍ୟାଲେରିଆ ଋତୁ ଆରମ୍ଭରେ ବ୍ୟବହାର କଲେ ମ୍ୟାଲେରିଆ ଜ୍ୱର ହୁଏ ନାହିଁ । ଔଷଧ ସେବନ କଲେ ଏହା ରକ୍ତରସର ଲାଲଗୁଳାରେ ମିଶିଯାଏ, ଏବଂ ମ୍ୟାଲେରିଆ ଜୀବାଣୁଗୁଡ଼ିକୁ ବିନାଶ କରେ । ଦଶ ଦିନ ପର୍ଯ୍ୟନ୍ତ ପ୍ରତ୍ୟହ ତିନିଟା କରି ବଟିକା ସେବନ କଲେ ମ୍ୟାଲେରିଆ ଜ୍ୱର ସମୂଳେ ବିନଷ୍ଟ ହୁଏ । ବେଶି ଦିନର ରୋଗପାଇଁ ଔଷଧର ପରିମାଣ ଅବଶ୍ୟ ବୃଦ୍ଧି କରାଯାଏ । ପୁଣି ଶସ୍ତା ମୂଲ୍ୟରେ ମିଳୁଥିବାରୁ ଏହା ସବୁ ଶ୍ରେଣୀର ଲୋକେ ବ୍ୟବହାର କରି ରୋଗକଷ୍ଟରୁ ମୁକ୍ତ ହେଉଛନ୍ତି ।

 

ଡି.ଡି.ଟି

 

ଡି.ଡି.ଟି.ଗତ ମହାଯୁଦ୍ଧବେଳେ ପେନିସିଲିନ୍‌ ସହିତ ଅନ୍ୟ ଏକ ବିଶିଷ୍ଟ ରାସାୟନିକ ପଦାର୍ଥ ମଧ୍ୟ ଆବିଷ୍କୃତ ହୋଇଥିଲା । ଏହାର ନାମ ହେଉଛି ଡି.ଡି.ଟି. । ପେନିସିଲିନ୍‌ ଯେପରି ବହୁ ସଂକ୍ରାମକ ରୋଗର ନିରାକରଣ କରେ, ଡି.ଡି.ଟି. ସେହିପରି ଏହି ସଂକ୍ରାମକ ରୋଗ ସବୁର କାରଣ ସ୍ୱରୂପ ମଶା; ମାଛି, କୀଟପତଙ୍ଗ ଓ ରୋଗର ଜୀବାଣୁଗୁଡ଼ିକୁ ବିନାଶ କରେ । ଏହା ଯୁଦ୍ଧ ପୂର୍ବରୁ ଆବିଷ୍କୃତ ହୋଇଥିଲେ ମଧ୍ୟ ଯୁଦ୍ଧ ସମୟରେ ଏହାର ବ୍ୟବହାର ଓ ଉପକାରିତା ବିଶେଷରୂପେ ପରୀକ୍ଷିତ ହୋଇଥିଲା ।

 

ଡ଼ି.ଡ଼ି.ଟି.ର ସମ୍ପୂର୍ଣ୍ଣ ନାମ-ଡାଇକ୍ଲୋରୋ ଡାଇଫିନାଇଲ ଟ୍ରାଇକ୍ଲୋରୋ-ଇଥେନ୍‌ । ପ୍ରଥମେ ଜର୍ମାନୀର ଜେଡଲର ନାମକ ରସାୟନବିତ୍ ଡି.ଡି.ଟି. ପ୍ରସ୍ତୁତ କରି ଏ ସମ୍ବନ୍ଧରେ ଗୋଟିଏ ପ୍ରବନ୍ଧ ପ୍ରକାଶ କରିଥିଲେ । ଏହା ୧୮୭୪ ମସିହାରେ କଥା । ବହୁ ବର୍ଷ ପରେ ୧୯୩୬ ମସିହାରେ ଗିଗି ନାମକ ଏକ ବିଖ୍ୟାତ କମ୍ପାନୀର ରସାୟନବିତ୍‌ମାନେ ଗବେଷଣା କରି ଏହାର କୀଟପତଙ୍ଗନାଶକ ଶକ୍ତି ଅଛି ବୋଲି ପ୍ରମାଣ କଲେ । ଦ୍ୱିତୀୟ ମହାସମର ସମୟରେ ଜାପାନ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଇଂରେଜମାନେ କୀଟନାଶକ ଭାବରେ ଡି.ଡି.ଟି.ର ପ୍ରୟୋଜନୀୟତା ବେଶି ବୁଝିଲେ । ଯେଉଁ ସୈନ୍ୟଗଣ ବର୍ମା, ମାଳୟ ପ୍ରଭୃତିର ଜଳୀୟ କର୍ଦ୍ଦମାକ୍ତ ଓ ଅସ୍ୱାସ୍ଥ୍ୟକର ସ୍ଥାନମାନଙ୍କରେ ଯୁଦ୍ଧରେ ବ୍ୟାପୃତ ରହୁଥିଲେ, ସେମାନଙ୍କୁ ମଶକ, ମକ୍ଷିକାଙ୍କର ଆକ୍ରମଣରୁ ରକ୍ଷା କରିବାପାଇଁ ଡି.ଡି.ଟି ବ୍ୟବହାର କରାଗଲା ।

 

ଡି.ଡି.ଟି. ପ୍ରସ୍ତୁତ କରିବା ବିଶେଷ କଷ୍ଟକର କିମ୍ୱା ବ୍ୟୟସାପେକ୍ଷ ନୁହେଁ । ଦୁଇ ଭାଗ କ୍ଲେରୋବେଞ୍ଜିନ୍‌ ଓ ଏକ ଭାଗ କ୍ଲୋରେଲ୍‌ ସହିତ ୪/୫ ଭାଗ ନିର୍ମଳ ଗନ୍ଧକାମ୍ଳ ମିଶାଇ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍‌ ଉପରକୁ ଗରମ କଲେ ଡି.ଡି.ଟି. ପ୍ରସ୍ତୁତ ହୁଏ । ଡି.ଡି.ଟି. ପାଣିରେ ମିଳାଇ ଯାଏ ନାହିଁ-। କିନ୍ତୁ ନଡ଼ିଆ ତେଲ, ସୋରିଷ ତେଲ ଓ କିରାସିନି ତେଲରେ ସହଜରେ ମିଳାଇଯାଏ-। ଡାକ୍ତର ପରିମୁଲର ଡି.ଡି.ଟି. ସମ୍ୱନ୍ଧରେ ବହୁ ଗବେଷଣା କରିଥିବାରୁ ନୋବେଲ ପୁରସ୍କାର ପାଇଛନ୍ତି ।

 

ପାଞ୍ଚଭାଗ କିରୋସିନି ତେଲରେ ଭାଗେ ଡି.ଡି.ଟି. ମିଶାଇ ପକାଇଲେ ମଶା, ମାଛି ହୁଅନ୍ତି ନାହିଁ । ଡି.ଡି.ଟି. ଚୂର୍ଣ୍ଣକୁ ଲୁଗାରେ ଦେଲେ ବସ୍ତ୍ରକୀଟ ଆକ୍ରମଣରୁ ରକ୍ଷା ମିଳେ । ଛାରପୋକ ମରିବାପାଇଁ ବିଛଣାରେ ମଧ୍ୟ ଦିଆଯାଉଛି । ଟାଇଫଏଡ଼୍‌, କଲେରା, ହଇଜା, ପ୍ଲେଗ ପ୍ରଭୃତି ମାରାତ୍ମକ ଓ ସଂକ୍ରାମକ ରୋଗଗୁଡ଼ିକ ଯେପରି ଅଧିକ ବ୍ୟାପି ନ ପାରେ, ସେଥିପାଇଁ ଡି.ଡି.ଟି. ବ୍ୟବହାର କରାଯାଉଛି ।

 

ପ୍ରଥମେ ଆମେରିକା ସରକାର ଏହାକୁ ଶସ୍ୟ କ୍ଷେତ୍ରରେ ପତଙ୍ଗ ଓ ପଙ୍ଗପାଳମାନଙ୍କୁ ମାରିବାପାଇଁ ବ୍ୟବହାର କରିଥିଲେ । ଡି.ଡି.ଟି.କୁ ରଙ୍ଗ ସହିତ ମିଶାଇ ଗୃହର କାନ୍ଥରେ ଦେଲେ ଅନ୍ତତଃ ଦୁଇମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । ଡି.ଡି.ଟି. ମଶା, ମାଛି, ଛାରପୋକ, ପିମ୍ପୁଡ଼ି, ଉକୁଣୀ, ମହୁମାଛି, ବୁଢ଼ିଆଣୀ ପ୍ରଭୃତି ପୋକଗୁଡ଼ିକୁ ନଷ୍ଟ କରିଦିଏ । କିନ୍ତୁ ମନୁଷ୍ୟ ଉପରେ ଏହାର କୌଣସି ବିଷାକ୍ତ ପ୍ରଭାବ ନାହିଁ । ଆଜିକାଲି ସରକାର ବିନାମୂଲ୍ୟରେ ନଗରପଲ୍ଲୀରେ ଘରେ ଡି.ଡି.ଟି. ବିତରଣ କରି ଏହାର ଉପକାରିତା ଲୋକଙ୍କୁ ବୁଝାଇ ଦେଉଛନ୍ତି ।

 

କେବଳ ପେନିସିଲିନ୍‌, ପ୍ୟାଲୁଡ୍ରିନ୍‌ ବା ଡି.ଡି.ଟି. ନୁହେଁ, ବିଜ୍ଞାନ ବଳରେ ଆହୁରି ବହୁ ଉପକାରୀ ପଦାର୍ଥ ଆବିଷ୍କୃତ ହେବା ଫଳରେ ମନୁଷ୍ୟ ସମାଜର ନିତ୍ୟ ମଙ୍ଗଳ ସାଧିତ ହେଉଛି ।

 

ପ୍ରଶ୍ନ

 

୧.

ପେନିସିଲିନ୍‌ କିପରି ଉଦ୍ଭାବିତ ହେଲା ଓ କେଉଁ କେଉଁ ରୋଗ ସକାଶେ ଏହା ବ୍ୟବହୃତ ହୁଏ ?

 

 

୨.

କୁଇନାଇନ୍‌ ଅପେକ୍ଷା ପ୍ୟାଲୁଡ୍ରିନ୍‌ କେଉଁ ଗୁଣରେ ଉତ୍କୃଷ୍ଟ ଓ ଅଧିକ ଉପଯୋଗୀ ?

 

 

୩.

ସାଧାରଣ ସ୍ୱାସ୍ଥ୍ୟରକ୍ଷା ପାଇଁ କେଉଁ ଔଷଧ ଉଦ୍‌ଭାବିତ ହୋଇଛି ଓ ତାହା କି ଭାବରେ ସ୍ୱାସ୍ଥ୍ୟ ରକ୍ଷା କରେ ?

 

 

୪.

ଉପରୋଗ, ଉପସର୍ଗ, ଇଞ୍ଜେକ୍‌ସନ, ରକ୍‌ଫେଲାର, ସାନ୍ନିପାତିକ, ନିଷ୍କାସିତ, ବିଶୋଷିତ, ରସାୟନବିତ୍‌, ଗନ୍ଧକାମ୍ଳ ଓ ରାସାୟନିକ–ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟାଏ ଲେଖାଏଁ ବାକ୍ୟ ରଚନା କର ।

 

 

୫.

ଏହି ପାଠରୁ ବୈଦେଶିକ ଶବ୍ଦଗୁଡ଼ିକୁ ଚିହ୍ନାଇ ଦିଅ ।

Image

 

ନବଯୁଗ ସାହିତ୍ୟ

ନଗାଧିରାଜ ହିମାଳୟ

 

ଅମର କବି କାଳିଦାସ ତାଙ୍କର ବିଖ୍ୟାତ ମହାକାବ୍ୟ ‘‘କୁମାରସମ୍ଭବ’’ର ଆରମ୍ଭରେ ପର୍ବତରାଜ ହିମାଳୟର ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି, ପୂର୍ବ ଏବଂ ପଶ୍ଚିମ-ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇ ପୃଥିବୀର ମାନଦଣ୍ଡ ପରି ଦେବତାମାନଙ୍କ ବିହାରସ୍ଥଳ ଏକ ବିରାଟ ପର୍ବତ ଉତ୍ତର ଦିଗରେ ବିଦ୍ୟମାନ । ତାହାର ନାମ ହିମାଳୟ । ସେହି ହିମାଳୟ ପର୍ବତମାନଙ୍କ ମଧ୍ୟରେ ରାଜା । ପୃଥିବୀକୁ ଏକ ଗାଭୀରୂପେ କଳ୍ପନା କରାଗଲେ ହିମାଳୟ ତାହାର ବତ୍ସ ଭଳି ସୃଷ୍ଟିର ଆରମ୍ଭରେ କାର୍ଯ୍ୟ କରିଥିଲା । ପୃଥିବୀପତି ପୃଥୁଙ୍କଦ୍ୱାରା ଆଦିଷ୍ଟ ହୋଇ ଅନ୍ୟାନ୍ୟ ଶୈଳସକଳ ହିମାଳୟ ସାହାଯ୍ୟରେ ଧରିତ୍ରୀକୁ ବୋହନ କରି ବହୁବିଧ ଉଜ୍ଜ୍ୱଳ ରତ୍ନ, ମାଣିକ୍ୟ ଓ ମହୌଷଧିମାନ ପାଇଥିଲେ । ତେଣୁ ହିମାଳୟ ଅନନ୍ତ ରତ୍ନର ଉତ୍ପତ୍ତିସ୍ଥଳ । ତୁଷାର ଦ୍ୱାରା ଏହା ସର୍ବଦା ଆବୃତ ଥାଏ । ପ୍ରାଚୀନ କାବ୍ୟରେ ଏହିରୂପେ ହିମାଳୟର ବର୍ଣ୍ଣନା କରାଯାଇଅଛି ।

 

ଭାରତର ମାନଚିତ୍ରର ଚତୁଃସୀମା ଉପରେ ଦୃଷ୍ଟି ଦେଲେ ଦେଖାଯାଏ, ଏହାର ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମର କେତେକାଂଶ ଗଭୀର ସାଗରଦ୍ୱାରା ଏବଂ ଉତ୍ତରଭାଗ ଅତ୍ୟୁଚ୍ଚ ହିମାଳୟ ପର୍ବତଶ୍ରେଣୀ ଦ୍ୱାରା ବେଷ୍ଟିତ । ଦିବାଲୋକ ଶୂନ୍ୟ ସୁବିସ୍ତୃତ ଘୋର ଅରଣ୍ୟ, ଦିଗ୍‌ବଳୟଚୁମ୍ୱୀ ହ୍ରଦ ଓ ଶସ୍ୟକ୍ଷେତ୍ରପୂର୍ଣ୍ଣ ସମତଳଭୂମି, ସୁଦୀର୍ଘ ନଦନଦୀ ଓ ପ୍ରକାଣ୍ଡ ପର୍ବତଶ୍ରେଣୀ ମଣ୍ଡିତ ବହୁ ପ୍ରାକୃତିକ ବୈଚିତ୍ର୍ୟ ମଧ୍ୟରେ ସର୍ବୋଚ୍ଚ ଦ୍ରଷ୍ଟାରୂପେ ହିମାଳୟ ଦଣ୍ଡାୟମାନ । କେବଳ ଭାରତ ନୁହେଁ, ସମଗ୍ର ପୃଥିବୀ ଉପରେ ହିଁ ଦୃଷ୍ଟିପାତ କରିବାର ଉଚ୍ଚତା ଏହା ଲାଭ କରିଅଛି ।

 

ଭାରତ ଏବଂ ତିବ୍ଦତକୁ ବିଭକ୍ତ କରି ଏହି ପର୍ବତମାଳାର ଦୀର୍ଘତା ପଶ୍ଚିମରେ ସିନ୍ଧୁନଦୀର ଉପତ୍ୟକାଠାରୁ ପୂର୍ବରେ ବ୍ରହ୍ମପୁତ୍ର ପର୍ଯ୍ୟନ୍ତ ପ୍ରାୟ ୧୫୦୦ ମାଇଲ । ମଧ୍ୟେ ମଧ୍ୟେ ବହୁ ଗିରିଶୃଙ୍ଗ ଆକାଶରେ ଲୀନ ହୋଇଅଛି । ଏହି ଗିରିଶୃଙ୍ଗଗୁଡ଼ିକ ୧୬,୦୦୦ ଫୁଟଠାରୁ ୨୯,୧୪୧ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଥିବାର ଜଣାଯାଏ । ଅର୍ଥାତ୍‌ ସର୍ବୋଚ୍ଚ ଶିଖରୀ ଏଭରେଷ୍ଟର ଉଚ୍ଚତା ୫ ମାଇଲରୁ ମଧ୍ୟ ଅଧିକ । ତାହା ପରେ କାଞ୍ଚନଜଙ୍ଘାର ଉଚ୍ଚତା ୧୮,୦୫୬ ଫୁଟ, ନଙ୍ଗା ପର୍ବତର ୧୬,୬୨୯ ଫୁଟ, ଧବଳଗିରି ୨୬,୮୨୬ ଫୁଟ ଓ କାମେଟ୍‌ର ୨୫,୮୫୭ ଫୁଟ । ପାର୍ଶ୍ୱବର୍ତ୍ତୀ କାରାକୋରମ ଶୈଳଶ୍ରେଣୀରେ ଥିବା, ଗଡ-ଉଇନ୍‌-ଅଷ୍ଟେନ୍‌ ନାମକ ଶିଖରୀର ଉଚ୍ଚତା ମଧ୍ୟ ୨୮,୨୭୮ ଫୁଟ ।

 

ହିମାଳୟ ଉଚ୍ଚତା ଯେପରି ବିସ୍ମୟକର, ତାହାର ଉତ୍ପତ୍ତି ମଧ୍ୟ ସେହିପରି । ଭୂତତ୍ତ୍ୱଜ୍ଞ ପଣ୍ଡିତମାନେ କହନ୍ତି, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ବିଶ୍ୱବିଖ୍ୟାତ ପର୍ବତମାଳା ଗଭୀର ସମୁଦ୍ର ମଧ୍ୟରେ ତିମିମାଛର ସଙ୍ଗୀ ଥିଲା । ଏବେ କିନ୍ତୁ ତାହା ଉଚ୍ଚତମ ଆକାଶ ବିହାରୀ ଈଗଲ ପକ୍ଷୀର ସଙ୍ଗୀ ହୋଇଅଛି । କେବଳ ଆଗ୍ନେୟଗିରିଗୁଡ଼ିକ ବ୍ୟତୀତ ପୃଥିବୀର ସକଳ ପର୍ବତରୁ ପ୍ରବାଳ, ଶମ୍ୱୁକ ଓ ସୁବୃହତ୍‌ ମତ୍ସ୍ୟର ଅସ୍ଥି ପ୍ରଭୃତି ସାମୁଦ୍ରିକ ବସ୍ତୁ ମିଳିଥାଏ ଏବଂ ଅଗାଧ ଜଳଧି ହିଁ ଏହି ଉତ୍ତୁଙ୍ଗ ଶୈଳଶ୍ରେଣୀର ଜନ୍ମସ୍ଥାନ ବୋଲି ତାହା ପ୍ରମାଣ କରିଥାଏ ।

 

ହିମାଳୟର ବାର ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଓକ୍, ପାଇନ୍‌, ଶାଳ, ଶିଶୁ ଓ ଚନ୍ଦନାଦି ବଡ଼ ବଡ଼ ଦ୍ରୁମ ଅଛି; ଚଉଦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଗୁଳ୍ମ ଜନ୍ମେ ଏବଂ ତାହାପରେ ଏହି ଗିରିରାଜ କେବଳ ବରଫ ଦ୍ୱାରା ବାରମାସ ଆବୃତ ରହେ । ଋତୁ ଭେଦରେ ତାହାର ରୂପ ନାନା ବିଚିତ୍ର ରଙ୍ଗରେ ରଞ୍ଜିତ ହୁଏ । ବସନ୍ତକାଳରେ ଲକ୍ଷ ଲକ୍ଷ ଜାତିର ଫୁଲ ଏହି ବିପୁଳବପୁ ଶୈଳର ତଳଦେଶକୁ ମଣ୍ଡନ କରେ । ଉପରେ ବରଫ ଦେହରେ ସୂର୍ଯ୍ୟକିରଣ ପଡ଼ି କୋଟି କୋଟି ଇନ୍ଦ୍ରଧନୁ ସୃଷ୍ଟି କରେ । ସୂର୍ଯ୍ୟର ଉଦୟ ଏବଂ ଅସ୍ତକାଳରେ ପୃଥିବୀ ଓ ଆକାଶ ମଝିରେ ସୁନାର ଲହରୀ ଖେଳିଯାଏ । ସମସ୍ତ ସଂସାର ଯେପରି ସୁନାରେ ଢଳ ଢଳ ହୁଏ । ବର୍ଷାକାଳରେ ଜଗତଯାକର ମେଘ ଆସି ଏହାର କଟୀ ଦେଶରେ ଠୁଳ ହୁଅନ୍ତି । ଉପରକୁ ଉଠିଲେ ନିଜର ପରିଚୟ ହରାଇ ମେଘ ବରଫ ପାଲଟିଯାନ୍ତି । ବହୁ ବିଚିତ୍ର ପ୍ରାଣୀ ମଧ୍ୟ ହିମାଳୟରେ ଦେଖାଯାଆନ୍ତି । ମହାବଳ ବାଘ, ହରିଣ, ପାହାଡ଼ିଛେଳି ଓ ମାଙ୍କଡ଼ ଦଶ ହଜାର ଫୁଟ ଉଚ୍ଚରେ ମଧ୍ୟ ମିଳନ୍ତି । କାଠହଣା ଏବଂ ଆଉ ନାନା ଜାତିର ପକ୍ଷୀ ବାର ହଜାର ଫୁଟ ଉଚ୍ଚରେ ଦେଖାଯାନ୍ତି ।

 

ଭାରତର ଉତ୍ତର ସୀମାରେ ଅବସ୍ଥିତ ହୋଇ ଯୁଗଯୁଗବ୍ୟାପୀ ଭାରତୀୟ ସଭ୍ୟତାର କେବଳ ମୂକସାକ୍ଷୀରୂପେ ହିମାଳୟ ଦଣ୍ଡାୟମାନ ନୁହେଁ; ଦକ୍ଷିର-ପୂର୍ବ ଏବଂ ପଶ୍ଚିମ ଭାରତ ମହାସାଗର ପରି ଉତ୍ତର ଦିଗରେ ଏହା ଭାରତବର୍ଷକୁ ପୃଥିବୀଠାରୁ ବିଚ୍ଛିନ୍ନ କରିଅଛି । ଏହା ଫଳରେ ଭାରତରେ ଏକ ସ୍ୱତନ୍ତ୍ର ଧର୍ମ ଓ ସଭ୍ୟତାର ସମ୍ଭବ ହୋଇଅଛି । ଗଙ୍ଗା, ବ୍ରହ୍ମପୁତ୍ର ଆଦି ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳରୂପେ ଭାରତର ଶସ୍ୟକ୍ଷେତ୍ରକୁ ଏହା ଉର୍ବର କରେ । ହିମାଳୟରୁ ପ୍ରବାହିତ ନଦୀଗୁଡ଼ିକର ବିଶେଷତ୍ୱ ଏହି ଯେ, ତାହା ଗ୍ରୀଷ୍ମକାଳରେ ବରଫର ତରଳ ସ୍ରୋତ ଘେନି ବୃଦ୍ଧିପ୍ରାପ୍ତ ହୋଇଥାଏ । ଭୂତଳରେ ପ୍ରବାହିତ ବହୁ ନଦୀର ଜନକରୂପେ ଓ ଉର୍ଦ୍ଧ୍ୱରେ ପ୍ରବାହିତ ମୌସୁମୀ ବାୟୁର ପ୍ରତିରୋଧ କରି କୃଷପ୍ରଧାନ ଭାରତରେ ଏହି ଶୈଳଶ୍ରେଣୀ ଜଳସେଚନ କରେ-

 

ଭାରତୀୟ ଉଦର ତଥା ମସ୍ତିଷ୍କ ପାଇଁ ଏହା ଆହାର ଯୋଗାଉଅଛି । ଅର୍ଥାତ୍‌ ଏ ଦେଶର ମୃତ୍ତିକା ପରି ଦେଶବାସୀଙ୍କ ଚିନ୍ତା ଓ କଳ୍ପନାକୁ ମଧ୍ୟ ଏହା ଉର୍ବର କରୁଅଛି । ଭାରତୀୟ ଧର୍ମ ସାହିତ୍ୟ ପାଇଁ ଏହି ଗରିଶ୍ରେଷ୍ଠ ବହୁ ପରିମାଣରେ ଦାୟୀ । ହିମାଳୟ ଶିବଙ୍କର ବାସସ୍ଥାନ ବୋଲି ହିନ୍ଦୁର କାବ୍ୟ ପୁରାଣରେ ବର୍ଣ୍ଣିତ ଏବଂ ଏହାର ସୁଉଚ୍ଚ ଶୃଙ୍ଗ ଗୌରୀଶଙ୍କର ନାମରେ ଖ୍ୟାତ-। ଏହିଠାରେ ହିଁ ପାର୍ବତୀ ଯୁଗ ଯୁଗ କଠୋର ତପସ୍ୟା କରି ସ୍ୱାମୀରୂପେ ଶିବଙ୍କୁ ଲାଭ କରିଥିଲେ । ଏହି ଗିରିତଳରେ ହିନ୍ଦୁଧର୍ମର ଅତ୍ୟତମ ପ୍ରଧାନ ପୀଠ ଶ୍ରୀ ବଦ୍ରିନାଥଧାମ ବିଦ୍ୟମାନ ଏବଂ ଭାରତୀୟ ଦର୍ଶନର ଉଦ୍ଭବ ଏହାରି ମୂଳରେ ହୋଇଥିଲା ବୋଲି କୁହାଯାଏ ।

 

ପଞ୍ଚପାଣ୍ଡବଙ୍କର ମହାଯାତ୍ରା ଆଖ୍ୟାୟିକା ପରେ ଆଉ କୌଣସି ଭାରତୀୟଙ୍କର ହିମାଳୟ ଅଭିଯାନ କଥା ଶୁଣାଯାଇ ନାହିଁ । ଅଥଚ ବର୍ଷକୁ ବର୍ଷ ୟୁରୋପୀୟମାନେ ଏଭରେଷ୍ଟ ଶୃଙ୍ଗକୁ ପରାସ୍ତ କରିବାପାଇଁ ଅସୀମ ଧୈର୍ଯ୍ୟ ଓ ସାହସିକତାର ପରିଚୟ ଦେଇଅଛନ୍ତି । ବର୍ଷକୁ ବର୍ଷ ଦଳେ ଦଳେ ଆରୋହୀ ଦୁଃସାଧ୍ୟକୁ ସାଧ୍ୟ କରିବା ପାଇଁ ବ୍ରତୀ ହୋଇଅଛନ୍ତି । ଗୋଟିଏ ଦଳ ଯେତେ ଉପରକୁ ଉଠି ପାରିଥିଲେ, ପରବର୍ତ୍ତୀ ଦଳଟି ତାହାଠାରୁ ହୁଏ ତ ଅଧିକ ଅଗ୍ରସର ହୋଇଅଛନ୍ତି । ପାହାଡ଼ତୁଲ୍ୟ ବିଶାଳ ବରଫସ୍ତୂପ କେତେବେଳେ ହୁଏ ତ ଗିରିଶିଖରରୁ ଖସି ଆସି ପ୍ରଥମେ ଅତି ଧୀରେ ଏବଂ ତତ୍‌ପରେ ମହାବେଗରେ ନିମ୍ନ ଦେଶକୁ ଧାବିତ ହୋଇଅଛି । ପୁଣି ଅତର୍କିତ ଆରୋହୀଙ୍କୁ କେଉଁ ରସାତଳର ଗଭୀର ଗହ୍ୱରରେ ମୁହୂର୍ତ୍ତରେ ନିକ୍ଷେପ କରିଅଛି; କେତେବେଳେ ଅବା ଏ ବିପଦର ସନ୍ଧାନ ପାଇ ମୃତ୍ୟୁମୁଖୀ ଆରୋହୀଙ୍କର କେହି ସହଗାମୀ ରଜ୍ଜୁଦ୍ୱାରା ତାଙ୍କର ଜୀବନ ରକ୍ଷା କରିଅଛନ୍ତି ।

 

ଉପରର ବାୟୁମଣ୍ଡଳ ମନୁଷ୍ୟର ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଯଥେଷ୍ଟ ନ ହେବାରୁ ଏବଂ ପାର୍ବତୀୟ ନାନା ବ୍ୟାଧିରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଆରୋହୀମାନେ ସଙ୍ଗରେ ଅକ୍‌ସିଜେନ୍‌; ଡାକ୍ତର ଏବଂ ଔଷଧାଦି ନେଇଥାନ୍ତି । ତାହା ସତ୍ତ୍ୱେ ରୋଗାକ୍ରାନ୍ତ ହୋଇ କେହି କେହି ଆରୋହୀ ଶୈଳଶିଖରରେ ସମାଧି ଘେନିଥାନ୍ତି । ହଠାତ୍‌ ବୃଷ୍ଟି ଓ ମୌସୁମୀ ଆସିବାରୁ ମଧ୍ୟ କେବେ କେବେ ଆରୋହୀଦଳକୁ ଆଗତ୍ୟା ଫେରିବାକୁ ହୋଇଥାଏ; କିନ୍ତୁ ହିମାଳୟର ଉଚ୍ଚତମ ଶୃଙ୍ଗକୁ ପରାସ୍ତ କରିବା କୌଣସି ଆରୋହୀ ପକ୍ଷରେ ସମ୍ଭବପର ହୋଇ ନ ଥିଲା ।

 

ଏଭରେଷ୍ଟ ସର୍ବୋଚ୍ଚ ହେଲେ ହେଁ କାଞ୍ଚନଜଙ୍ଘାଠାରୁ ଅଳ୍ପ ବିପଜ୍ଜନକ; କାରଣ ଶେଷୋକ୍ତ ଶୃଙ୍ଗରେ ବିଶାଳ ବରଫଖଣ୍ଡ ଛିଣ୍ଡିବାର ଆଶଙ୍କା ବେଶି । ‘ଫୁଲଟନ୍‌’ ନାମକ ଆମେରିକାର ଜଣେ ଆରୋହୀ କାଞ୍ଚନଜଙ୍ଘା ଉପରେ ୨୪,୫୦୦ ଫୁଟ ପର୍ଯ୍ୟନ୍ତ ଉଠିଥିଲେ ଏବଂ ସେହିଠାରୁ ତାଙ୍କର ତିବ୍ଦତୀୟ କୁଳିମାନଙ୍କୁ ଛାଡ଼ି ଅଦୃଶ୍ୟ ହୋଇଗଲେ । ତାହାପରେ ଗୋଟିଏ ଜର୍ମାନ୍‌ ଅଭିଯାନ ଉପରୋକ୍ତ ଉଚ୍ଚତାକୁ ଅତିକ୍ରମ କରିପାରି ନ ଥିଲା । ଆଉ ଦଳେ ଇଂରେଜ ଆରୋହୀ ୨୫,୦୦୦ ଫୁଟ ପର୍ଯ୍ୟନ୍ତ ଉଠିଥିଲେ; କିନ୍ତୁ ସେଠାରୁ ସେମାନେ ଓହ୍ଲାଇବାକୁ ବାଧ୍ୟ ହେଲେ । ତାଙ୍କର ଦୁଇ ଜଣ କୁଲି ବେଗଗାମୀ ବରଫ ପାହାଡ଼ଦ୍ୱାରା ଜୀବନ ହରାଇଥିଲେ ଏବଂ ଆରୋହୀ ଦଳ ଅତି ଅଳ୍ପକେ ଏ ବିପଦରୁ ରକ୍ଷା ପାଇଗଲେ ।

 

ଏଭରେଷ୍ଟ ଆରୋହଣ କରିବାପାଇଁ ତିବ୍ଦତ ବା ନେପାଳ ରାଜ୍ୟ ଭିତର ଦେଇ ଯିବାକୁ ହୋଇଥାଏ । ଉକ୍ତ ରାଜ୍ୟର ସରକାରମାନେ ଏଭରେଷ୍ଟ ଆରୋହଣ କରିବା ପାଇଁ ସହଜରେ ଅନୁମତି ଦେବାକୁ ରାଜି ନୁହନ୍ତି; କାରଣ ଏମାନଙ୍କର ଏକ କୁସଂସ୍କାର ଅଛି ଯେ, ଏଭରେଷ୍ଟ ଦେବତାମାନଙ୍କର ବିହାରସ୍ଥଳ । ଦେବତାମାନଙ୍କର ସ୍ଥାନକୁ ମନୁଷ୍ୟ ଅଧିକାର କଲେ ଦୈବୀ ଅଭିଶାପ ଭୋଗିବାକୁ ହେବ । ଏହି ଅନ୍ଧବିଶ୍ୱାସର ଆଶୁଫଳ ଫଳିଲା ବିହାର ଏବଂ ନେପାଳର ୧୯୩୪ ମସିହାର ପ୍ରବଳ ଭୂମିକମ୍ପ ରୂପରେ । ଠିକ୍ ସେହି ସମୟରେ ‘ହଉସ୍‌ଟନ୍‌’ଙ୍କ ନେତୃତ୍ୱରେ ଏକ ଇଂରେଜ ଆରୋହୀଦଳ ହିମାଳୟ ଉପରେ ତମ୍ୱୁ ପକାଇଥିଲେ ଏବଂ ଇଂରେଜ ବ୍ୟୋମଯାନ ଏଭେରେଷ୍ଟ ଉପରେ ଉଡ଼ି ଆସିଥିଲା ।

 

ଆଉ ଦଳେ ଇଂରେଜ ଆରୋହୀ ୨୮,୦୦୦ ଫୁଟ ଉପରକୁ ଉଠିଥିଲେ । ଏହି ଅଭିଯାନରେ ଆରଭିନ୍‌ ଏବଂ ମ୍ୟାଲୋରି ନାମକ ଦୁଇଜଣ ଆରୋହୀଙ୍କୁ ପରମ ଉତ୍ସାହରେ ଉର୍ଦ୍ଧ୍ୱକୁ ଯାତ୍ରା କରୁଥିବାର ଦେଖାଯାଇଥିଲା । ତତ୍ପରେ ସେ ଦୁହେଁ ଅଦୃଶ୍ୟ ହୋଇଗଲେ । ପରବର୍ତ୍ତୀ ଆରୋହୀଦଳ ମ୍ୟାଲେରିଙ୍କ ବରଫକଟା କୁରାଢ଼ିକୁ ପାଇଥିଲେ, କିନ୍ତୁ ସେହି ୨୮,୦୦୦ ଫୁଟରୁ ଅଧିକ ଉଚ୍ଚକୁ କେହି ଉଠିପାରିଲେ ନାହିଁ । ଶେଷରେ ୧୯୫୩ ଖ୍ରୀଷ୍ଟାବ୍ଦରେ ଦାର୍ଜିଲିଂ ଅଧିବାସୀ ଶେର୍‌ପା ତେନ୍‌ଜୀଂ ଓ ତାଙ୍କର ଅନ୍ୟତମ ସଙ୍ଗୀ ଇଂରେଜ ଯୁବକ ହିଲାରି ଏଭରେଷ୍ଟର ଶୀର୍ଷତମ ଶୃଙ୍ଗୋପରି ଭାରତର ଜାତୀୟ ପତାକା ଓ ଇଂଲଣ୍ଡର ପତାକା ଉଡ଼ାଇଥିଲେ ।

 

ହିମାଳୟ ଅଭିଯାନର ଏହି ସବୁ ସ୍ପନ୍ଦନପୁର୍ଣ୍ଣ ବିବରଣୀ ପଢ଼ି ମନରେ ବିସ୍ମୟ ଜାତ ହେବା ସଙ୍ଗେ ସଙ୍ଗେ ଗୋଟିଏ ପ୍ରଶ୍ନ ମଧ୍ୟ ଉଠେ । ତାହା ଏହି ଯେ-ଜୀବଜନ୍ତୁ ଶୂନ୍ୟ ତୁଷାରାବୃତ ଶୈଳଶୃଙ୍ଗର ଆବିଷ୍କାର ପାଇଁ କାହିଁକି ଏହି ଅଦମ୍ୟ ପ୍ରେରଣା ? ଜାଣି ଶୁଣି କାହିଁକି ମନୁଷ୍ୟ ମୃତ୍ୟୁମୁଖକୁ ଧାଇଁଛି । ଏତେ ଚେଷ୍ଟା, ଏତେ କଷ୍ଟ, ଧନ ବ୍ୟୟ ଓ ଜୀବନ ବ୍ୟୟର ଫଳ ଅବା କଅଣ-? ଅତଳ ସାଗରରେ ବୁଡ଼ି ମନୁଷ୍ୟ ରତ୍ନ ଆହରଣ କରିଅଛି । ଆକାଶରେ ଉଡ଼ି ବାଣିଜ୍ୟ, ଦେଶ ଜୟ ବା ଯାତାୟାତର ସୁବିଧା କରିଅଛି, କିନ୍ତୁ ଏହି ବିରାଟ ବରଫ ସ୍ତୂପର ଉଚ୍ଚତମ ଶୃଙ୍ଗ ଆବିଷ୍କାର କରି କି ଲାଭ ?

 

ଏହି ସବୁ ପ୍ରଶ୍ନର ବହୁ ଉତ୍ତର ଅଛି । ତାହା ମଧ୍ୟରୁ ଗୋଟିଏ ସହଜ ଉତ୍ତର ଏହି ଯେ, ପ୍ରକୃତିର ରହସ୍ୟ ଉଦ୍‌ଘାଟନ କରିବା ମନୁଷ୍ୟର ସ୍ୱଭାବଗତ । ଏହି ସ୍ୱଭାବଗତ ଔତ୍ସୁକ୍ୟ ହିଁ ବିଜ୍ଞାନର ବିଭିନ୍ନ ବିଭାଗରେ ନାନା ବିଚିତ୍ର ଉଦ୍ଭାବନ ଘଟାଇ ପାରିଅଛି । ମେରୁ ପ୍ରଦେଶକୁ ମଧ୍ୟ ମନୁଷ୍ୟ ଆବିଷ୍କାର କରିଅଛି, ପୁଣି ଏଭେରେଷ୍ଟ ଆଜି ତାହାର ଅଧୀନ ହୋଇ ପାରିଅଛି ।

 

ପ୍ରଶ୍ନ

 

୧.

ହିମାଳୟକୁ ସର୍ବୋଚ୍ଚ ଦ୍ରଷ୍ଟା ବୋଲି କାହିଁକି କୁହାଯାଏ, ପ୍ରମାଣ କର ।

୨.

ବିଭିନ୍ନ ଋତୁରେ ହିମାଳୟର ପ୍ରାକୃତିକ ଶୋଭା ବର୍ଣ୍ଣନା କର ।

୩.

ହିମାଳୟଦ୍ୱାରା ଭାରତରେ ଏକ ସ୍ୱତନ୍ତ୍ର ସଭ୍ୟତା କିପରି ସମ୍ଭବ ହୋଇ ପାରିଛି ?

ହିମାଳୟର ସର୍ବୋଚ୍ଚ ଶୃଙ୍ଗକୁ ଆବିଷ୍କାର କରିବା ପାଇଁ କି ଉଦ୍ୟମ ହୋଇଛି, ସଂକ୍ଷେପରେ ଲେଖ ।

୫.

ହିମାଳୟଦ୍ୱାରା ଭାରତର କୃଷି, ଶିଳ୍ପ, ଇତିହାସ, ଧର୍ମ, ଦର୍ଶନ ଓ ସାହିତ୍ୟ ପ୍ରଭାବିତ ହୋଇଛି ବୋଲି କାହିଁକି କୁହାଯାଏ ?

‘‘ଏହି ବିଶ୍ୱ ବିଖ୍ୟାତ ପର୍ବତମାଳା ଗଭୀର ସମୁଦ୍ର ମଧ୍ୟରେ ତିମିମାଛର ସଙ୍ଗୀ ଥିଲା, ଏବେ କିନ୍ତୁ ତାହା ଈଗଲପକ୍ଷୀର ସଙ୍ଗୀ ହୋଇଛି’’–ଏହାର ସରଳାର୍ଥ ଲେଖ ।

୭.

ନିମ୍ନ ପଦଗୁଡ଼ିକ କିଏ କି ସମାସ ଚିହ୍ନାଇ ଦିଅ ।

 

ପର୍ବତଶ୍ରେଣୀ, ଦିବାଲୋକଶୂନ୍ୟ, ଦିଗ୍‌ବଳୟଚୁମ୍ୱୀ, ଶସ୍ୟକ୍ଷେତ୍ରପୂର୍ଣ୍ଣ, ପର୍ବତଶ୍ରେଣୀ ମଣ୍ଡିତ, ବିଶ୍ୱବିଖ୍ୟାତ, ଆକାଶବିହାରୀ, ମୁକସାକ୍ଷୀ ।

Image

 

ଚୀନବାସୀଙ୍କ ହୃଦୟ ସମ୍ରାଟ

 

କନ୍‌ଫ୍ୟୁସୟସ୍‍

 

ପ୍ରାଚ୍ୟ ଦେଶମାନଙ୍କ ମଧ୍ୟରେ ‘ଭାରତବର୍ଷ ପରି ଚୀନ ମଧ୍ୟ ବହୁ ଅତୀତ କାଳରୁ ପୃଥିବୀର ଶିକ୍ଷା ଓ ସଭ୍ୟତା କ୍ଷେତ୍ରରେ ଏକ ଉଚ୍ଚସ୍ଥାନ ଲାଭ କରି ଆସିଛି । ଏଠାରେ ଅନେକ ବଡ଼ ପଣ୍ଡିତ, କଳାକାର ଓ ଦାର୍ଶନିକ ଜନ୍ମଗ୍ରହଣ କରି ଚୀନ ଦେଶକୁ ସମୃଦ୍ଧ କରିଛନ୍ତି । ଭାରତବର୍ଷ ଭଳି ଏଠାରେ ମଧ୍ୟ କେତେକ ପ୍ରସିଦ୍ଧ ଧର୍ମ-ପ୍ରଚାରକ ଜନ୍ମଗ୍ରହଣ କରି ଚୀନ ଦେଶର ଲୋକଙ୍କୁ ନୂତନ ପଥ ପ୍ରଦର୍ଶନ କରିଛନ୍ତି ।

 

ଯେଉଁ ସମୟରେ ଭାରତବର୍ଷରେ ବୌଦ୍ଧ ଓ ଜୈନଧର୍ମ ପ୍ରସାର ଲାଭ କରୁଥିଲା, ଠିକ୍‌ ସେତିକିବେଳେ ଚୀନରେ ଦୁଇ ଜଣ ବିଖ୍ୟାତ ଧର୍ମପ୍ରଚାରକଙ୍କର ଆବିର୍ଭାବ ହେଲା । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲାଓସି । ସେ ଯେଉଁ ମତବାଦ ପ୍ରଚାର କଲେ, ତାହା ତାଓବାଦ ନାମରେ ପରିଚିତ । ଅନ୍ୟ ଜଣକ କନଫ୍ୟୁସିୟସ୍‌ । ସେ ଚୀନ୍‌ ଦର୍ଶନର ପ୍ରତିଷ୍ଠାତା । ଚୀନ ଭାଷାରେ ତାଙ୍କର ନାମ ‘ଙ୍କ୍ୟୁଫୁସି’ ବୋଲି ଉଚ୍ଚାରିତ ହୋଇଥାଏ ।

 

ଲାଓସିଙ୍କ ମତବାଦ ଚୀନ ଦେଶର ଲୋକଙ୍କୁ ଭାଗ୍ୟବାଦୀ ହେବାକୁ ଶିକ୍ଷା ଦେଲା । ତାଙ୍କ ମତରେ ପ୍ରତ୍ୟେକ ବିଷୟରେ ଫଳ କ’ଣ ହେବ ତାହା ପୂର୍ବରୁ ନିର୍ଣ୍ଣିତ ହୋଇ ରହିଛି । ମନୁଷ୍ୟ ଯେତେ ଯାହା କଲେ ହେଁ ତାହାକୁ ପରିବର୍ତ୍ତନ କରି ପାରିବ ନାହିଁ । ପ୍ରାଚ୍ୟ ଅଞ୍ଚଳର ଅଧିକାଂଶ ଲୋକଙ୍କ ବିଶ୍ୱାସ ମଧ୍ୟ ଏହା ଯେ–

 

‘‘ଭାଗ୍ୟର ଲିଖନ

ହେବ ନାହିଁ ଆନ ।’’

 

‘‘କିନ୍ତୁ ଠିକ୍‌ଏହି ସମୟରେ ବିଖ୍ୟାତ ଦାର୍ଶନିକ କନ୍‌ଫ୍ୟୁସିୟସ୍‌ଙ୍କ ମତବାଦ ଚୀନ୍‌ ଲୋକଙ୍କ ମନରେ ନୂତନ ଭାବ ସଞ୍ଚାର କଲା ।

 

କନ୍‌ଫ୍ୟୁସିୟମ୍‌ ଓ ଲାଓସିଙ୍କ ମଧ୍ୟରେ ଥରେ ଆଲୋଚନା ହୋଇଥିଲା । ଲାଓସି କନ୍‌ଫ୍ୟୁସିୟସ୍‌ଙ୍କ କଥାରେ କୌଣସି ଗୁରୁତ୍ୱ ଦେଲେ ନାହିଁ । କନ୍‌ଫ୍ୟୁସିୟସ୍‌ କିନ୍ତୁ ଲାଓସିଙ୍କ କଥାକୁ ମନେ ମନେ ଆଲୋଚନା କରିବାକୁ ଲାଗିଲେ । ସାଧାରଣତଃ ପ୍ରତିଭାଶାଳୀ ଲୋକମାନେ ହିଁ ତାଙ୍କର ବିରୁଦ୍ଧ ମତବାଦୀମାନଙ୍କୁ ପ୍ରଶଂସା କରିପାରନ୍ତି ।

 

ପାଶ୍ଚାତ୍ୟ ଦାର୍ଶନିକ ସକ୍ରେଟିସ୍‌ ଓ ଭାରତରେ ବୁଦ୍ଧଙ୍କ ଆବିର୍ଭାବ ସମୟରେ କନ୍‌ଫ୍ୟୁସିୟସ୍‌ ଚୀନ୍‌ର ଏକ ପ୍ରାଚୀନ ଭଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଅତ୍ୟନ୍ତ ଦରିଦ୍ର ଥିଲେ, ତେଣୁ ଜୀବିକା ଅର୍ଜନ ପାଇଁ ବାଲ୍ୟ ବୟସରେ କଠିନ ପରିଶ୍ରମ କରି ତାଙ୍କୁ ଶିକ୍ଷାଲାଭ କରିବାକୁ ପଡ଼ିଥିଲା । ସେ ଖୁବ୍‌ ସଙ୍ଗୀତ ପ୍ରିୟ ଥିଲେ ଏବଂ ଗୀତ ବୋଲି ବଂଶୀ ବଜାଉଥିଲେ ।

 

ପୁରହିତ ସାଜି ଅନ୍ୟ ପିଲାମାନଙ୍କ ସହିତ ଖେଳିବା କନ୍‌ଫ୍ୟୁସିୟସ୍‌ଙ୍କର ସବୁଠାରୁ ଅଧିକ ପ୍ରିୟ କ୍ରୀଡ଼ା ଥିଲା । ପୂଜା କରିବା ସମୟରେ ଯେଉଁ ପ୍ରକାର ପୋଷାକ ପରିଚ୍ଛଦ ପିନ୍ଧିବାର କଥା, ସେହିପରି ପିନ୍ଧିବାକୁ ସେ ସୁଖ ପାଉଥିଲେ । ୧୯ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ତହୁଁ ସେ କିଛି କାଳ ଜଣେ ଧନୀଙ୍କ ଗୃହରେ ଭଣ୍ଡାରରକ୍ଷକ, ତତ୍ପରେ ଉଦ୍ୟାନରକ୍ଷକ ଓ ପଶୁପାଳକ ଭାବରେ କାର୍ଯ୍ୟ କରିଥିଲେ ।

 

ବାଇଶ ବର୍ଷ ବୟସରେ କନ୍‌ଫ୍ୟୁସିୟସ୍‌ ଶିକ୍ଷକ ରୂପେ ନିଯୁକ୍ତ ହେଲେ । କେହି ପ୍ରତିଭାବାନ୍‌ ଛାତ୍ର ଦରିଦ୍ର ହୋଇଥିଲେ, ସେ ତାହା ଠାରୁ ଦରମା ଗ୍ରହଣ କରୁ ନ ଥିଲେ । ସେ କୌଣସି ଗ୍ରନ୍ଥର ପ୍ରଥମେ କିଛି ଅଂଶ ବୁଝାଇଦେବା ଉତ୍ତାରୁ ଅନ୍ୟ ଅଂଶଗୁଡ଼ିକ ଛାତ୍ରମାନେ ନିଜେ ନିଜେ ନ ବୁଝି ପାରିଲେ ଉକ୍ତ ବିଷୟଟିକୁ ଆଉ ପଢ଼ାଉ ନ ଥିଲେ ।

 

କ୍ରମେ ଶିକ୍ଷକଭାବରେ ତାଙ୍କର ଖ୍ୟାତି ସର୍ବତ୍ର ବ୍ୟାପ୍ତ ହେଲା । ଜଣେ ଶାସନକର୍ତ୍ତାଙ୍କ ମନ୍ତ୍ରୀରୂପେ ଏହା ପରେ ସେ ନିଯୁକ୍ତ ହେଲେ । ସ୍ୱୀୟ କୃତିତ୍ୱବଳରେ ସେ ସମାଜର ଆଦର୍ଶ ହୋଇ ପଡ଼ିଲେ ଏବଂ ଲୋକମୁଖରେ କେବଳ ତାଙ୍କରି ଗୁଣ ଶୁଣିବାକୁ ମିଳିଲା । ନିଜର ନ୍ୟାୟପରାୟଣତା, ନିରପେକ୍ଷ ନୀତି ଓ ସତ୍‌ସାହସ ଦ୍ୱାରା କନ୍‌ଫ୍ୟୁସିୟସ୍‌ ଦେଶର ସମସ୍ତ ଅନ୍ୟାୟ, ଅତ୍ୟାଚାର ଲୋପ କରିବାକୁ ଲାଗିଲେ । କିନ୍ତୁ ଶାସନକର୍ତ୍ତା ତାଙ୍କର କ୍ଷମତା ଦେଖି ଈର୍ଷାନ୍ୱିତ ହେଲେ । ଫଳରେ କନ୍‌ଫ୍ୟୁସିୟସ୍‌ଙ୍କୁ ସେ ସ୍ଥାନ ଛାଡ଼ି ଆସିବାକୁ ପଡ଼ିଲା ।

 

ଅବଶିଷ୍ଟ ଜୀବନକାଳ ସେ ଗୃହହୀନ ହୋଇ ବୁଲି ବୁଲି କଟାଇ ଦେଇଥିଲେ । କୌଣସି ଶାସନକର୍ତ୍ତାଙ୍କ ଶିକ୍ଷକ କିମ୍ୱା ମନ୍ତ୍ରୀରୂପେ ନିଯୁକ୍ତ ହେବା ଆଶାରେ ସେ ଶିଷ୍ୟମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ରାଜ୍ୟ ପରେ ରାଜ୍ୟ ଖୋଜି ବୁଲିଲେ । ଶିଷ୍ୟମାନଙ୍କୁ ସେ କହୁଥିଲେ ଯେ, ଶାସନକର୍ତ୍ତା ବା ପିତାପୁତ୍ର ଇତ୍ୟାଦି ଶବ୍ଦର ପ୍ରକୃତ ମର୍ମ ଓ ପରସ୍ପର ସମ୍ପର୍କର ମୌଳିକ ତତ୍ତ୍ୱ ଲୋକମାନଙ୍କୁ ବୁଝାଇବା ହିଁ ସର୍ବାପେକ୍ଷା ମହତ୍‌ କର୍ମ । ଯଦି ସେହି ଶବ୍ଦଗୁଡ଼ିକର ପ୍ରକୃତ ଅର୍ଥ ଲୋକମାନେ ବୁଝିପାରନ୍ତି, ତେବେ ପୃଥିବୀରୁ ସମସ୍ତ ପ୍ରକାର ଦୁଃଖ ଅସନ୍ତୋଷ ଲୋପ ପାଇଯିବ ।

 

ସ୍ଥାନେ ସ୍ଥାନେ ଭ୍ରମଣ କରୁଥିବା ସମୟରେ ସେ ସଂସାର ତ୍ୟାଗୀ ଋଷିମାନଙ୍କ କଥା କହୁଥିଲେ । ଯୋଗୀ ୠଷିମାନେ କନ୍‌ଫ୍ୟୁସିୟସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲେ । କନ୍‌ଫ୍ୟୁସିୟସ୍‌ଙ୍କ ମତ ଥିଲା, ମନୁଷ୍ୟ ସମାଜର ସଂସ୍ପର୍ଶରୁ ବାହାରି ଯାଇ ମନୁଷ୍ୟକୁ ବୁଝିପାରୁ ନ ଥିବା ପଶୁପକ୍ଷୀଙ୍କ ସହିତ ବାସ କରିବା ଏକାନ୍ତ ଅସମ୍ଭବ । ସେ କହନ୍ତି, ‘‘ଦୁଃଖଦାରିଦ୍ର୍ୟଗ୍ରସ୍ତ ମନୁଷ୍ୟ ବ୍ୟତୀତ ଆଉ କାହା ସହିତ ମୁଁ ବାସ କରି ପାରିବି ?’’ ଶିଷ୍ୟମାନଙ୍କ ସଙ୍ଗେ ଭ୍ରମଣ କରି ଦରିଦ୍ରଙ୍କୁ ସାନ୍ତ୍ୱନା ଦେବା ତାଙ୍କର ପ୍ରଧାନ କାର୍ଯ୍ୟ ହେଲା । ଖ୍ରୀ: ପୂ: ୪୭୮ ଅବ୍ଦରେ କନ୍‌ଫ୍ୟୁସିୟସ୍‌ଙ୍କର ମୃତ୍ୟୁ ଘଟିଥିଲା ।

 

ତାଙ୍କର ଧର୍ମ ପ୍ରଧାନ କଥା ଥିଲା–ତୁମେ ନିଜେ ଯାହା ଭଲ ନ ପାଉଛ, ସେପରି ବ୍ୟବହାର ଅନ୍ୟମାନଙ୍କ ପ୍ରତି କର ନାହିଁ, ପୁଣି ଦରକାର ଥାଉ ବା ନ ଥାଉ, ସବୁବେଳେ ଅନ୍ୟର ମଙ୍ଗଳପାଇଁ ଚେଷ୍ଟା କରିବା ଉଚିତ୍‌ ।

 

ଏହି ମହାମାନବ ତାଙ୍କ ଜୀବନକାଳ ମଧ୍ୟରେ ନିଜର ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ତାହା ଫଳରେ ଅବଶ୍ୟ କନ୍‌ଫ୍ୟୁସିୟସ୍‌ଙ୍କୁ ସଂସାରକ୍ଷେତ୍ରରେ କୌଣସି ଏକ ବିଶାଳ ସାମ୍ରାଜ୍ୟ ମିଳି ନ ଥିଲା । କିନ୍ତୁ ନିଖିଳ ମାନବଜାତିର ଜୀବନରେ ସେ ଯେଉଁ ସ୍ୱର୍ଗୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଯାଇଛନ୍ତି, ତାହା ଯୁଗେ ଯୁଗେ ବିଦ୍ୟମାନ ରହିଥିବ ।

 

ପ୍ରଶ୍ନ

 

୧.

କନ୍‌ଫ୍ୟୁସିୟସ୍‌ଙ୍କୁ ଚୀନବାସୀଙ୍କ ହୃଦୟର ସମ୍ରାଟ ବୋଲି କାହିଁକି କୁହାଯାଏ ?

 

 

୨.

କନ୍‌ଫ୍ୟୁସିୟସ୍‌ଙ୍କ ଜୀବନୀ ସମ୍ବନ୍ଧରେ ଯାହା ଜାଣ, ଲେଖ ।

 

 

୩.

ଲାଓସିଙ୍କ ସହିତ କନ୍‌ଫ୍ୟୁସିୟସ୍‌ଙ୍କର କିଭଳି ସମ୍ପର୍କ ଥିଲା, ବର୍ଣ୍ଣନା କର ।

 

 

୪.

ଜୀବନ, ବାଣୀ, ଆଦର୍ଶ, ଦର୍ଶନ, ଲକ୍ଷ, ପ୍ରତିଭାଶାଳୀ, କୃତିତ୍ୱ, ନ୍ୟାୟପରାୟପଣତା, ନିରପେକ୍ଷ ଓ ମତବାଦ ଶବ୍ଦଗୁଡ଼ିକୁ ଘେନି ଗୋଟିଏ ଲେଖାଏଁ ବାକ୍ୟ ରଚନା କର ।

Image

 

କସ୍ତୁରୀ ବାଈ*

 

* ମହାତ୍ମା ଗାନ୍ଧୀ ଦେଶପାଇଁ ଆଜୀବନ ଅନଶନ ପଣ କରିଥିବା କାଳରେ କସ୍ତୁରୀ ବାଇଙ୍କ ମନର ଅବସ୍ଥା ଏହି କବିତାରେ କଳ୍ପନା କରାଯାଇଛି ।

 

କିଏ ଏକାକିନୀ ପଥ ପରେ ହେଲ ଉଭା

ରହିଲ ନୀରବ ଶୂନ୍ୟ ନୟନେ ଚାହିଁ,

ଚଳଇ ଜନତା ଢଳଇ ଅଧୀର ଯୁବା

ଉତ୍ସାହଭରେ କାହା ଜୟଗାନ ଗାଇ ?

ପୁଲକ ତୁମର ପରାଣେ ନ ଜାଗେ ଆଜି

ବଦନ ମଳିନ, ବକ୍ଷ ପଡ଼ିଛି ଭାଜି,

ମୁଖେ କଥା ନାହିଁ କିମ୍ପା କସ୍ତୁରୀ ବାଈ

ରହିଲ ନୀରବ ଶୂନ୍ୟ ନୟନେ ଚାହିଁ ?

ଜୟ ଜୟ ଗୀତି ଡାକି ଉଠେ ଦେଶ ମାତି

ତୁମ ମୁଖୁଁ କିଏ ଚୋରି କରିନେଲା କଥା ?

ହାୟ ନିର୍ବୋଧ ହାୟ ଗୋ ଅବଳା ଜାତି,

ଏତେ ସୁଖେ ତବ ଉପୁଜଇ କିଆଁ ବ୍ୟଥା !

ତୁମ କଥା ଦେଶ ଭୁଲିଅଛି ଆଗୋ ରାଣୀ !

ଭୁଲିଛି ପୁଣି ସେ ଧରିଥିଲ ଯାର ପାଣି,

ବୁଝି ନାହିଁ କେଉଁ ବେଦନାର ଅତଳତା

ବଦନୁ ତୁମର ଚୋରି କରିନେଲା କଥା ।

ଲେଖୁଅଛ କହ କେଉଁ ଅତୀତର ଛବି

କେଉଁ ରମଣୀୟ ପ୍ରଥମ ମିଳନ ରାତି

କାହାର ବିରହେ ନୟନ ପଡ଼ିଲା ଦ୍ରବି

ପ୍ରତି ନିମିଷରେ ଲୋଡ଼ିଥିଲ କେଉଁ ସାଥି ?

ନିପୀଡ଼ିତ ଲାଗି କରି ଜୀବନ ଦାନ

ଦେବତା ସମାନ ଉଠେ ତା’ର ଜୟଗାନ

ଏଥିରେ ତୁମର ଉଲୁସଇ ନାହିଁ ଛାତି

ଲେଖୁଅଛ ମନେ କେଉଁ ରମଣୀୟ ରାତି ?

ତୁମ ପତି ସମ ପତି ଲଭିବାକୁ ନାରୀ

ଲୋଡ଼ିବ ନାହିଁ କି ଜଗତରେ ଆଉ କେହି ?

ନୟନରୁ ଚିର ବୁହାଇବା ପାଇଁ ବାରି

ଜୀବନର ସବୁ ସୁଖ ତଳେ ଢାଳିଦେଇ ?

ଅବା ଆପଣାର ଭାଗ୍ୟ ନ ଥିଲ ଜାଣି

କିଶୋର ବୟସେ ଧରିଥିଲ ଯାହା ପାଣି ।

ଅଙ୍ଗ ତୁମ୍ଭର ଥରିଥିଲା ଆଗୋ ନାରୀ

ଅଜଣା ପରଶ ମନ ଦେଇଥିଲା ଘାରି ।

ବୌଦ୍ଧ କହେ ସେ ବୁଦ୍ଧର ଅବତାର

କହେ ଖ୍ରୀଷ୍ଟାନ, ଯୀଶୁ ସମ ମହାଜ୍ଞାନୀ,

ବନ୍ଦୀଜନର ଖୋଲି ଦେଇ କାରାଗାର

ପତିତ ପରାଣେ ଦେଲେ ଯେହୁ ଆଶା ଆଣି ।

‘ପତିତ ଶ୍ରେଷ୍ଠ’ ସେହି ମାନବର ଲାଗି

ଅନ୍ତରେ ତବ ଗର୍ବ ନ ଉଠେ ଜାଗି,

ଜଡ଼ ଦେହେ ଯେହୁ ଖେଳାଇ ଦେଇଛି ପ୍ରାଣ,

ତା ପାଇଁ ତୁମର ବଢ଼େ ନାହିଁ ଅଭିମାନ ?

ପାର୍ଶୀ କହେ, ସେ ବିଶ୍ୱ-ମୁକୁଟ-ମଣି,

କହେ ଇଂରେଜ, ରାଜନୀତି ବିଶାରଦ,

ଶିଶୁ ଧାଇଁ ଆସେ ଆପଣାର ସାଥୀ ମଣି

ଖେଳି ନାନା ଖେଳ କୌତୁକ ହାସପ୍ରଦ ।

ତୁମେ କିଆଁ କହ ଦୁଃଖେ ଅନାଇଁ ପଥେ

କି ଯୁଗ ଭାବନା ଭାବୁଛ ମରମଗତେ ?

କାଟୁଅଛ ପରା ଗୋଟି ଗୋଟି ଦିନ ଗଣି,

ଦୁର୍ବହ ଆଜି ନିଜ ଜୀବନକୁ ମଣି ?

ଦେଖୁଛ ନିରେଖି ମୁକୁରେ ଆପଣା ମୁଖ,

ସିନ୍ଦୂର ଟୋପା ମଳିନ ହେଲା କି ଭାଲେ

କର-କଙ୍କଣ ଚାହିଁ ମନେ ନାହିଁ ସୁଖ,

କେତେ ଆଶଙ୍କା ଜାଗିଉଠେ ଏହି କାଳେ ।

ଏତିକି ଭାବନା ସମ୍ବଳ କଲ ତୁମେ

ମରଣ-ଆହବ ଜଡ଼ିତ ଭାରତଭୂମେ

ଆପଣା ଭାବରେ ରହିଲ ମଉନ ମୂକ,

ସୀତା ଦୌପଦୀ ଲଭିଥିଲେ ଯେଉଁ ଦୁଃଖ ।

ଦେଶର ପୂଜ୍ୟ କୁଳଗୁରୁ ମାଲବୀୟ

ଦେଲେଣି ତାହାକୁ କୋମଳ ଆଶିଷ ବାଣୀ

‘‘ହୁଅ ଚିରଜୀବୀ ହେ ମୋହନ ମହନୀୟ

କୋଟି ହୃଦୟର ଅଶ୍ରୁ ନେଇଛ ଟାଣି ।’’

ଜଗତଯାକରେ ମଣିଷ ରହିଛି ଯହିଁ

ଦେହଟା ଭିତରେ ମାନବ-ପରାଣ ବହି

ଡାକେ ସେ ଆରତେ, ‘‘କୋଟି ପରାଣର ପ୍ରିୟ,

ହୁଅ ଚିରଜୀବୀ, ହେ ମୋହନ ମହନୀୟ !’’

ଆଘାତ ଯାହାର ପାଷାଣୁ ବୁହାଏ ପାଣି

ପରଶ ଯାହାର ପଶୁମୁଖେ ଆଣେ ହାସ,

ଦେଶବିଦେଶରୁ ଭାସି ଆସେ କେତେ ବାଣୀ,

‘‘ପୁରୁଷ ଶ୍ରେଷ୍ଠ ଜୟ ହେ ମୋହନ ଦାସ !’’

ଉନ୍ନତ ଶିରେ ଦେଶ ଗାଏ ତା’ର କଥା,

ତୁମେ କିମ୍ପା କହ ପୋତି ଦେଲ ଭଲା ମଥା ?

କୋଟିଏ କଣ୍ଠେ କଣ୍ଠ ମିଳାଇ ରାଣି !

ଭରସା ନ ହୁଏ ଗାଇବାକୁ ଜୟ ବାଣୀ ?

ନୟନୁ ଝରାଇ ଶିଶୁଭଳି କେତେ ନୀର

କରିଛି କଟାଳ ତୁମ ପ୍ରିୟ ଦେବଦାସ

ଦେଶବିଦେଶର ସକଳ ମିନତି ଗୀର

ନ ମାନି କଲେ ସେ ଆମରଣ ଉପବାସ ।

ତୁମେ ଏହି କାଳେ ରହିଲ ନୁଆଇଁ ମଥା

ନ କଲ ମିନତି ନ କହିଲ ପଦେ କଥା !

ଏ ମହାଆହୂତି ପାଶେ ନାଚେ କେତେ ବୀର,

ତୁମ ପାଇଁ ବାକି ନୀରବ ନୟନ ନୀର ।

 

ପ୍ରଶ୍ନ

 

୧.

ମହାତ୍ମା ଗାନ୍ଧୀଙ୍କ ଅନଶନ ସମୟରେ ଦେଶବାସୀ କାହିଁକି ତାଙ୍କର ଜୟଗାନ କରିଥିଲେ-?

୨.

ପତିଙ୍କର ଅନଶନରେ ପତ୍ନୀ କସ୍ତୁରୀ ବାଈଙ୍କ ମନର ଅବସ୍ଥା କିପରି କଳ୍ପନା କରାଯାଇଛି, ଲେଖ ।

୩.

କସ୍ତୁରୀ ବାଈଙ୍କ ଜୀବନକୁ ସୀତା ଓ ଦ୍ରୌପଦୀଙ୍କ ଜୀବନ ସହିତ ତୁଳନା କର ।

୪.

ଏହି କବିତାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର କିପରି ବର୍ଣ୍ଣିତ ହୋଇଛି, ତାହା ନିଜ ଭାଷାରେ ଲେଖ ।

୫.

‘ତୁମ କଥା ଦେଶ.ଚୋରି କରି ନେଲା କଥା’–ଏହି ପଦର ଭାବାର୍ଥ ବୁଝାଇ ଦିଅ ।

୬.

ଶୂନ୍ୟନୟନ, ବେଦନାର ଅତଳତା, ଅତୀତର ଛବି, ପତିତଶ୍ରେଷ୍ଠ, ବିଶ୍ୱ-ମୁକୁଟ-ମଣି, ରାଜନୀତି-ବିଶାରଦ, ମରଣଆହବ, ପୁରୁଷଶ୍ରେଷ୍ଠ, ମହାଆହୂତି–ଏହି ପ୍ରୟୋଗ ଗୁଡ଼ିକର ଅର୍ଥ ଲେଖ ।

୭.

‘ଡାକେ ସେ ଆରତେ...ଜୟ ହେ ମୋହନ ଦାସ’–ଏହାକୁ ଗଦ୍ୟରେ ପରିଣତ କରି ପ୍ରତ୍ୟକ୍ଷୋକ୍ତିକୁ ପରୋକ୍ଷୋକ୍ତିରେ ବଦଳାଇ ଦିଅ ।

Image

 

ଆଚାର ଓ ବ୍ୟବହାର

 

ଗୋଟିଏ ପ୍ରବଚନ ଶୁଣାଯାଏ, ‘‘ଦେଶକେ ଫାଙ୍କ ନଈକେ ବାଙ୍କ୍‌ ।’’ ଅର୍ଥାତ୍‌ ପ୍ରତ୍ୟେକ ନଦୀ ଯେପରି ବକ୍ର, ସେହିପରି ପ୍ରତି ଦେଶର ମନୁଷ୍ୟମାନଙ୍କ ମଧ୍ୟରେ ଭାଷା, ଧର୍ମ, ଆଚାର ବ୍ୟବହାର, ଆହାର ଓ ପରିଧାନରେ ପାର୍ଥକ୍ୟ ଦେଖାଯାଏ । ସ୍ଥାନ ଓ ଜଳବାୟୁ ଭେଦରେ ପୃଥିବୀର ମନୁଷ୍ୟସମାଜ ଭିତରେ କଳା, ଧଳା, ଲାଲ, ହଳଦିଆ, ଶ୍ୟାମଳ ଆଦି ନାନା ବର୍ଣ୍ଣର ଲୋକ ଅଛନ୍ତି । ସେମାନଙ୍କର ଭାଷା ଓ ରୀତିନିତି ମଧ୍ୟ ସେହିପରି ବିଭିନ୍ନ ପ୍ରକାରର ହୋଇଥାଏ ।

 

ଶିକ୍ଷା ଦୀକ୍ଷା ଓ ସଭ୍ୟତା ଦୃଷ୍ଟିରୁ ଆର୍ଯ୍ୟ ଅନାର୍ଯ୍ୟ ବୋଲି ମଧ୍ୟ ମନୁଷ୍ୟମାନଙ୍କୁ ଦୁଇ ପ୍ରଧାନ ଭାଗରେ ବିଭକ୍ତ କରାଯାଏ । ଉଭୟଙ୍କ ମଧ୍ୟରେ ଅନେକ ପ୍ରକାର ବର୍ଣ୍ଣ, ଜାତି ଓ ଭାଷାଭାଷୀ ହୋଇ ସେମାନେ ପୃଥକ୍‌ ଆଚାର ବ୍ୟବହାର ମାନି ଚଳନ୍ତି । ଅନାର୍ଯ୍ୟମାନଙ୍କର ଲିଖିତ ଭାଷା ନାହିଁ । ମାତ୍ର ତାଙ୍କର କଥିତ ଭାଷା, ଧର୍ମବିଶ୍ୱାସ, ବିବାହ, ଶ୍ରାଦ୍ଧ, ଆହାର ପରିଚ୍ଛଦରୁ ଆଚାର ଓ ବ୍ୟବହାର ବିଷୟରେ କେତେକ ଧାରଣା ଜନ୍ମେ ।

 

ଅନାର୍ଯ୍ୟ ବା ଆଦିବାସୀମାନଙ୍କର ନିଜ ଗୃହ ଓ ପରିଧେୟକୁ ପରିଷ୍କାର ରଖିବାରେ ଏବଂ ଦୂରବର୍ତ୍ତୀ ନଦୀବାଲୁକାରେ ଗର୍ତ୍ତକରି ତହିଁରୁ ପାନୀୟ ଜଳ ଆହରଣ କରିବାରେ ଅଥବା କୁଷ୍ଠରୋଗୀକୁ ଲୋକବସତିରୁ ଦୂରରେ ରଖିବାରେ ସ୍ୱାସ୍ଥ୍ୟପ୍ରତି ସତର୍କତା ଦେଖାଯାଏ । ସେହିପରି ତାଙ୍କର ବିବାହ ଓ ନୃତ୍ୟଗୀତ ସହିତ ପର୍ବଉତ୍ସବଗୁଡ଼ିକ ଅତି ସରଳ । ସେମାନଙ୍କ ମଧ୍ୟରେ ନାରୀପୁରୁଷର ଯେଉଁ ସ୍ୱାଧୀନତା ଦେଖାଯାଏ, ବିବାହକ୍ଷେତ୍ରରେ ବରକନ୍ୟା ଯେପରି ପରସ୍ପରକୁ ନିର୍ବାଚନ କରନ୍ତି ଏବଂ ନାରୀପୁରୁଷ ଏକତ୍ର ନୃତ୍ୟଗୀତରେ ଯୋଗଦିଅନ୍ତି, ସୁସଭ୍ୟ ୟୁରୋପୀୟ ସମାଜରେ ମଧ୍ୟ ସେହିରୂପ ପଦ୍ଧତି ପ୍ରଚଳିତ ହେଉଅଛି । ମାତ୍ର ଗୁଣିଗାରେଡ଼ି ପ୍ରଭୃତି କେତେକ କୁସଂସ୍କାର ବଶବର୍ତ୍ତୀ ହୋଇ ସେମାନେ ଘୋର ଅଜ୍ଞତାର ପରିଚୟ ଦିଅନ୍ତି ଏବଂ ଡାହାଣୀ ବୋଲି ବିଶ୍ୱାସ କରି କେତେ ନିରପରାଧୀ ନାରୀଙ୍କୁ ହତ୍ୟା କରନ୍ତି । ସେମାନଙ୍କ ଆଚାର ଓ ପଦ୍ଧତିରେ କେହି ସାମାନ୍ୟ ବ୍ୟତିକ୍ରମ ଘଟାଇଲେ ତାହାକୁ ହତ୍ୟା କରିବାକୁ ମଧ୍ୟ ସେମାନେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

 

କେବଳ ଅନାର୍ଯ୍ୟ ନୁହନ୍ତି, ଆର୍ଯ୍ୟ ସମାଜରେ ମଧ୍ୟ ଏହିରୂପ ବହୁ ଉଦାହରଣ ମିଳେ । ଆମ୍ଭମାନଙ୍କ ସମାଜରେ ପ୍ରଥମେ ଯେତେବେଳେ ଚାରିଗୋଟି ଜାତିର ସୃଷ୍ଟି ହୋଇଥିଲା, ସେତେବେଳେ ପ୍ରତ୍ୟେକ ଜାତିପାଇଁ ପୃଥକ୍‌ କାର୍ଯ୍ୟ ବାଣ୍ଟି ଦିଆଗଲା । ଯେ ଯାହାର କୌଳିକ କର୍ମଦ୍ୱାରା ପରସ୍ପରକୁ ସାହାଯ୍ୟ କରି ଗୋଟିଏ ସୁଶୃଙ୍ଖଳ ସମାଜ ଗଢ଼ିଥିଲେ । ମାତ୍ର ସେହି ଚାରି ଜାତି କାଳକ୍ରମେ ବହୁ ଉପଜାତିରେ ବିଭକ୍ତ ହୋଇ ପରସ୍ପରକୁ ଘୃଣା ଓ ବିଦ୍ୱେଷ ଦୃଷ୍ଟିରେ ଦେଖିଲେ; ପୁଣି ଶୁଦ୍ରମାନଙ୍କୁ ଅସ୍ପୃଶ୍ୟ ବିଚାରି ଦୂରରେ ରଖିଲେ । ଜାତିଭେଦ ଅତି ଉତ୍କଟ ଆକାର ଧରି ସମାଜର ଏକ କଳଙ୍କରେ ପରିଣତ ହେଲା । ସମୂହ କଲ୍ୟାଣ କରିବା ପରିବର୍ତ୍ତେ ଏହି ଆଚାର ସମାଜର ଗୋଟିଏ ଅଙ୍ଗକୁ ଦୁର୍ବଳ କରି ପକାଇଲା । ତେଣୁ ଅସ୍ପୃଶ୍ୟତା ନିବାରଣ ପାଇଁ ଆନ୍ଦୋଳନ କରାଗଲା ।

 

ବିବାହ, ବ୍ରତ, ଶ୍ରାଦ୍ଧ, ପୂଜା, ପର୍ବ ମଧ୍ୟରେ ଯେଉଁ ପବିତ୍ର ଧର୍ମଭାବ ଥିଲା ତାହା ନିତାନ୍ତ ଗୌଣ ହୋଇପଡ଼ିଲା । ବିବାହରେ ଯୌତୁକ ପ୍ରଥା ଏବଂ ବ୍ରତଶ୍ରାଦ୍ଧରେ ଦରିଦ୍ର ଲୋକ ଋଣକରି ସୁଦ୍ଧା କୁଟୁମ୍ବମାନଙ୍କୁ ଭୋଜନ ଓ ବାଧ୍ୟତାମୂଳକ ଦାନଦକ୍ଷିଣା ଦେବା ପ୍ରଥା ସେହିସବୁ ଅନୁଷ୍ଠାନର ମହତ୍ତ୍ୱକୁ ନଷ୍ଟ କରିଦେଲା । ଦେବତାଙ୍କର ପୂଜାପର୍ବରେ ମଧ୍ୟ ଯାନିଯାତ୍ରା ଓ ରୋଷଣୀ ଅଂଶଟି ଅଧିକ ହୋଇ ପ୍ରକୃତ ଧର୍ମଭାବ ଗୌଣ ହୋଇପଡ଼ିଲା ।

 

ପୂର୍ବେ ପତିବ୍ରତା ନାରୀମାନେ ବିଧବା ହେଲେ ସ୍ୱେଚ୍ଛାରେ ସ୍ୱାମୀ-ଚିତାନଳରେ ପ୍ରବେଶ କରି ସତୀତ୍ୱର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦେଖାଉଥିଲେ । ଶେଷରେ ତାହା ମଧ୍ୟ ଏକ ବାଧ୍ୟତାମୂଳକ ପ୍ରଥା ହେଲା । ଜବରଦସ୍ତି ସଦ୍ୟ ସ୍ୱାମୀହୀନା ନାରୀକୁ ଚିତାନଳରେ ନିକ୍ଷେପ କରାଗଲା ଏବଂ ନୃଶଂସ ଅତ୍ୟାଚାରକୁ ଦମନ କରିବା ପାଇଁ ଆଇନବଳରେ ସତୀଦାହ ପ୍ରଥା ନିଷେଧ କରିବାକୁ ପଡ଼ିଥିଲା ।

 

ଆଧୁନିକ ଯୁଗରେ ଯେଉଁ ୟୁରୋପୀୟ ଜାତିମାନେ ସୁସଭ୍ୟ ବୋଲି ପରିଚିତ, ତାଙ୍କ ଭିତରେ ମଧ୍ୟ କୁସଂସ୍କାର ଓ ଅନ୍ଧବିଶ୍ୱାସର ଦୃଷ୍ଟାନ୍ତ ବିରଳ ନୁହେଁ । ଆମ୍ଭମାନଙ୍କ ଅଯୋଧ୍ୟା ଇନ୍ଦ୍ରପ୍ରସ୍ଥ ପରି ପ୍ରାଚୀନ ଗ୍ରୀସ୍‌ରେ ସ୍ପାର୍ଟା ନାମକ ନଗର ବୀରଭୂମିରୂପେ ବିଖ୍ୟାତ ଥିଲା । ଆମ ଦେଶର ମନୁ, ପରାଶର ଯେପରି ଆଚାର, ପଦ୍ଧତି ଓ ଶିକ୍ଷା ଦୀକ୍ଷା ବିଷୟରେ ନିୟମମାନ ଲେଖିଛନ୍ତି, ସେହିପରି ଲାଇକାର୍ଗୁ ନାମକ ସ୍ପାର୍ଟାରେ ଜଣେ ଶାସ୍ତ୍ରକାର ପାଶ୍ଚାତ୍ୟ ଆଚାର ଶିକ୍ଷା ବିଷୟରେ ନିୟମମାନ ପ୍ରଣୟନ କରିଛନ୍ତି ।

 

ସ୍ପାର୍ଟାରେ ଶିଶୁ ଜନ୍ମଲାଭ କରିବା ପରେ ଅନ୍ଧ, କୁବ୍‌ଜ, ରୁଗ୍‌ଣ ଶିଶୁମାନଙ୍କୁ ଟେମସ୍‌ ପର୍ବତ ନିମ୍ନକୁ ନିକ୍ଷେପ କରାଯାଉଥିଲା । ଏଥିରେ ମାତାପିତା ଆପତ୍ତି କରିପାରୁ ନ ଥିଲେ-। କେବଳ ସୁସ୍ଥ ସବଳ ଶିଶୁମାନଙ୍କୁ ହିଁ ମାତା ପିତା ଫେରି ପାଉଥିଲେ ।

 

ବୁଦ୍ଧ, ଶଙ୍କର, ଯୀଶୁ, ମହମ୍ମଦ, ନାନକ ବା ଶ୍ରୀଚୈତନ୍ୟ ଆଦି ଧର୍ମସଂସ୍କାରକ ଯୁଗେ ଯୁଗେ ମନୁଷ୍ୟମାନଙ୍କୁ ସଦାଚାର ଶିକ୍ଷା ଦେଇଯାଇଛନ୍ତି । ମାତ୍ର ସେମାନଙ୍କ ଉପଦେଶଗୁଡ଼ିକୁ କଦର୍ଥ କରିବା ଦ୍ୱାରା ସାଧାରଣ ମଧ୍ୟରେ ସାମ୍ପ୍ରଦାୟିକ ଜାତିଗତ ଓ ଧର୍ମଗତ ନାନା ଭେଦ ଓ ବିଦ୍ୱେଷ ବ୍ୟାପିଯାଉଛି । ତାହା ଫଳରେ ପରସ୍ପର ମଧ୍ୟରେ କେତେ ହିଂସା ଓ ରକ୍ତପାତ ଘଟୁଛି, ଇତିହାସରେ ସେ ସବୁ ପ୍ରମାଣର ଅଭାବ ନାହିଁ । ଏହିରୂପେ ପୂର୍ବେ ଧର୍ମଯୁଦ୍ଧ ନାମରେ ବହୁ ଲୋକକ୍ଷୟ ହେଉଥିଲା ।

 

ସାମାଜିକ ଆଚାର ପଦ୍ଧତିଗୁଡ଼ିକ କ୍ରମେ ଆଇନରେ ପରିଣତ ହୁଏ । ମନୁ ଓ ପରାଶର ସଂହିତାରେ ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଲିଖିତ ହୋଇଥିବା କେତେକ ଆଚାରପଦ୍ଧତି ଆମ୍ଭମାନଙ୍କ ହିନ୍ଦୁ ଆଇନରେ ସ୍ଥାନ ପାଇଛି । ସେଗୁଡ଼ିକୁ ଅମାନ୍ୟ କଲେ ଦଣ୍ଡିତ ହେବାକୁ ପଡ଼େ ।

 

ଆହାର ପରିଧାନ ଆଦି ବାହ୍ୟ ଆଚାରଗୁଡ଼ିକ ଜାତି, ଗୋଷ୍ଠୀ ବା ସମ୍ପ୍ରଦାୟକୁ ପୃଥକ୍‌ବୋଲି ଚିହ୍ନାଇ ଦେଉଥିଲେ ହେ ଆଧୁନିକ ଶିକ୍ଷା ପ୍ରଭାବରେ ସେ ପାର୍ଥକ୍ୟ କ୍ରମେ ଦୂର ହୋଇଯାଉଛି । ହିନ୍ଦୁ, ମୁସଲମାନ୍‌, ବୌଦ୍ଧ, ଖ୍ରୀଷ୍ଟାନ୍‌ ସକଳ ଧର୍ମ ଓ ସମ୍ପ୍ରଦାୟର ଶିକ୍ଷିତ ଲୋକେ ଆଜି ସମାନ ପରିଚ୍ଛଦ ପିନ୍ଧି ଓ ସମାନ ଆସନରେ ବସି ଆହାର କରୁଛନ୍ତି ।

 

ତେଣୁ ମନେହୁଏ, ଆଚାରର ସଂକୀର୍ଣ୍ଣ ସୀମା ମଧ୍ୟରୁ ବାହାରି ଆସି ସମସ୍ତେ ଏକତାପାଶରେ ଆବଦ୍ଧ ହେବାକୁ ଇଚ୍ଛୁକ । ଗୋଟିଏ ମାନବଜାତିର ସନ୍ତାନ ରୂପେ ନିଜକୁ ଅନୁଭବ କରିବାପାଇଁ ପ୍ରକୃତ ଶିକ୍ଷିତ ବ୍ୟକ୍ତିମାନଙ୍କଠାରେ ବ୍ୟାକୁଳତା ଦେଖାଯାଏ । ସବୁ ଧର୍ମପ୍ରଚାରକ ଓ ମହାପୁରୁଷ ହିଁ ଯୁଗେ ଯୁଗେ ସମଗ୍ର ବସୁଧାକୁ ନିଜ କୁଟୁମ୍ବରୂପେ ଜ୍ଞାନ କରିବାପାଇଁ କହିଯାଇଛନ୍ତି-

 

ପ୍ରଶ୍ନ

 

୧.

ଆଚାର ବା ପଦ୍ଧତି କହିଲେ ତୁମେ କ’ର ବୁଝ, ଉଦାହରଣ ଦେଇ ଲେଖ ।

 

 

୨.

ଅନାର୍ଯ୍ୟମାନଙ୍କ ସହିତ ଆର୍ଯ୍ୟମାନଙ୍କର ଆଚାରବ୍ୟବହାରରେ କିପରି ସାମଞ୍ଜସ୍ୟ ଦେଖାଯାଏ ?

 

 

୩.

ଗୋଟିଏ ମାନବଜାତିର ସନ୍ତାନରୂପ.ବ୍ୟାକୁଳ ହୋଇ ପଡ଼ିଛନ୍ତି ଏ ବାକ୍ୟଟିର ମର୍ମ ବିଶ୍ଲେଷଣ କର ।

 

 

୪.

ମନୁ, ପରାଶର, କୌଟିଲ୍ୟ, ଲାଇକାର୍ଗୁ, ସ୍ପାର୍ଟା, ଅର୍ଥଶାସ୍ତ୍ର, କୁସଂସ୍କାର ବିଷୟରେ ଯାହା ଜାଣିଲ, ଲେଖ ।

Image

 

ମହାମନୀଷୀ କାଉଣ୍ଟ୍‍ଲିଓ ଟଲଷ୍ଟୟ

 

ଜଣେ ଜଣେ କ୍ଷଣଜନ୍ମା ମହାପୁରୁଷ ପୃଥିବୀକୁ ସାମ୍ୟ, ମୈତ୍ରୀ, ଜ୍ଞାନ ଓ କର୍ମର ଆଦର୍ଶରେ ଉଦ୍‌ବୁଦ୍ଧ କରିଯାଆନ୍ତି । ତନ୍ମଧ୍ୟରୁ ଜଣେ ଅଦ୍ଭୁତକର୍ମା ପୁରୁଷ ୧୯୧୦ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁର କୋଡ଼ିଏ ବର୍ଷ ପୂର୍ବରୁ ଏକ ନିରବଚ୍ଛିନ୍ନ ଜନସ୍ରୋତ ତାହାଙ୍କୁ ଦର୍ଶନ କରିବାକୁ, ତାଙ୍କ ମୁଖରୁ ଗୋଟିଏ ଶବ୍ଦ ଶୁଣିବାକୁ କିମ୍ବା ତାଙ୍କ ପରିଧେୟର ପ୍ରାନ୍ତଦେଶ ସ୍ପର୍ଶ କରିବାକୁ ମହାପୁଣ୍ୟ ବୋଲି ବିଚାରି ତାଙ୍କ ଗୃହରେ ରୁଣ୍ଡ ହେଉଥିଲେ । ତାଙ୍କର ବାସସ୍ଥାନ ଏକ ତୀର୍ଥଭୂମି ରୂପେ ପରିଗଣିତ ହୋଇଥିଲା ।

 

ଏହି ମନୀଷୀଙ୍କର ନାମଥିଲା–କାଉଣ୍ଟ୍‌ଲିଓ ଟଲଷ୍ଟୟ । ରୁଷିଆ ଦେଶର ଏକ ଶ୍ରେଷ୍ଠ ଧନଶାଳୀ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରି ଟଲଷ୍ଟୟ ଐଶ୍ୱର୍ଯ୍ୟ କ୍ରୋଡ଼ରେ ଲାଳିତ ହୋଇଥିଲେ-। ଯୌବନରେ ସେ ଏକ ବହୁବ୍ୟୟୀ ଧନୀକ ସନ୍ତାନରୂପେ ପୋଷାକ ପରିଚ୍ଛଦ ଓ ବିଳାସ ବ୍ୟସନରେ ମତ୍ତ ଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ଜଣେ ଦରିଦ୍ର କୃଷକ ପରି ସାଧାରଣ ମୋଟା ଲୁଗା ପିନ୍ଧି ସେ ନିଜର ବିପୁଳ ସମ୍ପତ୍ତିକୁ ଦେଶବାସୀଙ୍କ କଲ୍ୟାଣ ପାଇଁ ଦାନ କରି ଯାଇଛନ୍ତି-। ଶେଷରେ ସମ୍ପୂର୍ଣ୍ଣ ନିଃସ୍ୱ ଜୀବନ ବରଣ କରି ସେ ନିଜର ଜୋତା ନିଜ ହସ୍ତରେ ପ୍ରସ୍ତୁତ କରିଥିଲେ, ନିଜର ଶେଯ ସିଲାଇ ଓ ଗୃହ ପରିଷ୍କାର ମଧ୍ୟ ନିଜେ କରିଥିଲେ ଏବଂ କାଷ୍ଠପାତ୍ରରେ ଅତି ସାଧାରଣ ଖାଦ୍ୟ ଆହାର କରି ସନ୍ତୁଷ୍ଟ ରହିଥିଲେ । ତାଙ୍କର ସମ୍ଭୋଗ ଓ ବିଳାସ ଯେପରି ବିରାଟ, ତ୍ୟାଗ ମଧ୍ୟ ସେହିପରି ବା ତହିଁରୁ ଅଧିକ ବିରାଟ ।

 

ବହୁ ଭକ୍ତ ଆସି ଟଲଷ୍ଟୟଙ୍କ ବାସଭବନରେ ବର୍ଷ ବର୍ଷ ଧରି ରହିଲେ ଏବଂ ଯେତେବେଳେ ସେ ଯେଉଁ ବାକ୍ୟ ଉଚ୍ଚାରଣ କରୁଥିଲେ, ସେ ସମସ୍ତ ଟିପି ରଖିଲେ । ତାଙ୍କ ଦୈନନ୍ଦିନ ଜୀବନର ପ୍ରତି କ୍ଷୁଦ୍ର ଘଟଣା ମଧ୍ୟ ଲିପିବଦ୍ଧ କରାଗଲା । ତତ୍ପରେ ଏହି ଘଟଣାବଳୀ ବହୁ ପ୍ରକାଣ୍ଡ ପୁସ୍ତକାକାରରେ ମୁଦ୍ରିତ ହେଲା ।

 

ଟଲଷ୍ଟୟଙ୍କ ସମ୍ବନ୍ଧରେ ଯେତେ ଗ୍ରନ୍ଥ ରଚିତ ହୋଇଅଛି, ତାହା ସ୍ମରଣ କଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡ଼େ । ତାହାଙ୍କର ମତାମତ ଓ ଜୀବନର ଘଟଣାବଳୀ ଘେନି ପ୍ରାୟ ତେଇଶି ହଜାର ପୁସ୍ତକ ପ୍ରଣୀତ ହୋଇଅଛି । ସମ୍ବାଦପତ୍ର ଓ ମାସିକ ପତ୍ରରେ ତାଙ୍କ ବିଷୟରେ ଛପନ ହଜାର ପ୍ରବନ୍ଧ ଲିଖିତ ହୋଇଥିଲା । ଏହା ବ୍ୟତୀତ ସେ ନିଜେ ମଧ୍ୟ ଏକ ଶତ ଖଣ୍ଡ ସୁବୃହତ୍‌ ଗ୍ରନ୍ଥ ରଚନା କରିଯାଇଛନ୍ତି । କେହି ବ୍ୟକ୍ତି ସ୍ୱୀୟ ଜୀବନକାଳ ମଧ୍ୟରେ ଏତେ ଗ୍ରନ୍ଥ ରଚନା କରିଯିବା ଏକ ବିଶାଳ କାର୍ଯ୍ୟ ବୋଲି ବୁଝିବାକୁ ହେବ ।

 

ଛାତ୍ରାବସ୍ଥାରେ ଟଲଷ୍ଟୟ ପରୀକ୍ଷାରେ ସର୍ବଦା ଅକୃତକାର୍ଯ୍ୟ ହେଉଥିଲେ । ଗୃହଶିକ୍ଷକଗଣ ତାଙ୍କ ମସ୍ତିଷ୍କରେ କୌଣସି ବିଦ୍ୟା ବା ବିବେକ ବୁଦ୍ଧି ପ୍ରବେଶ କରାଇବାକୁ ଅସମର୍ଥ ହୋଇପଡ଼ିଥିଲେ । କିନ୍ତୁ ତିରିଶ ବର୍ଷ ପରେ ସେହି ଯୁବକ ଦୁଇ ଖଣ୍ଡି ସର୍ବଶ୍ରେଷ୍ଠ ଉପନ୍ୟାସ ପୃଥିବୀ ସାହିତ୍ୟକୁ ଦାନକଲେ । ଶତାବ୍ଦୀବ୍ୟାପୀ ଏହି ଉପନ୍ୟାସଦ୍ୱୟ ଜୀବିତ ରହିଥିବ । ଉପନ୍ୟାସ ଦୁଇଟିର ନାମ ‘‘ସମର ଓ ଶାନ୍ତି’’ ଏବଂ ‘‘ଆନା କାର୍‌ନିନା’’ । ସମାଜରୁ ଦୁଃଖ ଦାରିଦ୍ର୍ୟ ଦୂର କରି ମନୁଷ୍ୟ ଜୀବନକୁ ଧର୍ମଭାବରେ ପ୍ରଣୋଦିତ କରିବା ଉଦ୍ଦେଶ୍ୟରେ ସେ ସମସ୍ତ ଗ୍ରନ୍ଥ ରଚନା କରିଥିଲେ ।

 

ପ୍ରକାଣ୍ଡ ରୁଷିଆ ସାମ୍ରାଜ୍ୟରେ ଯେତେ ପ୍ରତାପଶାଳୀ ସମ୍ରାଟ୍‌ ଶାସନ କରିଛନ୍ତି, ସେ ସମସ୍ତଙ୍କ ତୁଳନାରେ ଏହି ଶ୍ରେଷ୍ଠ ସାହିତ୍ୟିକ ଓ ମହାମନୀଷୀ ଟଲଷ୍ଟୟଙ୍କର ନାମ ବେଶି ବିଖ୍ୟାତ । କିନ୍ତୁ ସେ ଯେଉଁ ଶ୍ରେଷ୍ଠ ଉପନ୍ୟାସମାନ ଲେଖିଥିଲେ, ସେଥିଲାଗି ସୁଖୀ ହୋଇ ପାରିଲେ କି ? ଅବଶ୍ୟ କିଛି ସମୟ ପାଇଁ ସେ ସନ୍ତୋଷ ଲାଭ କରିଥିଲେ । ତତ୍ପରେ ତାଙ୍କ ଚିତ୍ତରେ ଘୋର ଲଜ୍ଜା ଓ ଗ୍ଲାନି ଜାତ ହେଲା । କାରଣ ସେ ହୃଦୟଙ୍ଗମ କଲେ ଯେ, ରୁଷିଆର ଅଧିକାଂଶ ପୁରୁଷ ଓ ନାରୀଙ୍କ ପକ୍ଷରେ ଉକ୍ତ ପ୍ରକାଣ୍ଡ ଗ୍ରନ୍ଥମାନ ପାଠ କରିବା ସମ୍ଭବପର ନୁହେଁ ।

 

ଜନ-ସମାଜରୁ ଦାରିଦ୍ର୍ୟ ଲୋପ କରି ଶାନ୍ତି ଓ ମୈତ୍ରୀଭାବ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସେ କ୍ଷୁଦ୍ର କ୍ଷୁଦ୍ର ପୁସ୍ତିକାମାନ ଲେଖିଥିଲେ । ସ୍ୱଳ୍ପ ମୂଲ୍ୟରେ ପ୍ରକାଶିତ ଏହି କ୍ଷୁଦ୍ର ପୁସ୍ତିକାଗୁଡ଼ିକ ବହୁସଂଖ୍ୟାରେ ଗାଡ଼ିରେ ବୋଝେଇ ହୋଇ ଦ୍ୱାରେ ଦ୍ୱାରେ ବିକ୍ରୟ କରାଗଲା । ଏହି ଭାବରେ ଚାରିଟି ବର୍ଷ ମଧ୍ୟରେ ତାଙ୍କର ରଚିତ ଏକ କୋଟି କୋଡ଼ିଏ ଲକ୍ଷ ପୁସ୍ତିକା ବିକ୍ରୟ ହୋଇଯାଇଥିଲା-

 

ବୈବାହିକ ଜୀବନର ପ୍ରଥମାବସ୍ଥାରେ ଟଲଷ୍ଟୟ ଓ ତାହାଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରଗାଢ଼ ପ୍ରେମ ପ୍ରତିଷ୍ଠିତ ହୋଇଥିଲା । ମାତ୍ର ପରେ ପତି ପତ୍ନୀଙ୍କ ମଧ୍ୟରେ ଘୋର ମନୋମାଳିନ୍ୟ ଘଟିଲା । ତାଙ୍କର ପତ୍ନୀ ବିଳାସ ବ୍ୟସନରେ ରହିବାକୁ ସର୍ବଦା ସୁଖକର ମଣୁଥିଲେ । ଅଥଚ ଟଲଷ୍ଟୟ ସେ ସବୁକୁ ଘୃଣା ଦୃଷ୍ଟିରେ ଦେଖୁଥିଲେ । ସ୍ତ୍ରୀଙ୍କର ବଡ଼ଲୋକି ଚାଲ୍‌ରେ ସମାଜରେ ଚାଲିବା ପାଇଁ ଇଚ୍ଛା; କିନ୍ତୁ ସ୍ୱାମୀଙ୍କ ପକ୍ଷରେ ଏହି ଅନିତ୍ୟ ବସ୍ତୁଗୁଡ଼ିକ ଅର୍ଥହୀନ ହୋଇ ରହିଥିଲା । ସ୍ତ୍ରୀଙ୍କର ଧନଲୋଭ ଓ ବହୁମୂଲ୍ୟ ଆଭରଣର ଲାଳସା ପ୍ରବଳ ଥିଲେ ହେଁ ସ୍ୱାମୀ ଧନସଞ୍ଚୟ ଓ ପୈତୃକ-ସମ୍ପତ୍ତିର ଅଧିକାରକୁ ପାପ ବୋଲି ଘୃଣା କରୁଥିଲେ । ସ୍ତ୍ରୀଙ୍କର ଇଚ୍ଛା ଥିଲା, କ୍ଷମତା ବଳରେ ସମ୍ମାନ ଲାଭ କରିବାକୁ, ମାତ୍ର ସ୍ୱାମୀଙ୍କର ଇଚ୍ଛା ଥାଏ ପ୍ରେମ ବଳରେ । ସ୍ୱାମୀ ଯାହା କିଛି ତୁଚ୍ଛ ଜ୍ଞାନ କରୁଥିଲେ, ସ୍ତ୍ରୀଙ୍କ ପକ୍ଷରେ ତାହାହିଁ ଥିଲା ମୂଲ୍ୟବାନ୍‌ ।

 

ଥରେ ଟଲଷ୍ଟୟ ସ୍ୱୀୟ ଗ୍ରନ୍ଥାବଳୀର ପ୍ରକାଶ ଅଧିକାର ବିନାମୂଲ୍ୟରେ ରୁଷିଆବାସୀଙ୍କୁ ଦାନ କରିବାକୁ ମନସ୍ଥ କରିଥିଲେ । ଏହି କାରଣରୁ ବହୁ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ନିଜ ପତ୍ନୀଙ୍କର ଭର୍ତ୍ସନା ସହ୍ୟ କରିବାକୁ ହୋଇଥିଲା ।

 

ବିବାହ ପରଠାରୁ ଟଲଷ୍ଟୟ ଦମ୍ପତି ୫୦ ବର୍ଷ ପର୍ଯ୍ୟନ୍ତ ସଂସାର କରିଥିଲେ । ଶେଷରେ ୮୨ ବର୍ଷ ବୟସରେ ଟଲ୍‌ଷ୍ଟୟଙ୍କ ପକ୍ଷରେ ସାଂସାରିକ ଜୀବନର ବ୍ୟର୍ଥତା ଅସହ୍ୟ ହୋଇ ପଡ଼ିଲା-। ୧୯୧୦ ଅକ୍ଟୋବର ମାସ ୨୧ ତାରିଖ ରାତ୍ରରେ ସ୍ତ୍ରୀଙ୍କ ନିକଟରୁ ସେ ପଳାୟନ କଲେ-। ପ୍ରବଳ ଶୀତ ଓ ଘୋର ଅନ୍ଧକାର ମଧ୍ୟରେ ସେ କେଉଁ ପଥର ଯାତ୍ରୀ ହେଲେ, ତାହା ନିଜେ ମଧ୍ୟ ଜାଣିଲେ ନାହିଁ ।

 

ଗୃହତ୍ୟାଗର ୧୧ଦିନ ପରେ ସାନ୍ନିପାତିକ ଜ୍ୱରରେ ଆକ୍ରାନ୍ତ ହୋଇ ଏକ ରେଳଷ୍ଟେସନରେ ଟଲଷ୍ଟୟ ମୃତ୍ୟୁମୁଖରେ ପଡ଼ିଥିଲେ । ତାହାଙ୍କର ଶେଷବାଣୀ ହେଉଛି–‘‘ସର୍ବଦା ଜ୍ଞାନର ଅନ୍ୱେଷଣ କର ।’’

 

ପ୍ରଶ୍ନ

 

୧.

ଟଲଷ୍ଟୟଙ୍କ ଜୀବନୀ ପାଠ କରି ତାଙ୍କର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ତୁମେ ଯାହା ଶିଖିଲ, ତାହା ଗୋଟିଏ ଅନୁଚ୍ଛେଦରେ ବର୍ଣ୍ଣନା କର ।

 

 

୨.

‘‘ନାନା ବିପରୀତ ଘଟଣାରେ ଟଲଷ୍ଟୟଙ୍କ ଜୀବନ ପରିପୂର୍ଣ୍ଣ ହୋଇଅଛି ।’’ ଏହି ବାକ୍ୟର ମର୍ମ ଉଦାହରଣ ସହ ବୁଝାଇ ଦିଅ ।

 

 

୩.

ଟଲଷ୍ଟୟ କେତେ ସଂଖ୍ୟକ ପୁସ୍ତକ ଲେଖିଥିଲେ ଓ ସେଥିମଧ୍ୟରୁ କେଉଁ ଦୁଇଟି ବେଶି ବିଖ୍ୟାତ ?

 

 

୪.

ସ୍ତ୍ରୀଙ୍କ ସହ ଟଲଷ୍ଟୟଙ୍କର କଳହର କାରଣ କଣ ଥିଲା ?

 

 

୫.

ନିମ୍ନ ବିଶେଷଣ ପଦ ସହିତ ଉପଯୁକ୍ତ ବିଶେଷ୍ୟ ପଦ ଯୋଗ କର:–ନିରବଚ୍ଛିନ୍ନ, ଦୈନନ୍ଦିନ, ସୁବୃହତ୍‌, ବୈବାହିକ ।

Image

 

ବିଶ୍ୱ-ମୈତ୍ରୀ

 

ସକଳ ଦେଶର ମନୁଷ୍ୟସମାଜରେ ଭ୍ରାତୃଭାବ, ତଥା ସାମ୍ୟ, ମୈତ୍ରୀ ଓ ଶାନ୍ତି ପ୍ରତିଷ୍ଠା କରି ଘୃଣା, ଦ୍ୱେଷ, ଦ୍ୱନ୍ଦ ଓ ଯୁଦ୍ଧ ଦୂର କରିବା ପାଇଁ ଯୁଗେ ଯୁଗେ ଶ୍ରେଷ୍ଠ ପୁରୁଷମାନେ ଉଦ୍ୟମ କରିଅଛନ୍ତି । ଆଧୁନିକ ଯୁଗରେ ମଧ୍ୟ ଏହିପରି ପ୍ରଶଂସନୀୟ ଉଦ୍ୟମ ଦେଖାଯାଇଥାଏ । ସେଥିମଧ୍ୟରୁ ନୋବେଲ ପୁରସ୍କାର ନାମକ ଅନୁଷ୍ଠାନଟି ଜଣେ ମହତ୍‌ ବ୍ୟକ୍ତିଙ୍କ ପ୍ରଚେଷ୍ଟାର ଫଳ । ମିଳିତ ଜାତିସଂଘ ନାମକ ଅପର ଅନୁଷ୍ଠାନଟି ବିଭିନ୍ନ ଦେଶର ମିଳିତ ଉଦ୍ୟମଦ୍ୱାରା ଗଠିତ ହୋଇଛି । ନୋବେଲ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଶିକ୍ଷା ସଂସ୍କୃତି କ୍ଷେତ୍ରରେ ଉନ୍ନତି ଘଟାଇ ମାନବ ସମାଜର କଲ୍ୟାଣ ସାଧନ କରିବା ଏବଂ ଲିଖିତ ଜାତିସଂଘର ଲକ୍ଷ୍ୟ ହେଲା, ରାଜନୀତି କ୍ଷେତ୍ରରେ ପୃଥିବୀର ସକଳ ଦେଶମଧ୍ୟରେ ବନ୍ଧୁତା ସ୍ଥାପନ କରିବା । ଏହି ଦୁଇଟି ଅନୁଷ୍ଠାନର କର୍ମପନ୍ଥା ଭିନ୍ନ ହେଲେହେଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏକ ଓ ଅଭିନ୍ନ ବୋଲିବାକୁ ହେବ ।

 

ନୋବେଲ୍‌ ପୁରସ୍କାର

 

ପୃଥିବୀପୃଷ୍ଠରେ ଶାନ୍ତି, ମୈତ୍ରୀ ଓ ମିଳନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆଲ୍‌ଫ୍ରେଡ଼୍‌ ନୋବେଲ୍‌ ନାମକ ସ୍ୱିଡ଼େନ୍‌ ଦେଶର ଜଣେ ମହାନୁଭବ ବ୍ୟକ୍ତି ନିଜର ବିଶାଳ ସମ୍ପତ୍ତି ଦାନ କରି ଏକ ପୁରସ୍କାର-ପାଣ୍ଠି ସୃଷ୍ଟି କରିଯାଇଛନ୍ତି । ତାଙ୍କରି ନାମାନୁସାରେ ଏହା ନୋବେଲ ପୁରସ୍କାର ବୋଲି ଅଭିହିତ । ପୃଥିବୀରେ ଏହା ବୃହତ୍ତମ ପୁରସ୍କାର ରୂପେ ପରିଗଣିତ ହୁଏ ।

 

ଆଲ୍‌ଫ୍ରେଡ଼ ନୋବେଲ୍‌ ସ୍ୱିଡ଼େନ୍‌ର ରାଜଧାନୀ ଷ୍ଟକ୍‌ହଲମ୍‌ ନଗରରେ ୧୮୩୩ ଖ୍ରୀଷ୍ଟାବ୍ଦରେ ଜନ୍ମଲାଭ କରିଥିଲେ । ତାଙ୍କ ପିତା ଇମାନ୍ୟୁଏଲ୍‌ ନୋବେଲ ଜଣେ ବିଜ୍ଞାନ ଅଧ୍ୟାପକ ଥିଲେ ଏବଂ ନାନାପ୍ରକାର ବିସ୍ଫୋରକ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ଗବେଷଣା ଓ ପରୀକ୍ଷା କରୁଥିଲେ । ଆଲ୍‌ଫ୍ରେଡ଼ ନୋବେଲ ପିତାଙ୍କଠାରୁ ପ୍ରେରଣା ଲାଭ କରି ରାସାୟନିକ ଗବେଷଣା କାର୍ଯ୍ୟରେ ବହୁ ବର୍ଷ କଠିନ ଅଧ୍ୟବସାୟ କଲେ । ତାହା ଫଳରେ ଡିନାମାଇଟ୍‌ ନାମକ ସବୁଠାରୁ ଅଧିକ ମାରାତ୍ମକ ବିସ୍ଫୋରକ ଉଦ୍ଭାବିତ ହେଲା ।

 

ଡିନାମାଇଟ୍‌ ଶକ୍ତି ଏତେ ଭୀଷଣ ଯେ, ତାହା କଠିନ ପର୍ବତକୁ ମଧ୍ୟ ଚୂର୍ଣ୍ଣ କରି ଧୂଳିସାତ୍‌ କରିପକାଏ । ଆଧୁନିକ ଯୁଦ୍ଧର ପ୍ରଚଣ୍ଡ ମାରଣାସ୍ତ୍ରମାନ ଡିନାମାଇଟ୍‌ରୁ ପ୍ରସ୍ତୁତ ହୋଇ ବହୁ ସମୃଦ୍ଧିଶାଳୀ ନଗର ଓ ଲକ୍ଷ ଲକ୍ଷ ପ୍ରାଣୀଙ୍କୁ ଧ୍ୱଂସ କରେ । ବିଚିତ୍ର କଥା ଏହି ଯେ, ଡିନାମାଇଟ୍‌ ଭଳି ସଂଘାତିକ ବିସ୍ଫୋରକ ଆବିଷ୍କାର କରି ନୋବେଲ ଯେଉଁ ପ୍ରଭୂତ ଅର୍ଥ ଉପାର୍ଜନ କଲେ, ତାହାକୁ ସେ କେବଳ ମନୁଷ୍ୟ ଜାତିର କଲ୍ୟାଣ ପାଇଁ ଦାନକରି ଯାଇଛନ୍ତି ।

 

ପୃଥିବୀରେ ଶାନ୍ତି ସଦ୍ଭାବ ପ୍ରସାର ଲାଗି ନୋବେଲଙ୍କ ପ୍ରତିଷ୍ଠିତ ପାଣ୍ଠିର ସୁଧରୁ ପ୍ରତି ବର୍ଷ ଉକ୍ତ ପୁରସ୍କାରମାନ ଦିଆଯାଏ । ଗୋଟିଏ ନୋବେଲ୍‌ ପୁରସ୍କାରର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା । ଏହି ରୂପେ ପ୍ରତି ବର୍ଷ ପାଞ୍ଚଗୋଟି ପୁରସ୍କାର ପାଇଁ ପ୍ରାୟ ଛଅଲକ୍ଷ ଟଙ୍କା ବିତରିତ ହୁଏ । ଏଥିରୁ ହିଁ ନୋବେଲ୍‌ଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିରାଟ ଅର୍ଥପାଣ୍ଠିର ପରିମାଣ ଅନୁମାନ କରାଯାଇପାରେ ।

 

କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଆନ୍ତର୍ଜାତିକ ମୈତ୍ରୀ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ବିଭିନ୍ନ ଦେଶର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ରର ହ୍ରାସ କିମ୍ବା ଲୋପ କରିବାକୁ ସର୍ବାପେକ୍ଷା ଶ୍ରେଷ୍ଠ ଉଦ୍ୟମ କରିଥିଲେ, ପ୍ରଥମ ପୁରସ୍କାରଟି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି । ଏହାର ନାମ ଶାନ୍ତି ପୁରସ୍କାର । ଦ୍ୱିତୀୟ ପୁରସ୍କାରଟି ପୃଥିବୀର ଶୀର୍ଷତମ ଆଦର୍ଶବାଦୀ ସାହିତ୍ୟ ରଚନା ପାଇଁ ଦିଆଯାଏ । ଅନ୍ୟ ତିନିଗୋଟି ପୁରସ୍କାର ପଦାର୍ଥ-ବିଜ୍ଞାନ, ରସାୟନ ଓ ଚିକିତ୍ସା ବିଜ୍ଞାନର ନୂତନ ଉଦ୍ଭାବନ ପାଇଁ ଉଦ୍ଦିଷ୍ଟ । ଏହିରୂପେ ପ୍ରତି ବର୍ଷ ପୃଥିବୀର ସର୍ବଶ୍ରେଷ୍ଠ ଶାନ୍ତି-ଉଦ୍ୟମୀ, ସାହିତ୍ୟିକ ଓ ବୈଜ୍ଞାନିକମାନଙ୍କୁ ନୋବେଲ୍‌ ପୁରସ୍କାର ବିତରଣ କରାଯାଏ । ବିଭିନ୍ନ ବିଷୟକ ପୁରସ୍କାର ଘୋଷଣା କରିବା ନିମିତ୍ତ ସୁଇଡ଼େନ ଓ ନରଓୟେ ଦେଶରେ ନିରପେକ୍ଷ ବିଜ୍ଞ ପରିଷଦମାନେ ଗଠିତ ହୋଇଅଛି । ପ୍ରତି ବିଭାଗରେ ପୁରସ୍କାର ସ୍ଥିରକରିବା ପାଇଁ ଏହି ପରିଷଦଗୁଡ଼ିକର ସିଦ୍ଧାନ୍ତକୁ ଚୂଡ଼ାନ୍ତ ବୋଲି ଧରାଯାଏ ।

 

୧୮୯୬ ଖ୍ରୀଷ୍ଟାବ୍ଦରେ ଆଲ୍‌ଫ୍ରେଡ଼୍‌ ନୋବେଲ୍‌ ପ୍ରାଣତ୍ୟାଗ କରିଥିଲେ । ୧୯୦୧ ଖ୍ରୀଷ୍ଟାବ୍ଦଠାରୁ ଆଜି ସୁଦ୍ଧା ତାଙ୍କ ପ୍ରଦତ୍ତ ପୁରସ୍କାର ପ୍ରାୟ ପ୍ରତି ବର୍ଷ ପୃଥିବୀର ବିଭିନ୍ନ ଦେଶର ଶ୍ରେଷ୍ଠ ସାଧକମାନଙ୍କୁ ବିତରଣ କରାଯାଉଛି । ଭାରତବର୍ଷରେ ଦୁଇଜଣ ମନୀଷୀ ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଏହି ପୁରସ୍କାର ଲାଭ କରିଛନ୍ତି । ରବୀନ୍ଦ୍ରନାଥ ଠାକୁର ତାହାଙ୍କର ‘‘ଗୀତାଞ୍ଜଳି’’ ନାମକ କବିତାଗ୍ରନ୍ଥ ପାଇଁ ୧୯୧୩ ଖ୍ରୀଷ୍ଟାବ୍ଦରେ ଏବଂ ଶ୍ରୀ ଚନ୍ଦ୍ରଶେଖର ଭେଙ୍କଟ ରମଣ ପଦାର୍ଥବିଜ୍ଞାନରେ ‘‘ରମଣରଶ୍ମି’’ ନାମକ ନୂତନ ଉଦ୍ଭାବନ କରି ୧୯୩୯ ଖ୍ରୀଷ୍ଟାବ୍ଦରେ ନୋବେଲ ପୁରସ୍କାର ପାଇଥିଲେ ।

 

ଆଜି ପୃଥିବୀର ଉଚ୍ଚାକାଙ୍‌କ୍ଷୀ ଦେଶସେବକ, କବି ଓ ବୈଜ୍ଞାନିକଗଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେବାପାଇଁ ଯେଉଁ ବିରାଟ ଉଦ୍ୟମରେ ବ୍ରତୀ ଅଛନ୍ତି, ତାହା କଳ୍ପନା କରିବା କଠିନ । ସମାଜ ସେବକମାନେ ଯୁଦ୍ଧ କଳହ ଦୂର କରି ପୃଥିବୀ ପୃଷ୍ଠରେ ସ୍ଥାୟୀ ଶାନ୍ତି ଆଣିବାପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି । କବି, ଔପନ୍ୟାସିକ ବା ନାଟ୍ୟକାରମାନେ ବିଶ୍ୱସାହିତ୍ୟରେ କଲ୍ୟାଣକାମୀ ଶ୍ରେଷ୍ଠ ଗ୍ରନ୍ଥମାନ ରଚନା କରିବାରେ ବ୍ରତୀ ହୋଇଛନ୍ତି । ପୁଣି ବୈଜ୍ଞାନିକମାନଙ୍କର ଅକ୍ଲାନ୍ତ ଅଧ୍ୟବସାୟ ନବ ନବ ଆବିଷ୍କାର ଓ ଉଦ୍ଭାବନ ଲାଗି ନିୟୋଜିତ ହେଉଛି ।

 

ଏହିରୂପେ ଆଲ୍‌ଫ୍ରେଡ ନୋବେଲ୍ ଯେଉଁ ପ୍ରଚୁର ଧନ ଅର୍ଜୁନ କରି ଶ୍ରେଷ୍ଠ ପୁରସ୍କାର ପ୍ରତିଷ୍ଠା କରିଗଲେ, ତାହା ତାଙ୍କ ଅର୍ଥର ସାର୍ଥକତାକୁ ଘୋଷଣା କରୁଅଛି ।

 

ଦେଶ ଦେଶ ମଧ୍ୟରେ ମତାନ୍ତର, ସଂଘର୍ଷ ଓ ଯୁଦ୍ଧକୁ ଦୂର କରି ଶାନ୍ତି ସଦ୍ଭାବ ପ୍ରତିଷ୍ଠା କରିବାପାଇଁ ମିଳିତ ଜାତିସଂଘ ସର୍ବଶ୍ରେଷ୍ଠ ଆନ୍ତର୍ଜାତିକ ଅନୁଷ୍ଠାନରୂପେ ପରିଗଣିତ ।

 

ପ୍ରଥମ ପୃଥିବୀ ମହାସମର ୧୯୧୪ ଖ୍ରୀଷ୍ଟାବ୍ଦରୁ ୧୯୧୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସଂଘଟିତ ହୋଇଥିଲା । ଏହା ଫଳରେ ବିଭିନ୍ନ ଦେଶର କ୍ଷତି ଅତ୍ୟନ୍ତ ଭୟାବହ ହୋଇପଡ଼ିଲା । ପୃଥିବୀକୁ ପୁନଶ୍ଚ ଯୁଦ୍ଧ ବିପଦରୁ ଉଦ୍ଧାର କରିବାପାଇଁ ସେତେବେଳେ ଗୋଟିଏ ଜାତିସଂଘ ଗଠନ କରାଯାଇଥିଲା ।

 

ଇଟାଲୀ ଓ ଜର୍ମାନୀର ରାଷ୍ଟ୍ରନାୟକ ମୁସୋଲିନି ଏବଂ ହିଟ୍‌ଲର ଉକ୍ତ ଜାତିସଂଘରୁ ବାହାର ଆସି ୧୯୩୯ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ମହାସମର ଆରମ୍ଭ କଲେ । ତେଣୁ ସେହି ଜାତିସଂଘ ଆଉ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

 

ଦ୍ୱିତୀୟ ମହାସମର ଲାଗିଥିବା ସମୟରେ ୧୯୪୩ ଖ୍ରୀଷ୍ଟାବ୍ଦରେ ପୃଥିବୀର ପ୍ରଧାନ ଦେଶମାନଙ୍କୁ ଘେନି ରୁଷିଆର ରାଜଧାନୀ ମସ୍କୋଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ସମ୍ମିଳନୀରେ ରୁଷିଆ, ଇଂଲଣ୍ଡ, ଆମେରିକା ଓ ଚୀନ ଦେଶର ପ୍ରତିନିଧିମାନେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାଲାଗି ଏକ ନୂତନ ମିଳିତ ଜାତିସଂଘ ଗଢ଼ିବାକୁ ସ୍ଥିରକଲେ । ୧୯୪୫ ଖ୍ରୀଷ୍ଟବ୍ଦରେ ଏହି ନବଗଠିତ ସଂଘର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

 

ପୃଥିବୀର କ୍ଷୁଦ୍ର ବୃହତ୍ ଅଧିକାଂଶ ରାଜ୍ୟ ମିଳିତ ଜାତିସଂଘରେ ସଭ୍ୟରୂପେ ଯୋଗ ଦେଇଛନ୍ତି । ପ୍ରତି ରାଜ୍ୟର ଆୟ ଓ ଆର୍ଥିକ ଅବସ୍ଥାଦୃଷ୍ଟେ ତାହାଠାରୁ ମିଳିତ-ଜାତିସଂଘର ବ୍ୟୟ ନିମିତ୍ତ ଚାନ୍ଦା ଆଦାୟ କରାଯାଏ । ଏହି ଚାନ୍ଦାର ସର୍ବମୋଟ ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ ଦଶକୋଟି ଟଙ୍କା ହେବ ।

 

ପୃଥିବୀରେ ଏହି ସର୍ବବୃହତ୍ ବିରାଟ ଅନୁଷ୍ଠାନଟି ପ୍ରଧାନତଃ ପାଞ୍ଚ ଭାଗରେ ବିଭକ୍ତ, ଯଥା– (୧) ସାଧାରଣ ସଭା, (୨) ନିରାପତ୍ତା ସମିତି, (୩) ତତ୍ତ୍ୱାବଧାରକ ସମିତି, (୪) ଆନ୍ତର୍ଜାତିକ ବିଚାରାଳୟ, (୫) ମିଳିତ ଜାତିସଂଘର କାର୍ଯ୍ୟାଳୟ ।

 

ସାଧାରଣ ସଭା ମିଳିତ ଜାତିସଂଘର ଅନ୍ତର୍ଭୁକ୍ତ ସବୁ ଦେଶର ପ୍ରତିନିଧିମାନଙ୍କୁ ଘେନି ଗଠିତ ହୋଇଛି । ଏହି ସଭାର ଅଧିବେଶନ ପ୍ରତିବର୍ଷ ସେପ୍‌ଟେମ୍ବର ମାସରେ ଅନୁଷ୍ଠିତ ହୁଏ । କୌଣସି ଜରୁରୀ ଅବସ୍ଥା ଉପୁଜିଲେ ଏହା ଅନ୍ୟ ସମୟରେ ମଧ୍ୟ ବସିପାରେ । ଅର୍ଥନୈତିକ, ସାମାଜିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟକ କ୍ଷେତ୍ରରେ ସକଳ ଦେଶର ଉନ୍ନତି ବିଧାନ ଓ ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ସ୍ଥାପନ କରିବା ସାଧାରଣ ସଭାର ପ୍ରଧାନ ଲକ୍ଷ୍ୟ । କୌଣସି କ୍ଷେତ୍ରରେ ପଡ଼ୋଶୀ ଜାତିମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହୋଇ ଆନ୍ତର୍ଜାତିକ ଶାନ୍ତିଭଙ୍ଗର ଆଶଙ୍କା ଦେଖାଗଲେ, ସେହି ବିବାଦର ନିଷ୍ପତ୍ତି କରିବାକୁ ସାଧରଣ ସଭାର ନିର୍ଦ୍ଦେଶରେ ନିରପେକ୍ଷ ତଦନ୍ତ ହୋଇଥାଏ ।

 

ସାଧାରଣ ସଭାରେ ତିନି ଭାଗରୁ ଦୁଇଭାଗ ସଭ୍ୟ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ସର୍ବାଧିକ ସଭ୍ୟଙ୍କର ସମ୍ମତି ନେଇ ଗୁରୁତର ସମସ୍ୟାଗୁଡ଼ିକର ସମାଧାନ କରାଯାଏ । ସଭ୍ୟରୂପେ ଅନ୍ତର୍ଭୁକ୍ତ ଥିବା ପ୍ରତ୍ୟେକ ଦେଶ ପାଞ୍ଚ ଜଣ ଲେଖାଏଁ ପ୍ରତିନିଧି ସାଧାରଣ ସଭାକୁ ପଠାଇ ପାରନ୍ତି । କିନ୍ତୁ ପ୍ରତ୍ୟେକ ଦେଶର ଗୋଟିଏ ମାତ୍ର ଭୋଟ ଦେବାର ଅଧିକାର ଅଛି । ମିଳିତ ଜାତିସଂଘର ଆୟ ବ୍ୟୟ, ଚାନ୍ଦା, ଅର୍ଥନୈତିକ, ରାଜନୈତିକ, ସାମାଜିକ ଆଦି ବିଭିନ୍ନ ବିଷୟର ଆଲୋଚନା ଲାଗି କ୍ଷୁଦ୍ର କ୍ଷୁଦ୍ର କମିଟିମାନ ଗଠନ କରାଯାଇଛି ।

 

ନିରାପତ୍ତା ସମିତିରେ ମଧ୍ୟ ଆଣବିକ ଶକ୍ତିର ପ୍ରୟୋଗ, ନିରସ୍ତ୍ରୀକରଣ, ସାମରିକ ବିଭାଗ ଆଦି ଉପବିଭାଗ ଅଛି । ଏଥିରେ ଇଂଲଣ୍ଡ, ଆମେରିକା, ରୁଷିଆ, ଫ୍ରାନସ୍ ଓ ଚୀନ ଦେଶ ସ୍ଥାୟୀ ସଭ୍ୟ ଅଛନ୍ତି । ଯେ କୌଣସି ଦେଶର ଅନ୍ୟ ଦେଶ ବିରୁଦ୍ଧରେ କିଛି ଆପତ୍ତି ବା ଅଭିଯୋଗ ଥିଲେ ତାହାକୁ ସେ ନିରାପତ୍ତା ସମିତି ସମକ୍ଷରେ ଆଗତ କରନ୍ତି । ତାହାର ବିଚାର କରି ନିରାପତ୍ତା ସମିତି ଦେଶକୁ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତି । ନିରାପତ୍ତା ସମିତିର ସିଦ୍ଧାନ୍ତକୁ କୌଣସି ପକ୍ଷ ଅମାନ୍ୟ କଲେ, ସବୁ ଦେଶ ତାହାକୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବାସନ୍ଦ କରିବାର ବିଧାନ ଅଛ-

 

ଅର୍ଥନୈତିକ ଓ ସମାଜିକ ସମିତିରେ ମଧ୍ୟ ପୃଥିବୀର [ବାଣିଜ୍ୟ ବ୍ୟବସାୟ ଓ ମନୁଷ୍ୟର ବ୍ୟକ୍ତିଗତ ଅଧିକାରକୁ ନିୟନ୍ତ୍ରଣ କରାଯାଏ । ଆନ୍ତର୍ଜାତିକ ବିଚାରାଳୟଟି ପନ୍ଦରଜଣ ବିଚାରପତିଙ୍କ ଦ୍ୱାରା ପରିଚାଳିତ ହୁଏ । ତହିଁରେ ଜଣେ ଭାରତୀୟ ବିଚାରପତି ମଧ୍ୟ ନିଯୁକ୍ତ ହୋଇଛନ୍ତି ।

 

ମିଳିତ-ଜାତିସଂଘର କାର୍ଯ୍ୟାଳୟ ଆମେରିକାର ନ୍ୟୁୟର୍କ ନଗରର ଲେକ୍ ସକ୍‌ସେସ୍ ନାମକ ସ୍ଥାନରେ ଅବସ୍ଥିତ । ସେଥିରେ ପ୍ରାୟ ୩୬୪୬ ଜଣ କର୍ମଚାରୀ ବିଭିନ୍ନ ବିଭାଗରେ କାର୍ଯ୍ୟ କରନ୍ତି । ସର୍ବୋପରି ସାଧାରଣ ସମ୍ପାଦକଙ୍କ ଉପରେ କର୍ମ ପରିଚାଳନାର ମୁଖ୍ୟ ଦାୟିତ୍ୱ ନ୍ୟସ୍ତ ଅଛି-। ତାଙ୍କର ବାର୍ଷିକ ଭତ୍ତା ଓ ବେତନ ଆମ୍ଭମାନଙ୍କ ମୁଦ୍ରାରେ ପ୍ରାୟ ଏକଲକ୍ଷ ତିରିଶ ହଜାର ଟଙ୍କା ହେବ । ମିଳିତ-ଜାତିସଂଘର ଗୋଟିଏ ଚୁକ୍ତିପତ୍ର ଅଛି । ଯେଉଁ ଦେଶ ସକଳ ସଭ୍ୟତାଲିକାର ଅନ୍ତର୍ଭୁକ୍ତ ହୁଅନ୍ତି, ସେମାନେ ଏହି ଚୁକ୍ତିପତ୍ରକୁ ମାନିବା ପାଇଁ ବାଧ୍ୟ ରହନ୍ତି । ସେହି ଚୁକ୍ତିପତ୍ରରେ ସର୍ତ୍ତ ଅଛି ଯେ, କୌଣସି ଦେଶ ଅନ୍ୟ ଦେଶର ସ୍ୱାର୍ଥ ଉପରେ ହସ୍ତକ୍ଷେପ କରି ପାରିବ ନାହିଁ କିମ୍ବା ଅନ୍ୟ ଦେଶକୁ ଆକ୍ରମଣ କରି ପାରିବ ନାହିଁ ।

 

ଦେଶ ଦେଶ ମଧ୍ୟରେ ଯୁଦ୍ଧ ବିବାଦ ଲାଗିଲେ, ପ୍ରତ୍ୟେକ ଦେଶବାସୀକୁ ତାହାର କୁଫଳଗୁଡ଼ିକୁ ଅନାଟନ ଓ ମୂଲ୍ୟବୃଦ୍ଧି ଆଦି ନାନାଭାବରେ ଭୋଗ କରିବାକୁ ହୋଇଥାଏ । ପୃଥିବୀରୁ ଯୁଦ୍ଧର ନିରାକରଣ କରି ଶାନ୍ତି ଓ ମୈତ୍ରୀଭାବ ପ୍ରତିଷ୍ଠା କରିବା ଦିଗରେ ମିଳିତ ଜାତିସଂଘ ହିଁ ଆଜି ଏକମାତ୍ର ଅନୁଷ୍ଠାନ । ତେଣୁ ସମଗ୍ର ମାନବ ଜାତିର ଏହା ପ୍ରଧାନ ଆଶା ଭରସାର ସ୍ଥଳ ହୋଇଛି ।

 

ପ୍ରଶ୍ନ

 

୧.

କେଉଁ କେଉଁ ବିଷୟରେ ନୋବେଲ ପୁରସ୍କାର ଦିଆଯାଏ ଓ ଏହାର ପରିମାଣ କେତେ ?

୨.

ଆଲଫ୍ରେଡ ନୋବେଲଙ୍କର ପୁରସ୍କାର ପ୍ରତିଷ୍ଠା କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?

୩.

ମିଳିତ ଜାତିସଂଘ କେବେ ପ୍ରତିଷ୍ଠିତ ହୋଇଥିଲା ଓ କାହିଁକି ?

୪.

ମିଳିତ ଜାତିସଂଘରେ କେଉଁ କେଉଁ ବିଭାଗ ଅଛି ଓ ସେଗୁଡ଼ିକର କାର୍ଯ୍ୟ କ’ଣ ?

୫.

ନିମ୍ନ ବାକ୍ୟ ଦୁଇଟିର ସରଳାର୍ଥ ଲେଖ–

(କ)

ବିଚିତ୍ର କଥା ଏହି ଯେ, ଡିନାମାଇଟ ଭଳି....କଲ୍ୟାଣ ପାଇଁ ଦାନ କରି ଯାଇଛନ୍ତି ।

(ଖ)

ତେଣୁ ସମଗ୍ର ମାନବ ଜାତିର....ସ୍ଥଳ ହୋଇଛି ।

୬.

ମହାନୁଭବ, ଅଭିହିତ, ବିସ୍ଫୋରକ, ଆନ୍ତର୍ଜାତିକ, ମୈତ୍ରୀ, ଶୀର୍ଷତମ, ଆଦର୍ଶବାଦୀ, ରାଷ୍ଟ୍ରନାୟକ, ନିରାପତ୍ତା, ନିରସ୍ତ୍ରୀକରଣ–ଏହି ଶବ୍ଦମାନଙ୍କର ଅର୍ଥ ଲେଖ ।

୭.

ନିମ୍ନ ଶବ୍ଦମାନଙ୍କରେ କି କି ସମାସ ଅଛି, ଚିହ୍ନାଇ ଦିଅ–ପ୍ରତିବର୍ଷ, ମହାନୁଭବ, ସଙ୍ଗବଦ୍ଧ, କର୍ମପନ୍ଥା, ନବଗଠିତ, ରାଷ୍ଟ୍ରନାୟକ, ସଭ୍ୟ ନିର୍ବାଚନ, ଚୁକ୍ତିପତ୍ର ।

Image

 

ସିଂହ ମଧ୍ୟ ପଶୁ

(ରାଗ-ଖଣ୍ଡ କୁମ୍ଭକାମୋଦି)

 

ରାଜ ଦରବାର ମଣ୍ଡିଥିଲେ କେତେ ପଣ୍ଡିତଜନ

ଜ୍ୟୋତିଷ-ସାହିତ୍ୟ ଗଣିତ-ବାରିଧି କରି ମନ୍ଥନ ।

ହେଲେ ଉପଗତ ଦିନେ ତହିଁ ଜଣେ ଜ୍ଞାନୀପ୍ରବର

ଦିଗ୍‌ବିଜୟୀ ହୋଇ ଆସିଥିଲେ ସେହୁ ରାଜନବର ।

ବେଦ ଦରଶନ ସକଳ ଗ୍ରନ୍ଥରେ ଅପାରଯଶା

ଜ୍ଞାନଗର୍ବେ ମଣୁଥିଲେ ସମସ୍ତଙ୍କୁ ଯେସନ ମଶା ।

ବୋଇଲେ, ‘ପଣ୍ଡିତ ସମାଜରେ ସିଂହ ଉପାଧି ଲଭି

‘‘ଆସିଛି ଏଥି ମୁଁ କରିବାକୁ ତର୍କ ହେ ସୁଧି କବି !

‘‘ଯେଉଁ ଶାସ୍ତ୍ରେ ପ୍ରଶ୍ନ କରିବେ କରନ୍ତୁ’’ ରଖିଲି ବାଜି

‘‘ନ ପାରିଲେ ଦେଇ ଉତ୍ତର ତାହାର ହାରିବି ଆଜି ।

‘‘ମାନିବେ ପଣ୍ଡିତ-ଗଣେ ସିଂହ ମୋତେ ପାରିଲେ ଦେଇ

‘‘ମାଗେ ତର୍କଯୁଦ୍ଧ କରନ୍ତୁ ପ୍ରଶ୍ନ ହେ ପଣ୍ଡିତ କେହି ।’’

ଏକେ ଏକେ ପ୍ରଶ୍ନ କରନ୍ତି ବିଦୁଷେ ଦିଗବିଜୟୀ

ସକଳ ପ୍ରଶ୍ନର ଉତ୍ତର ସହଜେ ଦିଅନ୍ତି କହି ।

ପ୍ରଶ୍ନ ପରେ ପ୍ରଶ୍ନ ବାଣ ଛୁଟେ ବାକ୍ୟ ସମର ସମ

ମାତ୍ର ଦିଗ୍‌ବିଜୟୀ ଚିତ୍ତରେ କିଞ୍ଚିତ ନ ଆଣେ ଭ୍ରମ ।

ଶେଷରେ ସକଳେ ହୋଇଲେ ନୀରବ, ନ ସ୍ଫୁରେ କଥା,

ଗର୍ବେ ଦିଗବିଜୟୀ ଅଟ୍ଟହାସ୍ୟ କରି ଟେକିଲେ ମଥା ।

ଭାଷିଲେ, ‘‘ଏ ସଭା ମଧ୍ୟରେ ସିଂହ ମୁଁ ହୋଇଲି ଆଜି

ମୋ ଜ୍ଞାନ-ବେଳାରେ ସବୁ ପ୍ରଶ୍ନ ଢେଉ ଯାଇଛି ଭାଜି ।’’

ବିରସ ବଦନ ରାଜ ସଭାଜନ ଚକିତ ହୋଇ

ଦେଖନ୍ତି ସବୁରି ପଶ୍ଚାତରୁ କିଏ ଉଠିଲେ କହି ।

ଶୁଭ୍ରକେଶ ଶ୍ଳଥ-ଚର୍ମା କ୍ଷୀଣକାୟ ସ୍ଥବିର ଅତି

ଭାଷାର ବିନ୍ଧାଣୀ ସୁଯଶା ପାଣିନି ପରମ ଯତି ।

ବିଦ୍ୟାଭାରେ ଅବ ନତ ସ୍ୱଳ୍ପଭାଷୀ ଭାଷିଲେ ଗୀର-

‘‘ଦିଅନ୍ତୁ ଉତ୍ତର ହେପୁରୁଷସିଂହ ! ହେ ଜ୍ଞାନବୀର !

ସିଂହ ମଧ୍ୟ ପଶୁ ବୋଲାଏ ନାହିଁ କି ଏ ଧରାତଳେ ?

ଆହେ ଦିଗବିଜୟୀ ! ପଚାରେ ପ୍ରଶ୍ନ ମୁଁ କଉତୂହଳେ ।’’

ଅଦଭୁତ ପ୍ରଶ୍ନ ! ଶୁଣିଲେ ସରବେ ତଟସ୍ଥ ହୋଇ,

କିନ୍ତୁ ପାଣିନିଙ୍କ ପାଦପୂଜା କଲେ ଦିଗବିଜୟୀ !

ବୋଇଲେ ବିନୟେ, ‘‘ଦେଲ ଶିକ୍ଷା ଗୁରୋ ! ନୋହେ ଉଚିତ

‘‘ମୋ ଭଳି ଅଜ୍ଞାନ ଜନର ହୋଇବା ଏତେ ଗର୍ବିତ ।

‘‘ସଂସ୍କୃତ ଭାଷାର ନିୟମକୁ କଲ ସତ୍ରେ ସଂକ୍ଷିପ୍ତ

‘‘ବ୍ୟାକରଣ ଗ୍ରନ୍ଥ ଲେଖିଲ ଅତୁଳ ବିଶ୍ୱେ ବନ୍ଦିତ ।

‘‘ନାହିଁ ଯେଉଁ ଗ୍ରନ୍ଥେ ଗୋଟିଏ ଅକ୍ଷର ଅନାବଶ୍ୟକ,

ପରିଚୟ ତବ ପାଇ ମୋ ଜୀବନ ହେଲା ସାର୍ଥକ ।

ଭାଷାର କରତା ହେ ବୟାକରଣ କ୍ଷମିବ ଦୋଷ

‘‘ତବ ପାଶେ ମୋର ପରାଜୟ ଲାଭ ପରମ ଯଶ ।’’

 

ପ୍ରଶ୍ନ

 

୧.

ପୂର୍ବେ କେଉଁମାନେ ଦିଗବିଜୟୀ ପଣ୍ଡିତ ବୋଲି ଖ୍ୟାତ ହେଉଥିଲେ ?

 

 

୨.

ଦିଗବିଜୟୀ ପଣ୍ଡିତ ରାଜସଭାରେ କ’ଣ କହି ପଣ୍ଡିତମାନଙ୍କୁ ପ୍ରଶ୍ନ ପଚାରିବାକୁ ଆହ୍ୱାନ କରିଥିଲେ ?

 

 

୩.

ପାଣିନି ମହର୍ଷି କାହିଁକି ବିଖ୍ୟାତ ଓ ଦିଗବିଜୟୀ ପଣ୍ଡିତଙ୍କୁ ସେ କି ପ୍ରଶ୍ନ ପଚାରିଥିଲେ ?

 

 

୪.

‘‘ତବ ପାଶେ ମୋର ପରାଜୟ ଲାଭ ପରମ ଯଶ’’–ଏହି ପଦଟିର ପୂର୍ବସଙ୍ଗତି ଦର୍ଶାଇ ଭାବାର୍ଥ ଲେଖ ।

 

 

୫.

ଜ୍ୟୋତିଷ-ସାହିତ୍ୟ-ଗଣିତ-ବାରିଧି, ଜ୍ଞାନୀପ୍ରବର, ଅପାରଯଶା, ଜ୍ଞାନଗର୍ବେ, ତର୍କଯୁଦ୍ଧ, ଦିଗ୍‌ବିଜୟୀ, ପ୍ରଶ୍ନବାଣ, ଜ୍ଞାନବେଳା, ପ୍ରଶ୍ନଢେଉ, ଶୁଭ୍ରକେଶ, ଶ୍ଳଥଚର୍ମା–ଏଗୁଡ଼ିକର ସମାସ ଚିହ୍ନାଇ ଦିଅ ।

Image

 

ଜାତୀୟ ସଂପ୍ରସାରଣ ଓ କୃଷି

 

ଭାରତ ଗ୍ରାମବହୁଳ ଦେଶ । ଗ୍ରାମମାନଙ୍କ ଉନ୍ନତିଦ୍ୱାରା ଭାରତର ପ୍ରକୃତ ଉନ୍ନତି କରାଯାଇପାରେ । ତେଣୁ ଗ୍ରାମଗୁଡ଼ିକରେ କୃଷି, ଶିକ୍ଷା, ଚିକିତ୍ସା ଓ ଶିଳ୍ପର ପ୍ରସାର କରିବାପାଇଁ ଉଦ୍ୟମମାନ ହେଉଛି । ସେଥିଲାଗି ଆମ୍ଭମାନଙ୍କର ଜାତୀୟ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ତାହାର ନାମ ଜାତୀୟ ସଂପ୍ରସାରଣ ଯୋଜନା ।

 

କ୍ଷୁଦ୍ର କ୍ଷୁଦ୍ର ଗ୍ରାମଗୁଡ଼ିକର ଉନ୍ନତି ସ୍ୱତନ୍ତ୍ର ଭାବରେ କରିବା ଅଧିକ ବ୍ୟୟସାଧ୍ୟ । ତେଣୁ ଗୋଟିଏ ଲେଖାଏଁ ଥାନା ବା ଅଞ୍ଚଳର ଏକାଧିକ ଗ୍ରାମକୁ ଘେନି ସେସବୁର ସମୂହ ଉନ୍ନତି କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହିରୂପେ ଗ୍ରାମଗୋଷ୍ଠୀମାନ ଗଠିତ ହୋଇଛି ।

 

ଜାତୀୟ ସଂପ୍ରସାରଣ ଯୋଜନାରେ କୃଷି ଏବଂ ଶିଳ୍ପର ଉନ୍ନତି ପାଇଁ ନାନା ବ୍ୟବସ୍ଥା କରାଯାଇଛି । ଶତାଧିକ ଗ୍ରାମକୁ ଏକତ୍ରିତ କରି ସେଠାରେ ଜାପାନୀ ପ୍ରଣାଳୀର ଚାଷ ଏବଂ ନାନା ପ୍ରକାର କୁଟୀର ଶିଳ୍ପ ଶିକ୍ଷା ଦିଆଯାଉଛି । ଜାପାନୀ ପ୍ରଣାଳୀର ଚାଷରେ ବିହନ ବୁଣା ନ ହୋଇ ଧାଡ଼ି ଧାଡ଼ି ରୁଆ ହୋଇଥାଏ । ଏହି ପ୍ରକାର ଚାଷଦ୍ୱାରା ତିନି ଚାରିଗୁଣ ଅଧିକା ଫସଲ ମିଳେ । ଜଳସେଚନ ପାଇଁ ଜଳାଶୟ ଓ ସାନ ସାନ କେନାଲ ଖୋଳିବା ମଧ୍ୟ ଜାତୀୟ ସଂପ୍ରସାରଣ କାର୍ଯ୍ୟର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପ୍ରତ୍ୟେକ ଗ୍ରାମ ପାଇଁ ରାସ୍ତା ନିର୍ମାଣ, ପାନୀୟ ଜଳର ବ୍ୟବସ୍ଥା, ପଶୁ ଚିକିତ୍ସା, ଗୋ-ପାଳନ ପୁଶି ପ୍ରୌଢ଼ଶିକ୍ଷା, ପ୍ରସୂତୀ-ପରିଚର୍ଯ୍ୟା, ସାଧାରଣ ପାଇଖାନା, କ୍ରୀଡ଼ା ଓ ବ୍ୟାୟାମ ସକାଶେ ମଧ୍ୟ ବ୍ୟବସ୍ଥା ମାନ କରାଯାଉଛି ।

 

ଗ୍ରାମବାସୀଙ୍କ ମଧ୍ୟ୍ୟରେ ଏକତା ପ୍ରତିଷ୍ଠା କରି ଗ୍ରାମରର ସମୂହ ଉନ୍ନତି ପାଇଁ ସେମାନଙ୍କର ଆଗ୍ରହ ଜନ୍ମାଇବା ମଧ୍ୟ ଏହି ଯୋଜନାର ଆଉ ଗୋଟିଏ କାର୍ଯ୍ୟ । ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା ଗଠନ କରି ଗ୍ରାମର ଯାବତୀୟ ଉନ୍ନତିମୂଳକ କାର୍ଯ୍ୟଭାର ଏହି ସଭା ଉପରେ ନ୍ୟସ୍ତ ହୁଏ । ଗ୍ରାମରେ କମ୍ପୋଷ୍ଟ ଖାତ କରି ଅଳିଆପତ୍ର ଆଦି ସେଠାରେ ପୋତିପକାଇ ପରେ ତାହାକୁ ସାରରୂପେ କୃଷିକ୍ଷେତ୍ରରେ ବ୍ୟବହାର କରାଯାଉଛି ।

 

ଗ୍ରାମୋନ୍ନତିର ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନ କରିବା ପାଇଁ ଗ୍ରାମମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ନିଯୁକ୍ତ ଥାଆନ୍ତି । ଜାତୀୟ ସଂପ୍ରସାରଣ ଯୋଜନାର ସାଧାରଣ ଦାୟିତ୍ୱ ଜଣେ ମଣ୍ଡଳ ଉନ୍ନୟନ କର୍ମଚାରୀଙ୍କ ଉପରେ ନ୍ୟସ୍ତ ଥାଏ । ତାଙ୍କ ବ୍ୟତୀତ କୃଷି-ବିଶେଷଜ୍ଞ, ସମବାୟ-ବିଭାଗ ପରିଦର୍ଶକ, ପଶୁ-ଚିକିତ୍ସକ, ଶିକ୍ଷା-ସଂଗଠକ, ପୁଣି ଏକାଧିକ ଗ୍ରାମସେବକ ନିଯୁକ୍ତ ଥାଆନ୍ତି । କର୍ମଚାରୀମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ଯେଉଁଠାରେ ଯେପରି ଉନ୍ନତିମୂଳକ କାର୍ଯ୍ୟ ଆବଶ୍ୟକ ତାହା କରୁଛନ୍ତି ।

 

ପ୍ରାଚୀନ ରୀତିରେ ଗୋ-ମହିଷାଦି ପଶୁମାନଙ୍କଦ୍ୱାରା ଚାଷ କାର୍ଯ୍ୟ ହେଉଥିବାରୁ କଳଲଙ୍ଗଳ ବା ଟ୍ରାକ୍ଟର ସଙ୍ଗେ ତାହା ସମକକ୍ଷ ହୋଇ ପାରେନାହିଁ । ଟ୍ରାକ୍ଟର ଦ୍ୱାରା ଭୂମିକର୍ଷଣ ଗଭୀର ହୁଏ, ମୃତ୍ତିକା ଅଧିକ ଚାଷୋପଯୋଗୀ ହୁଏ, ଜଙ୍ଗଲସ୍ଥାନ ପରିଷ୍କୃତ ହୋଇ ସୁଦୃଢ଼ ଗୁଳ୍ମଗୁଡ଼ିକ ସମୂଳେ ଉତ୍ପାଟିତ ହୁଏ, ପୁଣି ପଥ ଓ ବନ୍ଧ ନିର୍ମାଣ କିମ୍ବା ପ୍ରଣାଳୀ ଖୋଦନ କାର୍ଯ୍ୟ ମଧ୍ୟ ହୋଇଥାଏ । ବୀଜବପନ, ଶସ୍ୟ ଚ୍ଛେଦନ ଓ ଜଳସେଚନ ପ୍ରଭୃତି କାର୍ଯ୍ୟ ମଧ୍ୟ ଯନ୍ତ୍ରଦ୍ୱାରା ସାଧିତ ହୁଏ ।

 

କେତେଗୋଟି ଗ୍ରାମର ସମସ୍ତ ଚାଷୀ ମିଳିତ ହୋଇ ଟ୍ରାକ୍ଟର କ୍ରୟ କରି ପାରନ୍ତି ଓ ସମ୍ମିଳିତ ଭାବରେ ଚାଷ କରିପାରନ୍ତି । ଜାତୀୟ ସରକାର ସେହି ଦିଗରେ ବର୍ତ୍ତମାନ କୃଷକମାନଙ୍କୁ ଉତ୍ସାହ ଦେଉଛନ୍ତି ଏବଂ କୃଷି ବିଭାଗଦ୍ୱାରା ଟ୍ରାକ୍ଟର କ୍ରୟ କରି ଚାଷୀମାନଙ୍କୁ ତାହା ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ଦଶଜଣ ବା ତତୋଽଧିକ ସଂଖ୍ୟକ କୃଷକ ସହଯୋଗ ସମିତି ଗଠନ କରି ମଧ୍ୟ ଟାକ୍ଟର କ୍ରୟ କରିପାରନ୍ତି ।

 

ଟ୍ରାକ୍ଟର ଚାଲିଲେ ଚାଷୀମାନେ କର୍ମଶୂନ୍ୟ ହୋଇ ପଡ଼ିବେ ବୋଲି କେହି କେହି ଆଶଙ୍କା କରିଥାଆନ୍ତି । ମାତ୍ର କଳଗୁଡ଼ିକ ଚଳାଇବାକୁ ଓ ମରାମତି କରିବାକୁ ମଧ୍ୟ ଅନେକ ଲୋକଙ୍କର ଆବଶ୍ୟକତା ଅଛି । କଳଗୁଡ଼ିକ ସମବାୟ ସୁତ୍ରରେ ବ୍ୟବହୃତ ହେଲେ, ସେ ସମସ୍ତ ସ୍ଥାନାନ୍ତରକୁ ନେବାପାଇଁ ଅନେକ ଶ୍ରମିକଙ୍କର ପ୍ରୟୋଜନ । ରୁଷିଆ, ଡେନ୍‌ମାର୍କ, ପାଲେଷ୍ଟାଇନ୍ ପ୍ରଭୃତି ଦେଶରେ ଏହିପରି ସମବାୟ ସୂତ୍ରରେ ଚାଷକାର୍ଯ୍ୟ କରାଯାଇ ଆଶାତୀତ ଫଳ ମିଳିଅଛି । ଏକ କିମ୍ବା ତତୋଽଧିକ ଗ୍ରାମର କୃଷକମାନେ ଏକତ୍ରିତ ହୋଇ ସମବାୟ ସମିତି ଗଠନ କରନ୍ତି । ସେମାନଙ୍କର କ୍ଷେତ୍ରଗୁଡ଼ିକ ମଧ୍ୟ କୋଠାରେ ଚାଷ କରାଯାଏ ଓ ପ୍ରତ୍ୟେକ ଚାଷୀ ନିଜ ଜମିର ଲାଭ୍ୟାଂଶ ଗ୍ରହଣ କରେ । ଟ୍ରାକ୍ଟର ବ୍ୟବହାର ଦ୍ୱାରା ଯେଉଁ ଚାଷୀମାନଙ୍କୁ କାର୍ଯ୍ୟରୁ ଅବ୍ୟାହତି ମିଳେ, ସେମାନେ କୁକ୍‌କୁଟପାଳନ, ପରିବାଚାଷ, ମଧୁମକ୍ଷିକା ବା ମତ୍ସ୍ୟ ପାଳନ କରି ସେ ସମସ୍ତ ପଦାର୍ଥର କ୍ରୟବିକ୍ରୟ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଏକାଧିକ ଗ୍ରାମକୁ ଘେନି ଯେଉଁ ଜାତୀୟ ସଂପ୍ରସାରଣ ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି, ତହିଁରେ ଏହି ସକଳ ଧର୍ମ ଅନ୍ତର୍ଭୁକ୍ତ ।

 

ଧାନ ଏବଂ ଗହମ ଛଡ଼ା ପୃଥିବୀ ମଧ୍ୟରେ ଭାରତବର୍ଷ ହିଁ ସବୁଠାରୁ ବେଶି ଚିନି ଉତ୍ପାଦନ କରେ । ଭାରତର ସକଳ ରାଜ୍ୟରେ ଆଖୁଚାଷ ହୋଇଥାଏ । ସେହିପରି ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଅଧିକ ପରିମାଣରେ ଚାହା ଆମଦାନି ହୁଏ । ବଙ୍ଗଳା ଓ ଆସାମ ରାଜ୍ୟରେ ଏହି ଚାଷ ସର୍ବାଧିକ । ପ୍ରାୟ ୭,୫୦,୦୦୦ ଏକର ଜମିରେ ଚାହା ଚାଷ କରାଯାଏ । ଦକ୍ଷିଣ ଭାରତରେ ବହୁ ପରିମାଣରେ କଫି ମଧ୍ୟ ଉତ୍ପନ୍ନ ହୁଏ ।

 

ସମଗ୍ର ପୃଥିବୀକୁ ଭାରତରୁ ବଙ୍ଗଳା ଏବଂ ଓଡ଼ିଶା ଝୋଟ ଯୋଗାଇଥାଏ । ଯୁଦ୍ଧ ସମୟରେ ଝୋଟବସ୍ତାର ଆବଶ୍ୟକତା ଏତେ ବେଶି ହୋଇପଡ଼େ ଯେ, ତାହା ଯୋଗାଇବା ଅସମ୍ଭବ ହୁଏ । ଭାରତରେ ଧୂଆଁପତ୍ର ଚାଷପାଇଁ ପ୍ରାୟ ୧୨,୫୦,୦୦୦ ଏକର ଜମି ବ୍ୟବହୃତ ହୁଏ । ଏହି ଚାଷପାଇଁ ମାନ୍ଦ୍ରାଜ ପ୍ରଦେଶ ହିଁ ପ୍ରଧାନ । ଧୂଆଁପତ୍ର ଦ୍ୱାରା ବିଡ଼ି, ସିଗାରେଟ, ଗୁଡ଼ାଖୁ ଓ ନାସ ପ୍ରସ୍ତୁତ ହୁଏ । ସିଗାରେଟ୍ ଓ ଚୂରୁଟ୍ ଯନ୍ତ୍ରଦ୍ୱାରା ପ୍ରସ୍ତୁତ ହୁଏ । ମାନ୍ଦ୍ରାଜ ନିକଟରେ ଅବସ୍ଥିତ ଗୋଟିଏ ସିଗାରେଟ୍ କାରଖାନାରୁ ପ୍ରତି ମିନିଟ୍‌ରେ ୧୨୦୦ ସିଗାରେଟ୍ କାଗଜରେ ମୋଡ଼ିହୋଇ ବାହାରେ । ଏହିରୂପେ କୃଷି ସହିତ ଶିଳ୍ପ ମଧ୍ୟ ଜଡ଼ିତ ହୋଇ ରହିଛି । ଭାରତର ବିଭିନ୍ନ ସ୍ଥାନରେ କପାଚାଷ ହୁଏ ଓ ସ୍ଥାନଭେଦରେ କପାର ପ୍ରକାର ଭେଦ ଘଟିଥାଏ ।

 

ରବିଫସଲମାନଙ୍କ ମଧ୍ୟରେ ମୁଗ, ବିରି, ହରଡ଼, କୋଳଥ ବୁଟ ଓ ଖେସାରି ପ୍ରଭୃତି ଭାତ କିମ୍ବା ରୁଟିର କନିଷ୍ଠ ଭ୍ରାତାସ୍ୱରୂପ ଭାରତୀୟମାନଙ୍କ ଖାଦ୍ୟ ସାମଗ୍ରୀର ପ୍ରୟୋଜନ ବସ୍ତୁ । ତୈଳବୀଜମାନଙ୍କ ମଧ୍ୟରେ ବାଦାମ, ତିଳ, ଏରଣ୍ଡ ଓ ସର୍ଷପ ପ୍ରଧାନ । ଏରଣ୍ଡ ତୈଳରୁ ଔଷଧ ପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ ଏହା କଳକବ୍‌ଜାରେ ଲାଗିଥିବା ଚର୍ମକୁ ମସୁଣ ରଖିବା ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । ଉତ୍ତର ଭାରତରେ ବହୁ ପରିମାଣରେ ସର୍ଷପ ଉତ୍ପନ୍ନ ହୁଏ । ଦକ୍ଷିଣ ଭାରତରେ, ବିଶେଷତଃ ହାଇଦ୍ରାବାଦ, ସିନ୍ଧୁ, ଯୁକ୍ତପ୍ରଦେଶ ଓ ମହୀଶୂରରେ ମଧ୍ୟ ଏହାର ଉତ୍ପନ୍ନ ପ୍ରଚୁର ପରିମାଣରେ ହୋଇଥାଏ । ମାନ୍ଦ୍ରାଜ, ବମ୍ବେ, ମଧ୍ୟପ୍ରଦେଶ, ହାଇଦ୍ରାବାଦ ଏବଂ ଓଡ଼ିଶାରେ ଚିନାବାଦାମ ଫସଲ ହୁଏ । ମାଲାବାର, କୋଚିନ୍ ଓ ତ୍ରିବାଙ୍କୁଡ଼ରେ ମୂଲ୍ୟବାନ୍ ରବର ଚାଷ କରାଯାଇ ବ୍ୟୋମଯାନ ଆଦି ଯାନବାହନ ଓ କଳକାରଖାନାରେ ବ୍ୟବହୃତ ହୁଏ ।

 

ଫଳଚାଷ ପାଇଁ ମଧ୍ୟ ଭାରତର ପ୍ରସିଦ୍ଧି ଅଛି । ପଞ୍ଜାବ, ବିହାର, ମାନ୍ଦ୍ରାଜ ଓ ଯୁକ୍ତପ୍ରଦେଶର ଉତ୍ତରାଞ୍ଚଳରେ ସୁବିସ୍ତୃତ ଫଳକ୍ଷେତ୍ରମାନ ଅବସ୍ଥିତ । ଭାରତର ବିଭିନ୍ନ ଅଞ୍ଚଳକୁ ଏଠାରୁ ଫଳ ପ୍ରେରିତ ହୁଏ । ମଧ୍ୟପ୍ରଦେଶରେ ଓ ଆସାମରେ ବହୁ ପରିମାଣରେ କମଳା ଲେମ୍ବୁ ଉତ୍ପନ୍ନ ହୁଏ । ଉଦ୍‌ବୃତ୍ତ ଫଳଗୁଡ଼ିକ ବୈଜ୍ଞାନିକ ଉପାୟରେ କାଚ କିମ୍ବା ଟିଣପାତ୍ର ମଧ୍ୟରେ ରଖି ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯାଏ । ଆମ୍ବ, କଦଳୀ ପ୍ରଭୃତି ଫଳ ଭାରତର ସର୍ବତ୍ର ବହୁପରିମାଣରେ ଉତ୍ପନ୍ନ ହୁଏ । ନାରିକେଳ ଅନ୍ୟ ଏକ ଲାଭଜନକ ଫଳ ଏବଂ ତାହା ଖାଦ୍ୟରୂପେ ବ୍ୟବହୃତ ହେବା ବ୍ୟତୀତ ତହିଁରୁ ତୈଳ ମଧ୍ୟ ପ୍ରସ୍ତୁତ ହୁଏ । ବର୍ତ୍ତମାନ ପ୍ରାୟ ସର୍ବତ୍ର ବିଲାତିଆଳୁ ଚାଷ କରାଯାଉଅଛି ।

 

ଦୁର୍ଭିକ୍ଷ ସମୟ ପାଇଁ ଶସ୍ୟ ସଞ୍ଚୟ କରିବାକୁ ବର୍ତ୍ତମାନ ନାନା ସ୍ଥାନରେ ଗୋଲା ଗୃହମାନ ନିର୍ମିତ ହୋଇଅଛି । ଏହି ସକଳ ଗୋଲାଗୃହରେ ଯେଉଁ ପରିମାଣ ଶସ୍ୟ ଗଚ୍ଛିତ ରହିପାରେ, ତାହା ଗୋଟିଏ ଗୋଟିଏ ପ୍ରଦେଶ ବା ରାଜ୍ୟର ଅଭାବ ଦୂର କରିବାପାଇଁ ସମର୍ଥ ହେବ । ପଞ୍ଜାବ ପ୍ରଭୃତି କେତେକ ରାଜ୍ୟରେ ଏହି ଗୋଲାଗୃହଗୁଡ଼ିକ ସମବାୟ ସମିତି ଉଦ୍ୟମରେ ନିର୍ମିତ ହୋଇଅଛି । ଜାତୀୟ ସଂପ୍ରସାରଣ ଯୋଜନାରେ ମଧ୍ୟ ସମବାୟ ଗୋଲାରେ ଶସ୍ୟ ଗଚ୍ଛିତ ରଖିବାର ବ୍ୟବସ୍ଥା ଅଛି ।

 

ବର୍ତ୍ତମାନ କି କି ଉପାୟରେ କୃଷିର ଉନ୍ନତି ସାଧନ କରି କୃଷକର ଆୟ ବୈଜ୍ଞାନିକ ପ୍ରକ୍ରିୟାବଳରେ ବୃଦ୍ଧି କରିବାକୁ ହେବ,ସେଥିଲାଗି ସରକାର ଗବେଷଣା ଚଳାଇଛନ୍ତି । କୃଷିର ଉନ୍ନତି ନ ହେଲେ ଭାରତବର୍ଷର ଉନ୍ନତି ଅସମ୍ଭବ ଏବଂ ଅନ୍ୟାନ୍ୟ ଉନ୍ନତ ଦେଶ ସଙ୍ଗରେ ଭାରତ ସମାନ ଆସନ ଲାଭ କରିବା ସୁଦୂରପରାହତ ।

 

ପ୍ରଶ୍ନ

 

୧.

ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ–

 

 

 

(କ)

ଜାତୀୟ ସଂପ୍ରସାରଣ ଯୋଜନାର ତାତ୍ପର୍ଯ୍ୟ କ’ଣ ?

 

 

 

(ଖ)

ଜାତୀୟ ସଂପ୍ରସାରଣ ଯୋଜନା ଦ୍ୱାରା ଗ୍ରାମସବୁ କିପରି ସଂଗଠିତ ଓ ପରିଚାଳିତ ହୁଏ, ତାହା ସଂକ୍ଷେପରେ ବୁଝାଇ ଲେଖ ।

 

 

 

(ଗ)

ଗ୍ରାମଗୁଡ଼ିକର ଉନ୍ନତି କାହିଁକି ଆବଶ୍ୟକ ?

 

 

 

(ଘ)

କଫି ଓ ଚାହା ଭାରତର କେଉଁ କେଉଁ ଅଞ୍ଚଳରେ ଉତ୍ପନ୍ନ ହୁଏ ?

 

 

 

(ଙ)

ଭାରତର ଫଳ ଉଦ୍ୟାନ ସବୁ ପ୍ରଧାନତଃ କେଉଁ କେଉଁ ପ୍ରଦେଶରେ ଅବସ୍ଥିତ ?

 

 

 

(ଚ)

ତୈଳବୀଜ ମଧ୍ୟରେ କେଉଁଗୁଡ଼ିକ ପ୍ରଧାନ ? କେଉଁଟି କି କାର୍ଯ୍ୟରେ ଲାଗେ ?

 

 

 

୨.

ନିମ୍ନ ବାକ୍ୟର ଶୂନ୍ୟସ୍ଥାନ ପୂରଣ କର–

 

 

 

 

ପୃଥିବୀର– ତୈଳବୀଜ,–ତୁଳା ଓ –ଚାହା ଭାରତରୁ ହିଁ ଉତ୍ପାଦିତ ହୋଇଥାଏ ।

 

 

 

୩.

ଗୋଟିଏ ଟ୍ରାକ୍ଟର କ୍ରୟ କରିବା ଜଣେ କୃଷକ ପକ୍ଷରେ ଅସମ୍ଭବ କାହିଁକି ? କି ଉପାୟରେ ଟ୍ରାକ୍ଟର ଚାଷର ବହୁଳ ପ୍ରଚଳନ କରାଯାଇପାରେ ?

 

 

 

୪.

ନିମ୍ନ ଶବ୍ଦଗୁଡ଼ିକର ଗୋଟିଏ ଗୋଟିଏ ବିପରୀତାର୍ଥବୋଧକ ଓ ପ୍ରତିଶବ୍ଦ ଲେଖ–ପ୍ରାଚୀନ, ଆୟତ, ଅର୍ଜ୍ଜନ, ନ୍ୟୂନ, ଆଧୁନିକ, ସମ୍ମିଳିତ, ଆଶା ।

Image

 

ନବଯୁଗ ସାହିତ୍ୟ

ଅଜନ୍ତାର ଚିତ୍ରକଳା

 

ଖ୍ରୀଷ୍ଟାବ୍ଦର ପ୍ରଥମ ଶତକରେ ହିଁ ଭାରତୀୟ ଚିତ୍ରକଳାର ଇତିହାସରେ ଏକ ଶ୍ରେଷ୍ଠ ଯୁଗର ପରିଚୟ ମିଳେ । ଐତିହାସିକମାନେ ଏହି ସମୟକୁ ୫୦ ଖ୍ରୀଷ୍ଟାବ୍ଦଠାରୁ ୭୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ଣ୍ଣୟ କରିଛନ୍ତି । ସେତେବେଳେ ପ୍ରାୟ ସମସ୍ତ ପ୍ରାଚ୍ୟଭୂଖଣ୍ଡ ବୌଦ୍ଧଧର୍ମରେ ଅନୁପ୍ରାଣିତ ହୋଇ ଜନସମାଜର ପରମ ଆଦର୍ଶ ଥିଲା ଏବଂ ମହାଗୁରୁ ବୁଦ୍ଧଙ୍କର ବାଣୀ ସକଳ ଦେଶର ଶ୍ରେଷ୍ଠ ମନ୍ତ୍ରରୂପେ ଗୃହୀତ ହୋଇଥିଲା ।

 

ସିଂହଳ, ଜାଭା, ବ୍ରହ୍ମଦେଶ, ନେପାଳ, ଖୋଟାନ, ତିବ୍ଦତ ଏବଂ ଚୀନରେ ପ୍ରାଚୀନ ଯୁଗର ଗୌରବମୟ ଭାସ୍କର୍ଯ୍ୟ, ସ୍ଥାପତ୍ୟ ଏବଂ ଚିତ୍ରକଳାର ଯେତେ ନିଦର୍ଶନ ମିଳେ, ସେ ସମସ୍ତ ହିଁ ବୌଦ୍ଧଧର୍ମର ପ୍ରେରଣାସମ୍ଭୂତ । ଏହି ଚିତ୍ରକଳାର ସୃଷ୍ଟି ଅତ୍ୟନ୍ତ ସ୍ୱାଭାବିକ । ବୌଦ୍ଧଧର୍ମକୁ ବିଶ୍ଲେଷଣ କଲେ ଦେଖାଯାଏ, ମୂଳତଃ ଏହି ଧର୍ମ ଚିତ୍ର ସମ୍ବଳିତ । ଏହାର ପ୍ରାଚୀନତମ ମୌଳିକ ଗଳ୍ପଗୁଡ଼ିକ ଲେଖନୀ ଅପେକ୍ଷା ତୂଳିର ହିଁ ଅଧିକ ଉପଯୋଗୀ । କିମ୍ବଦନ୍ତୀଗୁଡ଼ିକ ମଧ୍ୟ ପ୍ରଧାନତଃ ଛବିଳ ।

 

ପୁଣି, ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଭାଷା ପ୍ରଚଳିତ ଥିବାରୁ ଭାବ ଆଦାନପ୍ରଦାନ ପକ୍ଷରେ ଚିତ୍ରର ଆବଶ୍ୟକତା ଅଧିକ ହୋଇପଡ଼ିଲା । ବୌଦ୍ଧଧର୍ମ ସମ୍ବନ୍ଧେ ଜ୍ଞାନଲାଭ କରିବାର ସ୍ପୃହା ସମଗ୍ର ଏସିଆଖଣ୍ଡରେ ଜାଗ୍ରତ ହୋଇ ଉଠିଲା । ଉକ୍ତ ଧର୍ମର ଶିଳ୍ପାଚାର୍ଯ୍ୟ ଚିତ୍ର ସାହାଯ୍ୟରେ ହିଁ ଧର୍ମଶିକ୍ଷା ଦେବାକୁ ପ୍ରଶସ୍ତ ମନେକଲେ । ଏହି ସକଳ ଚିତ୍ରକୁ ସଙ୍ଗରେ ଘେନି ପରିବ୍ରାଜକମାନେ ଦେଶଦେଶାନ୍ତର ଭ୍ରମଣ କରୁଥିଲେ । ନେପାଳ ଏବଂ ତିବ୍ଦତରେ ବୌଦ୍ଧ ମନ୍ଦିର ଉପରେ ବହୁ ଚିତ୍ର ଅଙ୍କିତ । ସେଗୁଡ଼ିକ ସାଧାରଣ ଲୋକ ବୁଝିବା ଯେପରି ସହଜ, ଯେ କୌଣସି ଭାଷା ସାହାଯ୍ୟରେ ସେପରି ସହଜ ହୁଅନ୍ତା ନାହିଁ ।

 

ପ୍ରଥମେ ଏହି ଚିତ୍ର ସାହାଯ୍ୟରେ ବୌଦ୍ଧଧର୍ମ ପିପାସୁ ସୁଦୂର ଚୀନ ସହିତ ଭାରତର ସଂସ୍କୃତିଗତ ସମ୍ପର୍କ ସ୍ଥାପିତ ହୋଇଥିଲା । ୬୭ ଖ୍ରୀଷ୍ଟାବ୍ଦରେ ଚୀନସମ୍ରାଟ ମିଙ୍ଗଟାଇଙ୍କଲଙ୍କ ଅନୁରୋଧକ୍ରମେ ଭାରତର ବୌଦ୍ଧ ପରିବ୍ରାଜକ କାଶ୍ୟପମ୍‌ଦୁଙ୍ଗ ବୌଦ୍ଧ ସ୍ଥାପତ୍ୟ ଓ ଚିତ୍ରକଳାର କେତେଗୁଡ଼ିଏ ନମୁନା ସଙ୍ଗରେ ଘେନି ଚୀନକୁ ଯାତ୍ରା କରିଥିଲେ । ଏହି ସମୟରୁ ସପ୍ତମ ଶତାବ୍ଦୀପର୍ଯ୍ୟନ୍ତ ଭାରତୀୟ ଶିଳ୍ପୀ ପରିବ୍ରାଜକମାନେ ଚୀନ ଦେଶକୁ ଯାତ୍ରା କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ କେହି କେହି ଚୀନ ଦେଶରେ ବସତି ସ୍ଥାପନ କରିଥିଲେ ଏବଂ ବାସଗୃହର କାନ୍ଥ ଉପରେ ଚିତ୍ରାଙ୍କନ କରିଥିଲେ । ଚିତ୍ରାଙ୍କନର ଏହି ରୀତି ସେ ସମୟରେ କେବଳ ଭାରତବର୍ଷରେ ହିଁ ପ୍ରଚଳିତ ଥିଲା ।

 

ଜାପାନରେ ମଧ୍ୟ ସପ୍ତମ ଶତାବ୍ଦୀର ଚିତ୍ରାଙ୍କନଗୁଡ଼ିକରେ ଭାରତୀୟ ରୀତିର ଉଜ୍ଜ୍ୱଳ ପ୍ରମାଣ ଦୃଷ୍ଟ ହୁଏ । ସେ ଦେଶର ହୋରିଓଜୀ ନାମକ ମନ୍ଦିର ଗାତ୍ରରେ ଯେଉଁ ବିଖ୍ୟାତ ଚିତ୍ରଗୁଡ଼ିକ ଅଙ୍କିତ, ତାହାର ସମୟ ଅଷ୍ଟମ ଶତାବ୍ଦୀର ପ୍ରଥମଭାଗ ବୋଲି ଅନୁମାନ କରାଯାଉଅଛି । ତହିଁରେ ଅଜନ୍ତା ଗୁହାର ଅଙ୍କନପଦ୍ଧତିର ପ୍ରଭାବ ସ୍ପଷ୍ଟରୂପେ ପ୍ରତିଫଳିତ । ଅଜନ୍ତା ଚିତ୍ରରେ ଯେପରି ରେଖାର ଦୃଢ଼ତା, ଜୀବନ୍ତ ଅନୁଭୂତି ଏବଂ ବର୍ଣ୍ଣବିନ୍ୟାସର ଲକ୍ଷ୍ୟ କରାଯାଏ, ସେ ସକଳର ସାକ୍ଷ୍ୟ ଜାପାନୀକଳାରୁ ମିଳିଥାଏ । ସୁତରାଂ ଚୀନ ପରି ସୁଦୂର ଜାପାନ ସହିତ ମଧ୍ୟ ଭାରତବର୍ଷର କୃଷ୍ଟିଗତ ସଂଯୋଗ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଅଛି ।

 

ପଞ୍ଚମ ଶତାବ୍ଦୀରେ ଚୀନ୍ ପରିବ୍ରାଜକ ଫାହିଆନ୍ ଏବଂ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂଙ୍କ ଭାରତ ଆଗମନ ପ୍ରସିଦ୍ଧ ହେଲେ ହେଁ ଅନ୍ୟାନ୍ୟ ପରିବ୍ରାଜକ ମଧ୍ୟ ଚୀନରେ ବୌଦ୍ଧଧର୍ମ ପ୍ରତିଷ୍ଠାର ନିଦର୍ଶନ ସ୍ୱରୂପ ଚୈନିକ ଚିତ୍ରକଳାର କେତେକ ନମୁନା ସାଙ୍ଗରେ ଘେନି ଭାରତକୁ ଆସିଥିଲେ ।

 

ବୌଦ୍ଧକଳାର ଆରମ୍ଭ ଏବଂ ତାହାର କ୍ରମିକ ବିକାଶର ଲକ୍ଷଣମାନ ଅଜନ୍ତା ଗୁହାଗୁଡ଼ିକରେ ହିଁ ଦେଖାଯାଏ । ସିଂହଳର ସିଗିରିଆ ମନ୍ଦିରରେ ଏହି କାଳର ବିକାଶଯୁଗର ଗୋଟିଏ ଦିଗ ଲକ୍ଷିତ ହୁଏ । ଗୋଆଲିୟର ରାଜ୍ୟର ବାଘଗୁମ୍ପାର କାନ୍ଥ ଉପରେ ଅଙ୍କିତ ଚିତ୍ରଗୁଡ଼ିକ ବହୁ ପରିମାଣରେ ନଷ୍ଟ ହୋଇ ଯାଇଥିଲେ ହେଁ ବୌଦ୍ଧକାଳର ନିଦର୍ଶନ ତହିଁରେ ଅଭାବ ନାହିଁ । ଏହି ତିନିଗୋଟି ସ୍ଥାନରେ ଅନେକ ଚିତ୍ର ଅଛି । ସେଥିମଧ୍ୟରୁ ଅଜନ୍ତାଗୁହାର ଚିତ୍ରଗୁଡ଼ିକ ବେଶି ବିଖ୍ୟାତ ।

 

ହାଇଦ୍ରାବାଦ ରାଜ୍ୟରେ ଫରଦାପୁର ନାମକ ଗ୍ରାମଠାରୁ ଚାରିମାଇଲ ଦୂରବର୍ତ୍ତୀ ଏକ ପର୍ବତ ଗାତ୍ରରେ ଅଜନ୍ତାର ମନ୍ଦିରଗୁଡ଼ିକ ଆବିଷ୍କୃତ ହୋଇଅଛି । ଉକ୍ତ ଫରଦାପୁର ଗ୍ରାମକୁ ଜଳଗାଓଁ ରେଳ ଷ୍ଟେସନଠାରୁ ଯାତାୟାତ କରିବା ପାଇଁ ସଡ଼କ ଅଛି । ଫରଦାପୁରଠାରୁ ଜଙ୍ଗଲ ଏବଂ ପାହାଡ଼ ମଧ୍ୟରେ ଗଲେ ଅଜନ୍ତା ନିକଟରେ ପହଞ୍ଚିବାକୁ ହୁଏ । ଗୁହାର ସର୍ବମୋଟ ସଂଖ୍ୟା ୨୯ ଗୋଟି । ବୌଦ୍ଧ ଗୁମ୍ଫାଗୁଡ଼ିକ ଉନ୍ନତ ଧରଣର କୋଠାଘର ପରି ଏବଂ ସେସବୁ ପାହାଡ଼ଗାତ୍ରରେ ଅର୍ଦ୍ଧବୃତ୍ତାକାରରେ ଅବସ୍ଥିତ । ପାହାଡ଼ ତଳେ ବହିଯାଉଥିବା କ୍ଷୁଦ୍ର ଝରଣା ଉପରେ ଅଜନ୍ତାର ଉଚ୍ଚତା ପ୍ରାୟ ଏକଶତ ଫୁଟ । ସ୍ଥାନଟି ରମଣୀୟ ପ୍ରାକୃତିକ ଦୃଶ୍ୟରେ ବେଷ୍ଟିତ ।

 

ଗୃହାଗୁଡ଼ିକର ନିର୍ମାଣକୌଶଳ ସମ୍ବନ୍ଧେ ଉଲ୍ଲେଖଯୋଗ୍ୟ ବହୁ ବିଷୟ ଥିଲେ ହେଁ ତାହାର କାନ୍ଥ ଉପରେ ଅଙ୍କିତ ଚିତ୍ରଗୁଡ଼ିକ ହିଁ ପ୍ରସିଦ୍ଧ । ଏହି ଚିତ୍ର ସବୁ କାଳଗ୍ରାସରେ ଅନେକାଂଶରେ ନଷ୍ଟହୋଇ ପଡ଼ିଅଛି; କିନ୍ତୁ ଯେତିକି ଅବଶିଷ୍ଟ ଅଛି, ଆଜି ତାହା କେବଳ ଭାରତର ନୁହେଁ, ପ୍ରାଚୀନ ପ୍ରାଚ୍ୟକାଳର ପ୍ରତିନିଧି ରୂପେ ବିଦ୍ୟମାନ ।

 

ଆବିଷ୍କୃତ ଅଣତ୍ରିଶ ଗୋଟି ଗୁହା ମଧ୍ୟରୁ ୧୮୭୯ ଖ୍ରୀଷ୍ଟାବ୍ଦରେ କେବଳ ଷୋଳ ଗୋଟି ଗୁହା ଅଳ୍ପାଧିକ ପରିମାଣରେ ଚିତ୍ରସମ୍ବଳିତ ଥିବାର ଇତିହାସରେ ବର୍ଣ୍ଣିତ ଅଛି । କିନ୍ତୁ ଏହି ଷୋଳ ଗୋଟି ଗୁହା ମଧ୍ୟରୁ ୧୯୧୦ ଖ୍ରୀଷ୍ଟାବ୍ଦ ବେଳକୁ ଦଶଗୋଟି ଗୁହାର ଚିତ୍ର ପ୍ରାୟ ବିଲୁପ୍ତ ହୋଇଯାଇଥିଲା । ଅବଶିଷ୍ଟ ଛଅଟି ଗୁହାର କାନ୍ଥ, ଖମ୍ବ ଏବଂ ଛାତର ତଳଦେଶ ଚିତ୍ରପୂର୍ଣ୍ଣ । ଗୁହାଗୁଡ଼ିକରୁ କେତେଗୋଟିର ଦୀର୍ଘପ୍ରସ୍ଥ ପ୍ରାୟ ଷାଠିଏ ବର୍ଗଫୁଟ । ଏଥିରୁ ଚିତ୍ରଗୁଡ଼ିକର ପ୍ରାଚୁର୍ଯ୍ୟ ସମ୍ବନ୍ଧରେ ଅନୁମାନ କରାଯାଇ ପାରେ । ବିଭିନ୍ନ ସମୟରେ ବହୁ ଶିଳ୍ପୀଙ୍କର ଅଙ୍କନରୀତି ଓ ବ୍ୟକ୍ତିତ୍ୱ ଏଥିରେ ପରିସ୍ଫୁଟ । ଆପାତତଃ ଛଅଗୋଟି ଗୁହାର ସମୟ ନିରୂପଣ ନିମ୍ନରୂପେ କରାଯାଇଅଛି–

 

(୧)

ନବମ ଓ ଦଶମ ଗୁହାର ସମୟ ୧୦୦ ଖ୍ରୀଷ୍ଟାବ୍ଦ ।

 

 

(୨)

ଦଶମ ଗୁହାର ସ୍ତମ୍ଭଗୁଡ଼ିକର ସମୟ ୩୫୦ ଖ୍ରୀଷ୍ଟାବ୍ଦ ।

 

 

(୩)

ଷୋଡ଼ଶ ଓ ସପ୍ତଦଶ ଗୁହାର ସମୟ ୫୦୦ ଖ୍ରୀଷ୍ଟାବ୍ଦ ।

 

 

(୪)

ପ୍ରଥମ ଓ ଦ୍ୱିତୀୟ ଗୁହାର ସମୟ ୬୨୬-୬୨୮ ଖ୍ରୀଷ୍ଟାବ୍ଦ ।

 

ଏଥିରୁ ଦେଖାଯାଏ ଯେ, ଅଜନ୍ତା ଚିତ୍ରଗୁଡ଼ିକର ସମୟ ଛଅଗୋଟି ଶତାବ୍ଦୀ ମଧ୍ୟରେ ବିସ୍ତୃତ । ଚିତ୍ରିତ ବିଷୟ ମଧ୍ୟରୁ କେତେଗୋଟି ସମସାମୟିକ ଐତିହାସିକ ଘଟଣାର ବିଷୟକୁ ଛାଡ଼ିଦେଲେ, ବାକିଗୁଡ଼ିକ ବୌଦ୍ଧଜାତକ କିମ୍ବା ବୁଦ୍ଧଙ୍କର ଅତୀତ କାଳର ବହୁ ଅବତାରର ଘଟଣାବଳୀରେ ପୂର୍ଣ୍ଣ । ପ୍ରାଚୀନତମ ବୌଦ୍ଧଗଳ୍ପଗୁଡ଼ିକ ଏହି ଚିତ୍ରମାନଙ୍କରେ ପ୍ରତିଫଳିତ ହୋଇଅଛି-

 

ନବମ ଓ ଦଶମ ଗୂହାଦୁଇଟିର ଚିତ୍ରାବାଳୀ ପ୍ରାଚୀନତମ ହେଲେହେଁ ତାହାର ଶିଳ୍ପ-କୌଶଳ ଓ ଅଙ୍କନନୈପୁଣ୍ୟକୁ ଦେଖି ମନେ ହୁଏ, ବୌଦ୍ଧକଳାର ଏହା ପ୍ରାରମ୍ଭିକ ଯୁଗ ନୁହେଁ । ଅର୍ଥାତ୍ ଏହା ଅନଭିଜ୍ଞ ଶିଳ୍ପୀର ପ୍ରଥମ ଚେଷ୍ଟା ନ ହୋଇ ଏକ ପରିପକ୍ୱ ଏବଂ ମାର୍ଜିତ କଳା-ପଦ୍ଧତିର ପରିଚୟ ଦେଇଥାଏ । ଅଜନ୍ତାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଦ୍ରାବିଡ଼ ରାଜାମାନେ ରାଜତ୍ୱ କରୁଥିବାର ପ୍ରମାଣ ଉକ୍ତ ଚିତ୍ରଗୁଡ଼ିକରୁ ମିଳେ । ସେମାନେ ବ୍ରାହ୍ମଣ ଧର୍ମର ଅନ୍ତର୍ଭୁକ୍ତ ଥିଲେ ହେଁ ବୌଦ୍ଧଧର୍ମ ପ୍ରତି ବାଧା ଜନ୍ମାଇ ନ ଥିଲେ । ବୌଦ୍ଧ ଶିଳ୍ପିଗଣ ପାରିପାର୍ଶ୍ୱିକ, ସାମାଜିକ ଓ ରାଜନୈତିକ ଉତ୍‌ଥାନ ପତନଦ୍ୱାରା ପ୍ରଭାବିତ ନ ହୋଇ ଧ୍ୟାନମଗ୍ନ ଯୋଗୀ ପରି ସ୍ୱୀୟ ଅନ୍ତର୍ଦୃଷ୍ଟି ଓ ପ୍ରତିଭାକୁ ତୁଳି ଉପରେ ନିବେଶ କରିଥିଲେ । ସେମାନଙ୍କ ଅନ୍ତର୍ଦୃଷ୍ଟ ଚତୁର୍ପାର୍ଶ୍ୱରେ ସଂକୀର୍ଣ୍ଣ ଗିରିଗୁହା କିମ୍ବା ଅରଣ୍ୟ ମଧ୍ୟରେ ଆବଦ୍ଧ ନ ରହି ଏକ ବିଶାଳତର ଓ ପୂର୍ଣ୍ଣତର ଜୀବନର ସୂଚନା ଦେଇଅଛି । ଯେଉଁଠାରେ ରାଜାର ଚିତ୍ର ଅଂକିତ; ସେଠାରେ ରାଜ-ପରିଷଦର ସମାରୋହ ଏବଂ ଐଶ୍ୱର୍ଯ୍ୟ ପ୍ରତିଫଳିତ ।

 

ଅଜନ୍ତାର ପ୍ରାଚୀନତମ ଚିତ୍ରଣରୀତି ସାରଲ୍ୟ ସାହସିକତା-ବ୍ୟଞ୍ଜକ; ତାହାର ପ୍ରେରଣାପୂର୍ଣ୍ଣ ଦୃଶ୍ୟଗୁଡ଼ିକରେ ମନୁଷ୍ୟ ହସ୍ତର ପ୍ରକାଶଭଙ୍ଗି ବିଶେଷରୂପେ ଲକ୍ଷିତ ହୋଇଥାଏ । ଏହି ସମୟରୁ ପ୍ରାୟ ୨୫୦ ବର୍ଷ ପରେ ଯେଉଁ ଚିତ୍ରମାନ ଅଙ୍କିତ ହୋଇଥିଲା, ସେଗୁଡ଼ିକ ମୂର୍ତ୍ତି ଆକାରରେ ଦଶମୁଗହାରେ ସ୍ତମ୍ଭ ଉପରେ ନିହିତ । ପୂର୍ବବର୍ତ୍ତୀ ଚିତ୍ରଠାରୁ ଏଗୁଡ଼ିକର ଅଙ୍କନ ରୀତିରେ ବିଶେଷ ପ୍ରଭେଦ ଲକ୍ଷ୍ୟ କରାଯାଏ । ମସ୍ତକର ପ୍ରଭା ଏବଂ ପରିଧାନର ନିର୍ମାଣ ଢଙ୍ଗରୁ ଗ୍ରିସୀୟ ସ୍ଥାପତ୍ୟ ସହିତ ତାହାର ସାମଞ୍ଜସ୍ୟ ଥିବାର ବୁଝାପଡ଼େ । ପୁରୁଷ ଓ ରମଣୀମାନଙ୍କର ଆକର୍ଣ୍ଣଲମ୍ବିତ ଚକ୍ଷୁ ଯେପରି ଧ୍ୟାନମଗ୍ନ, ଅଙ୍ଗୁଳି ଗୁଡ଼ିକର ସୁକ୍ଷ୍ମତା ସେହିପରି ସୌନ୍ଦର୍ଯ୍ୟର ପରିଚାୟକ । ଏହି ଚିତ୍ରସବୁର ଅଙ୍କନ କାଳରେ ଦାକ୍ଷିଣାତ୍ୟର ରାଜନୈତିକ ପରିସ୍ଥିତିର ସୁଷ୍ପଷ୍ଟ ବିବରଣୀ ମିଳେ ନାହିଁ । ତଥାପି ଏହି ସମୟରେ ଗୁପ୍ତବଂଶର (ଖ୍ରୀ:ଅ: ୩୨୦) ଅଭ୍ୟୁଦୟ ହୋଇଥିବାର ଜଣାଯାଏ; ତେଣୁ ସମୁଦ୍ର ଗୁପ୍ତଙ୍କର ଗୌରବମୟ ଶାସନର ପ୍ରେରଣାଦ୍ୱାରା ଚିତ୍ରଗୁଡ଼ିକ ସମ୍ଭବତଃ ପ୍ରଭାବିତ ହୋଇଥିବ ।

 

ଷୋଡ଼ଶ ଏବଂ ସପ୍ତବଶ ଗୁହାର ଚିତ୍ର ଷଷ୍ଠ ଶତାବ୍ଦୀର ବୌଦ୍ଧ କାଳର ନିଦର୍ଶନ । ଏହି ସମୟରେ ପାରିପାର୍ଶ୍ୱିକ ଦେଶ ଭକତକ ବଂଶଦ୍ୱାରା ଶାସିତ ହେଉଥିଲା । ରାଜବଂଶର ବିସ୍ତୃତ ବିବରଣୀ ସମ୍ବନ୍ଧେ ଇତିହାସ ନୀରବ । ଷୋଡ଼ଶ ଗୁହାର ବହିଦେର୍ଶରେ ଗୋଟିଏ ଭଗ୍ନ ପ୍ରସ୍ତରଲିପିରୁ ବୁଝାଯାଏ ଯେ, ଏହି ବୌଦ୍ଧବିହାରଟି ଉକ୍ତ ରାଜବଂଶର ଜନୈକ ମନ୍ତ୍ରୀଙ୍କ ପୁତ୍ରର ନିର୍ଦ୍ଦେଶକ୍ରମେ ଖୋଦିତ ହୋଇଥିଲା । ଏହି ରାଜବଂଶ ଦିନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ଗୁପ୍ତବଂଶ ସଙ୍ଗେ ତାହାର ବୈବାହିକ ସମ୍ପର୍କ ସ୍ଥାପିତ ହୋଇଥିଲା । ଷୋଡ଼ଶ ଗୁହାର ଚିତ୍ରଗୁଡ଼ିକ ସପ୍ତଦଶ ଗୁହାର ଚିତ୍ର ଅପେକ୍ଷା ପୂର୍ବବର୍ତ୍ତୀ ଏବଂ ବହୁ ପରିମାଣରେ ତାହା ନଷ୍ଟ ହୋଇଯାଇଅଛି ।

 

ସପ୍ତଦଶ ଗୁହାର ଚିତ୍ର ସବୁ ଆଜି ପର୍ଯ୍ୟନ୍ତ ପ୍ରାୟ ଅକ୍ଷୂଣ୍ଣ ଅଛି । ସେଥିରେ ଗଳ୍ପକଥନର ରୀତି ପରିସ୍ପୁଟ ଏବଂ ବୁଦ୍ଧଙ୍କର ଜନ୍ମ, ଜୀବନକାଳ ଓ ମୃତ୍ୟୁର ବହୁ ଭାବାବେଶମୟ କାହାଣୀରେ ତାହା ପରିପୂର୍ଣ୍ଣ । ଚିତ୍ରଗୁଡ଼ିକର ପରିକଳ୍ପନାରେ ଅଧିକ ନାଟକୀୟ ରୀତି ଲକ୍ଷିତ ହୁଏ । ଜୀବନ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ପ୍ରତିଷ୍ଠା କରି ଦଶକର ଚିତ୍ତ ଆକର୍ଷଣ ଉଦ୍ଦେଶ୍ୟରେ ତାହାର ବିଷୟବସ୍ତୁ ନିର୍ବାଚିତ; ତେଣୁ ତାହା ଜୀବନ୍ତ କରୁଣ । ବୋଧହୁଏ, ଭାରତବର୍ଷରୁ ବୌଦ୍ଧଧର୍ମର ପ୍ରଭାବ କ୍ଷୟପାଇବା ସମୟରେ ଧର୍ମ ଉପାଖ୍ୟାନ ଗୁଡ଼ିକୁ ଚିତ୍ରସମ୍ବଳିତ କରି ସାଧାରଣ ଲୋକଙ୍କ ଭିତରେ ପ୍ରଚାର କରିବା ପାଇଁ ଏହା ଅଙ୍କିତ ହୋଇଥିଲା ।

 

ପ୍ରଥମ ଦ୍ୱିତୀୟ ଗୁହା ଦୁଇଟି ସର୍ବାପେକ୍ଷା ପରବର୍ତ୍ତୀ ଚିତ୍ରର ପରିଚୟ ଦେଇଥାଏ । ଏହାର ସମୟ ପ୍ରଥମ ଗୁହାରେ ଅଙ୍କିତ ଗୋଟିଏ ଦୃଶ୍ୟରୁ ସ୍ଥିର କରାଯାଇଅଛି ଏହି ଚିତ୍ରଟି ରାଜା ଦ୍ୱିତୀୟ ପୁଲକେଶିନ୍‌ ପାରସ୍ୟ ଅଧିପତି ଖୁରସୁ ଫାର୍ଭିଜଙ୍କର ଜଣେ ରାଜପ୍ରତିନିଧିଙ୍କ ସଙ୍ଗେ ସାକ୍ଷାତ କରୁଥିବା ସମୟର ଦୃଶ୍ୟ । ଘଟଣାଟି ୬୨୬ ଠାରୁ ୬୨୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଘଟିଥିବାର ଅନୁମାନ କରାଯାଏ । ଉକ୍ତ ଐତିହାସିକ ଘଟଣାର ଚିତ୍ର ବ୍ୟତୀତ ଆହୁରି ଅନେକ ଚିତ୍ରରୁ ମଧ୍ୟ ପାରସ୍ୟ ଏବଂ ତାହାର କଳା ସହିତ ଅଜନ୍ତା ଚିତ୍ରକଳାର ସମ୍ପର୍କ ଥିବାର ପରିଚୟ ମିଳେ ।

 

ପ୍ରଥମ ଗୁହାଟିରେ ଚିତ୍ରର ସଂଖ୍ୟା ପ୍ରଚୁର ଏବଂ ସେଥିମଧ୍ୟରୁ ଗୌତମ ବୁଦ୍ଧଙ୍କର ଗୋଟିଏ ଧ୍ୟାନସ୍ଥ ମୂର୍ତ୍ତି ଚିତ୍ରଜଗତରେ ଅତୁଳନୀୟ । ୮୫୦ ଖ୍ରୀଷ୍ଟାବ୍ଦରେ ଖୋଦିତ ଜାଭା ଦ୍ୱୀପର କେତେକ ବୌଦ୍ଧ ସ୍ଥାପତ୍ୟ ସଙ୍ଗେ ଏହାର ସାମଞ୍ଜସ୍ୟ ଅଛି । ଏହି ଦ୍ୱୀପରେ ଥିବା ବଡ଼ବୁଦୁର ସ୍ତୂପର ମହନୀୟ ଶିଳ୍ପକଳା ଭାରତୀୟ ଚିତ୍ରର ଶୈଳୀକୁ ଗ୍ରହଣ କରିଥିବା ପରି ମନେହୁଏ ।

 

ଦ୍ୱିତୀୟ ଗୁହାରେ ଅଜନ୍ତା କଳାର ଶେଷରଶ୍ମି ପରିଲକ୍ଷିତ । ଅଜନ୍ତା ବିଶ୍ୱବିଖ୍ୟାତ ଚିତ୍ରକଳା ଏହି ଗୁହାରେ ହିଁ ଅନ୍ତିମ ସମାଧି ଲଭିଅଛି ବୋଲିବାକୁ ହେବ । ଏହି ଗୁହାର ଚିତ୍ରଗୁଡ଼ିକରେ ଭାରତରେ ବୌଦ୍ଧଧର୍ମର ପ୍ରତିପତ୍ତି ଶିଥିଳ ହୋଇ ପଡ଼ିଥିବାର ଲକ୍ଷଣ ପ୍ରକାଶିତ ହୋଇଛି ।

 

ପ୍ରଶ୍ନ

 

୧.

ବୌଦ୍ଧଯୁଗର ଚିତ୍ରକଳା କେଉଁ ସ୍ଥାନମାନଙ୍କରେ ଦେଖାଯାଏ ?

 

 

୨.

ଏହି ଚିତ୍ରଗୁଡ଼ିକର ବିଷୟବସ୍ତୁ କ’ଣ ଥିଲା ଏବଂ ତାହାଦ୍ୱାରା ଭାରତର ପଡ଼ୋଶୀ ଦେଶମାନଙ୍କ ଉପରେ କିପରି ପ୍ରଭାବ ପଡ଼ିଥିଲା, ଗୋଟିଏ ଅନୁଚ୍ଛେଦରେ ବର୍ଣ୍ଣନା କର ।

 

 

୩.

ଅଜନ୍ତାଗୁହାଗୁଡ଼ିକ କେଉଁଠାରେ ଅବସ୍ଥିତ ଏବଂ ତାହାର ବିଶେଷତ୍ୱ କ’ଣ ?

 

 

୪.

ବୌଦ୍ଧଶିଳ୍ପୀ ଗଣ ପାରିପାଶ୍ୱିକ, ସମାଜିକ ଏକ ବିଶାଳତର ଓ ପୂର୍ଣ୍ଣତର ଜୀବନର ସୂଚନା ଦେଇଛି ।’’ ଏହି ବାକ୍ୟର ସରଳାର୍ଥ ଲେଖ ।

 

 

୫.

ପ୍ରାଚ୍ୟଭୂଖଣ୍ଡ, ଅନୁପ୍ରାଣିତ, ଗୌରବମୟ, ପ୍ରେରଣାସମ୍ଭୂତ, ପରାକାଷ୍ଠ, ଚିତ୍ରସମ୍ବଳିତ, ଶିଳ୍ପାଚାର୍ଯ୍ୟ, ଅର୍ଦ୍ଧବୃତ୍ତାକାର, ଅଙ୍କନନୈପୁଣ୍ୟ, ପରିପକ୍ୱ, ଅନ୍ତର୍ଦୃଷ୍ଟି, ଭାବାବେଶମୟ, ନାଟକୀୟ ରୀତି, ଅନ୍ତିମ ସମାଧି, ଅସାମଞ୍ଜସ୍ୟ–ଶବ୍ଦଗୁଡ଼ିକର ଅର୍ଥ କହ ।

Image

 

ସ୍ୱାଧୀନ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ

 

ନଗରରେ ବାସ କରୁଥିବା ଲୋକମାନଙ୍କୁ ଆକ୍ଷରିକ ଅର୍ଥରେ ନାଗରିକ ବୋଲାଯାଇଥାଏ । ମାତ୍ର ସାଧାରଣତଃ ଗ୍ରାମ ଓ ସହରର ସବୁ ବାସିନ୍ଦା ନାଗରିକ ନାମରେ ପରିଚିତ । କେବଳ କ୍ରୀତଦାସମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କର ନାଗରିକ ଅଧିକାର ଅଛି । ବର୍ତ୍ତମାନ କ୍ରୀତଦାସର ପ୍ରଥା ପୃଥିବୀରୁ ଲୋପ ପାଇଥିବାରୁ ସକଳ ମନୁଷ୍ୟ ନାଗରିକ ନାମରେ ଅଭିହିତ ହୁଅନ୍ତି । ପରସ୍ପର ମିଳିମିଶି ସୁଖସ୍ୱାଚ୍ଛନ୍ଦ୍ୟରେ ଚଳିବା ନାଗରିକ ଜୀବନର ପ୍ରଧାନ ଦାୟିତ୍ୱ-। ଏହି ଦାୟିତ୍ୱ ତୁଲାଇବାକୁ ହେଲେ, ପରସ୍ପର ପ୍ରତି ଆମ୍ଭମାନଙ୍କର କେତେକ କର୍ତ୍ତବ୍ୟ ଅଛି-

 

ଆମ୍ଭେମାନେ ସମସ୍ତ ଭାରତବାସୀ ଗୋଟିଏ ପ୍ରକାଣ୍ଡ ପରିବାରର ଅନ୍ତର୍ଭୁକ୍ତ ବୋଲି ନିଜକୁ ବିଚାରିବା ଉଚିତ । ପରିବାରରେ ଥିବା ସମସ୍ତଙ୍କର ଉନ୍ନତି କରିବା ଯେପରି ଆମ୍ଭମାନଙ୍କର କର୍ତ୍ତବ୍ୟ, ସେହିପରି ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ମଧ୍ୟ ବିଧେୟ ।

 

ସେଥିଲାଗି ସର୍ବପ୍ରଥମେ ନିମ୍ନୋକ୍ତ ନିୟମଗୁଡ଼ିକୁ ଆମ୍ଭେମାନେ ପାଳନ କରିବା ।

 

୧.

ପ୍ରତ୍ୟହ ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗକରି ଏକ ମିନିଟ୍‌ ନୀରବରେ ସଚ୍ଚିନ୍ତା କରିବା ।

 

 

୨.

ମହାପୁରୁଷମାନଙ୍କ ଜୀବନୀ ପାଠକରି ସେହିମାନଙ୍କର ତ୍ୟାଗପୂତ ଆଦର୍ଶ ଗ୍ରହଣ କରିବା-

 

 

୩.

କୁସଙ୍ଗ ପରିତ୍ୟାଗ କରିବା ଓ କୁଅଭ୍ୟାସରୁ ଦୂରରେ ରହିବା ।

 

 

୪.

ନିଜକୁ ଓ ନିଜର ବାସସ୍ଥାନକୁ ପରିଚ୍ଛନ୍ନ ରଖିବା ।

 

 

୫.

ସ୍ନାନ, ଆହାର, ନିଦ୍ରା, ଅଧ୍ୟୟନ ବ୍ୟାୟମ ବା କ୍ରୀଡ଼ା ଆଦି ସକଳ ଦୈନନ୍ଦିନ କର୍ମରେ ସମୟାନୁବର୍ତ୍ତୀ ହେବା ।

 

 

୬.

ଯଥାସମୟରେ ବିଦ୍ୟାଳୟରେ ଉପସ୍ଥିତ ହେବା ଓ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ।

 

 

୭.

ଶ୍ରେଣୀ ମଧ୍ୟରେ ଶିକ୍ଷକଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଓ ସହାଧ୍ୟାୟୀମାନଙ୍କ ସଙ୍ଗେ ଉତ୍ତମ ବ୍ୟବହାର କରିବା ।

 

 

୮.

କ୍ରୀଡ଼ା ଓ ଅଧ୍ୟୟନ ଆଦି ଯେ କୌଣସି ବିଷୟରେ ନିଜେ କୃତିତ୍ୱ ଲାଭ କଲେ, ସେଥିଲାଗି ଗର୍ବିତ ନ ହୋଇ ବିନୟ ଓ ସାଧୁ ବ୍ୟବହାରରେ ସମସ୍ତଙ୍କୁ ତୁଷ୍ଟ କରିବା ।

 

 

୯.

ଅନ୍ୟ କେହି କଥୋପକଥନ କରିବା ସମୟରେ ତହିଁରେ ବାଧା ଦେବା ନାହି ।

 

 

୧୦.

ଉଚ୍ଚସ୍ୱରରେ କଥୋପକଥନ କରିବା ନାହିଁ ଓ ଯଥାସମ୍ଭବ ‘ମୁ’ ଶବ୍ଦଟିକୁ ବ୍ୟବହାର କରିବା ନାହିଁ । କାରଣ ବାରମ୍ବାର ଏହି ଶବ୍ଦଟି ବ୍ୟବହାର କରିବା ଦ୍ୱାରା ଆତ୍ମବଡ଼ିମା ପ୍ରକାଶ ପାଏ-

 

 

୧୧.

କ୍ରୀଡ଼ାକ୍ଷେତ୍ରରେ ସର୍ବତୋଭାବରେ ଉତ୍ସାହ ଦେଖାଇବା, ମାତ୍ର ଔଦ୍ଧତ୍ୟ ଦେଖାଇବା ନାହିଁ ।

 

 

୧୨.

କ୍ରୀଡ଼ାରେ ପରାଜିତ ହେଲେ ଧୈର୍ଯ୍ୟ ହରାଇ ପ୍ରତିପକ୍ଷ ସହିତ କଳହ କରିବା ନାହିଁ । ପରାଜୟକୁ ସହାସ୍ୟରେ ସ୍ୱୀକାର କରିବା ।

 

 

୧୩.

ଅନ୍ୟଠାରୁ ଯେପରି ବ୍ୟବହାର ପାଇବାକୁ ଆମ୍ଭେମାନେ ଆଶାକରୁଁ, ଅନ୍ୟ ପ୍ରତି ସେହିପରି ବ୍ୟବହାର କରିବା ।

 

 

୧୪.

ନିଜର ଗୃହ ଉପକରଣ ପ୍ରତି ଯେପରି ଯତ୍ନନେବା, ଅପରର ଗୃହ ଉପକରଣ ପ୍ରତି ସେହିପରି କିମ୍ବା ତତୋଽଧିକ ଯତ୍ନ ନେବା ।

 

 

୧୫.

ବୃଦ୍ଧ, ରୁଗ୍‌ଣ, ଅଶକ୍ତ, ନାରୀ, କିମ୍ବା ଶିଶୁମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା । ଜନଗହଳିରେ, ଦୋକାନରେ, ସିନେମାଗୃହରେ, ନୌକାରେ କିମ୍ବା ରେଲଗାଡ଼ିରେ ସେମାନଙ୍କ ସକାଶେ ପ୍ରଥମେ ସ୍ଥାନ ଛାଡ଼ିଦେବା ।

 

 

୧୬.

ସଭା ସମିତିରେ, ବସ୍‌ କିମ୍ବା ରେଲଗାଡ଼ିରେ ଅନ୍ୟମାନଙ୍କୁ ଠେଲି ଆଗକୁ ଯିବା ନାହିଁ ।

 

 

୧୭.

ଅନ୍ୟ କେହି କିଛି ଲେଖୁଥିଲେ, ସେଠାରେ ଠିଆ ହୋଇ ତାହା ଦେଖିବା ନାହିଁ କିମ୍ବା ଅନ୍ୟର ଚିଠି ପଢ଼ିବା ନାହିଁ ।

 

 

୧୮.

ପଶ୍ଚାତରେ କାହାରି ନିନ୍ଦା କିମ୍ବା ଦୁର୍ନାମ କରିବା ନାହିଁ ।

 

 

୧୯.

ଦୁର୍ବଳ ପଶୁକୁ କେହି ନିର୍ମମ ଭାବରେ ପ୍ରହାର କରୁଥିଲେ, ତାହାକୁ ବାରଣ କରିବା ।

 

 

୨୦.

ନିରୀହ ଲୋକଙ୍କୁ କେହି ପ୍ରତାରଣା କରୁଥିଲେ, ତାହା ବିରୁଦ୍ଧରେ ପ୍ରତିକାର ଲୋଡ଼ି ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବା ।

 

 

୨୧.

ସର୍ବଦା ସତ୍ୟ ଓ ନ୍ୟାୟ ମାର୍ଗରେ ଚାଲିବାକୁ ତତ୍ପର ହେବା ।

 

ପ୍ରଶ୍ନ

 

୧.

ସ୍ୱାଧୀନ ନାଗରିକ କାହାକୁ ବୋଲାଯାଏ ?

 

 

୨.

ନିମ୍ନଲିଖିତ ବିଭିନ୍ନ କ୍ଷେତ୍ରରେ ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ କ’ଣ ତାହା ବୁଝାଇ ଲେଖ ।

 

 

 

(କ) ନିଜ ଗୃହରେ (ଖ) ଅନ୍ୟ ଗୃହରେ (ଗ) ରାସ୍ତାରେ (ଘ) ବିଦ୍ୟାଳୟରେ (ଙ) କ୍ରୀଡ଼ାସ୍ଥଳରେ (ଚ) ବସ୍‌ କିମ୍ବା ରେଳରେ (ଛ) ବଜାରରେ ।

 

 

୩.

‘ମୁଁ’ ଶବ୍ଦଟିକୁ ବାରମ୍ବାର ବ୍ୟବହାର କଲେ କ୍ଷତି କ’ଣ ?

 

 

୪.

ଉଦାହରଣ ସହ ନିମ୍ନ ବାକ୍ୟଟିକୁ ବୁଝାଇ ଦିଅ–ଅନ୍ୟଠାରୁ ଯେପରି ବ୍ୟବହାର ପାଇବାକୁ ଆମ୍ଭେମାନେ ଆଶା କରୁ, ଅନ୍ୟ ପ୍ରତି ସେହିପରି ବ୍ୟବହାର କରିବା ।

 

 

୫.

କ୍ରୀତଦାସ, ତ୍ୟାଗପୂତ, ବିଧେୟ, ଦୈନନ୍ଦିନ, ଅନାହୂତ, ଯଥାସମ୍ଭବ, ଔଦ୍ଧତ୍ୟ, ସର୍ବତୋଭାବରେ, ଉପକରଣ, ପ୍ରତାରଣା, ପ୍ରତିକାର–ଏଗୁଡ଼ିକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ରଚନା କର ।

Image

 

ପାଇକ ବିଦ୍ରୋହ

 

ଅତୀତ କାଳରେ ଥରେ ଉତ୍କଳରେ ଲାଗିଲା ରଣ

ଦେଶ ଲାଗି ଲହୁ ଢାଳିଲେ ଓଡ଼ିଆ ପାଇକ ଗଣ ।

ଅରାତି କବଳୁ ରଖିବାକୁ ଦେଶ

ସକଳ ଶକତି କଲେ ସେହୁ ଶେଷ,

ରଖିବାକୁ ନିଜ ମହତ କରିଲେ ଜୀବନ ପଣ,

ଅତୀତ କାଳରେ ଥରେ ଉତ୍କଳରେ ଲାଗିଲା ରଣ । (୧)

 

ବକ୍‌ସି ଜଗବନ୍ଧୁ ପାଇକ-ଅଗ୍ରଣୀ ଚଳାନ୍ତି ଥାଟ,

ଚମକି ଉଠିଛି ସବୁ ଗାଁ ବିଲ ପାହାଡ଼ ପାଟ,

ଖୋରଧା, ପିପିଲି, ବାଣପୁର ପୁରୀ

ପଡ଼ିଛି ସବୁଠି ବିଦ୍ରୋହର ହୁରି

ଚାଲନ୍ତି ଓଡ଼ିଆ ପାଇକ ହକାରି ଜୟ କୁହାଟ

ବକ୍‌ସି ଜଗବନ୍ଧୁ ପାଇକ-ଅଗ୍ରଣୀ ଚଳାନ୍ତି ଥାଟ । (୨)

 

ବଜ୍ରନିନାଦରେ ଫୁଟିଲା କମାଣ, ଫୁଟିଲା ତୋପ

କରିବେ ଓଡ଼ିଆ ପାଇକ ଇଂରେଜି ଶାସନ ଲୋପ ।

ଜଳଧାରା ସମ ବହିଲା ରୁଧିର

ଛିଡ଼େ କେତେ ଶତ ହସ୍ତ ପଦ ଶିର

ପୁଣି ଯୁଝିବାକୁ ଜଳେ ତାଙ୍କ ଚିତ୍ତେ ଭୀଷଣ କୋପ

କରିବେ ଓଡ଼ିଆ ପାଇକ ଇଂରେଜି ଶାସନ ଲୋପ । (୩)

 

ଘୁମୁସରଠାରୁ ଚାରି ଶହ କନ୍ଧ ଆସିଲେ ଛୁଟି

ବାଣପୁରେ ପଶି ସରକାରୀ ଘର କଲେ ସେ ଲୁଟି ।

ତହୁଁ ଖୋରଧାକୁ ଆସନ୍ତି ସେ ମାଡ଼ି

ଧରି ଧନୁଶର ଘୋର ରଡ଼ି ଛାଡ଼ି ।

କନ୍ଧଙ୍କ ନେତୃତ୍ୱ ଘେନି ଜଗବନ୍ଧୁ ଯୁଝିଲେ ଉଠି

ଘୁମୁସରଠାରୁ ଚାରିଶହ କନ୍ଧ ଆସିଲେ ଛୁଟି । (୪)

 

କେତେ ଅତ୍ୟାଚାରୀ ତହସିଲଦାର ଖାଇଲେ ହଣା,

କେତେ ଯେ ବିଦେଶୀ କର୍ମଚାରୀ ମଲେ ନ ହେଲା ଗଣା,

ପାଇକ ସଙ୍ଗରେ କନ୍ଧଙ୍କ ମିଳନ

ଦେଖି କର୍ମଚାରୀ କଲେ ପଳାୟନ ।

ବକ୍‌ସି ବୀରପଣ ଇଂରେଜ ବୁଦ୍ଧିକୁ କଲା ତ ବଣା ।

କେତେ ଅତ୍ୟାଚାରୀ ତହସିଲଦାର ଖାଇଲେ ହଣା । (୫)

 

ପାଇକ ଅଗ୍ରଣୀ ବକ୍‌ସି ଜଗବନ୍ଧୁ ଘେନିଛି ପଣ

ବିଦେଶୀ ଶାସନ ଦେବାକୁ ହଟାଇ କରିବ ରଣ,

ଉତ୍କଳ ନୃପଙ୍କୁ ଗଦୀରେ ଚଢ଼ାଇ

ପତିତପାବନ ପତାକା ଉଡ଼ାଇ

ହୃତ ସ୍ୱାଧୀନତା ଆଣିବ ଫେରାଇ ସହି କଷଣ

ପାଇକ-ଅଗ୍ରଣୀ ବକ୍‌ସି ଜଗବନ୍ଧୁ ଘେନିଛି ପଣ । (୬)

 

ଭାବିଲେ ଇଂରେଜ ବିଦ୍ରୋହ ଦମନ କରିବା ପାଇଁ

କଟକରୁ ଗଲେ ଖୋରଧା-ପଥରେ ଗୋରା ସିପାହୀ

ଓଡ଼ିଆ ପାଇକ ରୁଦ୍ଧ କଲେ ପଥ

ବର୍ଷିଲା କମାଣ ଗୁଳି ଶତ ଶତ ।

କେତେ ଗୋରା ସୈନ୍ୟ ହେଲେ ହତାହତ ହିସାବ ନାହିଁ

କଟକରୁ ଗଲେ ଖୋରଧା-ପଥରେ ଯେତେ ସିପାହୀ । (୭)

 

ତହୁଁ ମେଜେଷ୍ଟର ଇଂରେଜ ଶାସକ ଗଣିଲେ ଭୟ

ଖୋରଧାରୁ ଯାଇ ବାଳକାଟି ଗ୍ରାମେ ନେଲେ ଆଶ୍ରୟ

ବ୍ୟାପିଲା ବିଦ୍ରୋହ ସକଳ ଦିଗରେ

ସେନାପତି ମଲେ ପିପିଲି ସମରେ

ପଳାନ୍ତି ଇଂରେଜ; ଓଡ଼ିଆ ପାଇକ ଲଭିଲେ ଜୟ

ମହା ପରାକ୍ରମୀ ବିଦେଶୀ ଶାସକ ଗଣିଲେ ଭୟ । (୮)

 

ପୁରୀ ଅଭିମୁଖେ ଚାଲନ୍ତି ପାଇକ ଉତ୍ସାହେ ମାତି

ସବୁଠାରୁ ଗୋରା ସିପାହୀ ଭୟରେ ପଳାଉଥାନ୍ତି ।

ଲୋକନାଥଘାଟ ପଥରେ ପ୍ରବେଶି

ପୁରୀ ସହରୁ ସେ ତଡ଼ିଲେ ବିଦେଶୀ

ଘୋଷିଲା ସାଗର, ଜୟ ଜୟ ଜୟ ଓଡ଼ିଆ-ଜାତି

ସବୁଠାରୁ ଗୋରା ସିପାହୀ ଭୟରେ ପଳାଉଥାନ୍ତି । (୯)

 

ନୀଳାଚଳ ଧାମ ହୋଇଲା ଭୀଷଣ ରଣପ୍ରାଙ୍ଗଣ

ଗୋରା ସିପାହୀଙ୍କ ସାଥିରେ ପାଇକ କରନ୍ତି ରଣ

ଏ ସମୟେ ଏକ ଘଟଣା ବିଚିତ୍ର

ଦେଖି ସର୍ବଜନ ହୋଇଲେ ଚକିତ;

ଅଧିକ ସାହସ ଲଭିଲେ ହତାଶ ପାଇକଗଣ

ନୀଳାଚଳ ଧାମ ହୋଇଲା ଭୀଷଣ ରଣପ୍ରାଙ୍ଗଣ । (୧୦)

 

ପତିତପାବନ ପତାକା ଉଡ଼ାଇ ହାଉଦାପରେ

*ବୁଢ଼ା ପାଟହାତୀ ଉଭାହେଲା ଆସି ସଭା ଆଗରେ;

ଫଉଜ ମଝିରେ ପାହୁଲ ପକାଇ

ଓଡ଼ିଆ ରଜାଙ୍କ ପାଟହାତୀ ଯାଇ

ଉଭାହୁଏ; ତା’ର ଆରୋହୀ ଲଢ଼ଇ ଦରପଭରେ

ପତିତପାବନ ପତାକା ଉଡ଼ାଇ ହାଉଦା ପରେ । (୧୧)

 

*‘ପାଟହାତୀ’ ଉପାଖ୍ୟାନଟି ଏହି କବିତାରେ ଏକ କାଳ୍ପନିକ ଘଟଣା ଏବଂ ତାହା ଗୋଟିଏ ଇଂରେଜୀ କବିତାରୁ ଗୃହୀତ ।

 

ଦମ୍ଭଭରେ ସେ ତ ପାହାଡ଼ ସମାନ ହୋଇଲା ଛିଡ଼ା

ଆଗରେ ତାହାର ଲାଗିଛି ତୁମୂଳ ସମର-କ୍ରୀଡ଼ା

ପଡ଼େ କେତେ ସେନା ଗୁଳିଚୋଟେ ଶୋଇ

ପାଇକ ରୁଧିର ଧାର ଯାଏ ବୋହି

ହସ୍ତୀପରୁଁ ଖସେ ଆରୋହୀ, ତା’ଦେହେ ବାଣର ପୀଡ଼ା

ତଳେ ପଡ଼ି ତା’ର କ୍ଷଣକେ ସରିଲା ଜୀବନ-କ୍ରୀଡ଼ା । (୧୨)

 

ଦେଖି ପାଟହାତୀ ଆପଣା ଉପରେ ଆରୋହୀ ନାହିଁ ।

ତେତେବେଳେ ସେ ତ ପାଦେ ପଛଘୁଞ୍ଚା ନ ଦିଏ କାହିଁ ।

ହାଉଦା ଉପରେ ଉଡ଼ୁଛି ନିକର

ଜାତିର ପତାକା ହୋଇ ଫର ଫର ।

ହତାଶ ସଇନ ମାତିଉଠେ ରଣେ ବାନାକୁ ଚାହିଁ

ଧନ୍ୟ ପାଟହାତୀ, ପାଦେ ପଛଘୁଞ୍ଚା ନ ଦିଏ କାହିଁ ! (୧୩)

 

ଲଭି ପରାଜୟ ପଳାଇଲେ ଶତ୍ର-ସଇନବଳ

ରକତେ ରଞ୍ଜାଇ ପୁରୁଷୋତ୍ତମର ସମରସ୍ଥଳ ।

ବିଜୟୀ ପାଇକଦଳ ଉଠେ ମାତି

କରିବ ରୋଷଣୀ ଘେନି ପାଟହାତୀ,

ଆରୋହୀ-ବିହୀନ ପାଟହାତୀ ମାତ୍ର ରହେ ଅଚଳ ।

ଲଭି ପରାଜୟ ପଳାଇଲେ ଶତ୍ରୁ ସଇନବଳ । (୧୪)

 

ନ କାଢ଼ଇ ପାଦ ପାଟହାତୀ ବୋଲି ପଡ଼ିଲା ହୁରି

ଜନଗହଳରେ ଦଣ୍ଡକେ ସେ ସ୍ଥାନ ଉଠିଲା ପୂରି ।

ଜାତିର ନିଶାଣ ଉଡ଼ାଇ ଆକାଶେ

ଗରବରେ ଉଭା ହୋଇଛି କିବା ସେ !

ଆରୋହୀ ଆଦେଶ ନ ମିଳିଲେ ସେ ତ ନ ପାରେ ଘୁରି

ନ କାଢ଼ଇ ପାଦ ପାଟହାତୀ ବୋଲି ପଡ଼ିଲା ହୁରି ! (୧୫)

 

ଶେଷେ ଆରୋହୀର ବାଳକପୁତ୍ରକୁ ଆଣିଲେ ଡାକି

ଖେଳିଥିଲା ସତେ ପାଟହାତୀ ଶୁଣ୍ଢ ହାତରେ ଜାକି !

ତାକୁ ଦେଖି ମୁଣ୍ଡ ନୁଆଇଲା କରୀ

ବସାଇଲା ପୃଷ୍ଠେ ଶୁଣ୍ଢେ ଟେକିଧରି

ଆରୋହୀପୁତ୍ରକୁ ଦେଖିବା ପାଇଁ ସେ ଥିଲା କି ଟାକି ?

ଖେଳିଥିଲା ସେ ତ ପାଟହାତୀ ଶୁଣ୍ଢ ହାତରେ ଜାକି ! (୧୬)

 

ଚଳେ ବଡ଼ଦାଣ୍ଡେ ପାଟହାତୀ ଆଗ ରୋଷଣୀ କରି

ଶୁଭେ ଶଙ୍ଖନାଦ ଢୋଲକ ମହୁରି ଗଗନ ଭରି

କମ୍ପାଏ ରମଣୀ-ହୁଳହୁଳି ନାଦ

ତାଳେ ତାଳେ ପଡ଼େ ପାଟହାତୀପାଦ

ବର୍ଷା ସମ ତା’ର ଉପରେ କୁସୁମ ପଡ଼ଇ ଝରି,

ଚଳେ ବଡ଼ଦାଣ୍ଡେ ପାଟହାତୀ ଆଗ ରୋଷଣୀ କରି । (୧୭)

 

ପ୍ରଶ୍ନ

 

୧.

ପାଇକ-ବିଦ୍ରୋହ କିପରି ଘଟିଥିଲା, ତାହା ସଂକ୍ଷେପରେ ବର୍ଣ୍ଣନା କର ।

 

 

୨.

କେଉଁ କେଉଁ ସ୍ଥାନରେ ପାଇକମାନେ ବିଦ୍ରୋହ କଲେ ଏବଂ ତାଙ୍କର ନେତା କିଏ ଥିଲେ ?

 

 

୩.

ପୁରୀଠାରେ କେଉଁ ଯୁଦ୍ଧ ହୋଇଥିଲା ? ସେଥିରେ ପାଟହାତୀର ବର୍ଣ୍ଣନା କାହିଁକି କରାଯାଇଛି ?

 

 

୪.

ଜୀବନପଣ, ବିଦ୍ରୋହର ହୁରି, ପାଇକ-ଅଗ୍ରଣୀ, ବିଦେଶୀ ଶାସନ, ହୁତସ୍ୱାଧୀନତା, ମହାପରାକ୍ରମୀ, ଜାତିର ନିଶାଣ, ରଙ୍ଗପ୍ରାଙ୍ଗଣ–ଏଗୁଡ଼ିକ ବ୍ୟବହାର କରି ଗୋଟିଏ ଲେଖାଁଏ ବାକ୍ୟ ଗଠନ କର ।

 

 

୫.

‘‘ଦେଖି ପାଟହାତୀ ଆପଣା ଉପରେ.ପଛଘୁଞ୍ଚା ନ ଦିଏ କାହିଁ !’’ ପଦଟିର ସାରମର୍ମ ଲେଖ-

Image

 

ଭାରତର ସ୍ୱାଧୀନତା ସଂଗ୍ରାମ

 

ଅଗଷ୍ଟ ମାସ ୧୫ ତାରିଖ ଭାରତ ଇତିହାସରେ ଏକ ସୀମା ନିର୍ଦ୍ଦେଶକ ଦିବସ । ୧୯୪୭ ଖ୍ରୀଷ୍ଟାବ୍ଦରେ ଏହି ଦିନ ଭାରତବାସୀ ସ୍ୱାଧୀନତା ଲାଭକଲେ ଏବଂ ବହୁ ଶତ ବର୍ଷପରେ ଏ ଦେଶରୁ ବିଦେଶୀ ଶାସନ ଲୁପ୍ତ ହେଲା । ଏହାପରେ ୧୯୫୦ ଖ୍ରୀଷ୍ଟାବ୍ଦ ଜାନୁଆରି ମାସ ତା ୨୬ ରିଖରେ ଜାତିଧର୍ମ ଓ ଧନୀନିର୍ଦ୍ଧନ ନିର୍ବିଶେଷରେ ସକଳ ଭାରତୀୟ ନିଜ ନିର୍ବାଚିତ ପ୍ରତିନିଧିମାନଙ୍କଦ୍ୱାରା ଶାସନକାର୍ଯ୍ୟ ଚଳାଇବାର ଅଧିକାର ପାଇଲେ । ଦେଶସାରା ଆନନ୍ଦ ଉଲ୍ଲାସରେ ମଗ୍ନ ହେଲା । ସର୍ବତ୍ର ଜାତୀୟ ପତାକା ଉଡ଼ିଲା । ସେହି ସମୟରୁ ପ୍ରତି ବର୍ଷ ଏ ଦୁଇଦିନକୁ ପବିତ୍ର ଦିବସରୂପେ ପାଳନ କରାଯାଉଅଛି । ବହୁ କାଳ ମୋଗଲମାନଙ୍କ ଶାସନାଧୀନରେ ରହି ତତ୍ପରେ ଦେଢ଼ ଶହ ବର୍ଷରୁ ଅଧିକ କାଳ ହେଲା ଭାରତ ଇଂରେଜ ମାନଙ୍କଦ୍ୱାରା ଶାସିତ ହେଉଥିଲା । ଏହି ଦିନ ଇଂରେଜ ସରକାର ଭାରତୀୟ ନେତାମାନଙ୍କ ହସ୍ତରେ ଶାସନ କ୍ଷମତା ଅର୍ପଣ କରିଥିଲେ ।

 

ପ୍ରାୟ ତିନି ଶତ ବର୍ଷ ପୂର୍ବେ ବାଣିଜ୍ୟ ଉଦ୍ଦେଶ୍ୟରେ ଇଂରେଜମାନେ ପ୍ରଥମେ ଭାରତବର୍ଷକୁ ଆସି ତତ୍ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ଗୋଟିଏ ବ୍ୟବସାୟ ସଂଘଦ୍ୱାରା ବାଣିଜ୍ୟ ଚଳାଇଥିଲେ । ସେତେବେଳେ ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇ ଶାସିତ ହେଉଥାଏ ଏବଂ ବିଭିନ୍ନ ଶାସକମାନଙ୍କ ଭିତରେ ସର୍ବଦା ଅନ୍ତର୍ବିବାଦ ଲାଗି ରହିଥାଏ । ସେହି ସୁଯୋଗରେ ବିଦେଶୀମାନେ ଭାରତରେ ଆଧିପତ୍ୟ ବିସ୍ତାର କଲେ ଏବଂ ଶେଷରେ ସମଗ୍ର ଭାରତ ସେମାନଙ୍କ ଅଧୀନ ହେଲା ।

 

ଚିରକାଳ ପରାଧୀନ ହୋଇ ରହିବା କୌଣସି ସଭ୍ୟଜାତି ପକ୍ଷରେ ସ୍ପୃହଣୀୟ ନୁହେଁ, ତେଣୁ ବିଦେଶୀ ଶାସନ ବିରୁଦ୍ଧରେ ଭାରତୀୟମାନେ କ୍ରମେ ତିକ୍ତଭାବ ପୋଷଣ କରିବାକୁ ଲାଗିଲେ । ତହିଁରୁ ମୁକ୍ତ ହେବା ପାଇଁ ସେମାନଙ୍କର ପ୍ରାଣ ବ୍ୟାକୁଳ ହୋଇ ପଡ଼ୁଥାଏ । କ୍ରମେ ଏହି ସ୍ୱାଧୀନତା-ପିପାସା ତୀବ୍ର ହୋଇଉଠିଲା । ତାହା ପ୍ରଥମେ ଆତ୍ମପ୍ରକାଶ କରିଥିଲା–ଭାରତର ସିପାହୀମାନଙ୍କ ଭିତରେ । ୧୮୫୭ ଖ୍ରୀଷ୍ଟାବ୍ଦରେ ସିପାହୀମାନେ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ । ଏଥିରେ ନେତା ଥିଲେ ଝାନ୍‌ସିର ରାଣୀ, ତାନ୍ତିଆ ଟୋପି ଏବଂ ଆମ ଓଡ଼ିଶାର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ପ୍ରଭୃତି । ସିପାହୀବିଦ୍ରୋହର ଦମନ ଲାଗି ଇଂରେଜ ସରକାର ବହୁ ଲୋକଙ୍କୁ ଗୁଳି କରିଥିଲେ ଏବଂ ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ ବନ୍ଦୀ ଓ ହତ୍ୟା କରି କଠୋର ଆଇନମାନ ପ୍ରଚଳନ କରିଥିଲେ ।

 

୧୮୮୫ ଖ୍ରୀଷ୍ଟାବ୍ଦରେ ଏଲାନ ଆକ୍ଟେଭିଆସ୍‌ ହ୍ୟୁମ୍‌ ନାମରେ ଜଣେ ମହାନୁଭବ ଇଂରେଜ ଭାରତର ଶିକ୍ଷିତ ଲୋକମାନଙ୍କ ସାହାଯ୍ୟରେ ଗୋଟିଏ ମହାସଭା ଗଠନ କଲେ । ତାହାରି ନାମ ହେଲା–କଂଗ୍ରେସ । ଭାରତର ଲୋକେ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ ନ କରି ଶାନ୍ତପୂର୍ଣ୍ଣ ଉପାୟରେ ନିଜ ଦାବୀ ହାସଲ କରିବା ଉଦ୍ଦେଶ୍ୟରେ ହିଁ କଂଗ୍ରେସ ଗଠିତ ହୋଇଥିଲା । କିନ୍ତୁ ଏହି ମହାସଭାର କୌଣସି ଆପତ୍ତି ଅଭିଯୋଗ ଇଂରେଜ ସରକାର ଗ୍ରହଣ କରନ୍ତି ନାହିଁ । ଏ ଦେଶର ଲୋକେ ଯେତେ ଶିକ୍ଷିତ ବା ବୁଦ୍ଧିମାନ ହେଲେ ସୁଦ୍ଧା ଗୋରା ସାହେବମାନେ ସବୁବେଳେ ଉଚ୍ଚକର୍ମରେ ନିଯୁକ୍ତ ରହି ଶାସନ କାର୍ଯ୍ୟ ପରିଚାଳନା କରୁଥାଆନ୍ତି । ଏହିଭଳି କେତେକ ବର୍ଷ ଅତିବାହିତ ହେବା ପରେ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନର ସୂତ୍ରପାତ କଲେ ।

 

ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ପୂର୍ବରୁ ଆଉ କେତେକ ଆନ୍ଦୋଳନ ଭାରତରେ ଦେଖାଦେଇଥିଲା । ସେଥି ମଧ୍ୟରୁ ‘ବଙ୍ଗଭଙ୍ଗ ଆନ୍ଦୋଳନ’ ପ୍ରଧାନ । ସେତେବେଳେ ବିଖ୍ୟାତ ବାଗ୍ମୀ ସୁରେନ୍ଦ୍ରନାଥ ବନ୍ଦୋପାଧ୍ୟାୟ, ବିଚକ୍ଷଣ ରାଜନୀତିଜ୍ଞ ଗୋପାଳକୃଷ୍ଣ ଗୋଖେଲେ ଏବଂ ଉଗ୍ରପନ୍ଥୀ ଲୋକମାନ୍ୟ ତିଳକ ଭାରତର ପ୍ରଧାନ ନେତା ଥିଲେ ।

 

ମହାତ୍ମା ଗାନ୍ଧୀ ପ୍ରଥମେ ଆଫ୍ରିକା ଅଧିବାସୀ ଭାରତୀୟ ମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ସେଠାରେ ଅହିଂସା-ଆନ୍ଦୋଳନ ଚଳାଇଥିଲେ । ତା’ପରେ ଭାରତକୁ ଫେରି ସେ ସତ୍ୟ ଓ ଅହିଂସା ବଳରେ ଆମ ଦେଶର ସ୍ୱାଧୀନତା ଫେରାଇ ଆଣିବାକୁ ଆନ୍ଦୋଳନ କଲେ । ସେତେବେଳେ ସ୍ୱର୍ଗୀୟ ପଣ୍ଡିତ ମୋତିଲାଲ ନେହେରୁ, ଦେଶବନ୍ଧୁ ଚିତରଞ୍ଜନ ଦାସ, ଲାଲା ଲାଜପତ ରାୟ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରମୁଖ ତାଙ୍କର ପ୍ରଧାନ ସହକର୍ମୀ ହୋଇଥିଲେ । ଜାତୀୟ ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ସରକାର ମହାତ୍ମା ଗାନ୍ଧୀ ଓ ତାଙ୍କର ସହକର୍ମୀମାନଙ୍କୁ ବାରମ୍ବାର ବନ୍ଦୀ କରିଥିଲେ । ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଷ୍ଟ୍ରପତି ଡକ୍‌ଟର ରାଜେନ୍ଦ୍ର ପ୍ରସାଦ, ଶ୍ରୀଯୁକ୍ତ ରାଜଗୋପାଳାଚାରୀ ଓ ସ୍ୱର୍ଗୀୟ ସର୍ଦ୍ଦାର ପଟେଲ ଏବଂ ନେତାଜୀ ସୁଭାଷଚନ୍ଦ୍ର ବୋଷ ମଧ୍ୟ ସେତେବେଳେ ଗାନ୍ଧିଜୀଙ୍କର ପ୍ରଧାନ ଶିଷ୍ୟରୂପେ ଆନ୍ଦୋଳନର ଅଗ୍ରଣୀ ହୋଇଥିଲେ ।

 

ଏହି ସ୍ୱାଧୀନତା ସମରରେ ବହୁ ଉଗ୍ର ଯୁବକଯୁବତୀଙ୍କୁ ପ୍ରାଣ ଦେବାକୁ ହୋଇଛି । ଏମାନଙ୍କ ମଧ୍ୟରେ ଖୁଦିରାମ, ଭଗତ୍‌ସିଂ, ହେମକଲ୍ୟାଣୀ, ରାମେଶ୍ୱର ଓ ବାଜି ରାଉତ ପ୍ରଭୃତି ପ୍ରଧାନ । ଢେଙ୍କାନାଳ ବାଜି ରାଉତ ସିପାହୀଙ୍କ ଆଦେଶ ନ ମାନି ଡଙ୍ଗା ନ ଫିଟାଇବାରୁ ଗୁଳିଖାଇ ପ୍ରାଣ ହରାଇଥିଲା ।

 

୧୯୪୨ ମସିହାରେ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଲା-। କଂଗ୍ରେସ ସେତେବେଳେ ଇଂରେଜମାନଙ୍କୁ ‘‘ଭାରତ ଛାଡ଼’’ ଆଦେଶ ଦେଲା । ଦେଶବ୍ୟାପୀ ପୁଣି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚାଲିଲା । ଏ ବିଦ୍ରୋହକୁ ଦମନ କରିବାପାଇଁ ସରକାର ବହୁ ଦେଶସେବୀଙ୍କୁ ଜେଲ ଦେଲେ ଏବଂ ଗାନ୍ଧୀ, ନେହେରୁ, ପଟେଲ ପ୍ରଭୃତି ଏ ଦେଶର ପ୍ରଧାନ ନେତାମାନଙ୍କୁ ଅଜ୍ଞାତ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦୀ କରି ରଖିଲେ । ନେତାଜୀ ସୁଭାଷଚନ୍ଦ୍ର ନଜରବନ୍ଦୀ ଥିବା ସମୟରେ କୌଶଳରେ ମୁକ୍ତ ହୋଇ ବ୍ରହ୍ମଦେଶ ସୀମାରେ ଏକ ଜାତୀୟ ସୈନ୍ୟବାହିନୀ ଗଠନ କରିଥିଲେ । ସେଠାରୁ ଦିଲ୍ଲୀ ଅଭିମୁଖରେ ସୈନ୍ୟ ଚାଳନା କରି ଇଂରେଜ ବାହିନୀ ସଙ୍ଗେ ଯୁଦ୍ଧ କଲେ ।

 

ସେତେବେଳେ ପୃଥିବୀବ୍ୟାପୀ ଦ୍ୱିତୀୟ ମହାସମର ଲାଗିଥାଏ । ଏହି ଅବସ୍ଥା ଦୀର୍ଘ ତିନି ବର୍ଷ ଯାଏ ରହିଥିଲା । କିନ୍ତୁ ଜାପାନ ଓ ଜର୍ମାନ ପ୍ରଭୃତି ବିହିଃ ଶତ୍ରୁ ଆକ୍ରମଣ ଏବଂ ଦେଶର ଅନ୍ତର୍ବିପ୍ଳବର ତୀବ୍ରତାରେ ଆତଙ୍କିତ ହୋଇ ଶେଷରେ ଇଂରେଜମାନେ ଭାରତକୁ ସ୍ୱାଧୀନ ଦେଶରୂପେ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

 

୧୯୪୭ ଅଗଷ୍ଟ ପନ୍ଦର ତାରିଖ ଦିନ ଭାରତରେ ସ୍ୱାଧୀନତା ଉତ୍ସବ ଅନୁଷ୍ଠିତ ହେଲା । ତତ୍ପରେ ୧୯୫୦ ଖ୍ରୀଷ୍ଟାବ୍ଦ ଜାନୁୟାରୀ ମାସ ୨୬ ତାରିଖରେ ଭାରତ ଇଂରେଜ ରାଜ୍ୟଗୋଷ୍ଠୀ ମଧ୍ୟରେ ନିଜକୁ ଏକ ସ୍ୱାଧୀନ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କଲା ।

 

ପ୍ରଶ୍ନ

 

୧.

ସ୍ୱାଧୀନତାର ଅର୍ଥ କ’ଣ ?

 

 

୨.

ଭାରତବର୍ଷ କି ଉପାୟରେ ସ୍ୱାଧୀନତା ପାଇଲା ?

 

 

୩.

ମହାତ୍ମା ଗାନ୍ଧୀ କିପରି ସ୍ୱାଧୀନତା ଆନ୍ଦୋଳନ ଚଳାଇଥିଲେ, ତାହା ଗୋଟିଏ ଅନୁଚ୍ଛେଦରେ ଲେଖ ।

 

 

୪.

ଝାନ୍‌ସୀର ରାଣୀ, ତାନ୍ତିଆ ଟୋପି, ଚନ୍ଦନ ହଜୁରୀ, ବାଜି ରାଉତ–ଏମାନେ କାହିଁକି ବିଖ୍ୟାତ ?

 

 

୫.

ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ପୂର୍ବରୁ କେଉଁ କେଉଁ ଆନ୍ଦୋଳନ ଆମ ଦେଶରେ ଦେଖା ଦେଇଥିଲା–ତାହା ନିଜ ଭାଷାରେ ବୁଝାଇ ଲେଖ ।

 

 

୬.

ଚିରକାଳ ପରାଧୀନ ହୋଇ ରହିବା କୌଣସି ସଭ୍ୟଜାତି ପକ୍ଷରେ ସ୍ପୃହଣୀୟ ନୁହେଁ–ଏହାର ଭାବକୁ ବିଶ୍ଳେଷଣ କର ।

 

 

୭.

ନିମ୍ନ ପଦଗୁଡ଼ିକ କେଉଁ କେଉଁ ଧାତୁରୁ ନିଷ୍ପନ୍ନ, ତାହା ନିର୍ଦ୍ଦେଶ କର–ଶାସନ, ହତ୍ୟା, ତିକ୍ତ, ବିରୁଦ୍ଧ, ମୁକ୍ତ, ନେତା, ବିଦ୍ରୋହ, ଗଠନ, ସହଯୋଗ, ଚରମ ।

Image

 

ଅଦ୍‌ଭୁତ ବୈଜ୍ଞାନିକ ଉଦ୍ଭାବନ

 

ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ ଆମ୍ଭମାନଙ୍କ ସାମାଜିକ ଜୀବନରେ ଏକ ତୁମୂଳ ବିପ୍ଳବ ଆଣିଥିବାର ଜଣାଯାଏ । ବ୍ୟୋମଯାନର ଉଦ୍ଭାବନ ଫଳରେ ପୃଥିବୀର ସର୍ବତ୍ର ଯାତାୟାତ କରିବା ଯେପରି ସହଜ ଓ କ୍ଷିପ୍ରତର ହୋଇପଡ଼ିଛି, ସେହିପରି ବିଦ୍ୟୁତ୍ ଶକ୍ତିର ଉଦ୍ଭାବନ ଦ୍ୱାରା ନାନା କ୍ଷେତ୍ରରେ ମାନବସମାଜର ଅତି ବିସ୍ମୟକର ଉନ୍ନତି ସାଧିତ ହୋଇଛି ।

 

ବିଦ୍ୟୁତ୍‌ ଶକ୍ତି ବଳରେ ଆମ୍ଭମାନଙ୍କର ଗୃହ ଓ ପଥ ଆଲୋକିତ ହେଉଛି ଏବଂ ବୈଦ୍ୟୁତିକ ବ୍ୟଜନ ଦ୍ୱାରା ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ଆମ୍ଭମାନଙ୍କୁ ରକ୍ଷା ମିଳୁଛି । ପୁଣି ପ୍ରଚଣ୍ଡ ଶୀତ ରାତ୍ରିରେ ଉତ୍ତାପକ ବିଦ୍ୟୁତ୍‌ଯନ୍ତ୍ରଦ୍ୱାରା ଗୃହ ମଧ୍ୟସ୍ଥିତ ବାୟୁକୁ ଉଷ୍ମ କରାଯାଇ ପାରୁଛି । ତାହାଛଡ଼ା ବହୁତଳବିଶିଷ୍ଟ ପ୍ରାସାଦ ଗୁଡ଼ିକରେ ଆରୋହଣ ଓ ଅବରୋହଣ ଲାଗି ବୈଦ୍ୟୁତିକ ଦୋଳି ବ୍ୟବହାର କରାଯାଇଅଛି । ଯେଉଁ ରେଡ଼ିଓ ବା ବେତାର ଯନ୍ତ୍ର ସାହାଯ୍ୟରେ ଗୃହ ମଧ୍ୟରେ ବସି ଆମ୍ଭେମାନେ ପୃଥିବୀର ସମ୍ବାଦ ପାଇପାରୁଛୁଁ, ତାହା ଏହି ବିଦ୍ୟୁତ୍‌ ଶକ୍ତିଦ୍ୱାରା ଚାଳିତ ।

 

ବିଦ୍ୟୁତ୍‌ ଶକ୍ତି ସାହାଯ୍ୟରେ ଯେଉଁ କେତେକ ଅଦ୍ଭୁତ ଯନ୍ତ୍ର ଉଦ୍ଭାବିତ ହୋଇଛି ତନ୍ମଧ୍ୟରୁ ‘‘ବୈଦ୍ୟୁତିକ ଚକ୍ଷୁ,’’ ‘‘ଟେଲିଭିଜନ’’ ଓ ‘‘ରେଡାର’’ ଯନ୍ତ୍ରର ବର୍ଣ୍ଣନା ଏଠାରେ କରାଯାଉଛି ।

 

ବୈଦ୍ୟୁତିକ ଚକ୍ଷୁ (ଇଲେକ୍‌ଟ୍ରିକ୍‌ ଆଇ)

 

ମନୁଷ୍ୟ ଚକ୍ଷୁ ଯାହା ଦେଖି ନ ପାରେ, ବୈଦ୍ୟୁତିକ ଚକ୍ଷୁଦ୍ୱାରା ତାହା ସମ୍ଭବପର ହୁଏ । ମନୁଷ୍ୟର ଇଚ୍ଛାନୁଯାୟୀ ଏହା କାର୍ଯ୍ୟ କରିଥାଏ ବୋଲିବାକୁ ହେବ । ପାଶ୍ଚତ୍ୟ ଦେଶମାନଙ୍କରେ ଅନେକ ଭୋଜନାଳୟରେ ଓ ଧନଶାଳୀ ଲୋକମାନଙ୍କ ଗୃହରେ ଏହି ଯନ୍ତ୍ର ବ୍ୟବହୃତ ହୁଏ । ଏହି ଚକ୍ଷୁର ଅଦୃଶ୍ୟ ରଶ୍ମି ଗୃହର ଦ୍ୱାରଦେଶରେ କୌଣସି ଆଗନ୍ତୁକ ଉପରେ ପଡ଼ିଲେ ତାହା ସ୍ୱତଃ ଉଦ୍‌ଘାଟିତ ହୁଏ । ଆଗନ୍ତୁକ ପ୍ରତ୍ୟାବର୍ତ୍ତନ କଲେ ପୂର୍ବପରି ଦ୍ୱାରରୁଦ୍ଧ ହୋଇଯାଏ ।

 

ଭୋଜନାଳୟର ପରିବେଷକ ଖାଦ୍ୟ ପଦାର୍ଥ ଘେନି ଦ୍ୱାର ନିକଟକୁ ଆସିଲେ ଦ୍ୱାର ଖୋଲିଯାଏ, ପୁଣି ପରିବେଷଣ ସାରି ସେ ଫେରିଗଲେ ତାହା ସ୍ୱତଃ ବନ୍ଦ ହୋଇଯାଏ । ମଟରଗାଡ଼ି ରଖା ଯାଉଥିବା ଗୃହର ଦ୍ୱାର ମଧ୍ୟ ଗାଡ଼ି ଆସିଲେ ଏହିରୂପେ ଉଦ୍‌ଘାଟିତ ହୋଇ ଗାଡ଼ି ବାହାରିଗଲେ ସ୍ୱତଃ ରୁଦ୍ଧ ହୁଏ । ଧନୀଲୋକମାନଙ୍କର ଫାଟକ ନିକଟରେ ଏହି ଯନ୍ତ୍ର ରଖାଯାଇ ସେହିପରି କାର୍ଯ୍ୟ କରାଯାଇଥାଏ ।

 

ଜନାକୀର୍ଣ୍ଣ ସହରର ରାସ୍ତାମାନଙ୍କରେ ମଧ୍ୟ ବୈଦ୍ୟୁତିକ ଚକ୍ଷୁ ପୁଲିସର କାର୍ଯ୍ୟ କରିଥାଏ-। କୌଣସି ରାସ୍ତା ପାର ହେଉଥିଲାବେଳେ ପଥପାର୍ଶ୍ୱର ଆଲୋକ ସ୍ତମ୍ବରେ ସ୍ୱତଃ ଲାଲବତୀ ଜଳିଉଠି ଯାନବାହନର ଚଳାଚଳ ବନ୍ଦ କରିଦିଏ । ପାଦଚାରୀ ପଥିକ ପଥ ଅତିକ୍ରମ କରି ଗଲାପରେ ଲାଲବତୀ ନିର୍ବାପିତ ହୋଇ ଯାନବାହନର ଅବାଧ ଯାତାୟାତର ସଙ୍କେତ ସ୍ୱରୂପ ନୀଳବତୀ ପ୍ରଜ୍ୱଳିତ ହୁଏ । ଏହା ଫଳରେ ମନୁଷ୍ୟ ଦେହରେ ଗାଡ଼ିର ଧକ୍‌କା ବାଜେ ନାହିଁ ।

 

ବୈଦ୍ୟୁତିକ ଚକ୍ଷୁର ପରେ ଅଦୃଶ୍ୟ ରଶ୍ମି ଦ୍ୱାରା ଚୋର କିମ୍ବା ଡକାୟତ ମଧ୍ୟ ସହଜରେ ଧରାପଡ଼ିଥାନ୍ତି । ସିନ୍ଦୁକ ନିକଟକୁ ଡକାୟତ ଆସିବା ମାତ୍ରେ ଗୃହକର୍ତ୍ତାଙ୍କ ଶୟନ କକ୍ଷରେ ଓ ପୁଲିସ ଥାନାରେ ଏକ ସତର୍କ ଘଣ୍ଟି ବାଜି ଉଠେ । ବଡ଼ ବଡ଼ ମୁଦ୍ରା ଯନ୍ତ୍ରରେ ମୁଦ୍ରଣ କାର୍ଯ୍ୟ ପାଇଁ ଖଣ୍ଡିକ ପରେ ଆଉ ଖଣ୍ଡିଏ କାଗଜ ଯୋଗାଇବା ଏବଂ କାରଖାନାମାନଙ୍କରେ ପ୍ରସ୍ତୁତ ଜିନିଷଗୁଡ଼ିକୁ ସୁମାରି କରିବା ବୈଦ୍ୟୁତିକ ଚକ୍ଷୁ ଦ୍ୱାରା ସମ୍ପନ୍ନ ହୋଇଥାଏ । ତାହା ବ୍ୟତୀତ କାରଖାନା, ରେଲଗାଡ଼ି କିମ୍ବା ଜାହାଜରେ କୌଣସି ବିପଦ ପଡ଼ିବା ପୂର୍ବରୁ ତାହାର ସଙ୍କେତ ଏହି ଯନ୍ତ୍ର ସାହାଯ୍ୟରେ ଜଣାପଡ଼େ ।

 

ପ୍ରଥମେ ଏହି ଯନ୍ତ୍ର ୧୮୯୦ ଖ୍ରୀଷ୍ଟାବ୍ଦରେ ବୈଜ୍ଞାନିକ ସଲଷ୍ଟର୍ ଓ ଗିଟେଲ୍‌ଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲେ । କ୍ରମେ ଏହାର ବହୁ ଉନ୍ନତି ସାଧିତ ହୋଇଛି ଓ ନାନାକ୍ଷେତ୍ରରେ ଏହା ବ୍ୟବହୃତ ହୋଇ ମାନବସମାଜର ଅଶେଷ କଲ୍ୟାଣ କରୁଛି ।

 

ଟେଲିଭିଜନ୍

 

ଟେଲିଭିଜନ୍ ଏକ ନବ ଉଦ୍ଭାବିତ ଅତ୍ୟାଶ୍ଚର୍ଯ୍ୟ ଯନ୍ତ୍ର । ରେଡ଼ିଓ ବା ବେତାର ଯନ୍ତ୍ରଦ୍ୱାରା ଆମ୍ଭେମାନେ ଯେପରି ସକଳ ଦେଶର ସମ୍ବାଦ, ସଙ୍ଗୀତ ଓ ବକ୍ତୃତା ଶୁଣିପାରୁଁ, ଟେଲିଭିଜନ୍ ଦ୍ୱାରା ସେହି ସଙ୍ଗୀତଜ୍ଞ ବା ବକ୍ତାଙ୍କର ଚେହେରାକୁ ଏବଂ ସେହି ସକଳ ଦୃଶ୍ୟ, ନୃତ୍ୟ ଓ ଅଭିନୟକୁ ମଧ୍ୟ ନିଜ ଗୃହରେ ଅବିକଳ ଦେଖିପାରୁଁ । ଶବ୍ଦସମେତ ଦୃଶ୍ୟଗୁଡ଼ିକୁ ତଡ଼ିତ୍-ତରଙ୍ଗଦ୍ୱାରା ଏହି ଯନ୍ତ୍ର ଦୂରସ୍ଥାନମାନଙ୍କୁ ପ୍ରେରଣ କରେ । ତେଣୁ ଏହାକୁ ଟେଲିଭିଜନ୍ ବା ଦୂରଦର୍ଶୀ ଯନ୍ତ୍ର ବୋଲାଯାଏ ।

 

ଦୂରଦର୍ଶୀ ଯନ୍ତ୍ର ୧୯୨୬ ଖ୍ରୀଷ୍ଟାବ୍ଦରେ ଇଂରେଜ ବୈଜ୍ଞାନିକ ଜର୍ଜ ବାୟାଡ଼ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା । କିଛିକାଳ ପରେ ଦ୍ୱିତୀୟ ମହାସମର ଲାଗିଯିବାରୁ ଏହି ଯନ୍ତ୍ରର ବିଶେଷ ଉନ୍ନତି ହୋଇପାରିଲା ନାହିଁ । ଯୁଦ୍ଧ ପରେ ଏହି ଯନ୍ତ୍ରର ଉନ୍ନତି ଲାଗି ବୈଜ୍ଞାନିକମାନେ ପ୍ରବଳ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ପାଶ୍ଚତ୍ୟ ଦେଶମାନଙ୍କର ବଜାରରେ ଏହି ଯନ୍ତ୍ରଦ୍ୱାରା ଦୃଶ୍ୟ ପ୍ରଦର୍ଶିତ ହେବା ଏକ ସାଧାରଣ ବ୍ୟାପାର ହୋଇପଡ଼ିଛି । ଏହାର ଉନ୍ନତି ସାଧିତ ହେଲେ ନିଜ ଗୃହରେ ଆମ୍ଭେମାନେ ସହସ୍ର ସହସ୍ର ମାଇଲ ବ୍ୟବଧାନରେ ଘଟୁଥିବା ନୃତ୍ୟ, କ୍ରୀଡ଼ା ଆଦି ଦୃଶ୍ୟର ଉପଭୋଗ କରି ପାରିବା ।’

 

ରେଡ଼ାର

 

ଗତ ପୃଥିବୀବ୍ୟାପୀ ମହାଯୁଦ୍ଧ ବହୁ ଦିଗରୁ ଜନସମାଜର କ୍ଷତି କରିଥିଲେ ହେଁ କେତେକ ଲାଭ ମଧ୍ୟ ରହିଛି । ନାନା ନୂତନ ଯନ୍ତ୍ରପାତିର ଉଦ୍ଭାବନଦ୍ୱାରା ଏହି ଉପକାର ସାଧିତ ହୋଇପାରିଛି । ଗତ ଯୁଦ୍ଧ ସମୟରେ ଉଦ୍ଭାବିତ ହୋଇଥିବା ରେଡ଼ାର ଏହି ପ୍ରକାର ବୈଦ୍ୟୁତିକ ଯନ୍ତ୍ର । ରେଡ଼ାର କୌଣସି କ୍ଷତିକାରକ ଅସ୍ତ୍ର ନୁହେଁ, ବରଂ ରକ୍ଷାକବଚ ସ୍ୱରୂପ । ଗତ ଯୁଦ୍ଧରେ ଉଡ଼ନ୍ତା ବୋମା, ରକେଟ୍ ବୋମା ଆଦି ନୂତନ ମାରଣାସ୍ତ୍ର କବଳରୁ ଏହି ରେଡ଼ାର ଯନ୍ତ୍ର ଇଂଲଣ୍ଡକୁ ଧ୍ୱଂସମୁଖରୁ ରକ୍ଷା କରି ପାରିଥିଲା ।

 

‘ରେଡ଼ାର’ ଶବ୍ଦର ଅର୍ଥ ହେଉଛି–କୌଣସି ଦୂର ବା ନିକଟବର୍ତ୍ତୀ ବସ୍ତୁର ଉପସ୍ଥିତ ଓ ଅବସ୍ଥାନକୁ ବେତାର-ତରଙ୍ଗ ସାହାଯ୍ୟରେ ନିର୍ଣ୍ଣୟ କରିବା । ଯଦି ଦିବାଲୋକରେ କିମ୍ବା ଅନ୍ଧକାର ରାତ୍ରରେ କୌଣସି ସହର ଉପରକୁ ଗୋଟିଏ ଆକ୍ରମଣକାରୀ ଯୁଦ୍ଧବିମାନ ଆସେ, ତେବେ ସେହି ଉଡ଼ାଜାହାଜର ଗତିବେଗ, ସହରଠାରୁ ଦୂରତା ଏବଂ ଆକାଶରେ ତାହାର ଅବସ୍ଥାନ ଆଦି ନିର୍ଣ୍ଣୟ କରିବା ରେଡ଼ାରର କାର୍ଯ୍ୟ ।

 

ଆମ୍ଭେମାନେ ଯେଉଁ ବେତାର ଯନ୍ତ୍ର ସାହାଯ୍ୟରେ ଗୀତ କିମ୍ବା ବକ୍ତୃତା ବହୁ ଦୂର ସ୍ଥାନରୁ ଶୁଣିପାରୁଁ ତାହାକୁ ତଡ଼ିତ୍-ତରଙ୍ଗ ଆମ ନିକଟକୁ ବୋହିଆଣେ । ଏହିପରି ତଡ଼ିତ୍-ତରଙ୍ଗ ରେଡ଼ାର ଯନ୍ତ୍ର ମଧ୍ୟରେ ଚାଳିତ ହୁଏ ।

 

ଏହି ଯନ୍ତ୍ର ସାହାଯ୍ୟରେ କେବଳ ଯେ ଶତ୍ରୁପକ୍ଷ ଜାହାଜର ଗତିବିଧି ନିର୍ଣ୍ଣୟ କରାଯାଇ ପାରେ, ତାହା ନୁହେଁ। ଏହା ସଙ୍ଗେ ସଙ୍ଗେ ଉକ୍ତ ଯନ୍ତ୍ର ଉଡ଼ାଜାହାଜ ଆକ୍ରମଣରେ ପ୍ରତିରୋଧ କରିବା ପାଇଁ ମିତ୍ରପକ୍ଷର କମାଣ-ଚାଳକମାନଙ୍କ ନିକଟକୁ ନିର୍ଦ୍ଦେଶ ପଠାଏ । ସେମାନେ ନିର୍ଦ୍ଦିଷ୍ଟ ଦିଗକୁ ଗୋଳା ନିକ୍ଷେପ କରନ୍ତି । ଆଉ କେତେକ ସ୍ଥାନରେ ଏଭଳି ଯାନ୍ତ୍ରିକ କୌଶଳ ଖଞ୍ଜା ଯାଇଥାଏ ଯେ, ରେଡ଼ାର ଯନ୍ତ୍ରରେ ଶତ୍ରୁପକ୍ଷ ବିମାନର ସଙ୍କେତ ପହଞ୍ଚିବାକ୍ଷଣି କମାଣର ମୁଖ ସ୍ୱତଃ ସେହି ଦିଗକୁ ବୁଲିଯାଇ ଗୁଳି ଫୁଟେ । ଫଳରେ ଶତ୍ରୁପକ୍ଷର ଆକ୍ରମଣ ପଣ୍ଡ ହୁଏ ।

 

ରେଡ଼ାର ଯନ୍ତ୍ର ସାହାଯ୍ୟରେ ଉଡ଼ାଜାହାଜର ଗତି ଓ ଅବସ୍ଥାନ କ୍ରମାଗତ ଗୋଟିଏ ମାନଚିତ୍ର ଉପରେ ଚିହ୍ନିତ ହେଉଥାଏ । ଏହି ମାନଚିତ୍ରରୁ ଉଡ଼ାଜାହାଜର ଗତିବେଗ ସହଜରେ ଜଣାପଡ଼େ । ପ୍ରଥମେ ୧୯୩୪ ମସିହାରେ ଇଂଲଣ୍ଡରେ ଏହି ଯନ୍ତ୍ର ସମ୍ବନ୍ଧରେ ଗବେଷଣା ଆରବ୍‌ଧ ହୋଇଥିଲା । ୧୯୩୫ ରେ ବୈଜ୍ଞାନିକମାନେ ଜାତୀୟ ବିଜ୍ଞାନ ଗବେଷଣାଗାରରେ ଏହି ଯନ୍ତ୍ରକୁ ପ୍ରଥମେ ଉଦ୍ଭାବନ କଲେ ।

 

ଆଜିକାଲି ପ୍ରାୟ ଶହେ ପ୍ରକାର ରେଡ଼ାର ଯନ୍ତ୍ର ଆବିଷ୍କୃତ ହୋଇଛି । ଏ ଗୁଡ଼ିକ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଅଛି । ଏକପ୍ରକାର ରେଡ଼ାର ଯନ୍ତ୍ର ସାହାଯ୍ୟରେ ବହୁ ଉର୍ଦ୍ଧ୍ୱରେ ଥାଇ ନିମ୍ନସ୍ଥ ୧୦ ମାଇଲ ବ୍ୟାସାର୍ଦ୍ଧ ପରିମିତ ସ୍ଥାନର ନଦୀ, ସମୁଦ୍ର, ପର୍ବତ, ସହର ଓ ଗ୍ରାମର ପ୍ରତିଚ୍ଛବି ଦେଖାଯାଏ । ଅନ୍ୟ ଏକ ପ୍ରକାର ଯନ୍ତ୍ର ସାହାଯ୍ୟରେ ଆକାଶରେ ଥାଇ ଦୂର ସମୁଦ୍ରରେ ଭାସୁଥିବା ଜାହାଜ, ନୌକା, ତୁଷାରଖଣ୍ଡ ଓ ପର୍ବତଗୁଡ଼ିକୁ ଅକ୍ଳେଶରେ ଠାବ କରି ହୁଏ ।

 

ଅନ୍ୟ ଏକ ପ୍ରକାର ରେଡ଼ାର ଯନ୍ତ୍ର ଉଡ଼ନ୍ତା ବୋମାକୁ ଧ୍ୱଂସ କରିବାକୁ ସାହାଯ୍ୟ କରେ । ଏହି ଯନ୍ତ୍ର ଗତ ମହାଯୁଦ୍ଧ ସମୟରେ ଦେଶର କଳା, ସ୍ଥାପତ୍ୟ ଓ ଶିଳ୍ପ-ବିଜ୍ଞାନକୁ ଧ୍ୱଂସ ମୁଖରୁ ରକ୍ଷାକବଚ ପରି ଉଦ୍ଧାର କରିପାରିଛି ।

 

ପ୍ରଶ୍ନ

 

୧.

ବିଦ୍ୟୁତ୍‌ ଶକ୍ତିଦ୍ୱାରା ଆମ୍ଭମାନଙ୍କର ଦୈନନ୍ଦିନ କାର୍ଯ୍ୟଗୁଡ଼ିକ କିପରି ଚାଳିତ ହୁଏ, ତାହା ଗୋଟିଏ ଅନୁଚ୍ଛେଦରେ ଲେଖ ।

 

 

୨.

‘ବୈଦ୍ୟୁତିକ ଚକ୍ଷୁ’ର ଅର୍ଥ କ’ଣ ଓ ଏହା କି କି କାର୍ଯ୍ୟରେ ବ୍ୟବହୁତ ହୁଏ ?

 

 

୩.

ଟେଲିଭିଜନ୍ ଯନ୍ତ୍ର କେବେ ଓ କାହାଦ୍ୱାରା ଉଦ୍ଭାବିତ ହୋଇ ଥିଲା ? ଏହାର ପ୍ରୟୋଜନୀୟତା କ’ଣ ?

 

 

୪.

ରେଡ଼ାରଦ୍ୱାରା ଆମ୍ଭମାନଙ୍କର ବିଭିନ୍ନ ସମୟରେ କି ଉପକାର ସାଧିତ ହୁଏ ?

 

 

(କ)

ଯୁଦ୍ଧ ସମୟରେ

 

 

(ଖ)

ଶାନ୍ତିକାଳରେ ।

 

 

୫.

ନିମ୍ନ ବାକ୍ୟଗୁଡ଼ିକୁ ଉଦାହରଣ ସହିତ ବୁଝାଇ ଦିଅ–

 

 

(କ)

ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ ଆମ୍ଭମାନଙ୍କର ସାମାଜିକ ଜୀବନରେ ଏକ ତୁମୂଳ ବିପ୍ଳବ ଆଣିଥିବାର ବୋଲାଯାଏ ।

 

 

(ଖ)

ବିଦ୍ୟୁତ୍‌ ଶକ୍ତି ନ ଥିଲେ ଆଧୁନିକ ଜୀବନର ଅଧିକାଂଶ କାର୍ଯ୍ୟ ଅଚଳ ହୋଇ ପଡ଼ିବ ।

 

 

(ଗ)

ଜନାକୀର୍ଣ୍ଣ ସହର ରାସ୍ତାମାନଙ୍କରେ ବୈଦ୍ୟୁତିକ ଶକ୍ତି ପୁଲିସର କାର୍ଯ୍ୟ କରିଥାଏ-

 

 

(ଘ)

ଶବ୍ଦ ସମେତ ଦୃଶ୍ୟକୁ ମଧ୍ୟ ତଡ଼ିତ୍-ତରଙ୍ଗଦ୍ୱାରା ଏହି ଯନ୍ତ୍ର ଦୂର ସ୍ଥାନମାନଙ୍କୁ ପ୍ରେରଣ କରେ ।

 

 

(ଙ)

ଏହି ଯନ୍ତ୍ର ଗତ ମହାଯୁଦ୍ଧ ସମୟରେ ଦେଶର କଳା, ସ୍ଥାପତ୍ୟ ଓ ଶିଳ୍ପ-ବିଜ୍ଞାନକୁ ଧ୍ୱଂସ ମୁଖରୁ ରକ୍ଷାକବଚ ପରି ଉଦ୍ଧାର କରି ପାରିଛି ।

 

 

୬.

ନିମ୍ନ ଶବ୍ଦଗୁଡ଼ିକର ବ୍ୟୁତ୍ପତ୍ତି ନିର୍ଣ୍ଣୟ କର–କ୍ଷିପ୍ରତର, ବିସ୍ମୟକର, ଉତ୍ତାପକ, ଆଭ୍ୟନ୍ତରୀଣ, ବୈଦ୍ୟୁତିକ, ପରିବେଷକ, ବୈଜ୍ଞାନିକ, ଯାନ୍ତ୍ରିକ ।

Image

 

ନବନିର୍ମାଣ ଓ ସଞ୍ଚୟ ଯୋଜନା

 

ସ୍ୱାଧୀନତା ଲାଭ ପରେ ଭାରତର ଚତୁର୍ଦ୍ଦିଗରେ ନବଚେତନା ଓ ଉନ୍ମାଦନା ଖେଳିଯାଇଛି । ଦେଶ ଆଜି ଉନ୍ନତିମାର୍ଗରେ ଅଗ୍ରସର ହେଉଛି । ଯୁଗ-ଯୁଗବ୍ୟାପୀ ଅଭାବ ଅସୁବିଧା ଦୂର କରି ସୁଖସମୃଦ୍ଧିର ଜୀବନଗଠନ ପାଇଁ ଭାରତବାସୀ ଦୃଢ଼ସଂକଳ୍ପ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଓ ବୈଜ୍ଞାନିକ ଉନ୍ନତି ପାଇଁ ବହୁମୁଖୀ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ନଗର ଓ ପଲ୍ଲୀଗୁଡ଼ିକୁ ସୁସ୍ଥ, ସୁନ୍ଦର ଓ ସୁଖକର କରି ଗଢ଼ିବା ପାଇଁ ନବ ନବ ଯୋଜନା ପ୍ରବର୍ତ୍ତିତ ହେଉଛି । ଗ୍ରାମଗୋଷ୍ଠୀ କେନ୍ଦ୍ର ଓ ଜାତୀୟ ସଂପ୍ରସାରଣ ଯୋଜନାର ପ୍ରଧାନ ଲକ୍ଷ୍ୟ ପଲ୍ଲୀ-ଉନ୍ନୟନ । ସେଥି ସଙ୍ଗେ ବିରାଟ ଜଳବିଦ୍ୟୁତ୍ ଯୋଜନା ଓ ଲୌହକାରଖାନାମାନ ନଗର ଓ ପଲ୍ଲୀ ସର୍ବତ୍ର ସମୂହଭାବରେ ଦେଶର କୃଷି-ଶିଳ୍ପର ଉନ୍ନତି ଉଦ୍ଦେଶ୍ୟରେ ନିର୍ମିତ ହେଉଛି । ଓଡ଼ିଶାରେ ହୀରାକୁଦ ବନ୍ଧ, ପୁଣି ରାଉରକେଲାର ଲୌହକାରଖାନା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ରାଜ୍ୟରେ ଜଳସେଚନ ଓ ବିଦ୍ୟୁତଯୋଗାଣର ବ୍ୟାପକ ବ୍ୟବସ୍ଥାମାନ କରାଯାଉଛି । ପୁଣି ରେଳପଥ, ସେତୁ, ସ୍କୁଲ କଲେଜ, ଡାକ୍ତରଖାନା, ଗୃହ ପ୍ରଭୃତି ଜନହିତକର ନିର୍ମାଣ କାର୍ଯ୍ୟରେ ମଧ୍ୟ ପ୍ରଚୁର ଅର୍ଥର ଆବଶ୍ୟକତା ଲାଗି ଜାତୀୟ ସଞ୍ଚୟ-ଯୋଜନାର ପ୍ରବର୍ତ୍ତନ କରାଯାଇଛି ।

 

ସଞ୍ଚୟ-ଯୋଜନାଦ୍ୱାରା ଦେଶବାସୀଙ୍କ ଉପାର୍ଜିତ ଅର୍ଥର ନିରାପତ୍ତାବିଧାନ ସଙ୍ଗେ ସଙ୍ଗେ ପାରିବାରିକ, ସାମାଜିକ ଓ ସାଂସାରିକ ଦାୟିତ୍ୱବୋଧ ମଧ୍ୟ ଜାଗ୍ରତ ହୋଇଥାଏ । ନିଜର ଭବିଷ୍ୟତ ପାଇଁ ନିଶ୍ଚିନ୍ତ ହେବା, ପୁଣି ଜାତୀୟ ନିର୍ମାଣ କାର୍ଯ୍ୟରେ ଅଂଶ ଗ୍ରହଣ କରିବାଦ୍ୱାରା ଏହି ଯୋଜନା ସାହାଯ୍ୟରେ ପ୍ରତ୍ୟେକ ଦେଶବାସୀ ନିଜର ଯେପରି ଉପକାର କରନ୍ତି, ସେହିପରି ଜାତୀୟ ସମୂହ ସ୍ୱାର୍ଥ ମଧ୍ୟ ସଂରକ୍ଷଣ କରିଥାନ୍ତି ।

 

ମନୁଷ୍ୟ ଅର୍ଥ ଉପାର୍ଜନ କରେ, ତାହା ବିନିମୟରେ ନିଜର ତଥା ପରିବାର ଓ ସମାଜର ସ୍ୱାସ୍ଥ୍ୟ ଓ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତି ଲାଗି; ଉପାର୍ଜିତ ସମସ୍ତ ଅର୍ଥକୁ ସଙ୍ଗେ ସଙ୍ଗେ ବ୍ୟୟ କରାଯାଇପାରେ-। ପୁଣି ସେଥିରୁ କେତେକାଂଶ ମଧ୍ୟ ଭବିଷ୍ୟତ ଲାଗି ସଞ୍ଚୟ କରାଯାଇପାରେ । ସଞ୍ଚୟ କରିବାର ପ୍ରବୃତ୍ତି ମନୁଷ୍ୟର ଶୈଶବ ଅବସ୍ଥାରୁ ଦେଖାଯାଇଥାଏ । ଉପଯୁକ୍ତ ଶିକ୍ଷା ପାଇଲେ ଶିଶୁ ମଧ୍ୟ ନିୟମିତ ଭାବରେ ସାମାନ୍ୟ ପରିମାଣରେ ଅର୍ଥ ସଞ୍ଚୟ କରିପାରେ । କେବଳ ମନୁଷ୍ୟ କାହିଁକି, କ୍ଷୁଦ୍ର କୀଟ, ଉଇ, ପିପୀଲିକା ଏବଂ ମଧୁମକ୍ଷିକାଠାରେ ମଧ୍ୟ ସଞ୍ଚୟ ପ୍ରବୃତ୍ତି ଲକ୍ଷିତ ହୁଏ ।

 

ଦେଶବାସୀଙ୍କର ଉଦ୍‌ବୃତ୍ତ ଅର୍ଥକୁ ନିରାପଦରେ ଗଚ୍ଛିତ ରଖି ତାଙ୍କ ହିତ ଉଦ୍ଦେଶ୍ୟରେ ବ୍ୟୟ କରିବା ପାଇଁ ଜାତୀୟ ସଞ୍ଚୟ-ଯୋଜନାର ପ୍ରତିଷ୍ଠା । ଡାକଘରେ ଏବଂ ସଞ୍ଚୟ-ଯୋଜନା କାର୍ଯ୍ୟାଳୟରେ ଏହାର ନିୟମାବଳୀ ମିଳିଥାଏ । ପାଞ୍ଚ ଟଙ୍କାଠାରୁ ଆରମ୍ଭ କରି ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ପୁଣି ବର୍ଷେ ଦେଢ଼ ବର୍ଷରୁ ବାର ବର୍ଷ ଲାଗି ଏହି ଯୋଜନାରେ ଟଙ୍କା ଜମା କରାଯାଇପାରେ । ନିର୍ଦ୍ଦିଷ୍ଟ ସମୟରେ ସୁଧ ସହିତ ତାହା ଉଠାଇଆଣି ସଞ୍ଚୟକାରୀ ନିଜର ଆବଶ୍ୟକ ବ୍ୟୟ ମଧ୍ୟ କରିପାରନ୍ତି । ଏହିରୂପେ ସ୍ୱଳ୍ପ ସଞ୍ଚୟ-ଯୋଜନା ଫଳରେ ଜାତୀୟ ଚେତନା ଏବଂ ଦେଶାତ୍ମବୋଧ ଜାଗ୍ରତ ହୋଇ ଦେଶବାସୀଙ୍କ ମଧ୍ୟରେ ଏକ ସଂଗଠିତ ନୈତିକ ପ୍ରଭାବ ବିସ୍ତାର କରେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହି ଯୋଜନାରେ ନିଜର ସାମର୍ଥ୍ୟ ଅନୁଯାୟୀ ଅର୍ଥ ସଞ୍ଚୟ କରିବାଦ୍ୱାରା ନିଜର ତଥା ଦେଶର ପ୍ରଭୃତ ଉପକାର ସାଧନ କରିପାରନ୍ତି ।

 

ପ୍ରଶ୍ନ

 

୧.

ସ୍ୱାଧୀନତା ଲାଭ ପରେ ଭାରତର କି କି ଉନ୍ନତି ତୁମେ ଦେଖିପାରୁଛ ?

 

 

୨.

ନଗର ଓ ପଲ୍ଲୀମାନଙ୍କରେ କେଉଁ ଯୋଜନାସବୁ କାର୍ଯ୍ୟକାରୀ ହେଉଅଛି ?

 

 

୩.

ସଞ୍ଚୟ-ଯୋଜନାଦ୍ୱାରା ଦେଶବାସୀଙ୍କର କି ଉପକାର ସାଧିତ ହୁଏ ?

 

 

୪.

ଜାତୀୟ ସଞ୍ଚୟ-ଯୋଜନାର ଉଦ୍ଦେଶ୍ୟ କ’ଣ ?

 

 

୫.

ଉନ୍ମାଦନା, ବହୁମୁଖୀ, ଗ୍ରାମଗୋଷ୍ଠୀ, ସଂପ୍ରସାରଣ-ଯୋଜନା, ଜଳବିଦ୍ୟୁତ୍-ଯୋଜନା, ଉପାର୍ଜିତ, ଦେଶାତ୍ମବୋଧ–ଏହି ଶବ୍ଦଗୁଡ଼ିକୁ ଘେନି ବାକ୍ୟ ରଚନା କର ।

Image

 

ଅରଣ୍ୟ ଏକ ଜାତୀୟ ସଂପଦ

 

ପ୍ରାଚୀନ ଭାରତୀୟ ସଭ୍ୟତା ଅରଣ୍ୟ ମଧ୍ୟରେ ହିଁ ଗଠିତ ହୋଇଥିଲା । ଭାରତର ଯୋଗୀଋଷିମାନେ ଅରଣ୍ୟ ମଧ୍ୟରେ ତପସ୍ୟା ସାଧନ କରି ଦିବ୍ୟ ଜ୍ଞାନାଲୋକ ଲାଭ କରୁଥିଲେ ଏବଂ ସେହି ଜ୍ଞାନ ଫଳରେ ବେଦ, ଉପନିଷଦ, କାବ୍ୟ, ପୁରାଣ ଦାର୍ଶନାଦି ଗ୍ରନ୍ଥମାନ ରଚିତ ହୋଇଥିଲା । ତପୋବନର ଋଷି ଆଶ୍ରମକୁ ପ୍ରାସାଦବାସୀ ରାଜରାଜେଶ୍ୱର ମଧ୍ୟ ମହାନ୍‌ ଅନୁଷ୍ଠାନ ରୂପେ ଜ୍ଞାନ କରୁଥିଲେ । ପୂର୍ବେ ଋଷିମାନଙ୍କର ନିର୍ଦ୍ଦେଶରେ ଶାସନକାର୍ଯ୍ୟ ପରିଚାଳିତ ହେଉଥିଲା-

 

ଆଧୁନିକ ଯୁଗରେ ବିଜ୍ଞାନର ଅଦ୍ଭୁତ ଅଗ୍ରଗତି ଫଳରେ ମନୁଷ୍ୟ ବିରାଟ ନଗର ଓ ବୈଦ୍ୟୁତିକ ଆଲୋକମାଳାଶୋଭିତ ଆକାଶସ୍ପର୍ଶୀ ହର୍ମ୍ୟମାନ ନିର୍ମାଣ କରି ରହୁଥିଲେ ହେଁ ବଣ୍ୟଜୀବନ ସଂରକ୍ଷଣ ତାହା ପକ୍ଷରେ ଅନିବାର୍ଯ୍ୟ ହୋଇପଡ଼ିଛି । ଅରଣ୍ୟର ସୁରକ୍ଷା ନ ହେଲେ ନଗରନିର୍ମାଣ-ଉପଯୋଗୀ ମୂଲ୍ୟବାନ୍‌ କାଷ୍ଠ ଏବଂ ଅନ୍ୟାନ୍ୟ ଉପାଦେୟ ବନ୍ୟଜାତ ଦ୍ରବ୍ୟର ଅଭାବ ଘଟିବ । ଆହୁରି ମଧ୍ୟ ଅରଣ୍ୟ ନଷ୍ଟ ହେଲେ ବୃଷ୍ଟି ଅଭାବରୁ କୃଷିହାନି ଘଟିଥାଏ । ତେଣୁ ଅରଣ୍ୟ ତଥା ବଣ୍ୟଜନ୍ତୁମାନଙ୍କର ସୁରକ୍ଷା ଏକାନ୍ତ ଆବଶ୍ୟକ ।

 

ବ୍ୟାଘ୍ର, ସିଂହ ଆଦି ହିଂସ୍ରଜନ୍ତୁମାନେ ମୃଗ ଓ ସମ୍ୱରମାନଙ୍କୁ ଆହାର କରୁଥିବାରୁ ମୃଗାଦି ପଶୁମାନଙ୍କ ସଂଖ୍ୟା ବୃଦ୍ଧି ଦ୍ୱାରା କୃଷିକ୍ଷେତ୍ର ଅଧିକ ବିପନ୍ନ ହୁଏ ନାହିଁ । ଆଉ ମଧ୍ୟ ପକ୍ଷୀମାନେ ଝିଣ୍ଟିକା ପ୍ରଭୃତି କୀଟପତଙ୍ଗଗୁଡ଼ିକୁ ଆହାର କରୁଥିବାରୁ ସେମାନଙ୍କ ଆକ୍ରମଣରୁ ଶସ୍ୟ ରକ୍ଷା ହୋଇଥାଏ ।

 

ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ଭାରତର ବିଭିନ୍ନ ରାଜ୍ୟସରକାରମାନେ ଉଦ୍ୟମ କରୁଅଛନ୍ତି । ଓଡ଼ିଶାରେ ମଧ୍ୟ ଏହିରୂପେ ଯୋଜନା କାର୍ଯ୍ୟକାରୀ ହୋଇଛି । ଓଡ଼ିଶାର ଅରଣ୍ୟ ଅଞ୍ଚଳ ମଧ୍ୟରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କଦ୍ୱାରା କେତେକ ଜଙ୍ଗଲ ‘ସୁରକ୍ଷିତ ଜଙ୍ଗଲ’ ବା ‘ଅଭୟ ଅରଣ୍ୟ’ ନାମରେ ଅଭିହିତ ହୋଇଛି । ଏହା ବ୍ୟତୀତ ରାଜ୍ୟର ବ୍ୟବସ୍ଥା ପରିଷଦ କର୍ତ୍ତୃକ ଆଇନ ପ୍ରଣୟନଦ୍ୱାରା ବୃହତ୍ତର ଅଞ୍ଚଳକୁ ଜାତୀୟ ଉଦ୍ୟାନ ନାମରେ ନିର୍ଣ୍ଣୟ କରାଯାଇଛି ।

 

ଅଭୟ ଅରଣ୍ୟ କିମ୍ୱା ଜାତୀୟ ଉଦ୍ୟାନ ରୂପେ ଚିହ୍ନିତ ବନ୍ୟ ଅଞ୍ଚଳ ମଧ୍ୟରେ ଶିକାର କରିବା ନିଷିଦ୍ଧ ଏବଂ ଗୁରୁତର ଦଣ୍ଡନୀୟ ଅପରାଧ ରୂପେ ଗଣ୍ୟ । ଏହି ଅରଣ୍ୟମାନଙ୍କରେ ବିରାଟକାୟ ବନ୍ୟହସ୍ତୀ, ମହାବଳ ବ୍ୟାଘ୍ର ଓ ସିଂହ ପ୍ରଭୃତି ହିଂସ୍ରଜନ୍ତୁ ନିର୍ଭୟ ଓ ନିରାପଦରେ ସ୍ୱାଧୀନଭାବରେ ବିଚରଣ କରୁଥିବାର ଦେଖିଲେ ଦର୍ଶକ ଚିତ୍ତ ଭୟ ଓ ବିସ୍ମୟରେ ଅଭିଭୂତ ହୁଏ ।

 

କେବଳ ଜାତୀୟ ଉଦ୍ୟାନରେ ଦର୍ଶକମାନେ ଅବସ୍ଥାନ କରି ଅରଣ୍ୟର ଶୋଭା ଓ ହିଂସ୍ରଜନ୍ତୁମାନଙ୍କୁ ନିରୀକ୍ଷଣ କରିବାର ବ୍ୟବସ୍ଥା ହୋଇଥାଏ । ସେଥିଲାଗି ଅରଣ୍ୟ ମଧ୍ୟରେ ସୁ-ଉଚ୍ଚ ପର୍ବତ ଗାତ୍ରରେ ସୁନ୍ଦର ବିଶ୍ରାମାଗାର ନିର୍ମିତ ହୋଇଥାଏ । ଗୃହ ମଧ୍ୟରେ ବସି ମଧ୍ୟ ଚତୁର୍ଦ୍ଦିଗରେ ହିଂସ୍ରଜନ୍ତୁ ଓ ପଶୁପକ୍ଷୀ ସ୍ୱାଧୀନଭାବରେ ବିଚରଣ କରୁଥିବାର ଲକ୍ଷ୍ୟ କରାଯାଏ । କିନ୍ତୁ ଅଭୟ ଅରଣ୍ୟରେ ଦର୍ଶକମାନଙ୍କ ସକାଶେ ଏପରି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ଓଡ଼ିଶାରେ କେତେକ ଅଭୟ ଅରଣ୍ୟ ଓ ଜାତୀୟ ଉଦ୍ୟାନ ଗଠିତ ହୋଇଛି ।

 

୧୯୩୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରି ଓଡ଼ିଶାର ବନ୍ୟ ଅଞ୍ଚଳରେ କେତେକ ଅରଣ୍ୟ ପଶୁପକ୍ଷୀମାନଙ୍କୁ ଅଭୟଦାନ କରୁଅଛି । ଏଠାରେ ଶିକାର କରିବା ଦଣ୍ଡନୀୟ । ଅନୁଗୁଳର ରାଏଗଡ଼ା, ବରଗଡ଼ର ଦେବ୍ରୀଗଡ଼, ସମ୍ୱଲପୁର ଦେବଗଡ଼ ରାସ୍ତା ଉପରେ ଉଷାକୋଟି, ପୁଣି ଭୁବନେଶ୍ୱର ରାଜଧାନୀ ନିକଟବର୍ତ୍ତୀ ଚନ୍ଦକା ଓ ପୁରୀଠାରୁ ଚାରିମାଇଲ ଦୂରରେ ଅବସ୍ଥିତ ବାଳଖଣ୍ଡ ଅଭୟ ଅରଣ୍ୟଗୁଡ଼ିକ ବହୁ ବର୍ଗମାଇଲ ବଣ୍ୟ ଅଞ୍ଚଳକୁ ଘେନି ଅବସ୍ଥିତ । ଏହି ସକଳ ଅଭୟ ଅରଣ୍ୟ ହସ୍ତୀ, ବ୍ୟାଘ୍ର, ମୟୂର, ବନ୍ୟ କୁକ୍‌କୁଟ, କୃଷ୍ଣସାର, ସମ୍ୱର ପ୍ରଭୃତି ପଶୁପକ୍ଷୀମାନଙ୍କର ବିହାରଭୂମି ।

 

ମୟୂରଭଞ୍ଜ ଜିଲାର ଶିମୁଳିପାଳର ପାର୍ବତୀୟ ଅଞ୍ଚଳରେ ଏକ ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଉଛି । ଏହାର ଆକାର ଚାରି ଶତ ବର୍ଗମାଇଲ । ଏହି ଜାତୀୟ ଉଦ୍ୟାନଟିରେ ଉତ୍ତମ ରାସ୍ତା ଓ ଦର୍ଶକମାନଙ୍କ ପାଇଁ ବିଶ୍ରାମାଗାର ଆବଶ୍ୟକ । ଯଶୀପୁର ଏବଂ ବାଙ୍ଗିରପୋଷୀଠାରୁ ଯାତ୍ରାକରି ଶିମୁଳିପାଳ ଜାତୀୟ ଉଦ୍ୟାନ ଦେଖିବାର ବ୍ୟବସ୍ଥା ହୋଇଅଛି । ଏହି ଉଦ୍ୟାନରେ ବରେହୀପାଣି ଜଳପ୍ରପାତର ଦୃଶ୍ୟ ଅତୀବ ରମଣୀୟ ।

 

ଜାତୀୟ ଉଦ୍ୟାନ ବା ଅଭୟ ଅରଣ୍ୟ ଦେଶ ଓ ଜାତିର ପରମ ସମ୍ପଦ । ଏହି ଅରଣ୍ୟବାସୀ ଜୀବଜନ୍ତୁମାନଙ୍କର ମଧ୍ୟ ମନୁଷ୍ୟ ଭଳି ବଞ୍ଚିରହିବାର ଅଧିକାର ଅଛି । ଅବଶ୍ୟ ବ୍ୟାଘ୍ର, ସର୍ପ ପ୍ରଭୃତି ହିଂସ୍ରଜନ୍ତୁ ମନୁଷ୍ୟର ପ୍ରାଣନାଶ କରିଥାନ୍ତି । ସେପରି ହିଂସ୍ରଜନ୍ତୁଙ୍କୁ ହତ୍ୟାକରିବା ଆବଶ୍ୟକ । କିନ୍ତୁ ସେମାନଙ୍କୁ ସମୂଳେ ବିନଷ୍ଟ କଲେ ମନୁଷ୍ୟର ମଧ୍ୟ କ୍ଷତି ଘଟେ । ସେଥିଲାଗି ବନ୍ୟଜନ୍ତୁ ରକ୍ଷଣାବେକ୍ଷଣ ଲାଗି ଯେଉଁ ବୈଜ୍ଞାନିକ ନୀତି ନିୟନ୍ତ୍ରିତ ହୋଇଛି, ତାହା ପାଳନ କରିବାକୁ ହେବ ।

 

ପ୍ରଶ୍ନ

 

୧.

ଜାତୀୟ ଉଦ୍ୟାନ ଓ ଅଭୟ ଅରଣ୍ୟ ମଧ୍ୟରେ ପ୍ରଭେଦ କଅଣ ?

 

 

୨.

ବନ୍ୟଜନ୍ତୁମାନଙ୍କୁ ରକ୍ଷାକଲେ ମନୁଷ୍ୟର କି ଉପକାର ହୁଏ ?

 

 

୩.

ଓଡ଼ିଶାରେ ଥିବା ଚାରିଗୋଟି ଅଭୟ ଅରଣ୍ୟର ନାମ କହ ।

 

 

୪.

‘‘ଋଷିମାନଙ୍କର ନିର୍ଦ୍ଦେଶରେ ଶାସନ କାର୍ଯ୍ୟ ପରିଚାଳିତ ହେଉଥିଲା’’–ଏହି ବାକ୍ୟଟିକୁ ଉଦାହରଣ ସହ ବୁଝାଇ ଦିଅ ।

 

 

୫.

ନିରାପଦ, ପ୍ରାସାଦ, ଆକାଶସ୍ପର୍ଶୀ, ବିପନ୍ନ, ବିଭାଗୀୟ, ଅଭିଭୂତ, ଅବସ୍ଥିତ, ବିଶ୍ରାମାଗାର–ଏ ଶବ୍ଦଗୁଡ଼ିକୁ ଘେନି ଗୋଟିଏ ଲେଖାଏଁ ବାକ୍ୟ ରଚନା କର ।

 

 

୬.

ଅରଣ୍ୟ, ବିଜ୍ଞାନ, ପ୍ରୟୋଜନ, ବିଦ୍ୟୁତ୍‌, ଅପରାଧ–ବିଶେଷ୍ୟକୁ ବିଶେଷଣରେ ପରିଣତ କର ।

Image

 

ଜାତୀୟ-ସଙ୍ଗୀତ

 

ଜନ-ଗଣ-ମନ-ଅଧିନାୟକ ଜୟ ହେ, ଭାରତ-ଭାଗ୍ୟବିଧାତା,

ପଞ୍ଜାବ-ସିନ୍ଧୁ-ଗୁଜରାଟ-ମରାଠା-ଦ୍ରାବିଡ଼-ଉତ୍କଳ-ବଙ୍ଗ,

ବିନ୍ଧ୍ୟ-ହିମାଚଳ-ଯମୁନା-ଗଙ୍ଗା, ଉଚ୍ଛଳ ଜଳଧି-ତରଙ୍ଗ,

ତବ ଶୁଭ ନାମେ ଜାଗେ, ତବଶୁଭ ଆଶିଷ ମାଗେ

ଗାଏ ତବ ଜୟ ଗାଥା ।

ଜନ-ଗଣ-ମଙ୍ଗଳ-ଦାୟକ ଜୟ ହେ ଭାରତ-ଭାଗ୍ୟବିଧାତା

ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ ।

Image